ପଂଜାବ ନିର୍ବାଚନରେ ‘ମୁଖ୍ୟମନ୍ତ୍ରୀ ଚେହେରା’ କିଏ ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜାନୁୟାରୀ ୧୩
ଫେବୃୟାରୀ ୧୪ରେ ହେବାକୁ ଯାଉଛି ୧୧୭ ଆସନ ବିଶିଷ୍ଟ ପଂଜାବ ବିଧାନସଭାର ନିର୍ବାଚନ । ଏହି ନିର୍ବାଚନରେ କେଉଁ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ରହିବେ, ସେ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଥମୁ ନାହିଁ । କାରଣ, ‘ମୁଖ୍ୟମନ୍ତ୍ରୀ ଚେହେରା’କୁ ନେଇ ସବୁ ଦଳ ବିବାଦୀୟ ସ୍ଥିତିରେ ଅଛନ୍ତି । ରାଜ୍ୟରେ କଂଗ୍ରେସ ଦଳର ସରକାର ଥିଲେ ମଧ୍ୟ ଦଳ ଏହି ବିବାଦରୁ ଉଦ୍ଧ୍ୱର୍ରେ ନାହିଁ । କଂଗ୍ରେସର ଦଳିତ ନେତା ଚରନଜିତ୍ ସିଂହ ଚନ୍ନି ପଂଜାବର ମୁଖ୍ୟ ଅଛନ୍ତି । ତେବେ, ଦଳ ଚନ୍ନିଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢିବ କି ଅନ୍ୟ କାହାକୁ ‘ମୁଖ୍ୟମନ୍ତ୍ରୀ ଚେହେରା’ କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହିଁ । କଂଗ୍ରେସ ହାଇକମାଣ୍ଡ୍ ଏହି ପ୍ରସଙ୍ଗକୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନାହାନ୍ତି । ଚନ୍ନି ମୁଖ୍ୟମନ୍ତ୍ରୀ ଥିବାରୁ ଦଳ ସ୍ୱାଭାବିକ ଭାବେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢିବା କଥା । କିନ୍ତୁ, ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥିବା ନଭଜୋତ ସିଂହ ସିଦ୍ଧୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଆଶାୟୀ । ତେଣୁ, ଏହି ପ୍ରସଙ୍ଗକୁ ନେଇ ସେ ଏକ ବିବାଦୀୟ ବାତାବରଣ ସୃଷ୍ଟି କରିଛନ୍ତି । ମତଦାନ ହେବାକୁ ଏକ ମାସ ସମୟ ଥିବା ବେଳେ ପଂଜାବ କଂଗ୍ରେସରେ ‘ମୁଖ୍ୟମନ୍ତ୍ରୀ ଚେହେରା’କୁ ନେଇ ବିବାଦ ଅସମାଧିତ ହୋଇ ରହିବା ବିରୋଧୀଙ୍କୁ ଟାହିଟାପରା କରିବା ସୁଯୋଗ ଦେଇଛି ।
୨୦୧୭ ବିଧାନସଭା ନିର୍ବାଚନରେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ କଂଗ୍ରେସ ଦଳ ପଂଜାବରେ ବିଧାନସଭା ନିର୍ବାଚନ ଲଢି ଥିଲା ଏବଂ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇ ସରକାର ଗଠନ କରିଥିଲା । କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ହେବା ସହ ସିଦ୍ଧୁଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିଲେ । ତେବେ, ବିଭିନ୍ନ କାରଣରୁ କ୍ୟାପଟେନ୍ ଅମରିନ୍ଦିର ସିଂହଙ୍କ ସହ ସିଦ୍ଧୁଙ୍କ ମତଭେଦ ହୋଇ ତାହା ଉଗ୍ର ରୂପ ଧାରଣ କରିବା ପରେ ସିନ୍ଧୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ବିଦା ନେଇ ଥିଲେ । ପରେ, ସିଂହ-ସିଦ୍ଧୁ ବିବାଦ ଅଧିକ ଘନିଭୂତ ହୋଇ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ତଡା ଖାଇବାକୁ ପଡିଲା । କଂଗ୍ରେସ ହାଇକମାଣ୍ଡ୍ ଅସନ୍ତୁଷ୍ଟ ସିଦ୍ଧୁଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦ ଦେଇ ମଧ୍ୟ ସନ୍ତୁଷ୍ଟ କରିବାରେ ବିଫଳ ହେବାରୁ କ୍ୟାପଟେନ୍ ସିଂହଙ୍କୁ ବାହାର ରାସ୍ତା ଦେଖାଇ ଦେଇଥିଲେ ।
କ୍ୟାପଟେନ୍ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ବିତାଡିତ ହେବା ପରେ କଂଗ୍ରେସ ହାଇକମାଣ୍ଡ୍ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥିବା ସିଦ୍ଧୁଙ୍କ ଅତି ଘନିଷ୍ଟ ଭାବେ ପରିଚିତ ଦଳିତ ବିଧାୟକ ଚରନଜିତ୍ ସିଂହ ଚନ୍ନିଙ୍କୁ ପଂଜାବ ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କଲେ । ମୁଖ୍ୟମନ୍ତ୍ରୀ ହେବାକୁ ଆଶାୟୀ ଥିବା ସିଦ୍ଧୁ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିର ବିରୋଧ କରି ନଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବିଭିନ୍ନ ନିଷ୍ପତ୍ତିର ବିରୋଧ କରି ନୂଆବିବାଦ ଆରମ୍ଭ କରିଥିଲେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦପଦବୀରେ ନିଯୁକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ବିରୋଧ କରି ସିଦ୍ଧୁ ଏପରି ନାଟକୀୟ ପରିସ୍ଥିତି ସୃଷ୍ଟି କଲେ ଯେ ହାଇକମାଣ୍ଡଙ୍କ ତାହାର ସମାଧାନ କରି ପାରିଲେ ନାହିଁ । ତେବେ, ମୁଖ୍ୟମନ୍ତ୍ରୀ ଥାଇ ଚନ୍ନି ସିଦ୍ଧୁଙ୍କ ସହ ସାଲିସ କରି ସରକାର ଚଳାଇଛନ୍ତି ।
ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଚନ୍ନି ଓ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ସିଦ୍ଧୁଙ୍କ ମଧ୍ୟରେ ଦଳର ‘ମୁଖ୍ୟମନ୍ତ୍ରୀ ଚେହେରା’ବିବାଦ ଅଧିକ ସ୍ପଷ୍ଟ ହୋଇଛି । ରାଜ୍ୟରେ କଂଗ୍ରେସ ଦଳ କାହା ନେତୃତ୍ୱରେ ନିର୍ବାଚନ ଲଢିବ (?)- ତାହା କଂଗ୍ରେସ ପାଇଁ ବଡ଼ ପ୍ରଶ୍ନ ହୋଇଛି । ସିଦ୍ଧୁ ଚାହୁଁଛନ୍ତି, ଚନ୍ନି ମୁଖ୍ୟମନ୍ତ୍ରୀ ଥିଲେ ବି କଂଗ୍ରେସ ହାଇକମାଣ୍ଡ ତାଙ୍କୁ (ସିଦ୍ଧୁ) ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରନ୍ତୁ ଓ ତାହା ମୁକ୍ତ କଂଠରେ ଘୋଷଣା କରନ୍ତୁ । ମୁଖ୍ୟମନ୍ତ୍ରୀ ଚନ୍ନି ବୁଝି ପାରୁଛନ୍ତି ତାଙ୍କ ଦୁର୍ବଳ ସ୍ଥିତିକୁ । ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାରୁ ତାଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢିବା ସେ ଚାହୁଁ ଥିଲେ ମଧ୍ୟ ଭୋଟ ସରିବା ପରେ କଂଗ୍ରେସ ହାଇକମାଣ୍ଡ ଏହାର ନିଷ୍ପତ୍ତି ନେଇ କହି ପ୍ରସଙ୍ଗକୁ ଏଡାଇବାକୁ ଗୁରୁତ୍ୱ ଦେଉଛନ୍ତି । ତେବେ, କଂଗ୍ରେସ ହାଇକମାଣ୍ଡ ମୁହଁ ବନ୍ଦ ରଖି ଥିବାରୁ ଦଳର ମୁଖ୍ୟମନ୍ତ୍ରୀ ଚେହେରକୁ ନେଇ ବିବାଦ ଜଟିଳ ହେବାରେ ଲାଗିଛି ।
ନିର୍ବାଚନ ସରିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ଚନ୍ନି କହିଥିବା ବେଳେ କଂଗ୍ରେସ ମୁଖ୍ୟ ନୁହେଁ, ପଂଜାବବାସୀ ଏହା ନିର୍ଣ୍ଣୟ କରିବେ ବୋଲି ସିଦ୍ଧୁ ମନ୍ତବ୍ୟ ରଖିବା କଂଗ୍ରେସ ଭିତରର ସ୍ଥିତିକୁ ସ୍ପଷ୍ଟ କରୁଛି । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚନ୍ନି-ସିଦ୍ଧୁ ବିବାଦ କଂଗ୍ରେସ ପାଇଁ ଅଡୁଆ ସୂତା ହୋଇଥିବା ବେଳେ ଆଗାମୀ ପଂଜାବ ନିର୍ବାଚନରେ କଂଗ୍ରେସର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ ବା ‘ଆପ୍’ ମଧ୍ୟ ସମାନ ସମସ୍ୟାର ସାମ୍ନା କରୁଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ‘ଆପ୍’ ଯଦି କ୍ଷମତା ଆସେ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ (?) ବୋଲି ଗଣମାଧ୍ୟମରେ ଲଗାତର ପ୍ରଶ୍ନ ହେବାରୁ ‘ଆପ୍’ ମୁଖ୍ୟ କେଜରୀୱାଲ ଏକ ନୂଆ ଫର୍ମୁଲା ଆପଣାଇଛନ୍ତି ।
ପଂଜାବରେ ‘ଆପ୍’ କ୍ଷମତାକୁ ଆସିଲେ ପଂଜାବବାସୀ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହାକୁ ଦେଖିବାକୁ ଚାହୁଁଛନ୍ତି ତାହା ଭୋଟିଂ ମାଧ୍ୟମରେ ନିର୍ଣ୍ଣୟ କରିବାକୁ କେଜରୀୱାଲ ‘ହ୍ୱାଟସ୍ ଆପ୍’ ବା ଏସଏମଏସ୍ ମାଧ୍ୟରେ ଟେଲେ-ଭୋଟିଂ କରାଇବାକୁ ଏକ ନମ୍ବର (୭୦୭୪୮୭୦୭୪୮) ଜାରି କରିଛନ୍ତି । ଜାନୁୟାରୀ ୧୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପଂଜାବ ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଇ ସେହି ଦିନ ତାହା ଘୋଷଣା କରାଯିବ ବୋଲି ଆପ୍ ମୁଖ୍ୟ କେଜରୀୱାଲ ଆଜି ଗଣମାଧ୍ୟମକୁ କହିଛନ୍ତି । ତେବେ, କେଜରୀୱଲଙ୍କ ଏହି ନୂଆ ଫର୍ମୂଲାରେ ପଂଜାବର ଦଳୀୟ ସାଂସଦ ଭଗବାନ ମାନ୍ ଅସନ୍ତୁଷ୍ଟ ଥିବା କୁହାଯାଉଛି ।
କାରଣ, ୨୦୨୨ ନିର୍ବାଚନରେ ପଂଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ସେ ମୁଖ୍ୟମନ୍ତ୍ରୀ ହେବା ଆଶା ରଖି ଦଳ ପାଇଁ ଖଟୁ ଥିଲେ । କିନ୍ତୁ, ମୁଖ୍ୟମନ୍ତ୍ରୀ ଚେହେରା ଭାବେ ତାଙ୍କ ଘୋଷଣା ହୋବ ସମୟ ଆସିଥିବା ବେଳେ ଦଳର ନେତା ଜନତା ଉପରେ ତାହା ଛାଡିଛନ୍ତି । ତାହା ‘ଆପ୍’ସାଂସଦ ଭଗବାନ ମାନ୍ ଙ୍କୁ କ୍ଷୁବ୍ଧ କରିଛି ବୋଲି ଚର୍ଚ୍ଚା ହେଉଛି । ଗଣମାଧ୍ୟମ ପ୍ରତିନିଧିମାନେ ଆଜି କେଜରୀୱାଲଙ୍କୁ ଏନେଇ ପ୍ରଶ୍ କରିବାରୁ ସେ କହିଛନ୍ତି, ଭଗବାନ ମାନ୍ ତାଙ୍କ ସାନ ଭାଇ ଭଳି ଓ ସେ ତାଙ୍କୁ ବହୁତ ଭଲ ପାଆନ୍ତି । ତେବେ, ରାଜ୍ୟରେ ‘ଆପ୍’ର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ, ତାହା ପଂଜାବବାସୀ ନିର୍ଣ୍ଣୟ କରିବା ଆବଶ୍ୟକ । ସେ ନିଜେ ପଂଜାବ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି (?) ବୋଲି ପ୍ରଶ୍ନ ହେବାରୁ ‘ମୁଁ ଦୌଡ଼ରେ ନାହିଁ’ ବୋଲି କେଜରୀୱାଲ ସ୍ପଷ୍ଟ କରିଛନ୍ତି ।
ପଂଜାବରେ ଅମ୍ ଆଦମୀ ପାର୍ଟି କଂଗ୍ରେସର ପ୍ରମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ବେଳେ କଂଗ୍ରେସରୁ ଇସ୍ତଫା ଦେଇ ନିଜର ରାଜନୈତିକ ଦଳ ଗଠନ କରିଥିବା ପୂର୍ବତନ ପଂଜାବ କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ରାଜ୍ୟରେ କଂଗ୍ରେସକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ସହ ହାତ ମିଳାଇଛନ୍ତି । ଅକାଳୀ ଦଳ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରେ ଅଛି । ତେଣୁ, ୨୦୨୨ ପଂଜାବ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ଚତୁଷ୍କୋଣୀୟ ହେବା ନିଶ୍ଚିତ । ଏହାଛଡା, ତିନି କୃଷି ଆଇନ ରଦ୍ଦ ଦାବିରେ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷାଧିକ ସମୟ ଆନ୍ଦୋଳନ ଜାରି ରଖି ସଫଳତାର ସ୍ୱାଦ ଚାଖିଥିବା ସଂଯୁକ୍ତ କିଶାନ ମୋର୍ଚ୍ଚ (ଏସକେଏମ)ର ଏକ ଗୋଷ୍ଠୀ ନୂଆ ରାଜନୈତି ଦଳ ଗଠନ କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି । ଚାଷୀଙ୍କ ଏହି ରାଜନୈତିକ ସାମ୍ମୁଖ୍ୟ ୧୧୭ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଚାଷୀ ଆନ୍ଦୋଳନରୁ ରାଜନେତା ପାଲଟି ଥିବା ବଲବୀର ସିଂହ ରାଜେୱାଲା ନିର୍ବାଚନ ଲଢିବା ଏବଂ ମୁଖ୍ୟମନ୍ତ୍ରୀ ଚେହେରା ସମ୍ଭାବନା ମଧ୍ୟ ରହିଛି ।
୨୦୧୭ ପଂଜାବ ବିଧାନସଭା ନିର୍ବାଚନରେ କ୍ଷମତାସୀନ ଅକାଳୀ ଦଳ-ବିଜେପି ମେଂଟ ଓ କଂଗ୍ରେସ ମଧ୍ୟରେ ଲଢେଇ ହୋଇଥିଲା ଏବଂ କ୍ୟାପଟେନ୍ ସିଂହଙ୍କ ନେତୃତ୍ୱରେ କଂଗ୍ରେସ ଦଳ ୧୧୭ ବିଧାନସଭା ଆସନରୁ ୭୭ଟି ପାଇ ସରକାର ଗଢି ଥିଲା । ସେହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବା ‘ଆପ୍’କୁ ୨୦ଟି ଆସନ ମିଳି ଥିଲା । ସରକାର ବିରୋଧୀ ହାୱା ଯୋଗୁଁ ଅକାଳୀ ଦଳ-ବିଜେପି ମେଂଟ ପରାଜିତ ହୋଇଥିଲେ । ଆକଳୀ ଦଳ ମାତ୍ର ୧୫ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ମାତ୍ର ୩ଟି ଆସନ ପାଇଥିଲା ।
୨୦୨୨ ବିଧାନସଭା ନିର୍ବାଚନ କଥା ଭିନ୍ନ । ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାର ଚାଷୀ ସଂଗଠନଙ୍କ ପ୍ରତି ଯେଭଳି ଆଭିମୁଖ୍ୟ ଦେଖାଇଲେ ତାହା ଚାଷୀଙ୍କ ମନରୁ ଲିଭି ନାହିଁ । ତିନି କୃଷି ଆଇନ ରଦ୍ଦ ହେବା ପରେ ମଧ୍ୟ ରାଜ୍ୟର ଚାଷୀମାନେ ବିଜେପି ବିରୋଧୀ ରହିଛନ୍ତି । ଜାନୁୟାର ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଜାବ ଫିରୋଜପୁର ଗସ୍ତ ସମୟରେ ହୋଇଥିବା ରାସ୍ତା ଅବରୋଧ ଏବଂ ଏହି ପ୍ରଧାନମନ୍ତ୍ରୀ ଏକ ଫ୍ଲାଏଓଭର ଉପରେ ୧୫ରୁ ୨୦ ମିନିଟ ଫସୀ ରହି ପଛକୁ ଫେରିବା ଏହାର ଜ୍ୱଳନ୍ତ ଉଦାହରଣ ।
ସେହିଭଳି, କଂଗ୍ରେସ ଦଳରେ ନେତୃତ୍ୱ କନ୍ଦଳ ଚରମ ସୀମାନେ ରହିଛି । ଚାଷୀ ଆନ୍ଦୋଳନ ସମୟରେ କେନ୍ଦ୍ର ସରକାରଙ୍କ ଅଭିମୁଖ୍ୟକୁ ବିରୋଧ କରି ଅକାଳୀ ଦଳ ବିଜେପିଠାରୁ ସଂପର୍କ ତୁଟାଇ ସାରିଛି । ଏଭଳି ସ୍ଥିତିରେ ରାଜ୍ୟରେ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ର ଶକ୍ତି ବୃଦ୍ଧି ଘଟିଛି ଏବଂ ‘ଆପ୍’ କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରାଯାଉଛି । ଏସବୁ ଦୃଷ୍ଟିରୁ ଆଗାମୀ ପଂଜାବ ବିଦାନସଭା ନିର୍ବାଚନ ବେଶ୍ ରୋଚକ ହେବାକୁ ଯାଉଛି । ନିର୍ବାଚନରେ କିଏ ବାଜି ମାରିବ, ମୁଖ୍ୟମନ୍ତ୍ରୀ କିଏ ହେବ – ତାହା ଉପରେ ସମସ୍ତଙ୍କ ନଜର ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS