ପଂଜାବରେ ଭଗବନ୍ତ ମାନ୍ ହେଲେ ‘ଆପ୍’ର ମୁଖ୍ୟମନ୍ତ୍ରୀ ଚେହେରା
ମାହୋଲି
ଜାନୁୟାରୀ ୧୮
ଫେବୃୟାରୀ ୨୦ରେ ହେବାକୁ ଥିବା ପଂଜାବ ବିଧାନସଭା ନିର୍ବାଚନରେ ‘ଆପ୍’ ସାଂସଦ ଭଗବନ୍ତ ମାନ୍ ଦଳର ମୁଖ୍ୟମନ୍ତ୍ରୀ ଚେହେରା ହେଉଥିବା ଆଜି ଦଳ ପକ୍ଷରୁ ଘୋଷଣା କରାଯାଇଛି । ପଂଜାବବାସୀ ଆସନ୍ତା ନିର୍ବାଚନରେ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି, ସେ ନେଇ ‘ଆପ୍’ ପକ୍ଷରୁ ଫୋନ୍ ଓ ‘ହ୍ୱାଟସ୍ ଆପ୍’ ମାଧ୍ୟମରେ ମତାମତ ସଂଗ୍ରହ ହୋଇଥିଲା । ୨୧ ଲକ୍ଷ ମତଦାତା ଏହି ଟେଲି-ଭୋଟିଂରେ ସାମିଲ ହୋଇ ମତଦାନ କରିଛନ୍ତି । ସେଥିରୁ ୯୩ ପ୍ରତିଶତ ମତଦାତା ‘ଆପ୍’ ସାଂସଦ ମାନ୍ଂକ ସମର୍ଥନରେ ଭୋଟ ଦେଇଥିବା ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଆଜି ମାହୋଲୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି । ମାନ୍ ପଂଜାବର ସାଂଗରୁର ଆସନରୁ ଦୁଇ ଥର ଲୋକସଭାକୁ ନିର୍ବାଚିତ ହୋଇ ସାଂସଦ ଅଛନ୍ତି ।
ମତଦାନରେ ଭାଗ ନେଇଥିବା ୨୧ ଲକ୍ଷ ମତଦାତାଙ୍କ ମଧ୍ୟରୁ ମାତ୍ର ୩ ପ୍ରତିଶତ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ଏହି ଟେଲିଂ-ଭୋଟିଂରୁ ଜଣପଡିଛି ବୋଲି ‘ଆପ୍’ ପକ୍ଷରୁ କୁହାଯାଇଛି । କେଜରୀୱାଲ କହିଛନ୍ତି, ସେ ନିଜେ ପଂଜାବର ମୁଖ୍ୟମନ୍ତ୍ରୀ ହେବା କିଛି ମତଦାତା ଚାହିଁଛନ୍ତି । ତେବେ, ତାହା ସମ୍ଭବ ନଥିବାରୁ ସେସବୁ ମତ ନାକଚ ହୋଇଯାଇଛି । ଏଥିରୁ ୨୦୨୨ ବିଧାନସଭା ନିର୍ବାଚନରେ ପଂଜାବରେ ଆମ୍ ଆଦମୀ ପାର୍ଟି ବା ‘ଆପ୍’ କ୍ଷମତାକୁ ଆସୁଥିବା ସ୍ପଷ୍ଟ ହୋଇଛି । ଜନମତ ଯାହା ସପକ୍ଷରେ ଅଛି ସେ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି କେଜରୀୱାଲ କହିଛନ୍ତି । ମୋହାଲି ଅଡିଟୋରିୟମରେ କେଜରୀୱାଲଙ୍କ ଏହି ଘୋଷଣା ଆନନ୍ଦର ଲହରୀ ଖେଳାଇ ଦେଇଥିଲା । ଉପସ୍ଥିତ ଜନତା କରତାଳି ଦେଇ ତାହାକୁ ସ୍ୱାଗତ କରିଥିଲେ ।
‘ଆପ୍’ ହେଉଛି ଏକମାତ୍ର ରାଜନୈତିକ ଦଳ ଯିଏକି ଫେବୃୟାରୀ ୨୦ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ, ତାହା ସ୍ପଷ୍ଟ କରିଛି । କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଏପର୍ଯ୍ୟନ୍ତ ତାହା ସ୍ପଷ୍ଟ କରି ନାହାନ୍ତି । ରାଜ୍ୟରେ ୨୦୧୭ରୁ କଂଗ୍ରେସ ଦଳର ସରକାର ରହିଛି । ଚିରନଜିତ୍ ସିଂହ ଚନ୍ନି ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ତେବେ, ତାଙ୍କ ନେତୃତ୍ୱରେ ହିଁ ଭାରତୀୟ ଜାତୀୟ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନ ଲଢିବ ବୋଲି କଂଗ୍ରେସ ହାଇକମାଣ୍ଡ୍ ଘୋଷଣା କରିବାକୁ କୁଣ୍ଠିତ । ତେଣୁ, ରାଜ୍ୟରେ କଂଗ୍ରେସ ଦଳ ପୁନଃ କ୍ଷମତାସୀନ ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଭୋଟରଙ୍କ ସାମ୍ନାରେ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଦଳ ୨୦୧୭ରେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢି ଥିଲା । ସିଂହ ମୁଖ୍ୟମନ୍ତ୍ରୀ ଚେହେରା ଥାଇ ସେତେବେଳେ କ୍ଷମତାରେ ଥିବା ଅକାଳୀ ଦଳ-ବିଜେପି ମେଂଟ ବିରୋଧରେ ଲଢି ଥିଲେ ଏବଂ ମେଂଟର ଦୁର୍ନୀତିକୁ ପଦାରେ ପକାଇ କଂଗ୍ରେସକୁ କ୍ଷମତାସୀନ କରିଥିଲେ । କିନ୍ତୁ, ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ସହ ତାଙ୍କର ମତାନ୍ତର ଚରମ ସୀମାରେ ପହଂଚିବାରୁ ଓ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ସୁରକ୍ଷା ନ ଦେଇ ସିଦ୍ଧୁଙ୍କୁ ସମର୍ଥନ ଦେବାରୁ କ୍ୟାପଟେନ୍ ସିଂହ ନିଜକୁ ଉପେକ୍ଷିତ ମନେ କରି ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଓ ପରେ କଂଗ୍ରେସରୁ ଇସ୍ତଫା ଦେଇ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ସିଂହଙ୍କ ଇସ୍ତଫା ପରେ ପିପିସିସି ସଭାପତି ସିଦ୍ଧୁଙ୍କ ଘନିଷ୍ଟ କୁହାଯାଉଥିବା ଦଳିତ ବିଧାୟକ ଚରନଜିତ୍ ସିଂହ ଚନ୍ନିଙ୍କୁ କଂଗ୍ରେସ ହାଇକମାଣ୍ଡ୍ ପଂଜାବ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । ସାଂପ୍ରତିକ ସ୍ଥିତିରେ ଚନ୍ନି ହେଉଛନ୍ତି ଦେଶର ଏକମାତ୍ର ଦଳିତ ମୁଖ୍ୟମନ୍ତ୍ରୀ ବୋଲି କଂଗ୍ରେସ ଜୋରଦାର ପ୍ରଚାର କରି ଦଳିତ ମତଦାତାଙ୍କୁ କଂଗ୍ରେସ ସପକ୍ଷରେ ଆଣିବାକୁ ପ୍ରୟାସ କରିଥିଲା । ତେବେ, ମୁଖ୍ୟମନ୍ତ୍ରୀ ଚନ୍ନି ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ସିଂହଙ୍କ ଭଳି ସମାନ ଦଶା ଭୋଗୁଛନ୍ତି । ଚନ୍ନି ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ସିଦ୍ଧୁ ପଂଜାବ ରାଜନୀତିକୁ ନିଜ ନିୟନ୍ତ୍ରଣରେ ରଖି ଶାସନ ଚଳାଇବାକୁ ଚାହିଁବାରୁ ଏବେ ଚନ୍ନି-ସିଦ୍ଧୁ ବିବାଦ କଂଗ୍ରେସ ହାଇକମାଣ୍ଡଙ୍କ ମୁଣ୍ଡବ୍ୟଥା ବଢାଇଛି । ୨୦୨୨ ବିଧାନସଭା ନିର୍ବାଚନରେ ଉଭୟ ଚନ୍ନି ଓ ସିଦ୍ଧୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପିତ ହେବା ଚାହୁଁଥିବା ବେଳେ କଂଗ୍ରେସ ହାଇକମାଣ୍ଡ୍ ନିରବଦ୍ରଷ୍ଟା ଥିବାରୁ କଂଗ୍ରେସ ସମର୍ଥକମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଅପରପକ୍ଷରେ, ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ଏକପ୍ରକାର ବିତାଡ଼ିତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ରାଜ୍ୟରେ କଂଗ୍ରେସ ଦଳକୁ ଉଚିତ ଶିକ୍ଷା ଦେବା ପାଇଁ ନିଜସ୍ୱ ଏକ ରାଜନୈତିକ ଦଳ ଗଠନ କରି ବିଜେପି ସହ ନିର୍ବାଚନୀ ବୁଝାମଣା କରିଛନ୍ତି ।
ଚାଷୀ ଆନ୍ଦୋଳନକୁ ନେଇ ବିଜେପିରୁ ଅଲଗା ହୋଇସାରି ଥିବା ଅକାଳୀ ଦଳ ଏଥର ଏକାକୀ ନିର୍ବାଚନ ଲଢିବା ସମ୍ଭାବନା ଅଧିକ ଥିବାରୁ ନିର୍ବାଚନ ଚତୁର୍ମୁଖୀ ହେବା ବିଶ୍ୱାସ କରାଯାଉଛି । ଏହି ସ୍ଥିତିରେ ‘ଆପ୍’ ୨୦୨୨ରେ କ୍ଷମତାକୁ ଆସିବାର ବଡ଼ ଦାବିଦାର ରହିଛି । ‘ଆପ୍’ ସରକାର କଲେ ମାନ୍ ପଂଜାବ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ଦଳର ନେତା କେଜରୀୱାଲ କହି ଦେଲେଣି । ଏବେ, ରାଜ୍ୟର ମତଦାତାଙ୍କ ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି । ୨୦୧୭ ବିଧାନସଭା ନିର୍ବାଚନରେ ‘ଆପ୍’ ପ୍ରଥମେ ଦିଲ୍ଲୀ ବାହାରକୁ ଆସି ପଂଜାବରେ ବିଧାନସଭା ନିର୍ବାଚନ ଲଢିଥିଲା ଏବଂ ରାଜ୍ୟର ୧୧୭ ବିଧାନସଭା ଆସନରୁ ୨୦ଟିରେ ବିଜୟୀ ହୋଇଥିଲା । ତେବେ, ଦଳ କ୍ଷମତାସୀନ ହେଲେ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ନିର୍ବାଚନ ପୂର୍ବରୁ ସ୍ପଷ୍ଟ କରି ନଥିଲା । ତେଣୁ, ଭୋଟର ହୁଡି ଯାଇଥିଲେ । ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ‘ଆପ୍’ ସେହି କମି ପୂରଣ କରିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS