ଭୋଟ ପୂର୍ବରୁ ପଂଜାବରେ ଇଡ଼ି ଚଢାଉ !
ନୂଆଦିଲ୍ଲୀ
ଜାନୁୟାରୀ ୧୮
ପଂଜାବ ବିଧାନସଭା ପାଇଁ ମତଦାନ ସମୟ ପାଖେଇ ଆସୁଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପକ୍ଷରୁ ଆଜି ସକାଳୁ ରାଜ୍ୟରେ ବେଆଇନ୍ ବାଲି ଖନନ ଓ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନିଙ୍କ ଜଣେ ସଂପର୍କୀୟଙ୍କ ବାସଭବନ ସମେତ ଅନ୍ୟମାନଙ୍କ ଘରେ ଚଢାଉ ଚାଲିଥିବା ସୂଚନା ମିଳିଛି । ରାଜ୍ୟର ୧୦ଟି ସ୍ଥାନରେ ଏହି ଚଢାଉ ଚାଲିଛି । ଇଡ଼ି ପକ୍ଷରୁ ଏକ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇ ରାଜନୈତିକ ସଂପୃକ୍ତି ଥିବା ବିଭିନ୍ନ ଲୋକଙ୍କ ସଂପର୍କରେ ତଦନ୍ତ ଚାଲିଛି । ଆଜି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସଂପର୍କୀୟ ଭୂପିନ୍ଦର ସିଂହ ହନିଙ୍କ ବାସଭବନ ସମତେ ଅନ୍ୟ ସନ୍ଦିଗ୍ଧଙ୍କ ଉପରେ ଚଢାଉ ହୋଇଛି । ରାଜ୍ୟରେ ବାଲି ମାଫିଆଙ୍କ ରାଜତ୍ୱ ଓ ସେମାନଙ୍କ ରାଜନୈତିକ ସଂପର୍କକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଚଳିତ ବିଧାନସଭା ନିର୍ବାଚନରେ ମଧ୍ୟ ଏହା ଏକ ପ୍ରମୁଖ ପ୍ରସଙ୍ଗ ରହିଛି । କଂଗ୍ରେସରୁ ବିତାଡ଼ିତ ହୋଇ ନିଜର ଏକ ଆଂଚଳିକ ଦଳ ଗଠନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ରାଜ୍ୟରେ ଚାଲିଥିବା ବାଲି ମାଫିଆଙ୍କ ବେଧଡକ ରାଜତ୍ୱ ଓ ଏଥିରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପରିବାରର ସଂପୃକ୍ତିକୁ ନେଇ ଗୁରୁତର ଅଭିଯୋଗ ଆଣିଥିଲେ । ପଂଜାବର ପ୍ରାୟ ସବୁ କଂଗ୍ରେସ ବିଧାୟକ ଏହି କାରବାର ସହ ସଂପୃକ୍ତ । ସେମାନଙ୍କ ନାମ ପ୍ରକାଶ କରିବାକୁ ହେଲେ ସବୋଚ୍ଚସ୍ତରରୁ ଆରମ୍ଭ କରିବାକୁ ପଡିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଂହ କହିଥିଲେ । ସେ ବେଆଇନ ବାଲି ଖନନ ସହ ସଂପୃକ୍ତ ବିଧାୟକମାନଙ୍କ ନାମ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଜଣାଇ ଥିଲେ ବୋଲି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ସିଂହ ଦାବି କରିଛନ୍ତି । ଗତ ସେପ୍ଟେମ୍ବର ମାସରେ କଂଗ୍ରେସ ହାଇକମାଣ୍ଡ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଚରନଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ସିଂହ କଂଗ୍ରେସରୁ ଇସ୍ତଫା ଦେଇ ନିଜର ରାଜନୈତିକ ଦଳ ଗଠନ କରିଛନ୍ତି ଓ ବିଜେପି ସହ ନିର୍ବାଚନୀ ବୁଝାମଣା କରି ୨୦୨୨ ନିର୍ବାଚନରେ ମଇଦାନରେ ଅଛନ୍ତି । ପଂଜାବରେ ନିର୍ବାଚନ ମଇଦାନରେ ଥିବା ‘ଆମ୍ ଆଦମୀ ପାର୍ଟି’ ମଧ୍ୟ ବେଧଡକ ଭାବେ ପଂଜାବରେ ରାଜନୈତିକ ପୃଷ୍ଠପୋଷକତାରେ ବେଆଇନ ବାଲି ଖନନ ଓ ଚାଲାଣ ଚାଲି ଆସୁଥିବା ଅଭିଯୋଗ କରି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS