ଅପର୍ଣ୍ଣା ବିଜେପି ପାଇଁ ସଂଜୀବନୀ ହେବେ ନା ବୋଝ ?
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜାନୁୟାରୀ ୧୯
ଉତ୍ତର ପ୍ରଦେଶରେ ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ବଳ କଷାକଷି ଜୋରଦାର ହେବାରେ ଲାଗିଛି । ବିଜେପିରେ ଥିବା ବ୍ରାହ୍ମଣ, ପଛୁଆ ବର୍ଗ ଓ ଦଳିତ ନେତାମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ବିରୋଧରେ ଏକପ୍ରକାର ବିଦ୍ରୋହ ଘୋଷଣା କରି ଦଳତ୍ୟାଗ କରିବା ସହ ସମାଜବାଦୀ ପାର୍ଟିରେ ଯୋଗ ଦେଉଥିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ସମାଜବାଦୀ ପାର୍ଟିର ମନୋବଳ ବଢିଛି ଏବଂ ଦଳ ଆସନ୍ତା ନିର୍ବାଚନରେ ସଂଖ୍ୟାଗରିଷ୍ଠ ମତ ପାଇ ୟୁପି ଶାସନଗାଦୀକୁ ଦଖଲ କରିବ ବୋଲି ଆଶା ରଖିଛି । ଆଶା ଓ ନିରାଶା ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ବଳ କଷାକଷିର ମୁଖ୍ୟ କାରଣ ହୋଇଛି । ନିକଟରେ, ୟୁପିର ତିନି ଜଣ ପଛୁଆ ବର୍ଗ ମନ୍ତ୍ରୀଙ୍କ ସମେତ ଶାସକ ଦଳର ବହୁ ବିଧାୟକ ଓ ନେତା ଯୋଗୀଙ୍କୁ ‘ପଛୁଆ ବର୍ଗ ବିରୋଧୀ’ ବୋଲି ସମାଲୋଚନା କରି ଦଳତ୍ୟାଗ କରିବା ସହ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଣେ ‘ଠାକୁର୍’ ହୋଇଥିବାରୁ ୨୦୧୭ରୁ ରାଜ୍ୟରେ ‘ଠାକୁର୍’ଙ୍କ ରାଜତ୍ୱ ଚାଲିଛି । ରାଜ୍ୟରେ ଯୋଗୀଙ୍କ ଶାସନରେ ବ୍ରାହ୍ମଣ, ଦଳି. ଯାଦବ-ସମସ୍ତେ ଉପେକ୍ଷୀତ । ତେଣୁ, ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯୋଗୀଙ୍କୁ କ୍ଷମତାଚ୍ୟୁତ କରି ରାଜ୍ୟରେ ସମାଜବାଦୀ ପାର୍ଟି (ସପା) ସରକାର ପ୍ରତିଷ୍ଠା ପାଇଁ ସେମାନେ ସମସ୍ତ ଶକ୍ତି ବିନିଯୋଗ କରିବେ ବୋଲି ଏହି ନେତାମାନେ ଦମ୍ଭୋକ୍ତ ପ୍ରକାଶ କରିଛନ୍ତି । ଗୌରିକ ଦଳ ଛାଡି ହଠାତ୍ ସମାଜବାଦୀ ହୋଇଥିବା ଏହି ସବୁ ନେତାଙ୍କ କଟାକ୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଓ ରାଜ୍ୟ ବିଜେପି ପାଇଁ ଅଡୁଆ ବଢାଇ ଥିବା ବେଳେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ରାଜ୍ୟର ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୂଲାୟମ ସିଂହ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ ଆକସ୍ମିକ ଭାବେ ସମାଜବାଦୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିବା ରାଜ୍ୟ ବିଜେପି ପାଇଁ ସଂଜୀବନୀ ସଦୃଶ ହୋଇଛି । ସମାଜବାଦୀ ପାର୍ଟି ଯଦି ୨୦୨୨ରେ ସରକାର ଗଢିବାକୁ ଯାଉଛି ଦଳର ପ୍ରତିଷ୍ଠାତା ମୂଲାୟମଙ୍କ ବୋହୂ ଅପର୍ଣ୍ଣା ବିଜେପିକୁ ଆସିଲେ କାହିଁକି (?) ବୋଲି ରାଜ୍ୟ ବିଜେପି ନେତୃତ୍ୱ ପାଲଟା ପ୍ରଶ୍ନ କରି ସମାଜବାଦୀ ପାର୍ଟିର ବିଜେପି-ବିରୋଧୀ ପ୍ରଚାରକୁ ନିରସ୍ତ୍ର କରିବା ପ୍ରୟାସ ଚଳାଇଛି । ତେବେ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଅପର୍ଣ୍ଣାଙ୍କ ସମାଜବାଦୀ ପାର୍ଟିରୁ ପଳାୟନ ଓ ବିଜେପିରେ ଯୋଗଦାନକୁ ନେଇ ବିଶେଷ ଚିନ୍ତିତ ଥିବା ମନେ ହେଉ ନାହିଁ । ଦଳ ତାଙ୍କୁ ଏଥର ଟିକଟ ଦେଉ ନଥିବା ଜାଣି ଅପର୍ଣ୍ଣା ବିଜେପିକୁ ଯାଇଛନ୍ତି ବୋଲି ମୂଲାୟମ-ପୁତ୍ର ଅଖିଳେଶ ଜବାବ ରଖିଛନ୍ତି । ଅପର୍ଣ୍ଣା ହେଉଛନ୍ତି ବର୍ଷିଆନ ସମାଜବାଦୀ ନେତା ମୂଲାୟମ ସିଂହ ଯାଦବଙ୍କ ବୋହୂ ଓ ତାଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ । ପ୍ରତୀକ ଓ ଅଖିଳେଶ ଦୁଇ ଭାଇ ହୋଇଥିଲେ ମଧ୍ୟ ଗୋଟିଏ ମାଆର ସନ୍ତାନ ନୁହନ୍ତି । ଅପର୍ଣ୍ଣା ୨୦୧୭ ୟୁପି ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକଟ ନେଇ ନିର୍ବାଚନ ଲଢି ଥିଲେ । ସେହି ସମୟରେ କଂଗ୍ରେସରୁ ଆସି ବିଜେପିରୁ ପ୍ରାର୍ଥୀ ହୋଇଥିବା ରୀତା ବହୁଗୁଣାଙ୍କ ବିରୋଧରେ ଲଢି ପରାଜିତ ହୋଇଥିଲେ । ଅଖିଳେଶ କହିଛନ୍ତି, ଦଳ ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ସର୍ଭେ ଭିତ୍ତିରେ ଓ ଅନ୍ୟାନ୍ୟ କାରଣକୁ ବିଚାରକୁ ନେଇ ସମାଜବାଦୀ ପାର୍ଟି ଟିକଟ ବିତରଣ କରୁଛି । ଅପର୍ଣ୍ଣା ଏଥର ଟିକଟ ପାଉ ନଥିବା ନିଶ୍ଚିତ ହୋଇ ବିଜେପିକୁ ପଳାଇଛନ୍ତି । ସମାଜବାଦୀ ପରିବାର ମୁଖ୍ୟ ମୂଲାୟମ ସିଂହ ଯାଦବ ତାଙ୍କୁ ଦଳ ନ ଛାଡିବାକୁ ପ୍ରବର୍ତ୍ତାଇ ଥିଲେ ସୁଦ୍ଧା ସେ ଶୁଣି ନାହାନ୍ତି । ତାଙ୍କୁ (ଅପର୍ଣ୍ଣାଙ୍କୁ) ନିଜ ଦଳରେ ସାମିଲ କରି ବିଜେପି ସମାଜବାଦୀ ବିଚାରଧାରାକୁ ଦଳରେ ସାମିଲ କରି ଥିବାରୁ ଅଖିଳେଶ ଧନ୍ୟବାଦ ଜଣାଇବା ସହ ‘ଆମେ ୟୁପିରେ ବିଶେଷ ଜନାଧାର ଥିବା ଅନ୍ୟ ଦଳର ନେତାଙ୍କୁ ଆଣି ସମାଜବାଦୀ ପାର୍ଟିରେ ସାମିଲ କରିଛୁ । ଏଥର ରାଜ୍ୟରେ ସରକାର ମଧ୍ୟ କରିବୁ’ ବୋଲି ଦୃଢତାର ସହ କହିଛନ୍ତି । ଅପର୍ଣ୍ଣାଙ୍କ ଯୋଗଦାନ ବିଜେପିକୁ ‘ଯାଦବ’ ସଂପ୍ରଦାୟ ଭୋଟ ମିଳିବାରେ ସହାୟକ ହେବ ବୋଲି ରାଜ୍ୟ ବିଜେପି ନେତୃତ୍ୱ ଆଶା କରୁଛି । ଅପରପକ୍ଷରେ, ‘ଆମେ ଯାହାକୁ ଟିକଟ ଦେଇ ପାରୁନୁ ବିଜେପି ସେମାନଙ୍କୁ ଦଳରେ ସାମିଲ କରି ଟିକଟ ଦେଉଥିବା ଖୁସିର କଥା’ ବୋଲି ଅଖିଳେଶ ମନ୍ତବ୍ୟ ରଖିଛନ୍ତି । ବିଜେପିକୁ ଯାଇଥିବା ଅପର୍ଣ୍ଣାଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି । ଗୋଟିଏ ପଟେ, ଅପର୍ଣ୍ଣାଙ୍କୁ ନେଇ ବିଜେପିରେ ଉତ୍ସାହ, ଅନ୍ୟପଟେ ସମାଜବାଦୀ ପାର୍ଟି ନେତା ଅଖିଳେଶଙ୍କ କଟାକ୍ଷ – ରାଜନୀତିକୁ ରୋଚକ କରିଛି । ତେବେ, ଅପର୍ଣ୍ଣା ବାସ୍ତବରେ ବିଜେପି ପାଇଁ ସଂଜୀବନୀ ହେବେ କି ବୋଝ-ତାହା ମାର୍ଚ୍ଚ ୧୦ ତାରିଖ ନିର୍ବାଚନ ଫଳାଫଳ ହିଁ କହିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS