ଗୋଆ ଭୋଟ ରାଜନୀତି… ପାରିକର-ପୁତ୍ରଙ୍କୁ ବିଜେପିର ଉପେକ୍ଷା, ପାନାଜୀରୁ ପ୍ରାର୍ଥୀ ହେବାକୁ ‘ଆପ୍’ର ନିମନ୍ତ୍ରଣ
ପ୍ରସାଦ ରାଓ
ନୂଆଦିଲ୍ଲୀ
୨୦ ଜାନୁୟାରୀ
ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକରଙ୍କୁ ବିଜେପି ବାପାଙ୍କ ବିଧାନସଭା ଆସନ ପାନାଜୀରୁ ଟିକଟ ଦେବାକୁ ମନା କରିବାରୁ ‘ଆମ୍ ଆଦମୀ ପାର୍ଟି’ ତାଙ୍କୁ ଟିକଟ ଦେବାକୁ ନିମନ୍ତ୍ରଣ ଜଣାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ପାରିକର ଦୀର୍ଘ ୨୫ ବର୍ଷ କାଳ ଗେଆର ପାନାଜୀ ଆସନରୁ ପ୍ରତିନିଧିତ୍ୱ କରି ଆସୁଥିଲେ । ବିଜେପିର ଜଣେ ବରିଷ୍ଠ ନେତା ଭାବେ ତାଙ୍କ ପରିଚିତି ଥିଲା । ରାଜନୀତିରେ ଥିଲେ । କେନ୍ଦ୍ର ସରକାରରେ ସେ ମନ୍ତ୍ରୀ ଥିଲେ ଏବଂ ତିନି ଥର ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ । ବିଜେପିର ଜଣେ ପ୍ରଭାବୀ ନେତା ଭାବରେ କେବଳ ନୁହେଁ, ସରଳ ଓ ଅମାୟିକ ଜୀବନଯାପନ କରୁଥିବା ଜଣେ ରାଜନେତା ଭାବେ ଦେଶବ୍ୟାପୀ ତାଙ୍କ ପରିଚିତି ଓ ସମ୍ମାନ ଥିଲା । ୨୦୧୯ରେ ମୁଖ୍ୟମନ୍ତ୍ରୀ ଥାଇ ମନୋହରଙ୍କ ମୃତ୍ୟୁ ଘଟିବା ପରେ ହୋଇଥିବା ଉପ ନିର୍ବାଚନରେ ତାଙ୍କ ଦୀର୍ଘ ଦିନର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଟାନସିଓ ‘ବାବୁସ୍’ ମନସେରେଟେ ପାନାଜୀ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ପରେ, ‘ବାବୁସ୍’ ବିଜେପିକୁ ପଳାଇ ଥିଲେ । ସ୍ୱର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକର ହେଉଛନ୍ତି ଜଣେ ଇଂଜିନିୟରିଂ ଗ୍ରାଜୁଏଟ୍ । ସେ ବାପାଙ୍କ ପାରଂପରିକ ଆସନରୁ ୨୦୨୨ ନିର୍ବାଚନରେ ପ୍ରାର୍ଥୀ ହେବାକୁ ପ୍ରସ୍ତୁତ ଚଳାଇ ଥିଲେ । କିଛି ମାସ ହେଲା ଠାକୁର ଦର୍ଶନ ପାଇଁ ମନ୍ଦିର ଯିବା ସହ ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ସହ ସଂପର୍କ ରଖିଥିଲେ । ପାନାଜୀ ଆସନରୁ ବିଧାନସଭା ଟିକଟ ପାଇଁ ଆବେଦନ ମଧ୍ୟ କରିଥିଲେ । ତେବେ, ୨୦୨୨ ଗୋଆ ବିଧାନସଭା ନିର୍ବାଚନ ପାଇଁ ବିଜେପି ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ଉତ୍ପଲ ପାରିକରଙ୍କ ନାମ ନାହିଁ । ପାନାଜୀ ଆସନରୁ ତାଙ୍କ ବାପାଙ୍କ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ‘ବାବୁସ୍’ ମନସେରେଟେଙ୍କୁ ବିଜେପି ପାନାଜୀ ଆସନରୁ ଟିକଟ ଦେଇଛି । ଏହା ଦେଖି ଉତ୍ପଲ ଦୁଃଖି । ବିଜେପି ନେତୃତ୍ୱ ପାନାଜୀ ଅସନରୁ ତାଙ୍କୁ ଟିକଟ ନ ଦେଇ ଅନ୍ୟ ଦୁଇଟି ଆସନରୁ ଗୋଟିକରେ ପ୍ରାର୍ଥୀ ହେବାକୁ କହିଛି । ତେବେ, ଉତ୍ପଲ ପାନାଜୀରୁ ହିଁ ବିଧାନସଭା ନିର୍ବାଚନ ଲଢିବେ ବୋଲି ମନ ସ୍ଥିର କରିଥିବାରୁ ବିଜେପି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରି ନାହାନ୍ତି । ବିଚାର କରି ଦେଖିବେ କହି ଟାଳିଛନ୍ତି । ଇତିମଧ୍ୟରେ, ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ତାଙ୍କୁ ପାନାଜୀ ଆସନରୁ ‘ଆପ୍’ ପ୍ରାର୍ଥୀ କରିବାକୁ ନିମନ୍ତ୍ରଣ ଦେଇଛନ୍ତି । ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ କେଜରୀୱାଲ ଟ୍ୱିଟ୍ କରି ଉତ୍ପଲଙ୍କୁ ତାଙ୍କ ଦଳରୁ ପ୍ରାର୍ଥୀ ହେବାକୁ ଆମନ୍ତ୍ରଣ ଦେବା ସହ ବିଜେପି ନେତୃତ୍ୱ ପାରିକର ପରିବାକୁ ବ୍ୟବହାର କରି ଠିକ୍ ସମୟରେ କୋଣଠୋସା କରିଥିବା (ୟୁଜ୍ ଆଣ୍ଡ ଥ୍ରୋ) ଗୋଆବାସୀଙ୍କୁ ବ୍ୟଥିତ କରିଛି ବୋଲି କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଥିଲା ବୋଲି ଦର୍ଶାଇ ଉତ୍ପଲ ‘ଆପ୍’ରେ ଯୋଗଦେଇ ପାନାଜୀରୁ ଦଳୀୟ ଟିକଟରେ ନିର୍ବାଚନ ଲଢିବାକୁ କେଜରୀୱାଲ ଆହ୍ୱାନ ଦେଇଛନ୍ତି । ଅପରପକ୍ଷରେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ୍ ପାରିକର ପରିବାର ପ୍ରତି ଦଳର ଯଥେଷ୍ଟ ସମ୍ମାନ ଥିବା ଦର୍ଶାଇ ଉତ୍ପଲଙ୍କୁ ନିର୍ବାଚନ ଲଢିବା ସକାଶେ ଅନ୍ୟ ଦୁଇଟି ବିକଳ୍ପ ଦିଆଯାଇଥିବା କହିଛନ୍ତି । ସେଥିରୁ ଗୋଟିଏ ସେ ବାଛି ନେବେ ବୋଲି ଫଡ଼ନାଭିସ୍ ଆଶା ପ୍ରକାଶ କରିଥିବା ବେଳେ କେଜରୀୱାଲଙ୍କ ପ୍ରସ୍ତାବ ବିଜେପିର ସାଲିସ ଉଦ୍ୟମକୁ ଚୌପଟ କରିଦେଇଛି । ଫଡ଼ନାଭିସଙ୍କ ମନ୍ତବ୍ୟ ଥିଲା, ଗୋଆରେ ବିଜେପିକୁ ପ୍ରତିଷ୍ଠା ଦେବାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବେଶ୍ ଅବଦାନ ରହିଛି । ତେବେ, କେହି ତାଙ୍କ ପୁତ୍ର ବା ପରିବାର ସଦସ୍ୟ ଭାବେ ଟିକଟ ପାଇଁ ମୂଳଚାଲ କରି ପାରିବେ ନାହିଁ । ଯଦି ସେ ଦଳ ପାଇଁ କାମ କରିଥିବେ ତେବେ ତାଙ୍କ କଥା ବିଚାର କରାଯିବ । ଫଡ଼ନାଭିସଙ୍କ ଏଭଳି ମନ୍ତବ୍ୟ କେବଳ ପାରିକର ପରିବାରକୁ ନୁହେଁ, ତାଙ୍କ ଶୁଭେଚ୍ଛୁଙ୍କୁ ମଧ୍ୟ କ୍ଷୁବ୍ଧ କରିଛି । ବିଜେପି ପରିବାରକୁ ପ୍ରାଥମିକତା ଦେଉ ନାହିଁ କହୁଥିବା ବେଳେ ପ୍ରକାଶିତ ପ୍ରାର୍ଥୀ ତାଲିକାରେ ପାନାଜୀରୁ ‘ବାବୁସ୍’ ଓ ତାଲେଗାଁଓ ନିର୍ବାଚନ ମଣ୍ଡଳୀରୁ ତାଙ୍କ ପତ୍ନୀ ଜେନିଫର ଏବଂ ମନ୍ତ୍ରୀ ବିଶ୍ୱଜିତ ରାଣେ ଓ ତାଙ୍କ ପତ୍ନୀ ଦିବ୍ୟା ବିଶ୍ୱଜିତଙ୍କ ନାମ ପ୍ରାର୍ଥୀ ତାଲିକାରେ କେମିତି ରହିଛି ବୋଲି ପ୍ରଶ୍ନ ଉଠିଲାଣି । ଗୋଆର ପୋରିଏମ୍ ଆସନରୁ କଂଗ୍ରେସ ପ୍ରାର୍ଥୀ ଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପ ସିଂହ ରାଣେଙ୍କ ବିପକ୍ଷରେ ବିଜେପି ତାଙ୍କ ବୋହୂ ଦିବ୍ୟା ବିଶ୍ୱଜିତଙ୍କୁ ପ୍ରାର୍ଥୀ କରିଛି । ଉତ୍ପଲଙ୍କ କ୍ଷେତ୍ରରେ କେମିତି ପରିବାର କଥା ଉଠୁଛି ବୋଲି ପ୍ରଶ୍ନ ହେଉଛି । ଏଠାରେ ଉଲ୍ଲେଖନୀୟ, ମନୋହର ପାରିକରଙ୍କ ପୁଅ ଉତ୍ପଲ ବିଜେପିରୁ ଟିକଟ ନପାଇ ପାନାଜୀରୁ ସ୍ୱାଧୀନ ଭାବେ ନିର୍ବାଚନ ଳଢିଲେ ସବୁ ବିରୋଧୀ ଦଳ ତାଙ୍କ ସମର୍ଥନ କରିବାକୁ ଶିବସେନା ସାଂସଦ ସଂଜୟ ରାୱତ ଗତ ସପ୍ତାହରେ ଆହ୍ୱାନ ଦେଇଥିଲେ । ଏବେ ଉତ୍ପଲ ‘ଆପ୍’ ହାତ ଧରିବେ କି ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ, ତାହା ଦେଖିବା ସମୟ ଆସିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS