ପଂଜାବ ରାଜନୀତି… କେଜରୀୱାଲଙ୍କ ପରେ କଂଗ୍ରେସ୍ !
ପ୍ରସାଦ ରାଓ
୨୦ ଜାନୁୟାରୀ
ଫେବୃୟାରୀ ୨୦ରେ ହେବାକୁ ଥିବା ପଂଜାବ ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା କାହାକୁ କରାଯିବ ସେନେଇ କଂଗ୍ରେସ ପକ୍ଷରୁ ଏକ ‘ଟ୍ୱିଟର୍’ ପୋଲ୍ ହେଉଥିବା ସୂଚନା ମିଳିଛି । ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଘନିଷ୍ଟ କୁହାଯାଉଥିବା ନିଖିଲ ଆଲଭା ଏହି ଟ୍ୱିଟର୍ ପୋଲ୍ ଆରମ୍ଭ କରିଛନ୍ତି । ଏଥିରେ ଚାରିଟି ଅପ୍ସନ୍ ରଖା ଯାଇଛି । ପ୍ରଥମ ଅପ୍ସନ୍ ଭାବେ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନି, ଦ୍ୱିତୀୟ ଅପ୍ସନ୍ ଭାବେ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁ, ତୃତୀୟ ଅପ୍ସନ୍ ଭାବେ ପଂଜାବ କଂଗ୍ରେସର ବରିଷ୍ଠ ନେତା ସୁନିଲ ସିଂହ ଝାକରଙ୍କ ନାମ ଥିବା ବେଳେ କାହାରିକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନ କରିବାର ଆବଶ୍ୟକତା ନାହିଁ ବୋଲି ଚତୁର୍ଥ ଅପ୍ସନ୍ ରହିଛି । ନିକଟରେ, ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରୀୱାଲ ଟେଲିଫୋନ୍ ଓ ‘ହ୍ୱାଟସ୍ ଆପ୍’ ପୋଲିଂ ବା ଟେଲି ପୋଲିଂ କରି ପଂଜାବବାସୀଙ୍କ ଠାରୁ ମତାମତ ସଂଗ୍ରହ କରିବା ପରେ ଦଳର ସାଂସଦ ଭଗବନ୍ତ ମାନ୍ଂକୁ ୨୦୨୨ ନିର୍ବାଚନରେ ‘ଆପ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆପ୍ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଘନିଷ୍ଟ ସହଯୋଗୀ ନିଖିଲଙ୍କ ମାଧ୍ୟମରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ‘ଟ୍ୱିଟର୍’ ପୋଲିଂର ସାହାରା ନେଇଥିବା ଚର୍ଚ୍ଚା ହେଉଛି । ଫେବୃୟାରୀରେ ହେବାକୁ ଥିବା ପଂଜାବ ବିଧାନସଭା ନିର୍ବାଚନରେ ‘ଆପ୍’ କଂଗ୍ରେସର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ମଇଦାନରେ ରହିଛି । ନିର୍ବାଚନ ମଇଦାନରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଉପସ୍ଥାପନ ନ ହେଲେ ପ୍ରଚାର ବାଟବଣା ହେଉଥିବା ଦର୍ଶାଇ ଏହି ଦ୍ୱିଧା ଦୂର କରିବା ସକାଶେ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରାଯିବାକୁ କଂଗ୍ରେସର ବହୁ ନେତା ଦଳୀୟ ନେତୃତ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତ୍ତମାନ କଂଗ୍ରେସର ଦଳିତ ବିଧାୟକ ଚରନଜିତ୍ ସିଂହ ଚନ୍ନି ପଂଜାବ ମୁଖ୍ୟମନ୍ତ୍ରୀ ଅଛନ୍ତି । ‘ଆପ୍’ ଓ ଅକାଳୀ ଦଳ ନିଜ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ଦୃଷ୍ଟିରୁ କଂଗ୍ରେସ ତାହା ନକଲେ ଏକ ଖାଲି ସ୍ଥାନ ରହି ଯିବ ବୋଲି ରାଜ୍ୟର ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା ଗତକାଲି ମତ ରଖିଥିଲେ । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସ୍ଥିତି କଣ ହେବ, ତାହା ସ୍ପଷ୍ଟ କରା ନଯିବା ରାଜନୈତିକ ଦୃଷ୍ଟିରୁ ଅପରିପକ୍ୱତା କେବଳ ନୁହେଁ, ଆତ୍ମଘାତୀ ହେବ ବୋଲି ରାଜ୍ୟର ଅନ୍ୟତମ ମନ୍ତ୍ରୀ ରାଣା ଗୁରୁଜିତ ମଧ୍ୟ ମତ ରଖିଛନ୍ତି । କଂଗ୍ରେସ ନେତୃତ୍ୱ ନୁହେଁ, ପଂଜାବ ଜନତା କଂଗ୍ରେସର ମୁଖ୍ୟମନ୍ତ୍ରୀ କିଏ ହେବ ନିର୍ଦ୍ଧାରଣ କରିବେ ବୋଲି ନିକଟରେ ପଂଜାବ ପ୍ରଦେଶ କଂଗ୍ରେସ ସଭାପତି ସିଦ୍ଧୁ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ବିଭ୍ରାନ୍ତିର ବାତାବରଣ ସୃଷ୍ଟି କରି ଥିବାରୁ କଂଗ୍ରେସ ହାଇକମାଣ୍ଡ ଏବେଠାରୁ ତାହା ସ୍ପଷ୍ଟ କରିବା ଉଚିତ ବୋଲି ଦଳରେ ମତପ୍ରକାଶ ପାଉଛି । ସିଦ୍ଧୁଙ୍କ ବିଦ୍ରୋହ ଯୋଗୁଁ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହ ବିଦା ହୋଇଥିଲେ ଏବଂ କଂଗ୍ରେସ ହାଇକମାଣ୍ଡ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । ଏବେ, ଚନ୍ନି ସିଦ୍ଧୁଙ୍କ ବିରୋଧର ସାମ୍ନା କରୁଛନ୍ତି । ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଦର୍ଶାଇ ବିଜେପି ତଥା କେନ୍ଦ୍ର ସରକାର ତାଙ୍କୁ ଟାର୍ଗେଟ୍ କରିଥିବା ବେଳେ ଓ ତାଙ୍କ ଭଣଜାଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢାଉ ହୋଇଥିବା ବେଳେ ସିଦ୍ଧୁଙ୍କ ନିରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟରେ ଚାଲି ଥିବା ବେଆଇନ୍ ବାଲୁକା ଖନନ ଓ ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଚନ୍ନିଙ୍କ ପରିବାରରେ ଇଡ଼ିର ଚଢାଉ ହୋଇଥିବା କୁହାଯାଉଛି । ଚନ୍ନି ମୁଖ୍ୟମନ୍ତ୍ରୀ ପଦରେ ଥିବା ଦୃଷ୍ଟିରୁ ତାଙ୍କୁ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚେହେରା କରାଯିବାର ବଡ଼ ଦାବିଦାର ଥିବା ବେଳେ ସିଦ୍ଧୁ ମଧ୍ୟ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଚାହୁଁଛନ୍ତି । ଅପରପକ୍ଷରେ, ପଂଜାବର ବରିଷ୍ଠ କଂଗ୍ରେସ ନେତା ସୁନିଲ ଝାକର ମିଳିତ ନେତୃତ୍ୱରେ ଏହି ନିର୍ବାଚନ ଲଢାଯିବା ଚାହୁଁଛନ୍ତି । ଏଭଳି ସ୍ଥିତିରେ କଂଗ୍ରେସ ନେତୃତ୍ୱ ପଂଜାବରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବେ କାହା ନାମ ଘୋଷଣା କରିବେ, କାହାକୁ ଛାଡିବେ – ସେ ନେଇ ଦ୍ୱିଧାରେ ଥିବା ଜଣାପଡିଛି । ଇତିମଧ୍ୟରେ, ବଲିଉଡ଼ ଅଭିନେତା ସୋନୁ ସୁଦ୍ଂକ ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଛି । ବାସ୍ତବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସିଏ, ଯାହାକୁ କି ଦଳ ଟାଣି ଆଣି ସିଂହାସନରେ ବସାଇବ । ସେଥିପାଇଁ ଜଣକୁ ବିଜ୍ଞପିତ କରିବାର ଆବଶ୍ୟକତା ନଥିବ ବୋଲି ସୋନୁ ମନ୍ତବ୍ୟ ଦେଉଥିବା ଭିଡ଼ିଓରୁ ସ୍ପଷ୍ଟ ହେଉଛି । ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଉଦ୍ଦେଶ୍ୟରେ ତାହା କୁହାଯାଇଥିବା ଚର୍ଚ୍ଚା ହେଉଛି । ନିକଟରେ ସୋନୁ ସୁଦ୍ଂକ ଭଉଣୀ ମାଳବିକା ସୁଦ୍ କଂଗ୍ରେସରେ ଯୋଗ ଦେବା ପରେ ଏହି ଭିଡ଼ିଓ ପ୍ରସାରିତ ହୋଇଛି । ସୋନୁ ଓ ମାଳବିକାଙ୍କ ସହ ସିଦ୍ଧୁଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ଥିବାରୁ ଏହି ଭିଡ଼ିଓ ପଂଜାବ କଂଗ୍ରେସରେ ବିଭ୍ରାନ୍ତି ସୃଷ୍ଟି କରିଛି । ତେଣୁ, କଂଗ୍ରେସ ନେତୃତ୍ୱ ପଂଜାବ ମୁଖ୍ୟମନ୍ତ୍ରୀ ଚେହେରା ବାଛିବା ନାମରେ ଏହି ‘ଟ୍ୱିଟର୍’ ଖେଳ ଆରମ୍ଭ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS