ଧ୍ରୁବୀକରଣ ରାଜନୀତି ଓ ଘୃଣା ବେପାର…!
ପ୍ରସାଦ ରାଓ
୨୩ ଜାନୁୟାରୀ
କିଛି ବର୍ଷ ହେଲା ଦେଶରେ ଧର୍ମ, ଜାତି ଓ ସଂପ୍ରଦାୟକୁ ନେଇ ଯେଉଁ ଧ୍ରୁବୀକରଣ ଚାଲିଛି ତାହା ସାମାଜିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି । ବାସ୍ତବ ସମସ୍ୟାଠାରୁ ଜନସାଧାରଣଙ୍କୁ ଦୂରେଇ ନେଇ ଧର୍ମ, ଜାତି ଓ ସଂପ୍ରଦାୟରେ ବିଭାଜିତ କରିବାକୁ ଯେଉଁ ରାଜନୈତିକ ପ୍ରକ୍ରିୟା ଚାଲିଛି ତାହା ଧର୍ମ ନିରପେକ୍ଷତାର ମଳାଧାରକୁ ଦୁର୍ବଳ କରିବା ସହ ଧର୍ମ, ଜାତି ଓ ସଂପ୍ରଦାୟ ଆଧାରରେ ଅନ୍ଧଭକ୍ତ ସୃଷ୍ଟି କରିବାରେ ସହାୟକ ହୋଇଛି । ଭାରତୀୟ ସମ୍ବିଧାନ ‘ଧର୍ମ ନିରପେକ୍ଷତା’ ଉପରେ ଆଧାରିତ ଥିଲେ ସୁଦ୍ଧା ଧର୍ମ, ସଂପ୍ରଦାୟ ଓ ଜାତିବାଦ ଭିତ୍ତିକ ରାଜନୀତି ଦେଶବାସୀଙ୍କୁ ଚାପଗ୍ରସ୍ତ କରିଛି ।
ଦେଶରେ ମୂଲ୍ୟବୃଦ୍ଧିରୁ ଆରମ୍ଭ କରି ବେକାରୀ ପର୍ଯ୍ୟନ୍ତ ଅନେକ ମୌଳିକ ସମସ୍ୟା ରହିଛି । ତେବେ, ସେସବୁ ଆଉ ‘ନିର୍ବାଚନୀ ପ୍ରସଙ୍ଗ’ ହେଉ ନାହିଁ । ଜାତି, ଧର୍ମ ଓ ସଂପ୍ରଦାୟ ନାମରେ ଯେଉଁ ରାଜନୈତିକ ଧ୍ରୁବୀକରଣ ହୋଇଛି ସେଥିରେ ରାମରାଜ୍ୟ, କାଶୀ, ମଥୁରା, ପାକିସ୍ତାନ, ଜିନ୍ନାବାଦ, ଖାଲିସ୍ତାନ, ବୁଆ-ବବୁଆ ଭଳି ଅପ୍ରସଙ୍ଗିକ ବିଷୟ ସବୁ ମୁଖ୍ୟ ପ୍ରସଙ୍ଗ ହୋଇ ନିର୍ବାଚନକୁ ପ୍ରଭାବିତ କରୁଛି । ସାଧୁ,ସନ୍ଥ ଓ ନେତାମାନେ ଉତ୍ତେଜକ ଭାଷଣ ଦେଇ ଯେଉଁ ସାଂପ୍ରଦାୟିକ ବାତାବରଣ ସୃଷ୍ଟି କରୁଛନ୍ତି ତାହା ଯୁବ ସମାଜକୁ ମଧ୍ୟ ପ୍ରଭାବିତ କଲାଣି । ଫଳରେ, ଡ଼ିଜିଟାଲ ଭାରତରେ ଘୃଣାର ପ୍ରସାର ପାଇଁ ବିକଶିତ ହେଉଛି ‘ସୁଲ୍ଲି ଡିଲ୍’, ‘ବୁଲ୍ଲି ବାଇ’ ଭଳି ଅନୈତିକ ଆପ୍ ଏବଂ ସେଥିରେ ଫସୁଛନ୍ତି କଂଚା ବୟସର ଯୁବକ, ଯୁବତୀ ।
ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ବିବଦମାନ ଅନଲାଇନ୍ କ୍ଲବହାଉସ୍ ଚାଟ୍ ରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ୧୮ ବର୍ଷ ବୟସ୍କ ସ୍କୁଲ ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଖବର ସାମ୍ନାକୁ ଆସିଛି । ମୁସଲମାନ ସଂପ୍ରଦାୟ, ବିଶେଷକରି ମୁସଲିମ୍ ମହିଳାଙ୍କୁ ସର୍ବସାଧାରଣରେ ନିନ୍ଦିତ କଲା ଭଳି ଅନଲାଇନ୍ ଚାଟିଂ କରୁଥିବା ଅଭିଯୋଗରେ ସଂପୃକ୍ତ ବାଳକକୁ ଅଟକ ରଖା ଯାଇଥିବା ବେଳେ ତଦନ୍ତରେ ସହଯୋଗ କରୁଥିବାରୁ ତାଙ୍କୁ ଗିରଫ କରାଯାଇ ନଥିବା କୁହାଯାଇଛି । ତେବେ, ‘ବିସମିଲ୍ଲା-ଉଲ୍ ବିଲାଲ ଖାନ’ ଆଇଡ଼ିରେ ‘କ୍ଲବହାଉସ୍’ରେ ଏକ ଗୃପ୍ କରାଯାଇ ଚାଟିଂ ହୋଇଥିବା ନେଇ ଅଭିଯୋଗ ଉପରେ ଫେରେନ୍ସିକ୍ ବିଶେଷଜ୍ଞମାନେ ତାଙ୍କ ମୋବାଇଲ ଫୋନର ଯାଂଚ କରୁଥିବା ପ୍ରକାଶିତ ଖବରରୁ ଜଣାପଡିଛି । ଏହା ପୂର୍ବରୁ, ସଂଖ୍ୟାଲଘୁ ସଂପ୍ରଦାୟ ମହିଳାଙ୍କୁ ଲାଂଛିତ କରିବା ପାଇଁ ‘ସୁଲ୍ଲି ଡିଲ୍’ ଓ ‘ବୁଲ୍ଲି ବାଇ’ ଆପ୍ ବିକଶିତ କରାଯାଇ ତାହାର ବ୍ୟବହାର କରାଯାଇଥିବା ସାମ୍ନାକୁ ଆସିଥିଲା । ଚଳିତ ମାସରେ ପୁଲିସ ଏଭଳି ଅନୈତିକ କାର୍ଯ୍ୟରେ ସଂପୃକ୍ତ ଥିବା ଅଭିଯୋଗରେ ଅନ୍ୟୁନ ଛଅ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ହୋଇଥିବା ଯୁବକ, ଯୁବତୀ ଶିକ୍ଷିତ ଓ କମ୍ ବୟସର । ସେମାନେ ସାଂପ୍ରଦାୟକ ଶକ୍ତିଙ୍କ ଦ୍ୱାରା ପ୍ରସାରିତ ଘୃଣାଭାବର ଶିକାର ହୋଇ ଏଭଳି ଅନୈତିକ କାର୍ଯ୍ୟରେ ସଂପୃକ୍ତ ହୋଇଛନ୍ତି କି ଅନ୍ୟ କିଛି କାରଣ ରହିଛି, ତାହା ତଦନ୍ତ ସାପେକ୍ଷ ।
ମୁମ୍ବାଇ ଓ ଦିଲ୍ଲୀ ପୁଲିସ ‘ବୁଲ୍ଲି ବାଇ’ ଆପ୍ ମାଧ୍ୟମରେ ସଂଖ୍ୟାଲଘୁ ସଂପ୍ରଦାୟ ମହିଳାଙ୍କ ନିଲାମି ଡାକି ଥିବା ଅଭିଯୋଗରେ ଚଳିତ ମାସରେ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଗତ ବର୍ଷ ‘ସୁଲ୍ଲି ଡିଲ୍’ ଆପ୍ ମାଧ୍ୟମରେ ସମାନ ଧରଣର ଅପରାଧରେ ଲିପ୍ତ ଥିବା ଅଭିଯୋଗରେ ଏବେ ଜଣକୁ ଗିରଫ କରାଯାଇଛି । ଗୁରୁବାର (୨୦ ତାରିଖ) ଦିନ ମୁମ୍ବାଇ ପୁଲିସର କ୍ରାଇମ ବ୍ରାଂଚ୍ ଶାଖା ଓଡ଼ିଶାରୁ ଜଣେ ଯୁବକକୁ ଉଠାଇ ନେବା ପରେ ଏହି ଅନୈତିକ କାର୍ଯ୍ୟର ଚେର ଓଡ଼ିଶାକୁ ମଧ୍ୟ ଲମ୍ବି ଥିବା ସ୍ପଷ୍ଟ ହୋଇଛି । ସମସ୍ତ ଅଭିଯୁକ୍ତ ଏବେ ବିଚାର ବିଭାଗୀୟ ହାଜତରେ । ଗତ ବର୍ଷ ‘ଗିଟହବ୍’ ଓପନ୍ ପ୍ଲାଟଫର୍ମରେ ‘ସୁଲ୍ଲି ଡିଲ୍’ ନାମକ ‘ଆପ୍’ ବିକଶିତ କରାଯାଇ ସଂଖ୍ୟାଲଘୁ ସଂପ୍ରଦାୟ ମହିଳାଙ୍କୁ ଟାର୍ଗେଟ୍ କରାଯାଇଥିଲା । ପ୍ରାୟ ୯୦ଜଣ ଯୁବତୀ ଓ ମହିଳା ଏହାର ଶିକାର ହୋଇଥିବା କୁହାଯାଉଛି । ସେମାନଙ୍କ ନକଲି ଫଟୋ ଅପଲୋଡ୍ ହୋଇ ସେଥିରେ ଅଶାଳୀନ ମନ୍ତବ୍ୟ ଦିଆଯିବା ସହ ନିଲାମ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା ।
ଏସଂପର୍କରେ ଅଭିଯୋଗ ହେବା ପରେ ୪ଟି ରାଜ୍ୟରେ ୧୫ଟି ଏତଲା ରୁଜୁ ହୋଇ ତଦନ୍ତ ହୋଇଥିଲେ ମଧ୍ୟ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ୨୦୨୧ ଜୁଲାଇରେ କେବଳ ‘ସୁଲ୍ଲି ଡିଲ୍’ ଆପ୍ କୁ ‘ଗିଟହବ୍’ ପ୍ଲାଟଫର୍ମରୁ ଅପସାରିତ କରି ଦିଆଗଲା । ଅନୈତିକ କାର୍ଯ୍ୟ ପାଇଁ ଏହି ଆପ୍ ବିକଶିତ କରିଥିବା ସାଇବର ଅପରାଧୀମାନେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ଦେଖି ଅଧିକ ଉତ୍ସାହି ହେଲେ ଏବଂ ପ୍ରାୟ ଛଅ ମାସ ପରେ ‘ବୁଲ୍ଲି ବାଇ’ ଆପ୍ ବିକଶିତ କରି ‘ଗିଟହବ୍’ ପ୍ଲାଟଫର୍ମରେ ସମାନ ଧରଣର ଆପତ୍ତିଜନକ କାର୍ଯ୍ୟକଳାପ ଚଳାଇଲେ । ସଂଖ୍ୟାଲଘୁ ସଂପ୍ରଦାୟର ଜଣେ ସାମ୍ବାଦିକା ଗତ ୧ ତାରିଖ ଦିନ ‘ବୁଲ୍ଲି ବାଇ’ ଆପ୍ ରେ ତାଙ୍କ ନକଲି ଫଟୋ ସହ ଅଶ୍ଲୀଳ ମନ୍ତବ୍ୟ ଥିବା ପୋଷ୍ଟ ଓ ନିଲାମ ବିଜ୍ଞପ୍ତିକୁ ଦେଖି ‘ଟ୍ୱିଟର୍’ରେ ପ୍ରତିକ୍ରିୟା ରଖିଲେ ।
‘ଏହା ଦୁଃଖଦାୟକ ଯେ ଜଣେ ମୁସଲିମ୍ ମହିଳା ଭାବେ ମୋତେ ଭୟ ଓ ଘୃଣା ମଧ୍ୟ ଦେଇ ନୂଆ ବର୍ଷ ଆରମ୍ଭ କରିବାକୁ ପଡିଲାୟ । ମୁଁ ଏକା ନୁହେଁ, ସଂଖ୍ୟାଲଘୁ ସଂପ୍ରଦାୟର ଅନେକ ଯୁବତୀ ଓ ମହିଳା ଏଭଳି ଅଶାଳୀନ ଆଚରଣର ସାମ୍ନା କରୁଛନ୍ତି’ ବୋଲି ସାମ୍ବାଦିକାଙ୍କ ଟ୍ୱିଟ୍ ମୁମ୍ବାଇ ଓ ଦିଲ୍ଲୀ ପୁଲିସକୁ ମାମଲା ରୁଜୁ କରିବାକୁ ବାଧ୍ୟ କରିଥିଲା । ପୁଲିସ ଏହାର ତଦନ୍ତ କରି ବେଂଗାଲୁରୁ, ଆସାମ, ଓଡ଼ିଶା ସମେତ କିଛି ରାଜ୍ୟରୁ ଅଭିଯୁକ୍ତଙ୍କୁ ଖୋଜି ବାହାର କରିଛନ୍ତି । ଆସାମ ଜୋରାହଟ୍ ବାସିନ୍ଦା ନୀରଜ ବିଷ୍ଣୋଇ ‘ଆପ୍’କୁ ବିକଶିତ କରିବାର ମାଷ୍ଟରମାଇଣ୍ଡ୍ ଥିବା ଜାଣିବା ପରେ ଦିଲ୍ଲୀ ପୁଲିସ ବିଷ୍ଣୋଇଙ୍କୁ ଗିରଫ କରିବା ସହ ତାଙ୍କ ‘ଲାପଟପ୍’ ଜବତ କରିଛନ୍ତି । ବିଷ୍ଣୋଇଙ୍କ ‘ଲାପଟପ୍’ରେ ‘ବୁଲ୍ଲି ବାଇ’ ଆପ୍ ବିକଶିତ ହୋଇଥିବା ଆଇପି (ଇଂଟରନେଟ୍ ପ୍ରୋଟୋକଲ) ଠିକଣାରୁ ଜଣାପଡିବା ପରେ ପୁଲିସ ବିଷ୍ଣୋଇଙ୍କ ନିକଟରେ ପହଂଚିଛନ୍ତି ଏବଂ ତାଙ୍କ ଲାପଟପ୍ ଓ ମୋବାଇଲ ଜବତ କରିଛନ୍ତି ।
କଂପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍ (ସିଇଆରଟି ଇନ୍) ଏବଂ ଇଂଟରନେଟ୍ ଫ୍ୟୁଜନ୍ ଏଣ୍ଡ ଷ୍ଟ୍ରାଟେଜିକ୍ ଓପ୍ସ୍ (ଆଇଏଫଏସଓ) ୟୁନିଟର ମିଳିତ ତଦନ୍ତରେ ବିଷ୍ଣୋଇଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି । ବିଷ୍ଣୋଇ ଭେଲୋର ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନାଲୋଜିର ଦ୍ୱିତୀୟ ବର୍ଷ ବି.ଟେକ୍ ଛାତ୍ର ଏବଂ ଆସାମ ଜୋରାହଟ୍ ସ୍ଥିତ ଦିଗମ୍ବର ଚୌକ ଅଂଚଳର ବାସିନ୍ଦା । ବିଷ୍ଣୋଇଙ୍କୁ ଜାନୁୟାରୀ ୬ ତାରିଖରେ ଗିରଫ କରାଯିବା ପରେ ଜେର ବେଳେ ଯେଉଁ ତଥ୍ୟ ମିଳିଲା ତାହାରି ଆଧାରରେ ପୁଲିସ ପ୍ରଥମେ ବିଶାଲ ଝା, ଶ୍ୱେତା ସିଂହ ଓ ମୟଙ୍କ ରାୱତ ନାମକ ତିନି ଜଣଙ୍କୁ ଦେଶର ବିଭିନ୍ନ ଅଂଚଳରୁ ଗିରଫ କଲେ । ଜାନୁୟାରୀ ୨୦ ତାରିଖ ଦିନ ଓଡ଼ିଶାର ଝାରସୁଗୁଡାରୁ ୨୮ ବର୍ଷ ବୟସ୍କ ନୀରଜ ସିଂହଙ୍କୁ ମୁମ୍ବାଇ ପୁଲିସର କ୍ରାଇମ ବ୍ରାଂଚ୍ ଶାଖା ଉଠାଇ ନେଇଛି । ନୀରଜ ହେଉଛନ୍ତି ଜଣେ ଏମବିଏ ଗ୍ରାଜୁଏଟ୍ । ପଶ୍ଚିମ ଓଡ଼ିଶାର ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଲମଟିବାହାଲ ଅଂଚଳରୁ ତାଙ୍କୁ ଗିରଫ କରାଯାଇ ମୁମ୍ବାଇ ନିଆଯାଇଛି ।
‘ବୁଲ୍ଲି ବାଇ’ ଆପ୍ ପ୍ରସ୍ତୁତିର ମୁଖ୍ୟ କାରପଟଦାର ବିଷ୍ଣୋଇଙ୍କ ସହ ନୀରଜଙ୍କ ସଂପର୍କ ଥିବା ଏବଂ ନୀରଜ ଏହି ଯୋଜନା ସହ ସଂପୃକ୍ତ ଥିବା ମୁମ୍ବାଇ ପୁଲିସ କହିଥିବା ବେଳେ ‘ଆପ୍’ ସହ ସଂପୃକ୍ତ ଏକ ଟ୍ୱିଟର ଗୃପ୍ ସହ ନୀରଜ ଯୋଡି ହୋଇଥିବା କାରଣରୁ ମୁମ୍ବାଇ ପୁଲିସ ତାଙ୍କୁ ପଚରା ଉଚୁରା ପାଇଁ ନେଇଛି ବୋଲି ନୀରଜଙ୍କ ଭାଇ ନିକେଶ ସିଂହ କହିଛନ୍ତି । ଝାରସୁଗୁଡ଼ା ଏସଡ଼ିଜେଏମ୍ କୋର୍ଟରେ ନୀରଜଙ୍କୁ ହାଜର କରାଯିବା ପରେ କୋର୍ଟ ତାଙ୍କୁ ୬ ଦିନ ପାଇର୍ ରିମାଣ୍ଡରେ ନେବାକୁ ମୁମ୍ବାଇ ପୁଲିସକୁ ଅନୁମତି ଦେଇଛନ୍ତି ।
ଇତିମଧ୍ୟରେ, ପୁଲିସ ୨୦୨୧ର ‘ସୁଲ୍ଲି ଡିଲ୍’ ଆପ୍ କୁ ନେଇ ଅମୁକରେଶ୍ୱର ଠାକୁର ନାମକ ଜଣେ ଯୁବକକୁ ଗିରଫ କରିଛି । ବିଶେଷଜ୍ଞ କହିବା ଅନୁସାରେ, ଅଭିଯୁକ୍ତ ଯୁବକ, ଯୁବତୀ ବ୍ୟବସାୟିକ ଦୃଷ୍ଟିରୁ ହେଉ ବା ଅନ୍ୟ କୌଣସି କାରଣରୁ ସଂଖ୍ୟାଲଘୁ ମହିଳା ଓ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ । ସାମାଜିକ ଗଣମାଧ୍ୟମରୁ ଏହି ଯୁବତୀ ଓ ମହିଳାଙ୍କ ଫଟୋ ଚୋରୀ କରାଯାଇ ତାହାର ନକଲ କରାଯାୁଥିଲା ଏବଂ ‘ବୁଲ୍ଲି ବାଇ’ ଆପ୍ ରେ ତାହା ଅପଲୋଡ୍ କରାଯିବା ସହ ସେମାନଙ୍କ ନିଲାମ ବିଜ୍ଞପ୍ତି ପ୍ରକାଶ ପାଉଥିଲା । ‘ଆପ୍’ ସଂପର୍କରେ ଜାଣି ଥିବା ବ୍ୟକ୍ତିବିଶେଷ ଯୁବତୀଙ୍କ ନିଲାମ ଡାକି ଅର୍ଥ ସଂଗ୍ରହ କରୁଥିଲେ । କ୍ରିପ୍ଟୋ କରେନ୍ସିରେ ମଧ୍ୟ କାରବାର ହେଉଥିଲା ବୋଲି କୁହାଯାଉଛି । ଅଧିକ ମୂଲ୍ୟରେ ନିଲାମ ଡାକି ଥିବା ବ୍ୟକ୍ତିଙ୍କୁ ସଂପୃକ୍ତ ଯୁବତୀଙ୍କ ସାମାଜିକ ଗଣମାଧ୍ୟମ ଆକାଉଂଟ ସହ ସିଧାସଲଖ ଯୋଡି ଦିଆଯାଇ ଆପତ୍ତିଜନକ ମନ୍ତବ୍ୟ ଦେବାର ସୁଯୋଗ ଦିଆଯାଉଥିଲା । ଏଭଳି ଅନୈତିକ କାର୍ଯ୍ୟ କରିବାକୁ ସଂପୃକ୍ତ ଯୁବକ, ଯୁବତୀ କାହା ଦ୍ୱାରା ଅନୁପ୍ରାଣିତ, ତାହା ଅଧିକ ତଦନ୍ତରୁ ହିଁ ଜଣାପଡିବ । ଏହା ପଛରେ ରାଜନୈତିକ ସଂପୃକ୍ତି ଅଛି କି ନାହିଁ ତାହା ପୁଲିସ ହିଁ କହିପାରିବ ।
କେବଳ ଶିକ୍ଷିତ ଯୁବକ, ଯୁବତୀଙ୍କ ମାଧ୍ୟମରେ ନୁହେଁ, ସାଧୁ, ସନ୍ଥଙ୍କ ଜରିଆରେ ମଧ୍ୟ ଦେଶରେ ଘୃଣାର ପ୍ରସାରିତ ହେଉଥିବା ଗତ ଡ଼ିସେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ହରିଦ୍ୱାରରେ ଅନୁଷ୍ଠିତ ‘ଧର୍ମ ସଂସଦ’ ଅଧିବେଶନରୁ ସୂଚନା ମିଳିଛି । ଏହି ଅଧିବେଶନରେ ଯୋଗ ଦେଇଥିବା କିଛି ସନ୍ଥ ସଂଖ୍ୟାଲଘୁ ସଂପ୍ରଦାୟକୁ ନେଇ ଘୃଣାପୂର୍ଣ୍ଣ ଭାଷଣ ଦେବା ସହ ଗଣହତ୍ୟାର ଆହ୍ୱାନ ଦେଇଥିବା ଭିଡ଼ିଓ ବହୁଳ ଭାବେ ପ୍ରସାରିତ ହେବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଉତ୍ତରାଖଣ୍ଡ ସରକାର ପ୍ରଥମେ କାର୍ଯ୍ୟାନୁଷ୍ଠାନକୁ ଏଡାି ଯାଇଥିଲେ ମଧ୍ୟ ସୁପ୍ରିମ କୋର୍ଟଙ୍କ ତାଗିଦ ଯୋଗୁଁ ଗୁରୁ ୟତି ନରସିଂହାନନ୍ଦଙ୍କୁ ଗିରଫ କଲେ । କେବେଳ ସାଧୁ ନରସିଂହାନନ୍ଦ ନୁହନ୍ତି, ‘ଧର୍ମ ସଂସଦ’ରେ ଯୋଗ ଦେଇଥିବା ଅନେକ ସାଧୁ, ସନ୍ଥ ନିର୍ଦ୍ଧିଷ୍ଟ ସଂପ୍ରଦାୟ ଘୃଣା-ସୃଷ୍ଟିକାରୀ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା । ଉତ୍ତରାଖଣ୍ଡ ସରକାର ପ୍ରଥମେ ମୁସଲମାନ ଧର୍ମ ପରିତ୍ୟାଗ କରି ହିନ୍ଦୁ ଧର୍ମକୁ ଧର୍ମାନ୍ତରୀତ ହୋଇଥିବା ୱାସିମ୍ ରିଜଭିରୁ ଓରଫ ଜିତେନ୍ଦ୍ର ତ୍ୟାଗୀଙ୍କୁ କରିବା ପରେ ୟତି ନରସିଂହାନନ୍ଦଙ୍କୁ ଗିରଫ କରିଛନ୍ତି ।
ୟତି ନରସିଂହାନନ୍ଦ ଭାରତୀୟ ସୁପ୍ରିମ କୋର୍ଟ ଓ ସେନା ପ୍ରତି ମଧ୍ୟ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ଏବେ ଅଦାଲତ ଅବମାନନା ମାମଲାର ସାମ୍ନା କରିବାକୁ ଯାଉଛନ୍ତି । ସଚ୍ଚି ନେଲି ନାମକ ଜଣେ ଓକିଲ ତଥା ସାମାଜିକ କର୍ମକର୍ତ୍ତା ୟତି ନରସିଂହାନନ୍ଦଙ୍କ ସୁପ୍ରିମ କୋର୍ଟ ପ୍ରତ ଅପମାନସୂଚକ ମନ୍ତବ୍ୟକୁ ନେଇ ଅଦାଲତ ଅବମାନନା ମାମଲା କରିବାକୁ ଦେଶର ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳଙ୍କ ଅନୁମତି ମାଗି ଥିଲେ । ଆଟର୍ଣ୍ଣି ଜେନେରାଲ ଶୁକ୍ରବାର ଦିନ ଅନୁମତି ଦେବା ପରେ ୟତି ନରସିଂହାନନ୍ଦଙ୍କ ବିରୋଧରେ ଅଦାଲତ ଅବମାନନାମାମଲା ଦାଏର ହେବାର ପଥ ପରିଷ୍କାର ହୋଇଛି । ତେବେ, ‘ଧର୍ମ ସଂସଦ’ଅଧିବେଶନରେ କିଛି ହିନ୍ଦୁ ସାଧୁ, ସନ୍ଥଙ୍କ ନିର୍ଦ୍ଧିଷ୍ଟ ସଂପ୍ରଦାୟ ବିରୋଧୀ ମନ୍ତବ୍ୟକୁ ନେଇ ହୋଇଥିବା ମାମଲାରେ ସେମାନଙ୍କୁ ପକ୍ଷଭୁକ୍ତ କରାଯିବାକୁ ଦୁଇଟି ଦକ୍ଷିଣପନ୍ଥୀ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଆବେଦନ କରିଥିବା ଜଣାପଡିଛି । ହିନ୍ଦୁ ସେନା ନାମକ ସଂଗଠନର ସଭାପତି ବିଷ୍ଣୁ ଗୁପ୍ତା ହିନ୍ଦୁଙ୍କ ପ୍ରତି ଘୃଣାପୂର୍ଣ୍ଣ ଭାଷଣ ଦେଉଥିବା ମୁସଲମାନ ବ୍ୟକ୍ତବିଶେଷଙ୍କୁ ମଧ୍ୟ ଗିରଫ କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି ।
ହିନ୍ଦୁ ସଂସ୍କୃତିକୁ ଆକ୍ରମଣ କରଥିବା ଅଣ-ହିନ୍ଦୁଙ୍କୁ ‘ଧର୍ମର୍ ସଂସଦ’ ଅଧିବେଶନ ମାଧ୍ୟମରେ ଜବାବ ଦେଇଥିବା ହିନ୍ଦୁ ଧର୍ମଗୁରୁଙ୍କ ଭାଷଣକୁ ‘ହେଟ୍ ସ୍ପିଚ୍’ କୁହାଯିବା ଠିକ୍ ନୁହେଁ ବୋଲି ଗୁପ୍ତାଙ୍କ ଆବେଦନରେ ଦର୍ଶାଯାଇଛି । ହିନ୍ଦୁ ଧର୍ମ ଗୁରୁଙ୍କୁ ନିନ୍ଦତ କରିବା ପାଇଁ ଏହା ଅଣ-ହିନ୍ଦୁଙ୍କ ଏକ ଉଦ୍ୟମ ବୋଲି ଆବେଦନରେ ଦର୍ଶାଯିବା ସହ ହିନ୍ଦୁଙ୍କ ସଂପର୍କରେ ଘୃଣାଭାଗ ସୃଷ୍ଟି କରୁଥିବା ଏଆଇଏମଆଏମ ମୁଖ୍ୟ ଅସାଉଦ୍ଦିନ ଓୱେସୀ ଓ ବାରସ୍ ପଠାନଙ୍କ ଧ୍ୟ ଗିରଫ କରାଯାଉ ବୋଲି ହିନ୍ଦୁ ସେନା ପକ୍ଷରୁ ଦାବି କରାଯାଇଛି । ଅନ୍ୟ ଏକ ହିନ୍ଦୁତ୍ୱବାଦୀ ସଂଗଠନ ‘ହିନ୍ଦୁ ଫ୍ରଂଟ୍ ଫର୍ ଜଷ୍ଟିସ’ ପକ୍ଷରୁ ଆବେଦନ ହୋଇଛି, ସୁପ୍ରିମ କୋର୍ଟ ଯେତେବେଳେ ମୁସଲମାନଙ୍କ ପ୍ରତି ଘୃଣାପୂର୍ଣ୍ଣ ଭାଷଣର ଶୁଣାଣୀ ପାଇଁ ରାଜି ହୋଇଛନ୍ତି, ହିନ୍ଦୁଙ୍କ ପ୍ରତି ଘୃଣା-ଭାଷଣର ମଧ୍ୟ ଶୁଣାଣୀ କରିବା ଉଚିତ ହେବ । ସଂଗଠନ ପକ୍ଷରୁ ୨୫ଟି ହିନ୍ଦୁ-ବିରୋଧୀ ଭାଷଣ ଆବେଦନପତ୍ର ସହ ଯୋଡା ଯାଇଛି ।
ଏଠାରେ ଉଲ୍ଲେଖନୀୟ ଯେ, ସାମ୍ବାଦିକ କୁରବାନ ଅଲ୍ଲୀ ଓ ପାଟନା ହାଇକୋର୍ଟର ପୂର୍ବତନ ବିଚାରପତି ଅଂଜନା ପ୍ରକାଶ ହରିଦ୍ୱାର ଓ ଦିଲ୍ଲୀରେ ମୁସଲିମ୍ ସଂପ୍ରଦାୟ ବିରୋଧରେ ଦିଆଯାଇଥିବା ଘୃଣାପୂର୍ଣ୍ଣ ଭାଷଣ ବିରୋଧରେ କୋର୍ଟରେ ଆବେଦନ କରିଛନ୍ତି । ଭାରତୀୟ ସେନାର ପାଂଚ ଜଣ ପୂର୍ବତନ ସେନାମୁଖ୍ୟଙ୍କ ସମେତ ବହୁ ବୁଦ୍ଧିଜୀବୀ, ପୂର୍ବତନ ପ୍ରଶାସକ ଏବଂ ପ୍ରମୁଖ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଭାରତୀୟ ମୁସଲମାନଙ୍କ ପ୍ରତି ଗଣହତ୍ୟାର ଆହ୍ୱାନ ଦେଶର ଏକତା ଓ ସଂହତି ପ୍ରତି ବପଦ ସୃଷ୍ଟି କରିଥିବାରୁ ତାହାର ନିନ୍ଦା କରିବା ସହ ଘୃଣା ସୃଷ୍ଟିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
‘ଧର୍ମ ସଂସଦ’ ଅଧିବେଶନ ସମେତ ବିଭିନ୍ନ ସମୟରେ ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ଘୃଣାପୂର୍ଣ୍ଣ ଭାଷଣ ଦେଉଥିବା ଲୋକଙ୍କ ବିରୋଧେ ପ୍ରଧାନମନ୍ତ୍ରୀ ମୁହଁ ଖୋଲୁ ନଥିବାରୁ ସେମାନଙ୍କ ମନୋବଳ ବଢୁଛି । ତେଣୁ, ପ୍ରଧାନମନ୍ତ୍ରୀ ଏଭଳି ବିଭେଦକାରୀ ଶକ୍ତିଙ୍କ ବିରୋଧରେ ମୁହଁ ଖୋଲନ୍ତୁ ବୋଲି ଦେଶର ଦୁଇଟି ଆଇଆଇଟିର ଛାତ୍ରଛାତ୍ରୀ ଓ ଫେକଲଟି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ନିବେଦନ କରିଥିଲେ । ଏତେସବୁ ଅନୁରୋଧ ସତ୍ତ୍ୱେ ଘୃଣା-ଭାଷଣ ବିରୋଧରେ ସରକାର ନିରବ ରହିବା ଫଳରେ ଦେଶରେ ଘୃଣା-ରାଜନୀତି ପରିପୃଷ୍ଟ ହେଉଛି । ଜାତୀୟ ନାଗରିକତା (ସଂଶୋଧନ) ଆଇନ ବିରୋଧୀ ଆନ୍ଦୋଳନ ହେଉ ବା ତିନି କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ ହେଉ, ଆନ୍ଦୋଳନକାରୀଙ୍କ ବିରୋଧରେ ଘୃଣାର ଭାଷଣ ଦେଶବାସୀ ଦେଖି ଥିଲେ । ଏବେ, ୟୁପି ବିଧାନସଭା ନିର୍ବାଚନକୁ ନେଇ ଚାଲି ଥିବା ପ୍ରଚାରରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳୁଛି । ଶାସକ ବର୍ଗ ଯେତେବେଳେ ଜାତି, ଧର୍ମ ଓ ସଂପ୍ରଦାୟକୁ ପ୍ରସଙ୍ଗ କରି ଦେଶରେ ଘୃଣାର ପ୍ରସାର କରୁଛନ୍ତି, ଏହାକୁ କେହି ରୋକି ପାରିବ କେମିତି ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS