‘ହିନ୍ଦୁତ୍ୱ’କୁ ନେଇ ଉଦ୍ଧବ-ବିଜେପି ମୁହାଁମୁହିଁ
ପ୍ରସାଦ ରାଓ
୨୪ ଜାନୁୟାରୀ
‘ହିନ୍ଦୁତ୍ୱ’କୁ ନେଇ ଶିବସେନା ଓ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି କେବଳ ତାହାର ରାଜନୈତିକ ସ୍ୱାର୍ଥ ପାଇଁ ‘ହିନ୍ଦୁତ୍ୱ’କୁ ବ୍ୟବହାର କରୁଛି । ଶିବସେନା କ୍ଷମତା ପାଇବା ସକାଶେ କେବେ ‘ହିନ୍ଦୁତ୍ୱ’ର ବ୍ୟବହାର କରି ନାହିଁ । ବିଜେପି ସହ ଶିବସେନା ୨୫ ବର୍ଷ ସଂପର୍କରେ ରହିବା କେବଳ ସମୟର ଅପଚୟ ଥିଲା ବୋଲି ‘ଶିବସେନା’ ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର ଦିନ ମୁମ୍ବାଇରେ ଅନୁଷ୍ଠିତ ଦଳର ଏକ କାର୍ଯ୍ୟକ୍ରମରେ ମନ୍ତବ୍ୟ ଦେବା ବିଜେପିକୁ କ୍ଷୁବଧ କରିଛି । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ରହିଛି ।
ମୁଖ୍ୟମନ୍ତ୍ରୀ ଠାକରେ ରବିବାର ଦିନ ଭର୍ଚୁଆଲ୍ ମାଧ୍ୟମରେ ଶିବ ସୈନିକଙ୍କୁ ଉଦ୍ବୋଧନ ଦେବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଶିବସେନାର ପ୍ରତିଷ୍ଠାତା ତାଙ୍କ ପିତା ବାଲା ସାହେବ ଠାକରେଙ୍କ ୯୬ତମ ଜନ୍ମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ଠାକରେ ଶିବ ସୈନିକଙ୍କୁ ଉଦ୍ବୋଧନ ଦେଇଛନ୍ତି । ଦେଶରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ ବା ଏନଡ଼ିଏରୁ ଅକାଳୀ ଦଳ, ଶିବସେନା ଭଳି ପୁରୁଣା ସହଯୋଗୀମାନେ ଦୂରେଇ ଯିବା ପରେ ଏନଡ଼ିଏର ସ୍ଥିତି ସଂକୁଚିତ ହୋଇଛି ବୋଲି ଦର୍ଶାଇ ଠାକରେ କହିଛନ୍ତି, ତାଙ୍କ ଦଳ ବିଜେପିର ହାତ ଛାଡିଛି ସିନା ହିନ୍ଦୁତ୍ୱ ଚିନ୍ତାଧାରାରୁ ଦୂରେଇ ନାହିଁ । ଦଳ (ଶିବସେନା) ରାଜ୍ୟ ବାହାରେ ତାହାର ଅସ୍ତତ୍ୱକୁ ସଂପ୍ରସାରିତ କରି ଜାତୀୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଠାକରେଙ୍କ କଟାକ୍ଷ ବିଜେପି ନେତୃବର୍ଗଙ୍କୁ ଆହତ କରିଛି । ମହାରାଷ୍ଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଏହାର ଜବାବ ରଖିବାକୁ ଯାଇ କହିଛନ୍ତି, ମୁମ୍ବାଇ ପୌର ନିଗମରେ ବିଜେପିର ଅସ୍ତିତ୍ୱ ଥିବା ସମୟରେ ଶିବସେନାର ଜନ୍ମ ହୋଇନଥିଲା । ୧୯୮୪ରେ ଶିବସେନା ପ୍ରାର୍ଥୀ ବିଜେପି ଟିକଟରେ ନିର୍ବାଚନ ଲଢୁ ଥିଲେ । ନିକଟରେ ସରିଥିବା ନଗର ପଂଚାୟତ ଓ ମହାନଗର ନିଗମ ନିର୍ବାଚନରେ ଶିବସେନା ଚତୁର୍ଥ ସ୍ଥାନକୁ ଖସି ଯିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଠାକରେ ବିବ୍ରତ ହୋଇ ଏଭଳି ମନ୍ତବ୍ୟ ଦେଉଥିବା ପ୍ରତିୟମାନ ହେଉଛି । ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ସେ କେଉଁଠି ଥିଲେ ବୋଲି ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ପ୍ରଶ୍ନ କରିବା ସହ କହିଛନ୍ତି, ‘ଆମେ ଗୁଳି ଓ ଲାଠି ମାଡ ଖାଇଛୁ ଏବଂ ଅଯୋଧ୍ୟାରେ ରାମ ମନ୍ଦିର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନିର୍ମାଣ ହେଉଛି’ ।
ବିଜେପି ନେତା ରାମ କଦମ୍ ମଧ୍ୟ ବିଜେପି ବିରୋଧୀ ମନ୍ତବ୍ୟ ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ କଡା ସମାଲୋଚନା କରିଛନ୍ତି । ଆଜି ଦିନରେ ତାଙ୍କ (ଉଦ୍ଧବ) ନେତୃତ୍ୱାଧୀନ ଶିବସେନା ଏହାର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଆଦର୍ଶରେ ପରିଚାଳିତ ହେଉଛି କି ନାହିଁ ତାହା ପ୍ରଥମେ ଭାବି ଦେଖନ୍ତୁ, ତାହା ପରେ ବିଜେପିକୁ ସମାଲୋଚନା କରିବେ ବୋଲି ଠାକେରଙ୍କୁ ପରାମର୍ଶ ଦେଇଛନ୍ତି । କଦମ୍ କହିଛନ୍ତି, ଶିବସେନା ପ୍ରତିଷ୍ଠାତା ତଥା ମୁଖ୍ୟମନ୍ତ୍ରୀଙ୍କ ପିତା ବାଲା ସାହେବ ଠାକରେ ସର୍ବଦା କହୁଥିଲେ, ସେ କଦାପି ରାଜନୈତିକ ଜୀବନରେ କଂଗ୍ରେସକୁ ଯିବେ ନାହିଁ । ସେଭଳି ପରିସ୍ଥିତି ଆସିଲେ ସେ ଶିବସେନା ଦୋକାନ (କାର୍ଯ୍ୟାଳୟ) ପଛେ ବନ୍ଦ କରି ଦେବେ । ଆଜି ଦିନରେ ମହାରାଷ୍ଟ୍ରରେ ଶିବସେନା ନିଜ ରାଜନୈତିକ ମତବାଦ ବିରୋଧୀ ଏନସିପି ଓ କଂଗ୍ରେସ ସହ ମିଳିତ ହୋଇ ମେଂଟ ସରକାର ପ୍ରତିଷ୍ଠା କରିଥିବା ବାଲା ସାହେବଙ୍କ ଆଦର୍ଶର ସଂପୂର୍ଣ୍ଣ ବିପରିତ।
ଏଠାରେ ଉଲ୍ଲେଖଯୋଗ୍ୟ କି, ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ରରେ ଦୁଇ ହିନ୍ଦୁତ୍ୱବାଦୀ ଦଳ ବିଜେପି ଏବଂ ଶିବସେନା ମେଂଟ ରାଜନୀତି କରି ଆସୁଥିଲେ । ୨୦୧୯ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ତାହା ଚାଲି ଥିଲା । ୨୦୧୯ ବିଧାନସଭା ନିର୍ବାଚନରେ ମେଂଟର ସଂଖ୍ୟାଗରିଷ୍ଠତା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା ଓ ବିଜେପି ମଧ୍ୟରେ ଟଣାଓଟରା ହେବାରୁ ଶିବସେନା ରାଜ୍ୟରେ ଏନସିପି ଓ କଂଗ୍ରେସ ସହ ମେଂଟ କରି ‘ମହା ବିକାଶ ଅଘାଡି’ ସରକାର ପ୍ରତିଷ୍ଠା କରିଛି । ନିର୍ବାଚନ ବେଳେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିଲେ ବିଜେପି ନେତା ଫଡନାଭିସ । ତାଙ୍କୁ ପୁନଃ ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ଚାହିଁଁ ଥିଲା ।
ତେବେ, ନୂଆ କରି ନିର୍ବାଚନ ରାଜନୀତିରେ ପାଦ ଥାପି ଥିବା ଠାକରେ ପରିବାର ଦାୟଦଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଶିବସେନା ନେତୃବର୍ଗ ଚାହିଁ ଥିଲେ । ଉଦ୍ଧବଙ୍କ ବିଧାୟକ-ପୁତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାରେ ବିଜେପି ସହଯୋଗ ନ ଦେବାରୁ ମେଂଟରେ ଫାଟ ହେଲା । ଶିବସେନା କଂଗ୍ରେସ ଓ ଏନସିପି ସହ ମେଂଟରେ ସରକାର କଲା । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜେ ମୁଖ୍ୟମନ୍ତ୍ରୀ ପଦରେ ବସିବା ସହ ବିଧାୟକ-ପୁତ୍ରଙ୍କୁ ମନ୍ତ୍ରୀ ପରିଷଦରେ ରଖିଲେ । ଏହାପରଠାରୁ ଶିବସେନା-ବିଜେପି ସଂପର୍କ ତୀକ୍ତ ହେବା ସହ ଏବେ ଗମ୍ଭୀର ମୋଡରେ ପହଂଚିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS