ମାଗଣା ବଂଟା ପ୍ରତିଶ୍ରୁତି, ସରକାର ଓ ନିର୍ବାଚନ ଆୟୁକ୍ତଙ୍କୁ ସୁପ୍ରିମ କୋର୍ଟଙ୍କ ନୋଟିସ
ପ୍ରସାଦ ରାଓ
ନୂଆଦିଲ୍ଲୀ
୨୫ ଜାନୁୟାରୀ
ନିର୍ବାଚନ ଆସିଲେ ସବୁ ରାଜନୈତିକ ଦଳଙ୍କ ‘ମାଗଣା ବଂଟା’ ପ୍ରତିଶ୍ରୁତି ଆରମ୍ଭ ହୋଇଯାଏ । ରାଜନୈତିକ ଦଳଙ୍କ ପ୍ରତିଶ୍ରୁତିର ବର୍ଷା ଭୋଟରଙ୍କୁ ବାଟବଣା କରିବା ସହ ମୁକ୍ତ ଓ ଅବାଧ ନିର୍ବାଚନରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ତେଣୁ, ମାଗଣାରେ ସବୁ କିଛି ସବୁଧା ସୁଯୋଗ ଦେବାକୁ ଦିଆଯାଉଥିବା ପ୍ରତିଶ୍ରୁତି ଏକ ‘ଗୁରୁତର ବ୍ୟାପାର’ । ସୁପ୍ରିମ କୋର୍ଟ ମଧ୍ୟ ରାଜନୈତିକ ଦଳଙ୍କ ଏଭଳି ପ୍ରତିଶ୍ରୁତିକୁ ନିୟନ୍ତ୍ରଣ କରିବା ଦିଗରେ ନିର୍ଦ୍ଧିଷ୍ଟ ଗାଇଡଲାଇନ୍ ବା ନିର୍ଦେଶାବଳୀ ପ୍ରସ୍ତୁତ କରିବାକୁ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ନିର୍ଦେଶ ଦେଇଥିଲେ । ତେବେ, ଏପର୍ଯ୍ୟନ୍ତ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇ ନଥିବାରୁ ସୁପ୍ରିମ କୋର୍ଟ ଉଦ୍ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି ଓ ଚାରି ସପ୍ତାହ ମଧ୍ୟରେ ଏହାର ଉତ୍ତର ରଖିବାକୁ କହଛନ୍ତି ।
ମୁଖ୍ୟ ବିଚାପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱରେ ଗଠିତ ତିନ ଜଣିଆ ଖଣ୍ଡପୀଠରେ ଆଜି ଏକ ଆବେଦନର ଶୁଣାଣୀ ବେଳେ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ଏହି ନୋଟିସ ଜାରି କରାଯାଇଛି । ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ‘ମାଗଣା’ରେ ବିଭିନ୍ନ ସୁବିଧା ଯୋଗାଇ ଦେବାର ଯେଭଳି ପ୍ରତିଶ୍ରୁତି ଦେଉଛନ୍ତି ସେସବୁ କାର୍ଯ୍ୟକାରୀ କରିବା ସକାଶେ ଯେତିକି ଅର୍ଥବରାଦ ଆବଶ୍ୟକ ତାହା ଦେଶର ନିୟମିତ ବଜେଟ ବାହାରକୁ ଚାଲି ଯାଉଛି ବୋଲି ଖଣ୍ଡପୀଠ କହିଛନ୍ତି । ଏହା ଏକ ଗୁରୁତର ବ୍ୟାପାର ବୋଲି କୋର୍ଟ ମନ୍ତବ୍ୟ ଦେଇଛନ୍ତି ।
ନିର୍ଦ୍ଧିଷ୍ଟ ସୀମାରେ ରହି ରାଜନୈତିକ ଦଳମାନେ ଯେପରି ସେମାନଙ୍କ ନିର୍ବାଚନୀ ପ୍ରତିଶ୍ରୁତି ରଖିବେ ସେ ଦିଗରେ ଭାରତୀୟ ନିର୍ବାଚନ ଆୟୁକ୍ତ ଏକ ଗାଇଡଲାଇନ୍ ଜାରି କରିବାକୁ ସୁପ୍ରିମ କୋର୍ଟଙ୍କ ପକ୍ଷରୁ ପୂର୍ବରୁ ନିର୍ଦେଶ ଦିଆଯାଇଥିଲା । ସୁପ୍ରିମ କୋର୍ଟଙ୍କ ଏହି ନିର୍ଦେଶ ପରେ ଭାରତୀୟ ନିର୍ବାଚନ ଆୟୁକ୍ତ ବିଭିନ୍ନ ରାଜନୈତିକ ଦଳଙ୍କୁ ନେଇ ଏକ ବୈଠକ କରିବା ସହ ସେମାନଙ୍କଠାରୁ ମତାମତ ସଂଗ୍ରହ କରିଥିଲେ । ତେବେ, ଆଉ ପରବର୍ତ୍ତୀ ବୈଠକ ହୋଇ ନାହିଁ କିମ୍ବା ଯେଉଁ ବୈଠକ ହୋଇଥିଲା ତାହାର ଫଳଫଳ ମଧ୍ୟ ଅଦାଲତଙ୍କୁ ଅବଗତ କରାଯାଇ ନାହିଁ ବୋଲି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରମଣା ଆଜିର ଶୁଣାଣୀ ସମୟରେ କହିଛନ୍ତି ।
ଆଇନଜୀବୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଆଜି ଖଣ୍ଡପୀଠରେ ଶୁଣାଣୀ ହୋଇଥିଲା । ମୁଖ୍ୟ ବିଚାରପତି ଜଷ୍ଟିସ ରମଣା, ଜଷ୍ଟିସ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ହୀମା କୋହଲୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣୀ କରିବା ସହ ମାଗଣା ପ୍ରତିଶ୍ରୁତି ଉପରେ ଗାଇଡଲାଇନକୁ ନେଇ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ନୋଟିସ ଜାରି କରି ଉତ୍ତର ରଖିବାକୁ କହିଛନ୍ତି ।
ବିଜେପି ନେତା ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ଦେଶର ସମସ୍ତ ରାଜନୈତିକ ଦଳ ନିର୍ବାଚନ ଆସିଲେ ମାଗଣା ବଂଟାର ପ୍ରତିଶ୍ରୁତି ଧରି ଭୋଟରଙ୍କ ନିକଟକୁ ଯାଉଛନ୍ତି । ଏହାଦ୍ୱାରା, ସରକାରୀ ପାଣ୍ଠି ଉପରେ ଚାପ ରହିବା ସହ ତାହାର ବ୍ୟାପକ ଅପଚୟ ହେଉଛି । ରାଜ୍ୟମାନଙ୍କୁ ମଧ୍ୟ ଋଣବୋଝ ଭିତରକୁ ଠେଲି ଦିଆଯାଉଛି । ରାଜନୈତିକ ଦଳଙ୍କ ସୀମାତୀତ ‘ମାଗଣା ବଂଟନ’ର ପ୍ରତିଶ୍ରୁତି ନିର୍ବାଚନ ଆଇନକୁ ଉଲଂଘନ କରିବା ସହ ମୁକ୍ତ ଓ ଅବାଧ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରୁଛି । ଦେଶର ଗଣତନ୍ତ୍ର ପ୍ରତି ଏହା ବଡ଼ ବିପଦ ହୋଇଛି ।
ନିର୍ବାଚନ ମଇଦାନରେ ଥିବା ସମସ୍ତ ପ୍ରାର୍ଥୀଙ୍କ ନିର୍ବାଚନ ଲଢିବାର ସମାନ ସୁଯୋଗ ମିଳିବା କଥା । କିନ୍ତୁ, ତାହା ମିଳୁ ନାହିଁ । ରାଜନୈତିକ ଦଳଙ୍କ ଅନିୟନ୍ତ୍ରିତ ପ୍ରତିଶ୍ରୁତି ମଧ୍ୟ ଭୋଟରଙ୍କୁ ବିଭ୍ରାନ୍ତ କରିବା ସହ ରାଜକୋଷରୁ ବିପୁଳ ଅର୍ଥ ଅପଚୟର କାରଣ ହେଉଛି । ତେଣୁ, ମାଗଣା ବାଂଟିବାର ପ୍ରତିଶ୍ରୁତି ଦେଉଥିବା ରାଜନୈତିକ ଦଳଙ୍କ ନିର୍ବାଚନ ଚିହ୍ନ ଜବତ କରିବାକୁ କିମ୍ବା ସେମାନଙ୍କ ପଂଜୀକରଣ ବାତିଲ କରିବାକୁ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ନିର୍ଦେଶ ଦିଆଯାଉ ବୋଲି ଆଡଭୋକେଟ ଉପାଧ୍ୟାୟ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମ କୋର୍ଟରେ ଉପାଧ୍ୟାୟଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS