କଂଗ୍ରେସର ବିଦ୍ରୋହୀ ନେତାଙ୍କୁ ବିଜେପିର ‘ପଦ୍ମ ଭୂଷଣ’ !
ପ୍ରସାଦ ରାଓ
୨୬ ଜାନୁୟାରୀ
୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରୁଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ କେନ୍ଦ୍ର ସରକାର ‘ପଦ୍ମ ଭୂଷଣ’ରେ ସମ୍ମାନୀତ କରିବାକୁ ମଂଗଳବାର ଘୋଷଣା କରିବା ଭାରତୀୟ ରାଜନୀତିରେ ଚାପା ଗୁଂଜରଣ ସୃଷ୍ଟି କରିଛି । ଆଜାଦଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିବା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଆଖିରୁ ଲୁହ ଝରାଇ ଥିଲେ । ଆଜାଦଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କୁ ସଦନ ହରାଇଲା ବୋଲି ସେ ଦୁଃଖର ସହ ମନ୍ତବ୍ୟ ରଖି ଥିଲେ । ସେତେବେଳେ, ପ୍ରଧାନମନ୍ତ୍ରୀଙ୍କ ‘ଆଜାଦ-ପ୍ରୀତି’ ରାଜନୈତିକ ମହଲକୁ ବିସ୍ମିତ କରିଥିଲା । ମଂଗଳବାର କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜାଦଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନ ଦେବାକୁ ଘୋଷଣା କରିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏକ ଖାସ୍ ଗୋଟିଚାଳନା ବୋଲି ଆଲୋଚନା ହେଉଛି ।
ପୂର୍ବତନ ସାଂସଦ ଆଜାଦ୍ କଂଗ୍ରେସର ଜଣେ ବରିଷ୍ଠ ନେତା । ସେ ଏକାଧିକ ଥର କେନ୍ଦ୍ରରେ ମନ୍ତ୍ରୀ ଥିଲେ । ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ଏଆଇସିସିର ସାଧାରଣ ସଂପାଦକ ଭାବେ ଓଡ଼ିଶା, ୟୁପି ସମେତ ବିଭିନ୍ନ ରାଜ୍ୟର ପ୍ରଭାରୀ ଭାବେ ସଫଳତାର ସହ କାର୍ଯ୍ୟ ସଂପାଦନ କରିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ୨୦୦୪ରୁ ୨୦୧୪ – ଦୀର୍ଘ ଦଶ ବର୍ଷର ଡକ୍ଟର ମନମୋହନ ସିଂହଙ୍କ ସରକାର ଅମଳରେ ହୋଇଥିବା ବ୍ୟାପକ ଦୁର୍ନୀତି ଓ ଅସ୍ଥିର ଶାସନକୁ ଦାୟି କରାଯାଇଥିଲା । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସଫଳ ପ୍ରଚାର ଅଭିଯାନ ଚଳାଇ ୨୦୧୪ରେ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରିବା ସହ ବିପୁଳ ଜନ ସମର୍ଥନରେ ସରକାରକୁ ଆସିଥିଲା । କେନ୍ଦ୍ରରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ସହ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ।
୨୦୧୯ ସାଧାରଣ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଏଆଇସିସି ସଭାପତି ଥିଲେ । ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢି କଂଗ୍ରେସ ଲୋକସଭାରେ କିଛି ଅଧିକ ଆସନ ପାଇଲା ସତ, କିନ୍ତୁ କ୍ଷମତାର ନିକଟତର ହେବାର ସୌଭାଗ୍ୟ ପାଇ ନଥିଲା । ପ୍ରଧାନମନ୍ତ୍ରୀ ମୋଦୀ ପୁଲୱାମା ଘଟଣା ପାଇଁ ହେଉ ବା କଂଗ୍ରେସରେ ସକ୍ଷମ ନେତୃତ୍ୱର ଅଭାବ କାରଣରୁ ହେଉ ଲଗାତର ଦ୍ୱିତୀୟ ଥର ପାଇଁ ବିପୁଳ ଜନମତ ହାସଲ କରି ଏନଡ଼ିଏକୁ କ୍ଷମତାକୁ ଆଣିଲେ । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପୁନଃ ବିପର୍ଯ୍ୟୟ ପାଇଁ ଦଳର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ନିଜକୁ ଦାୟି କରିବା ସହ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ଓ ଗାନ୍ଧୀ ପରିବାର ବାହାରୁ କାହାରିକୁ ଦଳର ସଭାପତି କରାଯିବାକୁ କଂଗ୍ରେସ କାର୍ଯ୍ୟକାରୀଣୀ ବୈଠକରେ ପ୍ରସ୍ତବ ରଖି ଥିଲେ । ରାହୁଲଙ୍କ ପ୍ରସ୍ତାବ ହିଁ ଆଜି ଦଳ ପାଇଁ ବଡ଼ ସଂକଟ ହୋଇଛି ।
ରାହୁଲଙ୍କ ଇସ୍ତଫା ପରେ ଦଳର କାର୍ଯ୍ୟକାରୀଣୀ ଗାନ୍ଧୀ ପରିବାର ବାହାରୁ ଜଣକୁ ନେତା ବାଛିବାରେ ଏଯାବତ୍ ସଫଳ ହୋଇ ନାହିଁ । ଦଳର ବହୁ ବରିଷ୍ଠ ନେତା ଗାନ୍ଧୀ ପରିବାର ହାତରେ ହିଁ ଦଳର ନେତୃତ୍ୱ ରହୁ ବୋଲି ଚାହୁଁଥିବା ବେଳେ କପିଲ ସିବଲ୍ ଓ ଗୁଲାମ ନବୀ ଆଜାଦଙ୍କ ଭଳି ଆଉ କିଛି ବରିଷ୍ଠ ନେତା ନେତୃତ୍ୱରେ ପରିବର୍ତ୍ତନ ଦାବିରେ ଅଟଳ । ଦଳର ସର୍ବୋଚ୍ଚ ନେତୃତ୍ୱକୁ ବାରମ୍ବାର ଚିଠି ଲେଖି ସର୍ବସାଧାରଣରେ ନେତୃତ୍ୱକୁ ଅପଦସ୍ତ କରୁଛନ୍ତି । ଏହି ଗୋଷ୍ଠୀକୁ ଦଳରେ ‘ଜି-୨୩’ ଗୋଷ୍ଠୀ କୁହାଯାଉଛି । ଜି-୨୩ ଗୋଷ୍ଠୀର ଯୁକ୍ତିି ହେଉଛି, କଂଗ୍ରେସରେ ଦୁର୍ବଳ ନେତୃତ୍ୱ ଏବଂ ରାଜନୈତିକ ନିଷ୍ପତ୍ତି ନେବାରେ ଅଯଥା ବିଳମ୍ବ କାରଣରୁ କଂଗ୍ରେସ ଦେଶବାସୀଙ୍କ ବିଶ୍ୱାସ ହରାଇଲାଣି । ତେଣୁ, ଦଳର ସଂଗଠନକୁ ପୁନଃ ସଂଗଠିତ କରିବାର ଆବଶ୍ୟକତା ରହିଛି । ଜଣେ ନିର୍ବାଚିତ ସଭାପତିଙ୍କ ଦ୍ୱାରା ତାହା ସମ୍ଭବ ।
ନିର୍ବାଚନ ମାଧ୍ୟମରେ ଦଳର ଜଣେ ପୂର୍ଣ୍ଣକାଳୀନ ସ୍ଥାୟୀ ସଭାପତି ବଛା ଯାଉ ବୋଲି ଜି-୨୩ ଗୋଷ୍ଠୀ ବାରମ୍ବାର ଦାବି କରି ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବାରୁ ଭାରତୀୟ ଜାତୀୟ କଂଗ୍ରେସରେ ସମାନ୍ତରାଳ ବିଭାଜନ ହୋଇ ଗାନ୍ଧୀ ପରିବାର ସପକ୍ଷବାଦୀ ଓ ବିରୋଧୀ ଗୋଷ୍ଠୀ ସଅଷ୍ଟି ହୋଇଛି ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ନେତୃତ୍ୱକୁ ନେଇ ଲଢେଇ ଜାରି ରହିଛି । ତାହା ବିଜେପିର ‘କଂଗ୍ରେସ ମୁକ୍ତ’ ଭାରତ ଅଭିଯାନକୁ ବଳ ଦେଇଛି । ୨୦୧୪ରୁ ବିଜେପିର ଏହି ଅଭିଯାନ ଚାଲିଛି । ଫଳରେ, ଦେଶ ଅଧିକାଂଶ ରାଜ୍ୟରେ ଦଳର ସଂଗଠନ ଦୁର୍ବଳ ହେବା ସହ କଂଗ୍ରେସର ସ୍ଥିତିକୁ ସଂକୁଚିତ ହେବାରେ ଲାଗିଛି ।
ଦେଶରେ କଂଗ୍ରେସର ନେତୃତ୍ୱରେ ନେଉ ଥିବା ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀଙ୍କ ଭାରତୀୟ ମତଦାତାଙ୍କ ଉପରେ ପ୍ରଭାବ ରହୁ ନଥବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘କଂଗ୍ରେସ ମୁକ୍ତ’ ଭାରତ ଅଭିଯାନ ସଫଳ ହେଉଥିବା ଏବଂ ଗଲା ସାତ ବର୍ଷ ମଧ୍ୟରେ କେନ୍ଦ୍ର ସମେତ ଅଧିକାଂଶ ରାଜ୍ୟରେ କଂଗ୍ରେସର ସ୍ଥିତି ଦୁର୍ବଳତର ହେଉଥିବା ବେଳେ ବିଜେପି ତାହାର ପ୍ରଚାର ଶୈଳୀ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରି ବିଭିନ୍ନ ରାଜ୍ୟରେ ସରକାର ପ୍ରତିଷ୍ଠାରେ ସଫଳ ହେଉଥିବା ଦେଖି କଂଗ୍ରେସର ବହୁ ପ୍ରଭାବଶାଳୀ ନେତା ଇତିମଧ୍ୟରେ ଦଳ ଛାଡିଲେଣି । ତାହାର ସଦ୍ୟ ଉଦାହରଣ ହେଉଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରପିଏନ୍ ସିଂହ । ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତେନ୍ଦ୍ର ପ୍ରସାଦଙ୍କ ଭଳି ରାହୁଲଙ୍କ ଅତ୍ୟନ୍ତ ଘନିଷ୍ଟ ଯୁବ ନେତାମାନେ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଗତ ଡ଼ିସେମ୍ବର ମାସରେ ପଂଜାବର ମୁଖ୍ୟମନ୍ତ୍ରୀ ପଦରୁ ତଡା ଖାଇଥିବା ବରିଷ୍ଠ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂହ କଂଗ୍ରେସ ନେତୃତ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରି ଦଳ ଛାଡିଛନ୍ତି ଏବଂ ନିଜର ଏକ ରାଜନୈତିକ ଦଳ ଗଠନ କରି ବିଜେପି ସହ ମେଂଟରେ ଫେବୃୟାରୀ ୨୦ରେ ହେବାକୁ ଥିବା ପଂଜାବ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି ।
କଂଗ୍ରେସ ବରିଷ୍ଠ ନେତାମାନେ ନେତୃତ୍ୱ ବିରୋଧରେ ବିଦ୍ରୋହ କରି ଦଳ ଛାଡିବା ଓ ବିଜେପି ସମେତ ଅନ୍ୟ ଦଳକୁ ଚାଲି ଯିବା ଏଆଇସିସି ନେତୃତ୍ୱ ପାଇଁ ବଡ଼ ଚ୍ୟାଲେଂଜ ରୂପେ ଦେଖା ଦେଇଛି । ଇତିମଧ୍ୟରେ, ଏଆଇସିସି ସାଧାରଣ ସଂପାଦକ ଥିବା ପ୍ରିୟଙ୍କା ଗାନ୍ଧୀ ୟୁପି ବିଧାନସଭା ନିର୍ବାଚନ ମଂଗ ଧରିଛନ୍ତି । ଏକାକୀ ସେ ପ୍ରଚାର ଅଭିଯାନ ଚଳାଇ ଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ଭଳି କିଛି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଉଛନ୍ତି । ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ତାରିଖ ଯାଏଁ ସାତ ପର୍ଯ୍ୟାୟରେ ୟୁପି ବିଧାନସଭା ନିର୍ବାଚନ ହେବ । ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ଅବତୀର୍ଣ୍ଣ ଥିଲେ ମଧ୍ୟ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଛି । କଂଗ୍ରେସ ତୃତୀୟ ବା ଚତୁର୍ଥ ସ୍ଥାନରେ ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଦାବି ଜୋର୍ ଧରି ଥିବା ବେଳେ ଏଆଇସିସି ସଭାପତି ଥିବା ଶ୍ରୀମତୀ ସୋନିଆ ଗାନ୍ଧୀ ଜି-୨୩ ଗୋଷ୍ଠୀକୁ ନିକଟରେ ତାଗିଦ କରିବା ସହ ଦଳର ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ସାଂଗଠନିକ ନିର୍ବାଚନ ସରିବା ପର୍ଯ୍ୟନ୍ତ ସେ ଦଳର ସ୍ଥାୟୀ ସଭାପତି ଅଛନ୍ତି ବୋଲି ମଧ୍ୟ ଜି -୨୩ ଗୋଷ୍ଠୀକୁ ଚେତାଇ ଦେଇଛନ୍ତି । ଦୁଇ ମାସ ତଳେ ସୋନିଆ ଦଳର ବିଦ୍ରୋହୀ ନେତା ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସ ଶୃଙ୍ଖଳା କମିଟିରୁ ବିଦା କରିଛନ୍ତି । ତେବେ, ୟୁପି ବିଧାନସଭା ନିର୍ବାଚନ ପାଇଁ ସୋମବାର ଘୋଷିତ କଂଗ୍ରେସର ‘ତାରକା ପ୍ରଚାରକ’ ତାଲିକାରେ ଗୁଲାମ ନବୀ ଆଜାଦଙ୍କୁ ଆନ୍ତର୍ଭୁକ୍ତ କରାଯାଇଛି । ଆଜାଦଙ୍କ ସହ ହରିୟାଣାର ପୂର୍ବତନ ମୁଖମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା (ଜି-୨୩ ଗୋଷ୍ଠୀର) ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି ।
କଂଗ୍ରେସ ହାଇକମାଣ୍ଡ ସୋମବାର ଦିନ ଗୁଲାମ ନବୀ ଆଜାଦଙ୍କୁ ୟୁପି ନିର୍ବାଚନ ପାଇଁ ଦଳର ‘ତାରକା ପ୍ରଚାରକ’ ଘୋଷଣା କରିଥିବା ବେଳେ ମଂଗଳବାର ଦିନ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜାଦଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନରେ ସମ୍ମାନୀତ କରିବାକୁ ଘୋଷଣା କରିବା ଆଜାଦଙ୍କୁ ନେଇ ବିତର୍କର ବାତାବରଣ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କୁ ‘ଭାରତ ରତ୍ନ’ ଉପାଧୀରେ ଭୂଷିତ କଲା ବେଳେ ଏତେ ବିତର୍କ ନଥିଲା । ଗୁଲାମ ନବୀ ହେଉଛନ୍ତି ଏକମାତ୍ର ବରିଷ୍ଠ କଂଗ୍ରେସ ନେତା, ଯାହାଙ୍କୁ କି ମୋଦୀ ସରକାର ‘ପଦ୍ମ ଭୂଷଣ’ ସମ୍ମାନ ଦେବାକୁ ଯାଉଛନ୍ତି । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ କଲ୍ୟାଣ ସିଂହଙ୍କୁ ମରଣୋପରାନ୍ତ ‘ପଦ୍ମ ବିଭୂଷଣ’ ପୁରସ୍କାର ଦେବାକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଘୋଷଣା କରି ଥିବା ବେଳେ କଂଗ୍ରେସ ନେତା ଆଜାଦଙ୍କ ସହ ପଶ୍ଚିମ ବଂଗର ବରିଷ୍ଟ ବାମପନ୍ଥୀ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ନାମ ‘ପଦ୍ମ ଭୂଷଣ’ ତାଲିକାରେ ରଖିଛି ।
କଲ୍ୟାଣ ସିଂହ ନବେ ଦଶକରେ ଅଯୋଧ୍ୟା ରାମ-ଜନ୍ମଭୂମୀ ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ ଏବଂ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ଅଯୋଧ୍ୟାରେ ବାବରୀ ମସଜିଦ୍ ଧରାଶାୟୀ ହୋଇଥିଲା । ବୁଦ୍ଧଦେବ ‘ପଦ୍ମ ଭୂଷଣ’ ଗ୍ରହଣ କରିବାକୁ ମନା କରି ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସରକାରଙ୍କ ନିଷ୍ପତ୍ତିକୁ ଆଦରରେ ଗ୍ରହଣ କରିଥିବା ସୂଚନା ମିଳିଛି । କଲ୍ୟାଣଙ୍କୁ ମରଣୋତ୍ତର ‘ପଦ୍ମ ବିଭୂଷଣ’ ଦେବା ସକାଶେ ସରକାର ନିଷ୍ପତ୍ତି ନେବାକୁ ଯାଇ ରାଜନୈତିକ ସମାଲୋଚନାକୁ ଏଡାଇବା ପାଇଁ ଗୁଲାମ ନବୀ ଓ ବୁଦ୍ଧଦେବଙ୍କୁ ‘ପଦ୍ମ ଭୂଷଣ’ ଦେବାକୁ ଘୋଷଣା କରିଥାଇ ପାରନ୍ତି ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି । ରାଜନୈତିକ ମହଲରେ ଆଉ ଏକ ଆଲୋଚନା ମଧ୍ୟ ହେଉଛି । ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଏଆଇସିସି ସାଧାରଣ ସଂପାଦକ ଥିବା ସମୟରେ ବହୁବାର ୟୁପି ଦାୟିତ୍ୱରେ ରହିଛନ୍ତି । ୟୁପିର ପ୍ରତିଟି କ୍ଷେତ୍ର ତାଙ୍କ ନଖଦର୍ପଣରେ ରହିଛି । ରାଜ୍ୟର ପ୍ରାୟ ସବୁ ବରିଷ୍ଠ ନେତାଙ୍କ ସହ ତାଙ୍କ ବ୍ୟକ୍ତିଗତ ସଂପର୍କ ରହିଛି । ବିଭିନ୍ନ ନିର୍ବାଚନରେ ୟୁପିର ମୁସଲାମାନ୍ ବହୁଳ ଅଂଚଳରେ ସେ କଂଗ୍ରେସ ଦଳ ପକ୍ଷରୁ ପ୍ରଚାର କରିଛନ୍ତି ।
୨୦୧୭ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ-ସମାଜବାଦୀ ପାର୍ଟି ମେଂଟର ସେ ମୁଖ୍ୟ ପୁରୋଧା ଥିଲେ ଏବଂ କଂଗ୍ରେସ ଦଳ ୧୧୪ ବିଧାନସଭା ଆସନରେ ନିର୍ବାଚନ ଲଢିଥିଲା । ବିଧାନସଭା ନିର୍ବାଚନରେ ମେଂଟର ଶୋଚନୀୟ ପରାଜିତ ହୋଇଥିବା ବେଳେ ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ୩୦୦ରୁ ଅଧିକ ଆସନରେ ବିଜେପିର ବିଜୟ ହୋଇଥିଲା । ଯୋଗୀ ଆଦିତ୍ୟନାଥ ବିଧାନସଭା ନିର୍ବାଚନ ଲଢି ନଥିବା ସତ୍ତ୍ୱେ ୟୁପି ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୨୨ ନିର୍ବାଚନରେ କିନ୍ତୁ କଂଗ୍ରେସ ଓ ସମାଜବାଦୀ ପାର୍ଟି ଭିନ୍ନ ଭିନ୍ନ ଭାବେ ନିର୍ବାଚନ ଲଢୁଛନ୍ତି । ଆଜାଦଙ୍କ ୟୁପିରେ ଥିବା ପ୍ରଭାବକୁ ନିଜ ସପକ୍ଷରେ ନେବାକୁ ବିଜେପିର ଏହା ଏକ ରଣନୀତି ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ସେହିଭଳି, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ପଶ୍ଚିମ ୟୁପିର ଜଣେ ପ୍ରଭାବଶାଳୀ ଜାଠ୍ ନେତା ଭାବେ ପରିଚିତ । କଂଗ୍ରେସ ନେତୃତ୍ୱ ଗୁଲାମ ନବୀ ଆଜଦଙ୍କ ଭଳି ହୁଡାଙ୍କୁ ମଧ୍ୟ ୨୦୨୨ ୟୁପି ନିର୍ବାଚନ ପାଇଁ ଦଳର ‘ତାରକା ପ୍ରଚାରକ’ ତାଲିକାରେ ରଖିଛନ୍ତି । ଆଜାଦ ଓ ହୁଡା ଜି-୨୩ ଗୋଷ୍ଠୀର । ତେଣୁ, କଂଗ୍ରେସ ନେତୃତ୍ୱ ସେମାନଙ୍କୁ ହଠାତ୍ ୟୁପି ପାଇଁ ଷ୍ଟାର୍ ପ୍ରଚାରକ ତାଲିକାରେ ରଖିବା ନେଇ ସେମାନଙ୍କ ମନରେ ଅନକେ ସନ୍ଦେହ ରହିଛି । ହୁଡାଙ୍କ ସମର୍ଥକଙ୍କ କହିବା ଅନୁଯାୟୀ, ୟୁପି ବିଧାନସଭା ନିର୍ବାଚନ ପାଇଁ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ପ୍ରଚାରର କେନ୍ଦ୍ରବନ୍ଦୁ ଥିବା ବେଳେ ଏଆଇସିସି ଦ୍ୱାରା ଘୋଷିତ ‘ତାରକା ପ୍ରଚାରକ’ଙ୍କ ଭୂମିକା ପ୍ରଚାରରେ ଗୌଣ ରହିବ । ଘୋଷିତ ତାଲିକାରୁ କେତେଜଣ ମୈଦାନକୁ ଯିବାର ସୁଯୋଗ ପାଇବେ, ତାହା କ୍ଷେତ୍ରରେ ପ୍ରଚାର ଅଭିଯାନ ଆରମ୍ଭ ହେଲେ ହିଁ ଜଣାପଡିବ । ଗୁଲାମ ନବୀ ଆଜକୁ ନିଜକୁ ସର୍ବଦା ଜଣେ ‘ଖାଂଟି କଂଗ୍ରେସ’ ନେତା ବୋଲି ଦାବି କରୁଥିବା ଦୃଷ୍ଟିରୁ ଫେବୃୟାରୀ-ମାର୍ଚ୍ଚ ୟୁପି ବିଧାନସଭା ନିର୍ବାଚନରେ ତାହା ପରଖିବା ସମୟ ଆସିଛି । ତେବେ, ବିଜେପି ଦ୍ୱାରା ସଦ୍ୟ ଘୋଷିତ ‘ପଦ୍ମ ଭୂଷଣ’ ପୁରସ୍କାର ତାଙ୍କ ଗୋଡରେ ବେଡ଼ି ନ ହେଲ ହେଲା ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS