ନିର୍ବାଚନ ଲଢିବାକୁ ମନା କଲେ ରାଣେ, ଶ୍ୱଶୁର-ବୋହୂ ଲଢେଇ ଟଳିଲା
ପ୍ରସାଦ ରାଓ
୨୭ ଜାନୁୟାରୀ
ଆସନ୍ତା ଫେବୃୟାରୀ ୧୪ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ରହିବାକୁ ମନା କରିଛନ୍ତି ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରତାପସିଂ ରାଣେ (୮୭) । ପାରିବାରିକ ଚାପରୁ ନୁହେଁ, ବୟସ ଦୃଷ୍ଟିରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ରାଣେ କହିଛନ୍ତି । ଗୋଆର ପୋରିଏମ୍ ବିଧାନସଭା ଆସନରୁ ରାଣେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଡ଼ିସେମ୍ବର ମାସରେ ଦଳ ପକ୍ଷରୁ ଘୋଷଣା ହୋଇଥିଲା । ଏହି ବିଧାନସଭା କ୍ଷେତ୍ର କଂଗ୍ରେସ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାଣେଙ୍କ ଦୃଢ ଦୁର୍ଗ ଭାବେ ପରିଚିତ । ସେ ଏହି ଆସନରୁ ୧୧ ଥର ନିର୍ବାଚିତ ହୋଇଥିଲେ । ଥରେ ହେଲେ ମଧ୍ୟ ହାରି ନଥିଲେ । ଗୋଆରେ ସର୍ବାଧିକ ସମୟ ପାଇଁ ସେ ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୨ ବିଧାନସଭା ନିର୍ବାଚନରେ ଗୋଆର ପୋରିଏମ୍ ଆସନରୁ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଣେଙ୍କୁ ପ୍ରାର୍ଥୀ କରୁଥିବା ଘୋଷଣା କରିବା ପରେ ବିଜେପି ତାଙ୍କ ବୋହୂ ଦେବୟା ବିଶ୍ୱଜିତ ରାଣେଙ୍କୁ ସେହି ଆସନରୁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି । ଫଳରେ, ପୋରିଅମ୍ ଆସନରେ ଶ୍ୱଶୁର-ବୋହୂ ଲଢେଇର ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ, ପୂର୍ବତନ ମୁଖ୍ୟମନ୍ତ୍ରୀ ରାଣେ ନିର୍ବାଚନରେ ପ୍ରାର୍ଥୀ ହେଉ ନଥିବା ଘୋଷଣା କରିବା ପରେ ଘର ଭିତରେ ଲଢେଇର ଆଶଙ୍କା ଦୂର ହୋଇଛି । ବର୍ଷିୟାନ ନେତା ପ୍ରତାପସିଂ ରାଣେଙ୍କ ପୁଅ ବିଶ୍ୱଜିତ ରାଣେ ଗୋଆ ସରକାରରେ ମନ୍ତ୍ରୀ ଅଛନ୍ତି । ସେ ପୂର୍ବରୁ କଂଗ୍ରେସରେ ଥିଲେ । ୨୦୧୭ ନିର୍ବାଚନ ପରେ ବିଜେପିକୁ ଡ଼ିଆଁ ମାରିଛନ୍ତି । ପୂର୍ବରୁ ବିଜେପି ପୋରିଏମ୍ ଆସନରେ ବାପା ପ୍ରତାପସିଂ ରାଣେଙ୍କ ସହ ପୁଅ ବିଶ୍ୱଜିତ ରାଣେଙ୍କୁ ଲଢାଇବାକୁ ଯୋଜନା କରିଥିବା ଆଲୋଚନା ହେଉଥିଲା । ତେବେ, ପରେ ଦଳ ବିଶ୍ୱଜିତଙ୍କୁ ନିକଟସ୍ଥ ଭାଲପୋଇ ବିଧାନସଭା ଆସନରୁ ପ୍ରାର୍ଥୀ କରିବା ସହ ବିଶ୍ୱଜିତଙ୍କ ପତ୍ନୀ ଦେବୟା ବିଶ୍ୱଜିତ ରାଣେଙ୍କୁ ପୋରିଅମ୍ ଆସନରୁ ପ୍ରାର୍ଥୀ କରିଛି । ଗଲା ଶନିବାର ଯାଏଁ ପ୍ରତାପସିଂ ରାଣେ ପୋରିଅମ୍ ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଥିଲେ । ଦଳ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ଦୃଷ୍ଟିରୁ ସେ ପଛକୁ ହଟିବା ପ୍ରଶ୍ନ ଉଠୁ ନାହିଁ ବୋଲି କହୁଥିଲେ । ଶନିବାର ପାନାଜୀରେ ଅନୁଷ୍ଠିତ କଂଗ୍ରେସ ପ୍ରାର୍ଥୀଙ୍କ ବୈଠକରେ ମଧ୍ୟ ସେ ଯୋଗ ଦେଇଥିଲେ । ତେବେ, ହଠାତ୍ ସେ ମତ ପରିବତ୍ ର୍ତନ କରି ନିର୍ବାଚନରୁ ଓହରିବା ପଛରେ ପାରିବାରିକ ଚାପ ଥିବା ଅନୁମାନ କରାଯାଉଛି । ରାଣେ ପ୍ରାୟ ୫୦ ବର୍ଷ ହେଲା ପୋରିଏମ୍ ଆସନ ସହ ସଂପୃକ୍ତ ଥିବା ବେଳେ ୪୫ ବର୍ଷ ଧରି କଂଗ୍ରେସ ଏହି ଆସନରୁ ବିଜୟୀ ହୋଇ ଆସୁଛି । ରାଣେ ଏଥର ମଧ୍ୟ ପୋରିଏମ୍ ଆସନରୁ ପ୍ରାର୍ଥୀ ହେବାକୁ ଦଳ ପ୍ରସ୍ତାବ ରଖିଥିଲା । ସେ ଅନ୍ୟ କାହାକୁ ଯଦି ସେହି ଆସନରୁ ପ୍ରାର୍ଥୀ କରିବାକୁ ଚାହୁଁ ଥିଲେ ନାଁ ସୁପାରିଶ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ତେବେ, ସେ ନିଜେ ନିର୍ବାଚନ ଲଢିବାକୁ ରାଜି ଥିବାରୁ ତାଙ୍କ ନାମ ଘୋଷଣା ହୋଇଥିଲା ବୋଲି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ କହଛନ୍ତି । ରାଣେଙ୍କ ଆକସ୍ମିକ ୟୁ-ଟର୍ଣ୍ଣ କଂଗ୍ରେସ ପାଇଁ ବଡ଼ ଝଟକା ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS