ଗୁଲାମଙ୍କୁ ‘ପଦ୍ମ’ ଦେଇ ବିଜେପି କି ନିର୍ବାଚନୀ ଫାଇଦା ପାଇବ ?
ପ୍ରସାଦ ରାଓ
୨୭ ଜାନୁୟାରୀ
ବରିଷ୍ଠ କଂଗ୍ରେସର ନେତା ଗୁଲାମ ନବୀ ଆଜାଦଙ୍କୁ ‘ପଦ୍ମ ଭୂଷଣ’ ଦେଇ କଂଗ୍ରେସକୁ ଘେରିବା ଆରମ୍ଭ କରିଛି ବିଜେପି । ୨୦୧୯ ସାଧାରଣ ନିର୍ବାଚନ ପରଠାରୁ କଂଗ୍ରେସରେ ନେତୃତ୍ୱ କନ୍ଦଳ ଚାଲିଛି । ଦଳର ବିଦ୍ରୋହୀ ନେତା ଆଜାଦଙ୍କୁ ‘ପଦ୍ମ’ ଦେଇ ବିଜେପି ସେହି ବିବାଦକୁ ଅଧିକ ତେଜିୟାନ କରିଥିବା ଆଲୋଚନା ହେଉଛି । ମଂଗଳବାର କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ୧୨୮ ଜଣିଆ ‘ପଦ୍ମ’ ପୁରସ୍କାର ତାଲିକା ଘୋଷଣା କରିବା ପରେ ତାଲିକାରେ ଜନତା ଜନାର୍ଦ୍ଦନ ସେବା ପାଇଁ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ କଲ୍ୟାଣ ସିଂହଙ୍କୁ ମରଣୋତ୍ତର ‘ପଦ୍ମ ବିଭୂଷଣ’ ଦିଆଯାଇଥିବା ଏବଂ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ବରିଷ୍ଠ ବାମପନ୍ଥୀ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ ‘ପଦ୍ମ ଭୂଷଣ’ ମିଳି ଥିବା ଜଣାପଡିଛି । ଆଜାଦ ତାଙ୍କ ରାଜନୈତିକ ଜୀବନରେ କଂଗ୍ରେସର ସାଂଗଠନିକ ପଦପଦବୀରେ ରହିବା ସହ କେନ୍ଦ୍ରରେ ମନ୍ତ୍ରୀ ଓ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ । କଂଗ୍ରେସ ରାଜ୍ୟସଭା ସାଂସଦ ଭାବେ କିଛି ମାସ ତଳେ ଅବସର ନେଇଛନ୍ତି । ସେହିପରି, ବରିଷ୍ଠ ବାମପନ୍ଥୀ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଜ୍ୟୋତି ବସୁଙ୍କ ପରେ ପଶ୍ଚିମ ବଂଗର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । କେନ୍ଦ୍ର ସରକାର ‘ପଦ୍ମ’ ପୁରସ୍କାର ତାଲିକା ସାର୍ବଜନୀନ କରିବା ପରେ ବାମପନ୍ଥୀ ନେତା ଭଟ୍ଟାଚାର୍ଯ୍ୟ ତାଙ୍କ ସହିତ ଏସଂପର୍କରେ କେହି ପୂର୍ବରୁ ଆଲୋଚନା କରି ନଥିବା ଦର୍ଶାଇ ତାହାକୁ ପ୍ରତ୍ୟାଖାନ କରିଛନ୍ତି ।
ବାମପନ୍ଥୀମାନେ ପୁରସ୍କାରରେ ବିଶ୍ୱାସ ରଖନ୍ତି ନାହିଁ, ଜନସେବାରେ ହିଁ ବିଶ୍ୱାସ ରଖନ୍ତି ବୋଲି ମନ୍ତବ୍ୟ ଦେଇ ସେ ‘ପଦ୍ମ ଭୂଷଣ’କୁ ପ୍ରତ୍ୟାଖାନ କରିବା ବିଜେପିକୁ କ୍ଷୁବ୍ଧ କରିଛି । ତେବେ, ଏଭଳି ଏକ ସରକାରୀ ସମ୍ମାନକୁ ପ୍ରତ୍ୟାଖାନ କରିବା ଭଟ୍ଟାଚାର୍ଯ୍ୟଙ୍କ ହୀନମନ୍ୟତାର ସୂଚନା ଦେଉଛି ବୋଲି ବିଜେପି ସମର୍ଥିର୍ତ ଗଣମାଧ୍ୟମ ଦୁଇ ଦିନ ହେଲା ଚର୍ଚ୍ଚା କରୁଛନ୍ତି । କଂଗ୍ରେସ ନେତା ଆଜାଦ ‘ପଦ୍ମ ଭୂଷଣ’ ପାଇଥିବା ନେଇ ଖୁସି । କିନ୍ତୁ, କଂଗ୍ରେସ ନେତୃତ୍ୱ ଖୁସି ନାହାନ୍ତି । ତେଣୁ ଆଜାଦଙ୍କୁ ‘ପଦ୍ମ’ ସମ୍ମାନ ପାଇଁ କଂଗ୍ରେସ ମୁଖ୍ୟଙ୍କଠାରୁ ଅଭନନ୍ଦନ ବାର୍ତ୍ତା ମିଳି ନାହିଁ ବୋଲି ବିଜେପିର ପ୍ରଚାର ମାଧ୍ୟମରେ ଜୋରଦାର ପ୍ରଚାର ଚାଲିଛି । ବିଜେପି ସମର୍ଥିତ ମିଡ଼ିଆର ନ୍ୟାରେଟିଭ୍ ହେଉଛି, ଗୁଲାମ ନବୀ କଂଗ୍ରେସର ଜଣେ ବରିଷ୍ଠ ନେତା ହୋଇଥିବା ସତ୍ତ୍ୱେ ବିଜେପି ତାଙ୍କ ଦୀର୍ଘ ରାଜନୈତିକ ଜୀବନ ଓ ଜନସେବାକୁ ସ୍ୱୀକୃତି ଦେଇ ସମ୍ମାନଜନକ ‘ପଦ୍ମ ଭୂଷଣ’ ପୁରସ୍କାରରେ ସମ୍ମାନୀତ କରିବାକୁ ନିଷ୍ପତ୍ତି ନେଇଛି । ବୋଧହୁଏ କଂଗ୍ରେସ ନେତୃତ୍ୱକୁ ଏହା ଖୁସି କରି ନାହିଁ । ତେଣୁ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କିମ୍ବା ଦଳର ଅନ୍ୟ କୌଣସି ବରିଷ୍ଠ ନେତା ଆଜାଦଙ୍କୁ ଅଭିନନ୍ଦନ ଜଣାଇ ନାହାନ୍ତି । ଅପରପକ୍ଷରେ, ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଗତକାଲି କରିଥିବା ଟ୍ୱିଟ୍ ଏବଂ ଗୁଲାମଙ୍କୁ ‘ଗୁଲାମୀ’ ଭିତରକୁ ନ ଯିବାକୁ ପରାମର୍ଶ ବିଜେପି ସମର୍ଥିତ ମିଡ଼ିଆକୁ ଚର୍ଚ୍ଚାର ଖୋରାକ ଯୋଗାିଛି । ରମେଶ ଏଭଳି ଟ୍ୱିଟ୍ କରି ଆଜାଦଙ୍କ ‘ପଦ୍ମ’ ପୁରସ୍କାର ପ୍ରତ୍ୟାଖାନ କରିବାକୁ ଉସୁକାଉଛନ୍ତି ବୋଲି କିଛି ବିତର୍କରେ ଅଭିଯୋଗ ହୋଇଛି ।
ଜାତୀୟ ମିଡ଼ିଆରେ ଗୁଲାମ ନବୀ ଓ ବୁଦ୍ଧଦେବ ଭଟ୍ଟାଜାର୍ଯ୍ୟଙ୍କୁ ନେଇ ବୁଧବାର ଏଭଳି ଆଲୋଚନା ହୋଇଥିବା ବେଳେ କଂଗ୍ରେସ ବିଦ୍ରେହୀ ଗୋଷ୍ଠୀ ‘ଜି-୨୩’ ଆଜାଦଙ୍କୁ ଅଭିନନ୍ଦନ ଜଣାଇବାକୁ ଆଗେଇ ଆସିଛନ୍ତି । ଏହି ଗୋଷ୍ଠୀର ନେତା କପିଲ ସିବଲ୍ ଆଜାଦଙ୍କୁ ଅଭିନନ୍ଦନ ଜଣାଇ ପ୍ରଥମ ଟ୍ୱିଟ୍ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରେଣୁକା ଚୌଧୁରୀ ମଧ୍ୟ ଆଜି ‘ପଦ୍ମ ଭୂଷଣ’ ପାଇଥିବାରୁ ଆଜାଦଙ୍କୁ ଅଭିନନ୍ଦନ ଜଣାଇବା ସହ ଜୟରାମ ରମେଶଙ୍କୁ ସମାଲୋଚନା କରିଛନ୍ତି । ଗୁଲାମ ନବୀ ହେଉଛନ୍ତି ଦଳର ଜଣେ ବରିଷ୍ଠ ନେତା ଏବଂ ଷ୍ଟାର ପ୍ରଚାରକ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତାଙ୍କୁ ସମ୍ମାନ କରନ୍ତି । ଆଜାଦ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ସଦସ୍ୟ ମଧ୍ୟ ଅଛନ୍ତି । ଦେଶ ସେବା ପାଇଁ ତାଙ୍କୁ ‘ପଦ୍ମ ଭୂଷଣ’ ମିଳିବା ବ୍ୟକ୍ତିଙ୍କୁ ନୁହେଁ, ସାମଗ୍ରିକ ଭାବେ କଂଗ୍ରେସକୁ ଗୌରବାନ୍ୱିତ କରିଛି ବୋଲି ରେଣୁକା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, କଂଗ୍ରେସ ଦଳ ଶାସନରେ ଥିବା ସମୟରେ ବିପକ୍ଷ ଦଳଙ୍କୁ ମଧ୍ୟ ଏଭଳି ସମ୍ମାନ ଦେଇଛି । ସୋନିଆ ଦଳର ସଭାପତି ଭାବେ କୌଣସି ମନ୍ତବ୍ୟ ରଖି ନଥିବା ବେଳେ ଜୟରାମ ରମେଶ ତାହାର ସୁଯୋଗ ନେଇ ଅନୁଚିତ ମନ୍ତବ୍ୟ ଦେଇଛନ୍ତି, ଯାହାର କି କୌଣସି ମୂଲ୍ୟ ନାହିଁ ବୋଲି ସେ କହିଛନ୍ତି । ୟୁପି ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ବିଜେପି କଂଗ୍ରେସ ଦଳର ଷ୍ଟାର୍ ପ୍ରଚାରକ ଗୁଲାମ ନବୀ ଆଜାଦଙ୍କୁ ‘ପଦ୍ମ ଭୂଷଣ’ରେ ସମ୍ମାନୀତ କରିବାକୁ ଘୋଷଣା କରିବା କଂଗ୍ରେସରେ ଗୋଷ୍ଠୀ କନ୍ଦଳକୁ ବଢାଇବାର ଏକ ଷଡଯନ୍ତ୍ର କୁହାଯାଉଥିବା ବେଳେ ଜୟରାମ ରମେଶ, କପିଲ ସିବଲ୍ ଓ ରୋଣୁକା ଚୌଧୁରୀଙ୍କ ମନ୍ତବ୍ୟରୁ ଦଳରେ ଥିବା ପରସ୍ପର ବିରୋଧୀ ମତକୁ ସ୍ପଷ୍ଟ କରିଛି । ୟୁପିରେ କଂଗ୍ରେସ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ନୁହେଁ । ସମାଜବାଦୀ ପାର୍ଟି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଛି । ତଥାପି, ବିଜେପି ଗୁଲାମଙ୍କୁ ‘ପଦ୍ମ’ ଦେବାକୁ ଘୋଷଣା କରି କିପ୍ରକାର ନିର୍ବାଚନୀ ଫାଇଦାର ଆଶା ରଖିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS