ଗୁଲାମଙ୍କୁ ନେଇ କଂଗ୍ରେସ ଦାଣ୍ଡରେ ପଡି ହାଟରେ ଗଡୁଛି !
ପ୍ରସାଦ ରାଓ
୨୮ ଜାନୁୟାରୀ
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦଙ୍କୁ ସମାଜ ସେବା କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ କେନ୍ଦ୍ର ସରକାର ଚଳିତ ବର୍ଷର ‘ପଦ୍ମ ଭୂଷଣ’ ପୁରସ୍କାର ଦେବାକୁ ମନୋନୀତ କରିବା କଂଗ୍ରେସରେ ଭୂକଂପ ଆଣିଛି । ସରକାରଙ୍କ ଘୋଷଣା ନେଇ ଗାନ୍ଧୀ ପରିବାର ନିରବ ଥିବା ବେଳେ ଏହି ପରିବାର ପ୍ରତି ବିଶ୍ୱସ୍ତତା ପ୍ରକଟ କରିବା ପାଇଁ କିଛି ନେତା ଆକ୍ରମଣାତ୍ମକ ଟ୍ୱିଟ୍ କରୁଥିବା ବେଳେ ଆଉ କିଛି ନେତା ଗୁଲାମଙ୍କୁ ଅଭିନନ୍ଦନ ଜଣାଇ ନିଆଁରେ ଘିଅ ଢାଳୁଛନ୍ତି । କପିଲ ସବଲ୍, ରେଣୁକା ଚୌଧୁରୀ, ରାଜ ବବର୍ଂକ ଭଳି ନେତାମାନେ ‘ପଦ୍ମ ଭୂଷଣ’ ପାଇଥିବା ଗୁଲାମ ନବୀଙ୍କୁ ଅଭିନନ୍ଦନ ଜଣାଇ ଦଳ ଭିତରେ ସବୁ କିଛି ଠିକଠାକ୍ ଚାଲି ନାହିଁ ବୋଲି ବାତ୍ତା ଦେଇଛନ୍ତି । ଏପରିକି, ବଲିଉଡ୍ ଅଭିନେତାରୁ ରାଜନେତା ହୋଇଥିବା ରାଜ ବବର୍ ପାର୍ଟି-ଲାଇନ୍ ବାହାରକୁ ଯାଇ ଗୁଲାମଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗୁଲାବ ନବୀଙ୍କୁ ତାଙ୍କ ଗାନ୍ଧିବାଦୀ ଚିନ୍ତାଧାରା ପ୍ରତି ପ୍ରତିବଦ୍ଧତା ପାଇଁ ଏହି ସମ୍ମାନଜନକ ପୁରସ୍କାର ଓ ସ୍ୱୀକୃତି ମିଳିଛି ବୋଲି ବବର୍ କରିଥିବା ଟ୍ୱିଟ୍ ଗାନ୍ଧୀ ପରିବାରର ଅନୁଗତଙ୍କୁ ଚିନ୍ତାରେ ପକାଇଛି । ଏଭଳି ଭିନ୍ନ ପ୍ରତିକ୍ରିୟା ରଖି ରାଜ ବବର୍ କଂଗ୍ରେସ ଛାଡିବାର ଉପକ୍ରମ କଲେଣି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଂଗଳବାର (ଜାନୁୟାରୀ ୧୪ ତାରିଖ) ଦିନ ଚଳିତ ବର୍ଷର ‘ପଦ୍ମ’ ପୁରସ୍କାର ତାଲିକା ଜାରି କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଆଜାଦଙ୍କୁ ‘ପଦ୍ମ ଭୂଷଣ’ ଦେବାକୁ କେନ୍ଦ୍ର ସରକାର ସ୍ଥିର କରିଥିବା ଏଥିରୁ ଜଣାପଡିଛି । ଗୁଲାମଙ୍କୁ ‘ପଦ୍ମ ଭୂଷଣ’ ମିଳିବା ସଂପର୍କରେ କଂଗ୍ରେସ ମୁଖିଆ ବା ଗାନ୍ଧୀ ପରିବାର ନିଜର ପ୍ରତିକ୍ରିୟା ରଖି ନଥିବା ବେଳେ ପରିବାରର କିଛି ଅନୁଗତ ନେତା ସରକାରଙ୍କ ଘୋଷଣାକୁ ଭଲ ଦୃଷ୍ଟିରେ ନେଇ ନଥିବା ସେମାନଙ୍କ ପ୍ରତିକ୍ରିୟାରୁ ଜଣାପଡିଛି । ସେମାନେ ଗୁଲାମ ନବୀଙ୍କୁ ଅଭିନନ୍ଦନ ଜଣାଇବା ଦୂରେ ଥାଉ, ଜୟରାମ ରମେଶଙ୍କ ଭଳି ବରିଷ୍ଠ ନେତା ଟ୍ୱିଟ୍ କରି ଗୁଲାମଙ୍କୁ କାହାରି ‘ଗୁଲାମ’ ନହେବାକୁ ପରାମର୍ଶ ଦେବା କଂଗ୍ରେସ ନେତୃତ୍ୱର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ରମେଶଙ୍କ ଟ୍ୱିଟ୍ ନେଇ ନେଇ ବିଜେପି ଗାନ୍ଧୀ ପରିବାର ଓ କଂଗ୍ରେସକୁ ଟାର୍ଗେଟ୍ କରି ଥିବା ବେଳେ ଦଳରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଲଗାତର ଦାବି କରୁଥିବା ୨୩ ଜଣିଆ ଦଳ (ଜି-୨୩)ର ମୁହଁଖୋର ନେତା କପିଲ ସବଲ୍ ଗୁଲାମଙ୍କୁ ‘ପଦ୍ମ ଭୂଷଣ’ ମିଳି ଥିବାରୁ ଅଭିନନ୍ଦନ ଜଣାଇ ପାର୍ଟି-ଲାଇନ୍ ବାହାରକୁ ଯାଇଛନ୍ତି । କପିଲଙ୍କ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରେଣାକୁ ଚୌଧୁରୀ ମଧ୍ୟ ପାର୍ଟି-ଲାଇନ୍ ବାହାରକୁ ଯାଇ ଗୁଲାମଙ୍କୁ ଅଭିନନ୍ଦନ ଜଣାଇବା ସହ ଏହା କୌଣସି ବ୍ୟକ୍ତିର ନୁହେଁ, କଂଗ୍ରେସ ଦଳର ଗୌରବ ବଡାିଛି ବୋଲି କହିଛନ୍ତି ।
ଗୁଲାମଙ୍କୁ ‘ପଦ୍ମ ଭୂଷଣ’ ମିଳିବା ନେଇ କଂଗ୍ରେସରେ ବାଦାନୁବାଦ ଏଇଠି ଅଟକି ନାହିଁ । ଦଳର ବରିଷ୍ଠ ନେତା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରାପ୍ପା ମୋଇଲି ପାଦେ ଆଗକୁ ଯାଇ ଗୁଲାମଙ୍କୁ ‘ପଦ୍ମ ଭୂଷଣ’ ଦିଆଯିବା ଘୋଷଣା ପଛରେ କୌଣସି ମେରିଟ୍ ନାହିଁ, ଏହା ଏକ ‘ରାଜନୈତିକ ଘୋଷଣା’ ବୋଲି ମନ୍ତବ୍ୟ ରଖି ଗାନ୍ଧୀ ପରିବାର ପ୍ରତି ତାଙ୍କ ଆନୁଗତ୍ୟର ପ୍ରଦର୍ଶନ କରିବା ଏବେ ଚର୍ଚ୍ଚାକୁ ଆସିଛି । ମୋଇଲି ଗୁରୁବାର ଦିନ ବେଂଗାଲୁରୁ ଠାରେ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଏଭଳି ମନ୍ତବ୍ୟ ରଖିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ କୌଣସି ମେରିଟ୍ ନାହିଁ, ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ରାଜନୈତିକ ନିଷ୍ପତ୍ତି’ । ‘ପଦ୍ମ ଭୂଷଣ’ ପୁରସ୍କାର ଗ୍ରହଣ କରିବା ଦ୍ୱାରା ଯଦି କଂଗ୍ରେସର ସ୍ୱାର୍ଥହାନୀ ହେଉଥିବା ଗୁଲାମଙ୍କ ହୃଦବୋଧ ହେଉଛି, ସେ ଏହି ପୁରସ୍କାରକୁ ପ୍ରତ୍ୟାଖାନ କରିବା ଉଚିତ ବୋଲି ମୋଇଲି ରାଜନୈତିକ ମନ୍ତବ୍ୟ ଦେଇଥିବା ସଂପୃକ୍ତ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟରୁ ସୂଚନା ମିଳିଛି ।
ଏଭଳି ଏକ ସ୍ଥିତିରେ ଅଭିନେତାରୁ ରାଜନେତା ହୋଇଥିବା ରାଜ ବବର୍ଂକ ଟ୍ୱିଟ୍ କଂଗ୍ରେସରେ ଥିବା ବିରୋଧୀ ଗୋଷ୍ଠୀକୁ ସୁହାଇଲା ଭଳି ହୋଇଛି । ରାଜ କହିଛନ୍ତି, ଦୀର୍ଘ ପାଂଚ ଦଶନ୍ଧୀ ଧରି ଗୁଲାମ ନବୀଙ୍କ ନିରବଚ୍ଛିନ୍ନ ଦେଶ ସେବାକୁ ‘ପଦ୍ମ ଭୂଷଣ’ ମାଧ୍ୟମରେ ଅଭିନବ ସ୍ୱୀକୃତି ମିଳିଛି । ବବର୍ଂକ ଟ୍ୱିଟ୍ ଗାନ୍ଧୀ ପରିବାରକୁ ସୁହାଉ ନଥିବାରୁ ଏବଂ ସେ ତାଙ୍କ ଟ୍ୱିଟ୍ ପ୍ରତ୍ୟାହାର କରିବାର କୌଣସି ସୂଚନା ମିଳୁ ନଥିବାରୁ ବବର୍ ଯେ ଖୁବଶୀଘ୍ର କଂଗ୍ରେସ ଛାଡୁଛନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଛି । ରାଜ ବବର୍ ବଲିଉଡ଼ର ଜଣେ ସଫଳ ଅଭିନେତା ଥିଲେ । ଅଶି ଦଶକରେ ସେ ଜନତା ଦଳରେ ଯୋଗ ଦେଇ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ, ସମାଜବାଦୀ ପାର୍ଟିରେ ଯୋଗ ଦେଇ ୧୯୯୯ ଓ ୨୦୦୪ରେ ୟୁପିର ଆଗ୍ରା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୬ରେ ସେ ସମାଜବାଦୀ ପାର୍ଟିରୁ ନିଲମ୍ବିତ ହୋଇଥିବା ବେଳେ ଦୁଇ ବର୍ଷ ପରେ କଂଗ୍ରେସରେ ଯୋଗ ଦେଇ ଫିରୋଜାବାଦ ଲୋକସଭା ଉପ ନିର୍ବାଚନରେ ବିଜୟୀ ହୋଇଥିଲେ ।
୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ପରେ ସେ ୟୁପିରେ କଂଗ୍ରେସ ପାଇଁ କାର୍ଯ୍ୟ କରୁଛନ୍ତି । ତେବେ, ଆସନ୍ତା ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନରେ ଦଳ ତାଙ୍କ ମୋଟେ ଗୁରୁତ୍ୱ ଦେଇ ନାହିଁ । ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ୟୁପିରେ କଂଗ୍ରେସର ମଂଗ ଧରି ଥିବା ସମୟରେ ନିର୍ବାଚନ ପ୍ରଚାର ଅଭିଯାନରେ ରାଜ ବବର୍ଂକୁ ସେତେଟା ଗୁରୁତ୍ୱ ମିଳୁ ନଥିଲା । ତେବେ, ସୋମବାର ଦିନ ପ୍ରକାଶିତ ଦଳର ‘ତାରକା ପ୍ରଚାରକ’ ତାଲିକାରେ ତାଙ୍କ ନାମ ରହିଛି । ରାଜ ବବର୍ ୟୁପିରେ କଂଗ୍ରେସର ତାରକା ପ୍ରଚାରକ ଥିବା ବେଳେ ନିଜ ପୁରୁଣା ଦଳ ସମାଜବାଦୀ ପାର୍ଟିର୍କୁ ଫେରିବା ଉପକ୍ରମରେ ଥିବା ଓ ସପା ନେତା ଅଖିଳେଶ ଯାଦବଙ୍କ ସହ ରିତିମତ ଯୋଗାଯୋଗ ରଖି ଥିବା ଆଲୋଚନା ହୋଇଛି । ନିକଟରେ, ଉତ୍ତର ପ୍ରଦେଶର ପଛୁଆ ବର୍ଗର ପ୍ରମୁଖ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ପରେ ରାଜ ବବର୍ ଦଳ ଛାଡି ସମାଜବାଦୀ ପାର୍ଟିକୁ ଯାଉଥିବା ସୂଚନା ଦଳ ପାଇଁ ବଡ଼ ଝଟକା ହେବାକୁ ଯାଉଛି ବୋଲି ୟୁପିର ରାଜନୈତିକ ବିଶ୍ଲେଷକମାନେ ମତ ରଖିଛନ୍ତି ।
ଆରପିଏନ ସିଂହ ରାହୁଲ ଓ ପ୍ରିୟଙ୍କାଙ୍କ ଘନିଷ୍ଟ ସହଯୋଗୀଙ୍କ ମଧ୍ୟରେ ଥିଲେ । ଏହି ଗୋଷ୍ଠୀର ଅନ୍ୟତମ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୨୦ରେ କଂଗ୍ରେସ ଛାଡି ବିଜେପିରେ ଯିବା ପରେ ପରେ ଏବେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତନ୍ ପ୍ରସାଦ ମଧ୍ୟ ରାହୁଲଙ୍କ ନିକଟତମ ଥିଲେ । ସେ ଗଲା ଡ଼ିସେମ୍ବର ମାସରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଆରପିଏନ ସିଂହ, ଜ୍ୟୋତିରାଦିତ୍ୟ ଓ ଜିତନ୍ ପ୍ରସାଦ ୨୦୦୪ରୁ ୨୦୦୯ ଯାଏଁ ଡକ୍ଟର ମନମୋହନ ସିଂହଙ୍କ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ । କଂଗ୍ରେସର ପ୍ରଭାବଶାଳୀ ନେତାମାନେ ଜଣକ ପରେ ଜଣେ ଦଳ ଛାଡୁ ଥିବା ବେଳେ ୟୁପି ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ରାଜ ବବର୍ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ସ୍ୱରରେ ସ୍ୱର ମିଳାଇବା କଂଗ୍ରେସର କ୍ଷତି କରିବ ବୋଲି ଆଲୋଚନା ହେଉଛି । ଏଠି ପ୍ରଶ୍ନ ଉଠିପାରେ, ଗୁଲାମ ନବୀଙ୍କୁ ‘ପଦ୍ମ ଭୂଷଣ’ ମିଳିବା ଘଟଣାରେ ଗାନ୍ଧୀ ପରିବାର ଏତେ ଦୁଃଖି କାହିିଁକି ? ଏହାର ଉତ୍ତର ହେଉଛି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦଳର ଜଣେ ବିଦ୍ରୋହୀ ନେତାଙ୍କୁ ଏଭଳି ଏକ ସମ୍ମାନଜନକ ପୁରସ୍କାର ଦେଉଛନ୍ତି ।
୨୦୧୪ରୁ ଦେଶରେ ‘କଂଗ୍ରେସ ମୁକ୍ତ’ ଭାରତ ଅଭିଯାନ ଚଳାଇଛି ବିଜେପି । ଫଳପ୍ରଦ ନେତୃତ୍ୱ ଅଭାବରୁ ଦେଶରେ କଂଗ୍ରେସ ସଂଗଠନ ଦୁର୍ବଳରୁ ଦୁର୍ବଳତର ହେଲାଣି । ବହୁ ପୁରୁଖା ଓ ଯୁବ ନେତା ଦଳ ଛାଡି ଅନ୍ୟ ଦଳରେ ସାମିଲ ହେବା ପରେ ମଧ୍ୟ ଗାନ୍ଧୀ ପରିବାର ଚେତୁ ନାହାନ୍ତି । ନିଜ ଚିରାଚରିତ ଢଙ୍ଗରେ ସଂଗଠନ ଚଳାଇ ଥିବାରୁ ରାଜ୍ୟଗୁଡିକରେ ମଧ୍ୟ କଂଗ୍ରେସର ଅସ୍ତିତ୍ୱ ସଂକଟ ଦେଖା ଦେଇଛି । ଦଳକୁ ପୁନଃ ସଂଗଠିତ କରି ବିଜେପି ସହ ଲଢିବା ଯୋଗ୍ୟ କରିବା ସକାଶେ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ଆବଶ୍ୟକ ବୋଲି ଗୁଲାମ ନବୀ ଆଜାଦଙ୍କ ଭଳି କିଛି ବରିଷ୍ଠ ନେତା ଗଲା କିଛି ବର୍ଷ ହେଲା ଲଗାତର ଏଆଇସିସି ସଭାପତି ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏହାକୁ ନେଇ ଦଳରେ ଗାନ୍ଧୀ ପରିବାର ସପକ୍ଷବାଦୀ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ସମାନ୍ତରାଳ ବିଭାଜନ ହୋଇସାରିଛି । କଂଗ୍ରେସକୁ ଅଧିକ ବିଭାଜିତ କରିବା ପାଇଁ ଗୁଲାମ ନବୀ ଆଜାଦଙ୍କୁ କେନ୍ଦ୍ର ସରକାର ‘ପଦ୍ମ ଭୂଷଣ’ ଦେଇଛନ୍ତି, ତାହା କାହାରିକୁ ଅଛପା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ଏକ ରାଜନୈତିକ ନିଷ୍ପତ୍ତି ବୋଲି କର୍ଣ୍ଣାଟକ ନେତା ମୋଇଲିଙ୍କ ମନ୍ତବ୍ୟରେ ସତ୍ୟତା ରହିଛି । ତେବେ, ଭାରତୀୟ ରାଜନୀତିରେ ଗୁଲାମ ନବୀ ଆଜାଦଙ୍କ ଅବଦାନକୁ ତ ଅଣଦେଖା କରି ହେବ ନାହିଁ ! ତେଣୁ, ବିଜେପିର ଚାଲାକିକୁ ନିଷ୍ଫଳ କରିବା ପାଇଁ କଂଗ୍ରେସ ନେତୃତ୍ୱ ଗୁଲାମଙ୍କ ‘ପଦ୍ମ ଭୂଷଣ’କୁ ଗ୍ରହଣ କରି ନେଲେ କ୍ଷତି କଣ ? ଏହା ନକରି ଦାଣ୍ଡରେ ପଡି ହାଟରେ ଗଡିବା ଦ୍ୱାରା କଂଗ୍ରେସ ହିଁ ଅଧିକ କ୍ଷତିଗ୍ରସ୍ତ ହେଉଛି, ତାହା ଗାନ୍ଧୀ ପରିବାରକୁ ବୁଝାଇବ କିଏ ??
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS