ପୁନଶ୍ଚ ପେଗାସସ୍..!
ପ୍ରସାଦ ରାଓ
୨୯ ଜାନୁୟାରୀ
ଆମେରିକାର ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ଏକ ଅନୁସଂଧାନମୂଳକ ରିପୋର୍ଟ ପୁଣି ଥରେ ‘ପେଗାସସ୍’ ମାମଲାକୁ ଜୀବନ୍ତ କରିଛି । ଏହି ଗୁଇନ୍ଦା ସ୍ପାଏୱେର୍ ମାଧ୍ୟମରେ ଦେଶରେ ବିରୋଧୀ ଓ ଭିନ୍ନମତବାଦୀଙ୍କ ଗୁଇନ୍ଦାଗିରି ହୋଇଥିବା ନେଇ ୨୦୨୧ରେ ବଡ଼ ଧରଣର ବୋବାଲ୍ ସୃଷ୍ଟି ହୋଇଥିଲା । କେନ୍ଦ୍ର ସରକାର ଏଭଳି କିଛି ସ୍ପାଏୱେର କିଣି ନଥିବା ବା ବ୍ୟବହାର କରି ନଥିବା ସେତେବେଳେ ସଫେଇ ଦେଇଥିଲେ । ତେବେ, ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ୍ ଗସ୍ତ ସମୟରେ ଭାରତ-ଇସ୍ରାଏଲ୍ ମଧ୍ୟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଇନ୍ଦା ଉପକରଣ କ୍ରୟ ପାଇଁ ହୋଇଥିବା ପାଖାପାଖି ୨୦୦ କୋଟି ଡ଼ଲାରର ଚୁକ୍ତିରେ ‘ପେଗାସସ୍’ ସ୍ପାଏୱେର ଏବଂ ଏକ ମିଜାଇଲ୍ ସିଷ୍ଟମ୍ କିଣା ଅନ୍ତର୍ଭୁକ୍ତ ଥିଲା ବୋଲି ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟରେ ଦର୍ଶାଯାଇଥିବା ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ସୁଯୋଗ ଦେଇଛି । ପ୍ରକାଶିତ ରିପୋର୍ଟକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ମିଳି ନାହିଁ । ତେବେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଏହି ରିପୋର୍ଟ ଭିତ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାରକୁ ଘେରିବାକୁ ସୁଯୋଗ ପାଇଛନ୍ତି ।
କେନ୍ଦ୍ର ସରକାର ଦେଶର ବିଭିନ୍ନ ଗଣତାନ୍ତ୍ରିକ ଅନୁଷ୍ଠାନ, ବିରୋଧୀ ରାଜନେତା, ଭିନ୍ନମତ ରଖୁଥିବା ସାମ୍ବାଦିକ, ବିଚାରପତି, ପ୍ରଶାସକ, ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ବ୍ୟକ୍ତବିଶେଷଙ୍କ ଗୁଇନ୍ଦାଗିରି କରିବା ସକାଶେ ଇସ୍ରାଏଲୀର ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ଏନଏସଓ ଦ୍ୱାରା ବିକଶିତ ଗୁଇନ୍ଦା ସ୍ପାଏୱେର୍ ‘ପେଗାସସ୍’ କ୍ରୟ କରିଥିବା ଓ ତାହାର ବ୍ୟବହାର କରିଥିବା ନେଇ ୨୦୨୧ ଜୁଲାଇରେ ବଧ ଧରଣର ଅଭିଯୋଗ ହୋଇଥିଲା । ଏକ ବିଶ୍ୱସ୍ତରୀୟ ମିଡ଼ିଆ କନସୋରଟିୟମ୍ ହସ୍ତଗତ ହୋଇଥିବା ଏସଂପର୍କିତ ତଥ୍ୟ ସବୁକୁ ଅନୁଧ୍ୟାନ କରି ଏହି ନିଷ୍କର୍ଷରେ ପହଂଚି ଥିବା ‘ଦି ୱାୟାର’ ନାମକ ଏକ ୱେବ ମିଡ଼ିଆରେ ପ୍ରକାଶ ପାଇବା ପରେ ତାହା ଦେଶବ୍ୟାପୀ ଚହଳ ପକାଇ ଥିଲା । ୨୦୨୧ ଜୁଲାଇ ୧୭ରେ ଏହି ରିପୋର୍ଟ ପ୍ରକାଶିତ ହେବା ପରେ ବିରୋଧୀ ଦଳମାନେ ସଂସଦ ଭିତରେ ଓ ବାହାରେ ବିରୋଧ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ନିକଟରୁ ସ୍ପଷ୍ଟିକରଣ ଦାବି କରିଥିଲେ । ତେବେ, ପ୍ରକାଶିତ ରିପୋର୍ଟରେ କୌଣସି ସତ୍ୟତା ନାହିଁ ବୋଲି କେନ୍ଦ୍ର ସରକାର ସଫେଇ ରଖି ନିଜ ଦେହ ଝାଡି ଦେବାର ଉଦ୍ୟମ କରିଥିଲେ ।
ନିଜେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୧ ଜୁଲାଇ ୧୮ ତାରିଖ ଦିନ ସଂସଦର ଉଭୟ ଗୃହରେ ବିବୃତି ରଖି କେନ୍ଦ୍ର ସରକାର ଏଭଳି କୌଣସି ଗୁଇନ୍ଦା ସ୍ପାଏୱେର କିଣି ନାହାନ୍ତି କିମ୍ବା ବ୍ୟବହାର କରି ନାହାନ୍ତି ବୋଲି ସଫେଇ ଦେବା ସତ୍ତ୍ୱେ ମାମଲା ଥଣ୍ଡା ପଡି ନଥିଲା । ବିରୋଧୀ ଦଳ ସାଂସଦମାନେ ମିଳିତ ଭାବେ ସଂସଦ ଅଚଳ କରିବା ସହ ସରକାରଙ୍କୁ ଘେରିବାରୁ ସରକାର ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସଂସଦ ଅଧିବେଶନ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ‘ପେଗାସସ୍’ ମାମଲା ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି । ଏକ ବିଶେଷଜ୍ଞ କମିଟି ଗଠନ ମାଧ୍ୟମରେ ସୁପ୍ରିମ କୋର୍ଟ କଥିତ ଗୁଇନ୍ଦାଗିରି ଅଭିଯୋଗର ତଦନ୍ତ କରାଉଛନ୍ତି ।
ଇସ୍ରାଏଲୀ ସଂସ୍ଥା ଏନଏସଓ କେବଳ ସରକାର ଓ ସରକାରୀ ସ୍ୱୀକୃତ ସଂସ୍ଥାଙ୍କୁ ଏହି ଗୁଇନ୍ଦା ସ୍ପାଏୱେର୍ ବିକ୍ରି କରୁଥିବା ପୂର୍ବରୁ କହିଛି । ଭାରତ ସରକାର ନିଜେ ତାହା କିଣି ନଥିବା ବା ବ୍ୟବହାର କରି ନଥିବା କହୁଥିବାରୁ କେଉଁମାନେ ଏହି ସ୍ପାଏୱେର କିଣି ଦେଶବାସୀଙ୍କ ଗୁଇନ୍ଦାଗିରି କରୁଥିଲେ ତାହା ସରକାର ତଦନ୍ତ କରାନ୍ତୁ ବୋଲି ବିରୋଧୀଙ୍କ ଦାବି ରହିଛି । ‘ପେଗାସସ୍’ ହେଉଛି ଏଭଳି ଏକ ମାରାତ୍ମକ ଗୁଇନ୍ଦା ସ୍ପାଏୱେର ଯାହାକୁ ବ୍ୟବହାର କରି ଭିନ୍ନମତବାଦୀ ବା ବିରୋଧୀଙ୍କ ମୋବାଇଲ ହ୍ୟାକ୍ କରାଯିବା ସହ ସେମାନଙ୍କ ବ୍ୟକ୍ତିଗତ ବାର୍ତ୍ତାଳାପ ଓ କାର୍ଯ୍ୟ ଉପରେ ବେଆଇନ ଭାବେ ନଜର ରଖାଯାଇ ପାରିବ । ସେମାନଙ୍କ ‘ହ୍ୱାଟସ୍ ଆପ୍’ ଚାଟ୍, ମୋଇବାଲ ଫୋନ୍ ମାଇକ୍ରୋଫୋନ୍ ଏବଂ କ୍ୟାମେରା ଗୁଇନ୍ଦା ସ୍ପାଏୱେର୍ ଦ୍ୱାରା ନିୟନ୍ତ୍ରିତ ହୋଇପାରିବ ।
ଏହି କଥିତ ଗୁଇନ୍ଦାଗିରିର ଶିକାର ହୋଇଥିବା କିଛି ମୋବାଇଲ ଫୋନର ଫେରେନ୍ସିକ ଯାଂଚରୁ ସେମାନଙ୍କ ମୋବାଇଲରେ ଏହି ସ୍ପାଏୱେରର ଉପସ୍ଥିତି ମିଳିଥିବା ଜଣାପଡିଛି । କେନ୍ଦ୍ର ସରକାର ‘ପେଗାସସ୍’ ସ୍ପାଏୱେର୍ ନିଜେ କିଣି ନାହାନ୍ତି କିମ୍ବା ବିରୋଧୀଙ୍କ ଉଦେ୍ଦଶ୍ୟରେ ବ୍ୟବହାର କରି ନାହାନ୍ତି ବୋଲି ଦାବି କରୁଥିବା ବେଳେ ସୁପ୍ରିମ କାର୍ଟରେ ଦାଖଲ ସତ୍ୟପାଠରେ ସରକାର ଏସଂପର୍କରେ ନିରବ ଥିବା କୁହାଯାଉଛି । କୋର୍ଟଙ୍କ ଦ୍ୱାରା ନିୟୋଜିତ ବିଶେଷଜ୍ଞ କମିଟି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ସରକାରଙ୍କ ଅଡୁଆ ବଢାଇଛି । ‘ପେଗାସସ୍’ ସ୍ପାଏୱେର ମାଧ୍ୟମରେ ଦେଶର ବିରୋଧୀ ରାଜନେତା, ସାମ୍ବାଦିକ, ସାମାଜିକ କାର୍ଯ୍ୟକର୍ତ୍ତା, ବିଚାରପତି, ଆଇନଜୀବୀ, ବିଭିନ୍ନ ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଗୁଇନ୍ଦାଗିରି କରାଯିବା ହେଉଛି ମୋଦୀ ସରକାରଙ୍କ ଏକ ଦେଶ ବିରୋଧୀ ଷଡଯନ୍ତ୍ର ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ‘ଟ୍ୱିଟ୍’ କରିବା ପରେ ଦଳର ଅନ୍ୟ ବରିଷ୍ଠ ନେତା ତାଙ୍କ ସହ ସ୍ୱର ମିଳାଇଛନ୍ତି ।
କଂଗ୍ରେସ ନେତା ରଣଦୀପ ସିଂହ ସୁରଜୱଲା ମଧ୍ୟ ଗଣମାଧ୍ୟମ ନିକଟରେ ସରକାରଙ୍କ ବିରୋଧରେ ସମାନ ଅଭିଯୋଗ କରିଛନ୍ତି । ଦେଶରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚାହୁଁଥିବା ବିଶୃଙ୍ଖଳ ଲୋକମାନେ ସରକାରଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଯାହା କହୁଥିଲେ ଏକ ସ୍ୱାଧୀନ ମିଡ଼ିଆ ତଦନ୍ତ ତାହାକୁ ଭୁଲ ପ୍ରମାଣିତ କରିଛି ଏବଂ କଂଗ୍ରେସ ଯେଉଁ ଅଭିଯୋଗ କରି ଆସୁଥିଲା ତାହା ସତ୍ୟ ସାବ୍ୟସ୍ତ ହୋଇଛି ବୋଲି ସୁରଜୱାଲ ଆଜି କହିଛନ୍ତି । ମୋଦୀ ସରକାର କାହିଁକି ଦେଶବାସୀଙ୍କ ବିରୋଧରେ ଏଭଳି ଗୁଇନ୍ଦା ସ୍ପାଏୱେର ବ୍ୟବହାର କରି ଦେଶର ଶତୃ ଭଳି କାର୍ଯ୍ୟ କରିଛନ୍ତି (?) ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ‘ଟ୍ୱିଟ’୍ କରି ପ୍ରଶ୍ନ ଉଠାଇଛନ୍ତି ।
ଫେବୃୟାରୀ-ମାର୍ଚ୍ଚରେ ପଂଜାବ, ୟୁପି ସମେତ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲି ଥିବା ବେଳେ ‘ପେଗାସସ୍’ ମାମଲା ପୁନର୍ବାର ବିରୋଧୀଙ୍କ ପ୍ରଚାରର ମୁଖ୍ୟ ପ୍ରସଙ୍ଗ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଧର୍ମ, ଜାତି ଓ ସଂପ୍ରଦାୟକୁ ପ୍ରସଙ୍ଗ କରି ପ୍ରଚାର ଜମି ଆସୁଥିବା ବେଳେ ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ କଂଗ୍ରେସ ପାଇଁ ‘ଯାଦୁର ଛଡି’ ହେବାକୁ ଯାଉଛି । ସମାଜସେବା କ୍ଷେତ୍ରରେ ନିରବଛିନ୍ନ ଅବଦାନ ପାଇଁ ବିଦ୍ରୋହୀ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ଚଳିତ ବର୍ଷର ‘ପଦ୍ମ ଭୂଷଣ’ ପୁରସ୍କାର ଦେବାକୁ କେନ୍ଦ୍ର ସରକାର ମଂଗଳବାର ଦିନ ଘୋଷଣା କରି କଂଗ୍ରେସ ନେତୃତ୍ୱକୁ ଅକଳରେ ପକାଇ ଥିଲେ । ‘ନ୍ୟୁୟର୍କ ଟାଇମ୍ସ’ ରିପୋର୍ଟ ଆଜି ମୋଦୀ ସରକାରଙ୍କୁ ଅକଳରେ ପକାଇବା ସହ କଂଗ୍ରେସରେ ନୂତନ ଶକ୍ତି ସଂଚାର କରିଛି ବୋଲି ରାହୁଲଙ୍କ ‘ଟ୍ୱିଟ୍’ ପରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS