ପଂଚମ ମାମଲାରେ ଆଉ ପାଂଚ ବର୍ଷ…
ପ୍ରସାଦ ରାଓ
ଫେବୃୟାରୀ ୨୧
ଅବିଭକ୍ତ ବିହାରରେ ନବେ ଦଶକରେ ହୋଇଥିବା ବହୁ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ପଂଚମ ଥର ପାଇଁ ଦଣ୍ଡାଦେଶ ମିଳିଛି । ରାଂଚିର ସିବିଆଇ ଅଦାଲତ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୬୦ ଲକ୍ଷ ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି । ଲାଲୁଙ୍କ ବିରୋଧରେ ଛଅଟି ମାମଲା ଥିବା ବେଳେ ଏଯାବତ ୫ଟିର ଶୁଣାଣୀ ସରିଛି ଏବଂ ପାଂଚଟି ଯାକ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଛନ୍ତି । ପଂଚମ ମାମଲା ଥିଲା ରାଂଚିର ଦୁରାନ୍ଦ ସରକାରୀ ଟ୍ରେଜେରୀରୁ ଅବୈଧ ଉପାୟରେ ୧୩୯.୩୫ କୋଟି ଟଙ୍କା ଉଠାଇ ହଡପ କରାଯିବା । ରାଂଚି ସ୍ୱତନ୍ତ୍ର ସିବିଆଇ ଅଦାଲତ ଫେବୃୟାରୀ ୧୫ ତାରିଖ ଦିନ ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଣୀ ସ୍ଥଗିତ ରଖି ଥିଲେ । ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି । ପୂର୍ବରୁ ଚାରା ଘୋଟାଲା ସଂପର୍କିତ ଅନ୍ୟ ଚାରିଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଲାଲୁ ନବେ ଦଶକରେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳରେ ଅବିଭକ୍ତ ବିହାରର ବିଭିନ୍ନ ସରକାରୀ ଟ୍ରେଜେରୀରୁ ପଶୁ ପାଳନ ବିଭାଗ ମିଥ୍ୟା ବିଲ୍, ଭାଉଚର ଦେଇ ପାଖାପାଖି ୯୫୦ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ରହିଛି । ପାଟନା ହାଇକୋର୍ଟଙ୍କ ର୍ନିର୍ଦେଶକ୍ରମେ ଏହି ଗୋଖାଦ୍ୟ ଦୁର୍ନୀତିର ତଦନ୍ତ କରିଭାର ନେଇ ଥିଲା ସିବିଆଇ । ଲାଲୁଙ୍କ ସମେତ ୧୭୦ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ଚାଇଁବାସା ଟ୍ରେଜେରୀରୁ ଅବୈଧ ଭାବେ ୩୭.୭ କୋଟି ଟଙ୍କା ଉଠାଣ ମାମଲାରେ ପ୍ରଥମେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ପାଇଥିଲେ । ଏହାପରେ, ଚାଇଁବାସା ଟ୍ରେଜେରୀରୁ ୩୩.୬୭ କୋଟି ଟଙ୍କା ହଡପର ଅନ୍ୟ ଏକ ମାମଲାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଦେବଘର ସରକାରୀ ଟ୍ରେଜେରୀରୁ ୮୪.୫୩ କୋଟି ଟଙ୍କା ଅବୈଧ ଉଠାଣ ମାମଲାରେ ତାଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ । ପରେ, ଦୁମକା ଟ୍ରେଜେରୀରୁ ଅବୈଧ ଉପାୟରେ ୩.୧୩ କୋଟି ଟଙ୍କା ଉଠାଣ ମାମଲାରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ହୋଇଥିଲା । ଆଜି ପଂଚମ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଓ ୫ ବର୍ଷ ଜେଲଦଣ୍ଡ ସହ ୬୦ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।
ସିବିଆଇ ସ୍ୱତନ୍ତ୍ର ବିଚାରପତି ସି.କେ.ଶଶୀ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ରାଂଚିର ଦୁରାନ୍ଦ ସରକାରୀ ଟ୍ରେଜେରୀରୁ ଅବୈଧ ଭାବେ ୧୩୯.୩୫ କୋଟି ଟଙ୍କା ଉଠାଣ ଓ ହଡପ ଅଭିଯୋଗରେ ୧୯୯୬ରେ ଦୁରାନ୍ଦ ଥାନରେ ଏତଲା ହୋଇଥିଲା । ସିବିଆଇ ତାହାର ତଦନ୍ତ କରି ଆଇପିସିର ୪୦୯, ୪୬୭, ୪୬୮, ୪୭୧, ୧୨୦ବି ଦଫା ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ୧୩ (୨) ଧାରାରେ ଅଭିଯୋଗପତ୍ର ଦାଖଲ କରିଥିଲା । ଫେବୃୟାରୀ ୧୫ରେ ସିବିଆଇ ସ୍ୱତନ୍ତ୍ର ଅଦାଲତ ଲାଲୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ ଲାଲୁ ରାଂଚିର ଆରଆଇଏମଏସରେ ଚିକିତ୍ସାଧୀନ ଥାଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ପ୍ରୋସିଡିଂରେ ଭାଗ ନେଇ ଥିଲେ । ମିଳିଥିବା ସୂଚନା ଅନୁଯାୟୀ, ୧୯୯୦ରୁ ୧୯୯୬ ମଧ୍ୟରେ ବିହାରର ଏହି ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ହୋଇଛି । ଗୋଖାଦ୍ୟ ଦୁର୍ନୀତି ସଂପର୍କିତ ସିଏଜି ବାରମ୍ବାର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିରବ ରହି ଥିଲେ ବୋଲି ସିବିଆଇ ଅଦାଲତରେ ଅଭିଯୋଗ କରିଛି । ଏସଂପର୍କିତ ସମସ୍ତ କାଗଜପତ୍ର ମଧ୍ୟ ଅଦାଲତରେ ଦାଖଲ ହୋଇଛି ।
ଗୋଖାଦ୍ୟ ଦୁର୍ନୀତି ସମୟରେ ଲାଲୁ କେବଳ ବିହାର ମୁଖ୍ୟମନ୍ତ୍ରୀ ନଥିଲେ, ରାଜ୍ୟର ଅର୍ଥ ମନ୍ତ୍ରୀ ମଧ୍ୟ ଥିଲେ । ତେଣୁ, ତାଙ୍କ ଅଜାଣତରେ ଏତେବଡ଼ ଜାଲିଆତି ସଂଗଠିତ ହେବା ଏବଂ ଜାଲ ବିଲ୍, ଭାଉଚର ଉପସ୍ଥାପନ ହୋଇ ସରକାରୀ ଟେଜେରୀରୁ କୋଟି କୋଟି ଟଙ୍କା ହଡପ ହୋଇଥିବା ତାଙ୍କ ସହମତି ବିନା ସମ୍ଭବ ନଥିଲା ବୋଲି ସିବିଆଇ ଦର୍ଶାଇବା ସହ ଲାଲୁଙ୍କୁ ଏହି ମାମଲାରେ ଅଭିଯୁକ୍ତ କରିଛି । ପୂର୍ବରୁ ଚାଇଁବାସାର ଦୁଇଟି ମାମଲା ସହ ଦୁମକା ଓ ଦେଓଗଡ଼ ଟ୍ରେଜେରୀରୁ ଅର୍ଥ ହଡପର ଗୋଟିଏ ଲେଖାଏଁ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁରାନ୍ଦ ଟ୍ରେଜେରୀରୁ ଅର୍ଥ ହଡପ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜି ଦଣ୍ଡାଦେଶ ପାଇଛନ୍ତି । ଦୁରାନ୍ଦ ମାମଲାରେ ସିବିଆଇ ଚାର୍ଜସିଟ୍ରେ ୯୯ ଜଣ ଅଭିଯୁକ୍ତ ଥିବା ବେଳେ ୨୪ ଜଣଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି ଓ ୪୬ ଅଭିଯୁକ୍ତଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ହୋଇଛି ।
ଝାଡଖଣ୍ଡର ଦୁମକା, ଦେଓଗଡ଼ ଓ ଚାଇଁବାସା ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ଲାଲୁ ଇତିମଧ୍ୟରେ ଅଧା ସଜା ସମୟ କାଟି ସାରି ଥିବାରୁ ଜାମିନରେ ଆସି ଥିଲେ । ଫେବୃୟାରୀ ୧୫ରେ ପଂଚମ ମାମଲାରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସ୍ୱତଃ ତାଙ୍କ ଜାମିନ ନାକଚ ହୋଇଛି । ତେବେ, ୭୩ ବର୍ଷ ବୟସ୍କ ଲାଲୁ ଗୁରୁତର ଅସୁସ୍ଥ ଥିବାରୁ ଅଦାଲତଙ୍କ ଆଦେଶକ୍ରମେ ଆରଆଇଏମଏସରେ ଚିକିତ୍ସିତ ହେଉଛନ୍ତି । ଲାଲୁ ପୂର୍ବ ଚାରିଟି ଦଣ୍ଡାଦେଶ ବିରୋଧରେ ଉପର ଅଦାଲତରେ ଆବେଦନ କରିଥିବା ବେଳେ ଆଜିର ଦଣ୍ଡାଦେଶ ବିରୋଧରେ ମଧ୍ୟ ଉପର ଅଦାଲତରେ ଆବେଦନ କରାଯିବ ବୋଲି ଲାଲୁଙ୍କ ଓକିଲ କହିଛନ୍ତି । ଲାଲୁଙ୍କ ବିରୋଧରେ ଏବେ ଷଷ୍ଠ ମାମଲା ବିଚାରାଧିନ ରହିଛି । ତାଙ୍କ ବିରୋଧରେ ବିହାରର ବାଂକା ଟ୍ରେଜେରୀରୁ ଅବୈଧ ଅର୍ଥ ଉଠାଣ ଅଭିଯୋଗ ରହିଛି ।
୧୯୯୫ ଡ଼ିସେମ୍ବରରେ ଭି.ଏସ.ଦୁବେ ବିହାରରେ ଅର୍ଥ ବିଭାଗ କମିସନର ଥିବା ସମୟରେ ବିଭିନ୍ନ ସରକାରୀ ବିଭାଗର ଖର୍ଚ୍ଚକୁ ଅନୁଧ୍ୟାନ କଲା ବେଳେ ରାଜ୍ୟ ସରକାରଙ୍କ ପଶୁ ପାଳନ ବିଭାଗରେ ହୋଇଥିବା ଘୋଟାଲାର ସୁରାକ ପାଇଥିଲେ । ସରକାରଙ୍କ ଦ୍ୱାରା ମଂଜୁରୀ ଅର୍ଥଠାରୁ ବହୁ ଗୁଣ ଅଧିକ ଅର୍ଥ ବିଭିନ୍ନ ଟ୍ରେଜେରୀରୁ ଉଠା ଯାଇଥିବା ଦେଖି ସେ ତାହାର ଖୋଳତାଡ କରିଥିଲେ । ଖୋଳତାଡ ବେଳେ କିଛି ବର୍ଷ ଧରି ଏଭଳି ଚାଲିଥିବା ସେ ଜାଣିବାକୁ ପାଇଥିଲେ । ୧୯୯୩ରୁ ୧୯୯୬ ମଧ୍ୟରେ ଘୁଷୁରି, କୁକୁଡା, ଛେଳି, ମେଂଢା ପ୍ରଭୃତି କିଣିବା ପାଇଁ ସରକାର ବିଭାଗକୁ ୧୦.୫ କୋଟି ଟଙ୍କା ମଂଜୁର କରିଥିବା ବେଳେ ବିଭାଗ ରାଜ୍ୟର ବିଭିନ୍ନ ଟ୍ରେଜେରୀରୁ ୨୫୫.୩୩ କୋଟି ଟଙ୍କା ଉଠାଇ ଥିଲା । ଅନ୍ୟାନ୍ୟ ବାବଦରେ ମଧ୍ୟ ମାତ୍ରାଧିକ ଅର୍ଥ ଉଠାଣ ହୋଇଥିବା ଏବଂ ତାହାର ପରିମାଣ ୪୦୯.୬୨ କୋଟି ଟଙ୍କା ଥିବା ସେ ଜାଣିବାକୁ ପାଇଥିଲେ । ଝାରଖଣ୍ଡର ରାଂଚି, ଚାଇଁବାସା, ଡୁମକା, ଗୁମଲା ଓ ଜାମସେଦପୁର ଜିଲ୍ଲା ଟ୍ରେଜେରୀ ସମେତ ବିହାର ବାଂକା ଟ୍ରେଜେରୀରୁ ଦୁର୍ନୀତି ଉପାୟରେ ଏହି ଅର୍ଥ ଉଠାଣ ହୋଇଥିଲା ।
ଗୋଖାଦ୍ୟ ଦୁର୍ନୀତି ପରିମାଣ ପ୍ରାୟ ୯୫୦ କୋଟି ଆକଳନ ହେବା ପରେ ୧୯୯୬ ଜାନୁୟାରୀରେ ପ୍ରଥମେ ଚାଇଁବାସା ଡ଼େପୁଟୀ କମିସନର ଅମିତ ଖେରଙ୍କ ଉପରେ ଚଢାଉ ହୋଇଥିଲା । ଏହାର ଦୁଇ ମାସ ପରେ ପାଟନା ହାଇକୋର୍ଟ ଗୋଖାଦ୍ୟ ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ସିବିଆଇ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ସ୍ୱତନ୍ତ୍ର ଅଦାଲତରେ ମାମଲାର ବିଚାରଣା ଚାଲି ଥିଲା । ୧୧ ବର୍ଷ ବିଚାରଣା ପରେ ୨୦୧୩ ସେପ୍ଟେମ୍ବରରେ ଚାଇଁବାସା ଟ୍ରେଜେରୀରୁ ଅବୈଧ ଅର୍ଥ ଉଠାଣ ମାମଲାରେ ଅଦାଲତ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରଥମ ଦଣ୍ଡାଦେଶ ଶୁଣାଇ ଥିଲେ । ୩୭.୭ କୋଟି ଟଙ୍କା ହଡପ ମାମଲାରେ ତାଙ୍କୁ ୫ ବର୍ଷ ଜେଲ ହୋଇଥିଲା ଏବଂ ୩ ବର୍ଷରୁ ଅଧିକ ଜେଲ ଦଣ୍ଡ ହୋଇଥିବାରୁ ସେ ଲୋକସଭା ସଦସ୍ୟ ପଦ ହରାଇ ଥିଲେ । ସେହିଭଳି, ଦେଓଘର ଟ୍ରେଜେରୀରୁ ଅବୈଧ ଭାବେ ୮୯ ଲକ୍ଷ ଟଙ୍କା ଉଠାଣ ମାମଲାରେ ତାଙ୍କୁ ୨୦୧୭ ଡ଼ିସେମ୍ବରରେ ସାଢେ ତିନି ବର୍ଷ ଜେଲ ହୋଇଥିଲା । ଚାଇଁବାସା ଟ୍ରେଜେରୀରୁ ୩୩.୭ କୋଟି ଟଙ୍କାର ଅବୈଧ ଉଠାଣ ନେଇ ଆଉ ଏକ ମାମଲାରେ ମଧ୍ୟ ଲାଲୁ ୨୦୧୮ ଜାନୁୟାରୀରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ, ଝାଡ଼ଖଣ୍ଡ ଡ଼ୁମକା ଟ୍ରେଜେରୀରୁ ୩.୧୩ କୋଟି ଟଙ୍କା ଅବୈଧ ଉଠାଣ ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଓ ୬୦ ଲକ୍ଷ ଜରିମାନା ହୋଇଥିଲା । ଆଜି ପଂଚମ ମାମଲାରେ (ଦୁରାନ୍ଦ ଟ୍ରେଜେରୀରୁ ୧୩୯.୩୫ କୋଟି ଅବୈଧ ଉଠାଣ) ୫ ବର୍ଷ ଜେଲ ଓ ୬୦ ଲକ୍ଷ ଜରିମାନା ଆଦେଶ ହୋଇଛି ।
୧୯୯୬ରେ ଦୁରାନ୍ଦ ମାମଲାରେ ୧୦ ଜଣ ମହିଳା, ୪ ଜଣ ରାଜନେତା, ଦୁଇ ଜଣ ବରିଷ୍ଠ ଅଧିକାରୀ, ୩୧ ଜଣ ପଶୁୁ ପାଳନ ବିଭାଗ ଅଧିକାରୀ ଏବଂ ଅଡିଟ ବିଭାଗର ୬ ଜଣଙ୍କୁ ସିବିଆଇ ଅଭିଯୁକ୍ତ ଦର୍ଶାଇ ଥିଲେ । ଲାଲୁ ୨୦୧୭ ଡ଼ିସେମ୍ବରରୁ ଜେଲରେ ଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ସଜା କାଟିବାର ଅଧିକାଂଶ ସମୟ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସରେ ବିତାଇଛନ୍ତି । ଗତ ବର୍ଷ ଜାନୁୟାରୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ଜାମିନ ପାଇ ଦିଲ୍ଲୀରେ ଥିଲେ । ଲାଲୁଙ୍କ ଦିଲ୍ଲୀ ରହିଣିକୁ ନେଇ ଦୁଇ ପୁତ୍ରଙ୍କ ମଧ୍ୟରେ ବିବାଦ ହେବାରୁ ଲାଲୁ ବିହାର ଫେରି ରାଜନୀତିରେ ସକ୍ରିୟ ହେଉଥିବା ବେଳେ ପଂଚମ ମାମଲା ରାୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS