ଚବିଶି ପାଇଁ ସଜବାଜ ! ମୁମ୍ବାଇରେ ମଧ୍ୟାହ୍ନ ଭୋଜନରେ ଠାକରେଙ୍କୁ ଭେଟିଲେ କେସିଆର
ପ୍ରସାଦ ରାଓ
ଫେବୃୟାରୀ ୨୦
୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବିରୋଧୀ ମେଂଟ ଗଠନ ସଜବାଜ ଆରମ୍ଭ ହୋଇଯାଇଛି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଣ-କଂଗ୍ରେସ ଓ ଅଣ-ବିଜେପି ମୁଖମନ୍ତ୍ରୀଙ୍କୁ ସଂଗଠିତ କରିବାର ମୁଖ୍ୟ ପୁରୋଧା ଥିବା ସମୟରେ ତେଲୋଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀ ମେଂଟରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରିବା ପାଇଁ ବିଭିନ୍ନ ରାଜ୍ୟ ଗସ୍ତ ଆରମ୍ଭ କରିଛନ୍ତି । ରାଓ ଆଜି ମୁମ୍ବାଇ ଯାଇଛନ୍ତି । ସେଠାରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ମଧ୍ୟାହ୍ନ ଭୋଜନରେ ମିଳିତ ହୋଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ମେଂଟ ନେଇ ଆଲୋଚନା କରିଥିବା ଜଣାପଡିଛି । କେସିଆର ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ମଧ୍ୟ ଭେଟୁଥିବା ସୂଚନା ମିଳିଛି ।
ଆଜି ମୁମ୍ବାଇର ଠାକରେଙ୍କ ସହ କେସିଆରଙ୍କ ମଧ୍ୟାହ୍ନ ଭୋଜନ ସମୟର ସ୍ଥିରଚିତ୍ର (ଫଟୋ) ଗଣମାଧ୍ୟମକୁ ଉପଲବ୍ଧ ହୋଇଛି । ମଧ୍ୟାହ୍ନ ଭୋଜନରେ ମୁଖ୍ୟମନ୍ତ୍ରୀ ଠାକରେଙ୍କ ସାନ ପୁଅ ତେଜସ୍ ଠାକରେ, ଶିବସେନା ଜାତୀୟ ମୁଖପାତ୍ର ସଂଜୟ ରାଉତ ଓ ବିଜେପିର କଟ୍ଟର ବିରୋଧୀ ଭାବେ ପରିଚିତ ଅଭିନେତା ତଥା ରାଜନେତା ପ୍ରକାଶ ରାଜ୍ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ତେଲେଂଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସହ ତାଙ୍କ ଝିଅ କେ.କବିତା (ତେଲେଂଗାନା ବିଧାନ ପରିଷଦ ସଦସ୍ୟା), ତିନି ସାଂସଦ ଜେ.ସଂତୋଷ କୁମାର, ରଣଜିତ ରେଡ୍ଡୀ ଓ ବି.ବି.ପାଟିଲ ମୁମ୍ବାଇ ଗସ୍ତରେ ଯାଇଛନ୍ତି ।
ଗତ ସପ୍ତାହରେ ଟିଆରଏସ ମୁଖ୍ୟ ରାଓ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ମେଂଟ ଗଠନ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ ସହ ଟେଲିଫୋନରେ ଆଲୋଚନା କଲା ବେଳେ ଠାକରେ କେସିଆରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଆଜି କେସିଆର ମୁମ୍ବାଇ ଯାଇ ସେହି ନିମନ୍ତ୍ରଣ ରକ୍ଷା କରିଥିବା ଟିଆରଏସ ପକ୍ଷରୁ କୁହାଯାଇଛି । କେସିଆର ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଭେଟିବା ପରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବେ ବୋଲି ଦଳ ହାଇଦ୍ରାବାଦରେ ସୂଚନା ଦେଇଛି । ତେବେ, ଆଂଚଳିକ ଦଳ ସରକାର ଥିବା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଜେପି-ବିରୋଧୀ ମେଂଟ ଗଠନ ଉଦ୍ୟମ ଆରମ୍ଭ ହୋଇଥିବାରୁ ଅନ୍ୟତମ ଜାତୀୟ ରାଜନୈତିକ ଦଳ କଂଗ୍ରେସକୁ ସେମାନେ ଗୁରୁତ୍ୱ ଦେଉନଥିବା ସ୍ପଷ୍ଟ ହୋଇଛି ।
ତେଲେଂଗାନା ମୁଖ୍ୟମନ୍ତ୍ରୀ ରାଓଙ୍କ ଆଜିର ମୁମ୍ବାଇ ଗସ୍ତ ଅବସରରେ ସହରରେ ତାଙ୍କୁ ଶାସକ ଶିବସେନା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ମିଳିଛି । ସହରର ବିଭିନ୍ନ ଅଂଚଳରେ ସ୍ୱାଗତ ପୋଷ୍ଟରମାନ ଲାଗିଛି, ଯେଉଁଥିରେ କି ତେଲେଂଗାନା ମୁଖ୍ୟମନ୍ତ୍ରୀ ରାଓଙ୍କ ସମେତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ, ଏନସିପି ମୁଖ୍ୟ ପାୱାରା ଓ ଶିବସେନା ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ଫଟୋ ରହିଛି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆଂଚଳିକ ଦଳ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କରିବାକୁ କେସିଆର ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେଥିରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।
ଠିକଣା ସମୟରେ ରାଓ ବିଭାଜନକାରୀ ଶକ୍ତିଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସ୍ୱାଗତଯୋଗ୍ୟ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଠାକରେ କହିଥିବା ଟିଆରଏସ୍ ପକ୍ଷରୁ କୁହାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଠାକରେଙ୍କ ସହ ଆଜି କେସିଆରଙ୍କ ଭେଟ ଜାତୀୟସ୍ତରରେ ବିଜେପି-ବିରୋଧୀ ମେଂଟ ଗଠନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ଶାସକ ଶିବସେନାର ମୁଖପତ୍ର ‘ସାମନା’ରେ ଲେଖା ପ୍ରକାଶ ପାଇଛି । ତେଲେଂଗାନା ମୁଖ୍ୟମନ୍ତ୍ରୀ ରାଓ ଗତ କିଛି ସପ୍ତାହ ହେଲା ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଯେଭଳି ଭାବେ ସମାଲୋଚନା କରି ଆସୁଛନ୍ତି ତାହା ତାଙ୍କ ବିଜେପି-ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତୀ ଲୋକାର୍ପଣ କରିବା ସକାଶେ ପ୍ରାରମ୍ଭରେ ହାଇଦ୍ରାବାଦରେ ଯାଇଥିବା ବେଳେ କେସିଆର ତାଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରକୁ ଯାଇ ନଥିଲେ ବା ଭେଟି ନଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଦୂରେଇ ରହିଥିଲେ ।
ନିକଟରେ ହାଇଦ୍ରାବାଦରେ ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ବିଭିନ୍ନ ରାଜ୍ୟରେ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗେଟଅପ୍ ବଦଳୁଥିବା ଏକ ରାଜନୈତିକ ପ୍ରହସନ ବୋଲି କହିଥିଲେ । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସମୟରେ ମୋଦୀ ଦାଢୀ ବଢାଇ ରବିନ୍ଦ୍ର ନାଥ ଟାଗୋରଙ୍କ ଭଳି ଦିଶିବାକୁ ଚାହିଁ ଥିବା, ସେ ତାମିଲନାଡ଼ୁ ଗଲେ ଲୁଂଗି ପିନ୍ଧୁ ଥିବା, ପଂଜାବ ନିର୍ବାଚନ ସମୟରେ ମୁଣ୍ଡରେ ପଗଡି, ମଣିପୁର ଗଲେ ମଣିପୁରୀ ଟୋପି, ଉତ୍ତରାଖଣ୍ଡ ଗଲେ ଅନ୍ୟ ଏକ ଟୋପି ପିନ୍ଧିବା ରାଜନୈତିକ ପ୍ରସହନ ନୁହେଁ, ଆଉ କଣ ବୋଲି ସେ ପ୍ରଶ୍ନ କରିଥିଲେ । ତେବେ, ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୭ ତାରିଖ ରାଓଙ୍କ ଜନ୍ମ ଦିନରେ ତାଙ୍କୁ ଫୋନରେ ଅଭିନନ୍ଦନ ଜଣାଇ ଥିଲେ ।
ଦେଶର ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ବିରୋଧୀ ମେଂଟ ଗଠନ ସପକ୍ଷରେ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଖେର ରାଓଙ୍କ ଯୁକ୍ତି ହେଉଛି, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ସଂଘୀୟ ବ୍ୟବସ୍ଥା ଏବଂ କେନ୍ଦ୍ର-ରାଜ୍ୟ ସଂପର୍କକୁ ନେଇ ସମ୍ବିଧାନରେ ଥିବା ବିଧି ବ୍ୟବସ୍ଥାକୁ ରିତିମତ ଉଲଂଘନ କରୁଛନ୍ତି । ରାଜ୍ୟମାନଙ୍କ ଅଧିକାର ଓ କ୍ଷମତା ସୁରକ୍ଷିତ ରହିବା ଦିଗରେ ଏକ ନୂତନ ସମ୍ବିଧାନର ଆବଶ୍ୟକତା ଥିବା ନେଇ ବିତର୍କ ଆବଶ୍ୟକ । ଏଦିଗରେ ଏକ ମିଳିତ ରଣନୀତି ପ୍ରସ୍ତୁତି କରିବା ଠାକରେ-କେସିଆରଙ୍କ ମଧ୍ୟରେ ଆଜି ମୁମ୍ବାଇରେ ହୋଇଥିବା ବୈଠକର ମୌଳିକ ଉଦ୍ଦେଶ୍ୟ ବୋଲି ଟିଆରଏସ୍ ପକ୍ଷରୁ କୁହାଯାଇଛି । କେସିଆର ମୁମ୍ବାଇ ପରେ କର୍ଣ୍ଣାଟକ ଯିବେ ଓ ବେଂଗାଲୁରୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ (ଧର୍ମନିରପେକ୍ଷ) ସଭାପତି ଏଚ.ଡ଼ି.ଦେବେଗୌଡାଙ୍କୁ ଭେଟିବେ ବୋଲି ଜଣାପଡିଛି ।
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପି ଆଡୁ ରାଜନୈତିକ ଟ୍ରୋଲ୍ ର ଶିକାର ହେବା ପରେ ମମତା ଜାତୀୟସ୍ତରରେ ବିଜେପିକୁ ତାହାର ଜବାବ ଦେବେ ବୋଲି ଘୋଷଣା କରିଥିଲେ । ନିର୍ବାଚନରେ ବିଜେପିକୁ ପରାଜିତ କରି ଲଗାତର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ତାଙ୍କ ସହାୟକ ତଥା ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମାଧ୍ୟମରେ ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସଂଗଠିତ କରିବା କାର୍ଯ୍ୟରେ ଲାଗିଛନ୍ତି । ବିଜେପି-ବିରୋଧୀ ଏକ ଜାତୀୟ ରାଜନୈତିକ ମେଂଟ ଗଠନ କରିବା ତାଙ୍କ ଉଦ୍ଦେଶ ହୋଇଥିବା ବେଳେ ତେଲେଂଗାନା ମୁଖ୍ୟମନ୍ତ୍ରୀ ରାଓ ତାହାକୁ ବାସ୍ତବ ରୂପ ଦେବାକୁ ଆଗେଇ ଆସିଛନ୍ତି । କେସିଆରଙ୍କୁ ଭେଟିବା ସକାଶେ ସେ ଶୀଘ୍ର ହାଇଦ୍ରାବାଦ ଯିବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ସୂଚନା ଦେଇଥିଲେ ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ମଧ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ଏହି ମେଂଟ ଗଠନରେ ସକ୍ରୀୟ ଭୂମିକାରେ ଥିବା ଜଣାପଡିଛି । ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ବୈଠକ ଦିଲ୍ଲୀରେ ହେବା ନେଇ ଷ୍ଟାଲିନ ନିକଟରେ ଟ୍ୱିଟ୍ କରିଥିଲେ । ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ନେତାମାନଙ୍କ ଦ୍ୱାରା ତାଙ୍କୁ ଯେଭଳି ଭାବେ ହାରାଶ କରାଗଲା ଓ ବ୍ୟକ୍ତିଗତ ଆକ୍ରମଣ ହେଲା ସେଥିରେ କ୍ଷୁବ୍ଧ ମମତା ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟସ୍ତରରେ ତାହାର ଜବାବ ଦେବେ ବୋଲି ବିଜେପିକୁ ଚ୍ୟାଲେଂଜ ଦେଇଥିବାରୁ ଏବେ ଅଣ-ବିଜେପି ଶାସିତ ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ନେଇ ମେଂଟ ଗଠନ ପ୍ରୟାସ ଚାଲିଛି ।
ସମ୍ଭାବ୍ୟ ମେଂଟରେ ସାମିଲ ହେବାକୁ ସେତେବେଳ ଓଡ଼ିଶା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ମମତା ଆହ୍ୱାନ ଦେଇଥିଲେ । ତେବେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିରବ ରହି ଥିଲେ । ଏବେ କୁହାଯାଉଛି, ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀଙ୍କ ମେଂଟରେ ସାମିଲ ହେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ କୌଣସି ନିମନ୍ତ୍ରଣ ମିଳି ନାହିଁ । ବିଧିବଦ୍ଧ ଭାବେ ନିମନ୍ତ୍ରଣ ମିଳିଲେ ମୁଖମନ୍ତ୍ରୀ ପଟ୍ଟନାୟକ ତାହା ଉପରେ ବିଚାର କରିବେ । ଓଡ଼ିଶାରେ ବିଜେପି ମୁଖ୍ୟ ବିରୋଧୀ ଦଳ ରହିଛି । ପ୍ରତ୍ୟେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିରୋଧ କରୁଛି । ତେବେ, ଜାତୀୟ ରାଜନୀତିରେ ବିଜେଡ଼ି-ବିଜେପି ସଂପର୍କ ମଧୁର ଥିବାରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀମାନଙ୍କ ମେଂଟରେ ସାମିଲ ହେବା ସମ୍ଭାବନା କ୍ଷୀଣ । ତେଣୁ, କେସିଆର ଓ ମମତା ପଡୋଶୀ ରାଜ୍ୟ ଓଡ଼ିଶାକୁ ଛାଡି ମହାରାଷ୍ଟ୍ରରୁ ସେମାନଙ୍କ ମେଂଟ ଅଭିଯାନ ଆରମ୍ଭ କରିଥିବା ରାଜନୈତିକ ମହଲରେ ଆଲୋନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS