ପଂଜାବ ମତଦାନ ରବିବାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏନଆଇଏ ତଦନ୍ତ ହେବ ?
ପ୍ରସାଦ ରାଓ
ଫେବୃୟାରୀ ୧୯
୧୧୭ ଆସନ ବିଶିଷ୍ଟ ପଂଜାବ ବିଧାନସଭା ପାଇଁ କାଲି ମତଦାନ ହେବାକୁ ଯାଉଛି । ରାଜ୍ୟରେ ୨୦୧୭ରୁ କଂଗ୍ରେସ ସରକାର ରହିଛି । ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନିଙ୍କ ନେତୃତ୍ୱରେ ଦଳ ୨୦୨୨ ବିଧାନସଭା ନିର୍ବାଚନ ଲଢୁଛି । ମଇଦାନରେ ଥିବା ଅନ୍ୟ ଦଳଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । କଂଗ୍ରେସରୁ ନିର୍ଦ୍ଦୟ ଭାବେ ବିଦା ହେବା ପରେ ସେ ‘ପଂଜାବ ଲୋକ କଂଗ୍ରେସ’ ନାମକ ରାଜନୈତିକ ଦଳ ଗଠନ କରି ବିଜେପି ଓ ସୁଖଦେବ ସିଂହ ଧିଣ୍ଡସାଙ୍କ ଅକାଳୀ ଗୋଷ୍ଠୀ ସହ ମେଂଟରେ ରାଜ୍ୟ ବିଧାନସଭା ନିର୍ବାଚନ ଲଢୁ ଥିବା ବେଳେ ଶିରୋମଣୀ ଅକାଳୀ ଦଳ (ସାଦ୍) ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ସହ ମେଂଟରେ ନିର୍ବାଚନ ମଇଦାନରେ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ତାଙ୍କ ‘ଆମ୍ ଆଦମୀ ପାର୍ଟି’ ମାଧ୍ୟମରେ ଦ୍ୱତୀୟ ଥର ପାଇଁ ପଂଜାବରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ଲଢେଇ ଜାରି ରଖିଥିବା ସଂଯୁକ୍ତ କିଶାନ ମୋର୍ଚ୍ଚାର ଏକ ପ୍ରଭାବଶାଳୀ ଗୋଷ୍ଠୀ ‘ସଂଯୁକ୍ତ ସମାଜ ମୋର୍ଚ୍ଚା’ ନାମରେ ନିର୍ବାଚନ ମଇଦାନରେ ଅଛନ୍ତି ।
ମୋଟାମୋଟି ଭାବେ ୨୦୨୨ ପଂଜାବ ବିଧାନସଭା ନିର୍ବାଚନ କଂଗ୍ରେସ, ଅକାଳୀ ଦଳ, ବିଜେପି ଓ ‘ଆପ୍’ ମଧ୍ୟରେ ସୀମିତ ରହି ନାହିଁ । ଏଥର ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳମାନେ ନିର୍ବାଚନ ଲଢୁଛନ୍ତି । ବିଶେଷକରି, ଦଳିତ ଭୋଟ, ଚାଷୀଙ୍କ ସମସ୍ୟା ଓ ଜାଟ୍ ଶିଖ୍ ଭୋଟକୁ ନେଇ ଭୋଟ ହେବାକୁ ଥିବାରୁ ରାଜ୍ୟର ଭୋଟର କେଉଁ ଗୋଟିଏ ଦଳ ମୁଣ୍ଡରେ ସୁନା କଳସ ଢାଲିବେ କି ଏଥର ବହୁ ଦଳୀୟ ମେଂଟ ସରକାର ହେବ, ତାହା ହଠାତ ଆକଳନ କରି ହେଉ ନାହିଁ । ତେବେ, ରାଜ୍ୟର ୨.୭୭ କୋଟି ଜନସଂଖ୍ୟାର ଏକ ବୃହତ୍ତ ଭାଗ ଦଳିତ ଓ ଜାଟ୍ ସଂପ୍ରଦାୟ ହୋଇଥିବାରୁ ସେମାନଙ୍କ ଭୂମିକା ନିର୍ଣ୍ଣାୟକ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ମୋଟ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ଦଳିତ ଜାତିର । ଜାତୀୟସ୍ତରରେ ସେମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୬.୬ ପ୍ରତିଶତ ଥିବା ବେଳେ ପଂଜାବରେ ପାଖାପାଖି ଦୁଇ ଗୁଣ ।
ଦଳିତଙ୍କ ପଛକୁ ଅଛନ୍ତି ଶିଖ ଜାଟ୍ ସଂପ୍ରଦାୟ । ପଂଜାବର ଜନସଂଖ୍ୟାର ୨୦ ପ୍ରତିଶତ ହେଉଛନ୍ତି ଏହି ସଂପ୍ରଦାୟର । ସେମାନଙ୍କ ହାତରେ ଜମି ମାଲିକାନା ରହିଛି ଏବଂ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଜାଟ୍ ଶିଖଙ୍କ ପ୍ରତିପତ୍ତି ମଧ୍ୟ ରହି ଆସିଛି । ତେଣୁ, ସବୁ ରାଜନୈତିକ ଦଳ ଦଳିତ ଓ ଜାଟ୍ ଭୋଟରଙ୍କୁ ସନ୍ତୁଷ୍ଟ କରି ଭୋଟ ହାତେଇବା ପ୍ରତିଦ୍ୱନ୍ଦ୍ୱିତାରେ ରହିଛନ୍ତି । କଂଗ୍ରେସ ଦଳ ବିଧାନସଭା ନିର୍ବାଚନର ଅଳ୍ପ କିଛି ମାସ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରି କ୍ୟାପଟେନ ଅମରିନ୍ଦର ସିଂହଙ୍କ ସ୍ଥାନରେ ଦଳିତ ବିଧାୟକ ଚରନଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା ମାଧ୍ୟମରେ ଦଳିତଙ୍କ ପ୍ରତି ଥିବା ସଂବେଦନାର ସିଗ୍ନାଲ ଦେଇଛି ।
ଚଳିତ ନିର୍ବାଚନରେ ପଂଜାବରେ କଂଗ୍ରେସର ‘ମୁଖ୍ୟମନ୍ତ୍ରୀ ଚେହେରା’ କିଏ ହେବ, ତାହାକୁ ନେଇ ଗଲା କିଛି ମାସ ହେଲା ବାଦ ବିବାଦ ଚାଲିଥିଲା । ପଂଜାବ ପ୍ରଦେଶ କଂଗ୍ରେସ ମୁଖ୍ୟ ନଭଜୋତ ସିଂହ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚେହେରା ହେବାକୁ ଚାହୁଁ ଥିବା ବେଳେ ଚନ୍ନି ତାଙ୍କ ନେତୃତ୍ୱରେ କଂଗ୍ରେସ ବିଧାନସଭା ନିର୍ବାଚନ ଲଢିବା ଚାହୁଁ ଥିଲେ । ତେବେ, କଂଗ୍ରେସ ନେତୃତ୍ୱ ଟେଲି ଭୋଟିଂ ଆଳରେ ତାଳିପକା ପଦକ୍ଷେପ ନେଇଛି । ରାଜ୍ୟବାସୀ ଓ କଂଗ୍ରେସ କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢିବା ଚାହୁଁ ଥିବାରୁ ମୁଖ୍ୟମନ୍ତ୍ରୀ ଚନ୍ନି ହିଁ ଦଳର ‘ମୁଖ୍ୟମନ୍ତ୍ରୀ ଚେହେରା’ ରହିବେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘୋଷଣା କରିବା ପରେ ବିବାଦ ସାମୟିକ ଭାବେ ବିରାମ ନେଇ ଥିଲେ ମଧ୍ୟ ଚନ୍ନି ଓ ସିଦ୍ଧୁ ଗୋଷ୍ଠୀ ମଧ୍ୟରେ ଛାୟାଯୁଦ୍ଧ ଜାରି ରହିଛି ।
ତେବେ, କଂଗ୍ରେସ ନେତୃତ୍ୱର ଏଭଳି ନିର୍ଣ୍ଣୟ ନେବାର କାରଣ ହେଉଛି ରାଜ୍ୟରେ ଥିବା ସଂଖ୍ୟାଲଘୁ ଜାତି ଭୋଟକୁ ନିଜ ସପକ୍ଷରେ ନେବା । ରାଜ୍ୟର ୩୯ଟି ଜାତିକୁ ସଂଖ୍ୟାଲଘୁ ଜାତି ମାନ୍ୟତା ମିଳିଥିବା ବେଳେ ୨୩ଟି ଜିଲ୍ଲାରୁ ୧୮ଟି ଜିଲ୍ଲାରେ ସେମାନଙ୍କ ସଂଖ୍ୟା ରହିଛି ୨୫ ପ୍ରତିଶତରୁ ଅଧିକ । ତାହା ଭିତରେ ଅଛନ୍ତି ମଜହବୀ, ରାମଦାସିଆ, ରବିଦାସିଆ ପ୍ରଭୃତି । ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ପଂଜାବ ବିଧାନସଭାର ୧୧୭ ଆସନରୁ ୭୭ଟିରେ ବିଜୟୀ ହୋଇ କ୍ଷମତାକୁ ଆସିଥିଲା । ୩୪ଟି ସଂରକ୍ଷିତ ଆସନରୁ ଦଳକୁ ୨୧ଟିରେ ବିଜୟ ମିଳି ଥିବା ବେଳେ ଆମ୍ ଆଦମୀ ପାର୍ଟିକୁ ୯ଟି ଓ ଶିରୋମଣୀ ଅକାଳୀ ଦଳ-ବିଜେପି ମେଂଟକୁ ୪ଟି ଆସନ ମିଳିଥିଲା । ୨୦୨୨ ନିର୍ବାଚନରେ କଂଗ୍ରେସ ଦଳର ଏକମାତ୍ର ଟ୍ରଂପ୍ କାର୍ଡ ହେଉଛି ଦଳ ଜଣେ ଦଳିତ ନେତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ଏବଂ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢୁଛି ।
୨୦୨୧ ପୂର୍ବରୁ ପଂଜାବରେ କେହି ଦଳିତ ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । କୌଣସି ରାଜନୈତିକ ଦଳ ଏଥିପ୍ରତି ଆଗ୍ରହ ପ୍ରକାଶ କରି ନାହାନ୍ତି । କଂଗ୍ରେସ ନେତୃତ୍ୱ ଦୈବାତ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରି ଚନ୍ନିଙ୍କ ଭଳି ଜଣେ ଦଳିତ ବିଧାୟକଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ବସାଇଛନ୍ତି । ସିଦ୍ଧୁଙ୍କ ଉପରେ ଲଗାମ ଲଗାଇବାକୁ କଂଗ୍ରେସ ନେତୃତ୍ୱର ଏହା କୌଶଳ ହୋଇଥିଲେ ମଧ୍ୟ ଦଳିତଙ୍କ ନିକଟରେ ବାର୍ତ୍ତା ପହଂଚିଛି ଯେ କଂଗ୍ରେସ ହେଉଛି ଏକମାତ୍ର ରାଜନୈତିକ ଦଳ ଯିଏକି ଦଳିତଙ୍କୁ ଉଚିତ ସମ୍ମାନ ଦେଇଛି । ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି ଓ ତାଙ୍କରି ନେତୃତ୍ୱରେ ୨୦୨୨ ବିଧାନସଭା ନିର୍ବାଚନ ଲଢୁଛି । ବିଜେପି, ଶିରୋମଣୀ ଅକାଳୀ ଦଳ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ଆଡ ଦଳିତ ଭୋଟରଙ୍କ ଏଭଳି ସଂକେତ ଦିଆଯାଇ ନଥିବାରୁ କଂଗ୍ରେସ ସର୍ବାଧିକ ଫାଇଦା ପାଇବା ଆଶା ରଖିଛି ।
ତେବେ, ପଂଜାବରେ କଂଗ୍ରେସର ମୁଖ୍ୟ ସମସ୍ୟା ହୋଇଛି ଦଳରେ ଅନ୍ତଦ୍ୱର୍ନ୍ଦ୍ୱ ଏବଂ ବାଲି ମାଫିଆଙ୍କୁ ମୁଖ୍ୟମନ୍ତ୍ରୀ ଚନ୍ନି ଦେଉଥିବା ପୃଷ୍ଠପୋଷକତା । ନିକଟରେ, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ପୁତୁରାଙ୍କ ଘରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀ ପକ୍ଷରୁ ଚଢାଉ କରାଯାଇ କୋଟି କୋଟି ଟଙ୍କା ଜବତ କରାଯିବା ସହ ତାଙ୍କ ଗିରଫ କରି ଜେଲକୁ ପଠାଇ ଦିଆଯାଇଛି । ବାଲି ମାଫିଆଙ୍କ ସହ ସଂପୃକ୍ତି ଏବଂ ସରକାରୀ ଅଧିକାରୀଙ୍କ ବଦଳୀ, ପୋଷ୍ଟିଂ ମାଧ୍ୟମରେ ଚନ୍ନିଙ୍କ ପୁତୁରା ଏହି ପ୍ରଭୃତ ଅର୍ଥ ଉପାର୍ଜନ କରିଥିବା କେନ୍ଦୀୟ ଏଜେନ୍ସ ଅଭିଯୋଗ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦମୀ ପାର୍ଟି’ ମୁଖ୍ୟ ପଂଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବିରୋଧରେ ‘ବାଲି ମାଫିଆ ରାଜ୍’ର ଅଭିଯୋଗ କରୁଥିଲେ । ବିଜେପି ମଧ୍ୟ ସମାନ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଚନ୍ନି ଓ ପଂଜାବ କଂଗ୍ରେସକୁ ଘେରୁଥିଲା । ତେବେ, ପଂଜାବ ନିର୍ବାଚନରେ ‘ଆପ୍’ର ପଲ୍ଲା ଭାରି ଥିବା ନିର୍ବାଚନ ପୂର୍ବ ସର୍ଭେ ସବୁ କହୁ ଥିବାରୁ ଏବଂ ‘ଆପ୍’ ମୁଖ୍ୟ କେଜରୀୱାଲ ମଧ୍ୟ ଏକା ଦାବି କରୁଥିବାରୁ ସେ ଏବେ ଉଭୟ କଂଗ୍ରେସ ଓ ବିଜେପିର ଏକକ ଶତୃ ହୋଇଛନ୍ତି ।
‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଶିଖ୍ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ସହ ସଂପର୍କରେ ଅଛନ୍ତି ଏବଂ ସେ ପଂଜାବର ମୁଖ୍ୟମନ୍ତ୍ରୀ ହେବାକୁ, ଅଥବା ରାଜ୍ୟର ବିଭାଜନ ଘଟି ସ୍ୱତନ୍ତ୍ର ଖାଲିସ୍ଥାନ ରାଷ୍ଟ୍ର ପ୍ରତିଷ୍ଠା ହେଲେ ତାହାର ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ଲାଳାୟିତ ଥିବା କେବେ କାଳେ ତାଙ୍କୁ କହିଥିଲେ ବୋଲି କେଜରୀୱାଲଙ୍କ ପୂର୍ବତନ ସହଯୋଗୀ କବି କୁମାର ବିଶ୍ୱାସ ପଂଜାବ ବିଧାନସଭା ପାଇଁ ମତଦାନ ହେବାର ଚାରି ଦିନ ପୂର୍ବରୁ ଏକ କବିତା ଭିଡ଼ିଓ ମାଧ୍ୟରେ ଅଭିଯୋଗ କରିଛନ୍ତି । ବିଶ୍ୱାସଙ୍କ ଏହି ଭିଡ଼ିଓ ବୁଧବାର ପ୍ରଦାକୁ ଆସିବା ପରେ ଦୁଇ ଶତୃ ବିଜେପି ଓ କଂଗ୍ରେସ ମିଳିତ ଭାବେ କେଜରୀୱାଲଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁମାର ବିଶ୍ୱାସଙ୍କ ଭିଡ଼ିଓ ଆଧାରରେ ପଂଜାବର ଏକ ନିର୍ବାଚନୀ ସଭାରେ ବିରୋଧୀଙ୍କୁ ବର୍ଷିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କେଜରୀୱାଲଙ୍କୁ ବିଚ୍ଛିନ୍ନତାବାଦୀ କହି ରାଜନୈତିକ ଆକ୍ରମଣ ଚଳାଇଥିବା ଦେଖିବାକୁ ମିଳିଛି । ପଂଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଆଉ ପାଦେ ଆଗକୁ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ବିରୋଧରେ ହୋିଥିବା ଅଭିଯୋଗ ଅତ୍ୟନ୍ତ ଗୁରୁତର ହୋଇଥିବାରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ରକୁ ପତ୍ର ଲେଖିଛନ୍ତି । ଗୃହ ମନ୍ତ୍ରୀ ଶାହା ମଧ୍ୟ ଏହା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଆଶ୍ୱସ୍ତ କରିଛନ୍ତି । ବିଜେପି ଓ କଂଗ୍ରେସ ମଧ୍ୟରେ ଏହି ଚିଠି ଦିଆ ନିଆକୁ ‘ଆପ୍’ ପକ୍ଷରୁ ଏକ ରାଜନୈତିକ କମେଡି କୁହାଯାଇଛି ।
‘ଆପ୍’ ମୁଖ୍ୟ କେଜରୀୱାଲ କହିଛନ୍ତି, ପଂଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଚିଠିକୁ ଭିତ୍ତି କରି କେନ୍ଦ୍ର ସରକାର ତାଙ୍କ ବିରୋଧରେ ଏନଆଇଏରେ ଏତଲା ରୁଜୁ କରିବାକୁ ଯାଉଥିବା ସେ ଖବର ପାଇଛନ୍ତି । ପୂର୍ବରୁ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସୀ ତାଙ୍କ ଘରେ, ଦପ୍ତରରେ ଚଢାଉ କରି କିଛି ପାଇ ନଥିଲେ । ଏବେ, ଚନ୍ନିଙ୍କ ଚିଠି ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କ ବିରୋଧରେ ଏତଲା ରୁଜୁ କଲେ ତାହାକୁ ସେ ସ୍ୱାଗତ କରିବେ । ତେବେ, ଜଣେ କବିଙ୍କ କବିତାକୁ ନେଇ ପ୍ରଧାନମନ୍ତ୍ରୀ ଯଦି ତାଙ୍କୁ ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ବିଚାର କରୁଛନ୍ତି ତେବେ ସେଥିରୁ ଦେଶର ସୁରକ୍ଷା ବ୍ୟବସ୍ଥା କେମିତି ଚାଲିଛି ସ୍ପଷ୍ଟ ହେଉଛି । ସବୁ ଦୁର୍ନୀତିଗ୍ରସ୍ତ ଏକାଠି ହୋଇଛନ୍ତି, କାରଣ ସେମାନେ ତାଙ୍କୁ ଭୟ କରୁଛନ୍ତି ବୋଲି କେଜରୀୱାଲ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ, କଂଗ୍ରେସ ଦଳ ‘ପ୍ରୋ-ପାକିସ୍ତାନ’ ବୋଲି ବିଜେପି ବାରମ୍ବାର ଅଭିଯୋଗ କରି ଆସୁଛି । ଏବେ, କେଜରୀୱାଲ ଉଭୟ କଂଗ୍ରେସ ଓ ବିଜେପିର ଏକକ ଶତୃ ଭାବେ ଉଭା ହେବାରୁ ଦୁଇ ଦଳ ମିଶି ତାଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ରବିବାର ପଂଜାବରେ ମତଦାନ ସରିବା ପରେ ଏହି ନ୍ୟାରେଟିଭ୍ ରହିବ କି ନା ଭିନ୍ନ କଥା । ତେବେ, କେନ୍ଦ୍ର ସରକାର ଦେଶର ଜଣେ ମୁଖ୍ୟମନ୍ତ୍ରୀଙ୍କୁ ‘ଆତଙ୍କବାଦୀ ସମର୍ଥକ’ ଦର୍ଶାଇ ତାଙ୍କ ବିରୋଧରେ ଜାତୀୟ ଅପରାଧ ତଦନ୍ତକାରୀ ସଂସ୍ଥା ଏନଆଇରେ ମାମଲା ରୁଜୁ କରିବେ, ଦେଶର ଭାବମୂର୍ତ୍ତୀ କେତେ ଉଜ୍ୱଳ ହେବ, ତାହା ସମୟ ହିଁ କହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS