କେଜରୀୱାଲଙ୍କୁ ନେଇ ବିଜେପି, କଂଗ୍ରେସ ଆତଙ୍କିତ ?
ପ୍ରସାଦ ରାଓ
ଫେବୃୟାରୀ ୧୮
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରାଜନୀତିରେ ପ୍ରବେଶ ଦିନରୁ ବିବାଦୀୟ ହୋଇ ରହିଛନ୍ତି । ଦଳ ଭିତରେ ମନମୁଖୀ ଶାସନ ଚଳାଇ ଥିବା ଅଭିଯୋଗରେ କେତେବେଳେ ସେ ନିଜ ପୂର୍ବ ସହଯୋଗୀଙ୍କ ଦ୍ୱାରା ତିରସ୍କୃତ ହୋଇ ବିବାଦୀୟ ହୋଇଛନ୍ତି ତ କେତେବେଳେ କେନ୍ଦ୍ରରେ ଶାସନରେ ଥିବା ଦଳକୁ ଓ ସରକାରଙ୍କୁ ମୁକ୍ତ ଭାବେ ସମାଲୋଚନା କରି ବିବାଦୀୟ ହୋଇଛନ୍ତି । ତେବେ, ଆଜି ଦିନରେ ସେ ଯେଉଁ ବିବାଦରେ ଫସିଛନ୍ତି ତାହା କଳ୍ପନାର ବାହାରେ । ପଂଜାବକୁ ବିଭାଜିତ କରି ଖାଲିସ୍ଥାନ ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ସେ କୁଆଡେ ସ୍ୱପ୍ନ ଦେଖିଛନ୍ତି ବୋଲି ଅତୀତରେ ତାଙ୍କର ଜଣେ ବିଶ୍ୱସ୍ତ ବନ୍ଧୁ (ବର୍ତ୍ତମାନର କଟ୍ଟର ବିରୋଧୀ) କୁମାର ବିଶ୍ୱାସଙ୍କୁ କହିଥିଲେ । ଏହି ଅଭିଯୋଗ ସମ୍ବଳିତ ଭିଡ଼ିଓ ପଂଜାବ ବିଧାନସଭା ପାଇଁ ରବିବାର (୨୦ ତାରିଖ) ଭୋଟ ହେବାକୁ ଥିବା ବେଳେ ବୁଧବାର ଭାଇରାଲ ହୋଇଛି, ଯାହାକି କେଜରୀୱାଲଙ୍କୁ ତଥାକଥିତ ‘ଆତଙ୍କବାଦୀ’ ବନାଇ ଦେଇଛି । ଉଭୟ କଂଗ୍ରେସ ଓ ବିଜେପି ପଂଜାବରେ ଭୋଟ ପ୍ରଚାରେ ଏହାକୁ ନେଇ କେଜରୀୱାଲଙ୍କ ବିରୋଧରେ ପ୍ରବଳ ବର୍ଷୁ ଥିବା ବେଳେ ଏହାର ତଦନ୍ତ କରାଯିବାକୁ ପଂଜାବ ମୁଖ୍ୟମନ୍ତ୍ରୀ ଚରନଚିତ୍ ସିଂହ ଚନ୍ନି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ତେବେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ବିଜେପି ଓ କଂଗ୍ରେସର ଆକ୍ରମଣରେ ବିଚଳିତ ନୁହନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ଗୁଇନ୍ଦା ବିଭାଗ ରହିଛି । ଯଦି ସରକାରଙ୍କୁ ଗୁଇନ୍ଦା ବିଭାଗ ଏସଂପର୍କରେ କିଛି ରିପୋର୍ଟ ଓ ଠୋସ୍ ପ୍ରମାଣ ଦେଇଛି ତେବେ କେନ୍ଦ୍ର ସରକାର ତାଙ୍କୁ ଗିରଫ କରୁ ନାହାନ୍ତି କାହିଁକି (?) ବୋଲି କେଜରୀୱାଲ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ସରକାରଙ୍କୁ ପାଲଟା ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି । ତେବେ, ଏପର୍ଯ୍ୟନ୍ତ କୁମାର ବିଶ୍ୱାସଙ୍କ ଅଭିଯୋଗ ସଂପର୍କିତ କୌଣସି ପ୍ରମାଣିକ ତଥ୍ୟ ସାମ୍ନାକୁ ଆସି ନାହିଁ । କେଜରୀୱାଲଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣି ଥିବା କୁମାର ବିଶ୍ୱାସ ହେଉଛନ୍ତି ତାଙ୍କର ଜଣେ ପୂର୍ବତନ ସହଯୋଗୀ, ଯିଏକି ‘ଆମ୍ ଆଦମୀ ପାର୍ଟି’ ଗଠନ ସମୟରେ କେଜରୀୱାଲଙ୍କ ସହ ଥିଲେ । ପରବର୍ତ୍ତୀ ସମୟରେ, କେଜରୀୱାଲ ମନମୁଖୀ ଭାବେ ଦଳ ଚଳାଇ ଥିବା ଅଭଯୋଗ କରି ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସାମାଜିକ କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ଯାଦବ, ଅଧ୍ୟାପକ ତଥା କବି କୁମାର ବିଶ୍ୱାସ ପ୍ରମୁଖ ତାଙ୍କଠାରୁ ଦୂରେଇ ଯାଇଥିଲେ ।
ମଝିରେ ମଝିରେ ଏହି ନେତାମାନେ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ସମାଲୋଚନା କରିଥା’ନ୍ତି । ତେବେ, ପଂଜାବ ବିଧାନସଭା ଭୋଟ ପୂର୍ବରୁ ତାଙ୍କ ଅତୀତର ବନ୍ଧୁ କୁମାର ବିଶ୍ୱାସଙ୍କୁ ହଠାତ କେଜରୀୱାଲଙ୍କ ପୁରୁଣା କଥା ମନେ ପଡି ଯିବା ଏବଂ ଭିଡ଼ିଓ ବାର୍ତ୍ତା ଆକାରରେ ପଦାକୁ ଆସିବା ରାଜନୀତି ହିଁ କୁହାଯିବ । କେଜରୀୱାଙ୍କ ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ସଂପର୍କରେ କୁମାର ବିଶ୍ୱାସ ଯଦି ଅବଗତ ଥିଲେ ସେ ବହୁ ଆଗରୁ ତାହାର ପରିପ୍ରକାଶ ନ କରି ପଂଜାବ ବିଧାନସଭା ଭୋଟର ଚାରି ଦିନ ଆଗରୁ ଭିଡ଼ିଓ ବାର୍ତ୍ତା ଜରିଆରେ ସାମ୍ନାକୁ ଆସିଲେ କାହିଁକି (?) ବୋଲି ପ୍ରଶ୍ନ ହେଉଛି ।
ପଂଜାବରେ କଂଗ୍ରେସ ସରକାର ଥିଲେ ମଧ୍ୟ ଦଳ ଭିତରେ ଥିବା ଗୁରୁତର ଅନ୍ତଦ୍ୱର୍ନ୍ଦ୍ୱ କାରଣରୁ ବିଜେପି ଓ ଆମ୍ ଆଦମୀ ପାର୍ଟି ଚଳିତ ନିର୍ବାଚନରେ ତାହାର ଫାଇଦା ନେବାକୁ ଆଗ୍ରହୀ । ପୂର୍ବରୁ ବିଜେପିର ପ୍ରମୁଖ ଟାର୍ଗେଟ ଥିଲା କଂଗ୍ରେସ । ତେବେ, ଚଳିତ ବିଧାନସଭା ନିର୍ବାଚନରେ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି ବା ‘ଆପ୍’ର ବିଜୟ ସମ୍ଭାବନା ଅଧିକ ବୋଲି ବିଭିନ୍ନ ଭୋଟ ପୂର୍ବ ସର୍ଭେକୁ ଆଧାର କରି ଚର୍ଚ୍ଚ ହେଉଛି । ତେଣୁ, ଉଭୟ କଂଗ୍ରେସ ଓ ବିଜେପିର ଟାର୍ଗେଟ ହୋଇଛି ‘ଆପ୍’ । ‘ଆପ୍’ର ଗତିରୋଧ ପାଇଁ କୁମାର ବିଶ୍ୱାସଙ୍କ ଭିଡ଼ିଓକୁ ଅସ୍ତ୍ର କରାଯାଇଥିବା ଦଳର ମୁଖ୍ୟ କେଜରୀୱାଲଙ୍କ ଆଡୁ ଅଭିଯୋଗ ହୋଇଛି । ବିଶ୍ୱାସଙ୍କ ଅଭିଯୋଗ କରିଛନ୍ତି, କେଜରୀୱାଲ ପଂଜାବ ମୁଖ୍ୟମନ୍ତ୍ରୀ ହେବାକୁ କିମ୍ବା ପଂଜାବରେ ବିଭାଜନ ଘଟି ନୂଆ ଖାଲିସ୍ଥାନୀ ରାଷ୍ଟ୍ର ସୃଷ୍ଟି ହେଲେ ତାହାର ପ୍ରଥମ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ଥିଲେ । ଏଭଳି ଏକ ସ୍ୱପ୍ନ ଦେଖୁ ଥିବା ସେ ନିଜେ ତାଙ୍କୁ କହିଥିଲେ । ତେବେ, ବିଶ୍ୱାସ ଯାହା ଦାବି କରୁଛନ୍ତି ତାହା ସାବ୍ୟସ୍ତ କଲା ଭଳି କି ପ୍ରମାଣ ତାଙ୍କ ପାଖରେ ଅଛି, ଏହା କେହି ପ୍ରଶ୍ନ କରୁ ନାହାନ୍ତି ।
ଅପରପକ୍ଷରେ, କୁମାର ବିଶ୍ୱାସଙ୍କ ଭିଡ଼ିଓ ବାର୍ତ୍ତା ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପଂଜାବରେ ଏକ ନିର୍ବାଚନୀ ସଭାରେ ବିରୋଧୀ (କେଜରୀୱାଲ)ଙ୍କ ଉପରେ ବର୍ଷିବା ଏବଂ କଂଗ୍ରେସ ପକ୍ଷରୁ ଏହାର ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କେଜରୀୱାଲଙ୍କୁ ଆକ୍ରମଣ କରିବା ‘ଆପ୍’ ପ୍ରତି ସେମାନଙ୍କ ଭୟକୁ ସ୍ପଷ୍ଟ କରୁଛି । ସରକାର ସପକ୍ଷବାଦୀ ଜାତୀୟ ଗଣମାଧ୍ୟମ ମଧ୍ୟ କୁମାର ବିଶ୍ୱାସଙ୍କ ଭିଡ଼ିଓ ବାର୍ତ୍ତାରେ ଥିବା ଅଭିଯୋଗର ପ୍ରମାଣ ଅଛି କି ନାହିଁ ପ୍ରଶ୍ନ ନ ଉଠାଇ ‘ଆପ୍’ ନେତା କେଜରୀୱାଲଙ୍କୁ ଟାର୍ଗେଟ୍ କରିବା ରହସ୍ୟମୟ ମନେ ହେଉଛି । କେଜରୀୱାଲ ଆଜି ଉତ୍ତର ରଖି କହିଛନ୍ତି, ସରକାରଙ୍କ ପାଖରେ ଗୁଇନ୍ଦା ବିଭାଗ ରିପୋର୍ଟ ବା କିଛି ଠୋସ୍ ପ୍ରମାଣ ରହିଛି ତାଙ୍କୁ ଗିରଫ କରନ୍ତୁ ।
ମୁଖ୍ୟମନ୍ତ୍ରୀ ଭାବେ ସେ ଦିଲ୍ଲୀ ଜନତାକୁ ସ୍କୁଲ, ହସ୍ପିଟାଲ, ବିଦ୍ୟୁତ, ପାନୀୟ ଜଳ, ରାସ୍ତାଘାଟ ପ୍ରଭୃତି ସୁବିଧା ଦେଇଛନ୍ତି । ତାହା ଯଦି ଆତଙ୍କବାଦ, ତେବେ ସେ ନିଜକୁ ବିଶ୍ୱର ଜଣେ ‘ସ୍ୱାଦିଷ୍ଟ ଆତଙ୍କବାଦୀ’ ବୋଲି ଭାବୁଛନ୍ତି । ବୁଧବାର କୁମାର ବିଶ୍ୱାସଙ୍କ ଭିଡ଼ିଓର ପ୍ରସାରଣ ଉପରେ ଭାରତୀୟ ନିର୍ବାଚନ ଆୟୁକ୍ତ ରୋକ୍ ଲଗାଇ ଥିଲେ । ଗୁରୁବାର ତାହା ପ୍ରତ୍ୟାହାର କରି ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଗୁରୁବାର ଦିନ ପଂଜାବରେ ଏକ ନିର୍ବାଚନୀ ସଭାରେ ବିଶ୍ୱାସଙ୍କ ଭିଡ଼ିଓକୁ ଆଧାର କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ‘ସେମାନେ ପଂଜାବକୁ ବିଭାଜିତ କରିବା ସ୍ୱପ୍ନ ଦେଖୁଛନ୍ତି । କ୍ଷମତାକୁ ଆସିବା ସକାଶେ ବିଭାଜନକାରୀ ଶକ୍ତିଙ୍କ ସହ ହାତ ମିଳାଇଛନ୍ତି । ପାକିସ୍ତାନର ଚିନ୍ତାଧାରାଠାରୁ ସେମାନଙ୍କ ଚିନ୍ତାଧାରା କିଛି ଭିନ୍ନ ନୁହେଁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପଂଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନି ମଧ୍ୟ କୁମାର ବିଶ୍ୱାସଙ୍କ ଭିଡ଼ିଓ ପ୍ରସାରଣ ଉପରୁ ନିର୍ବାଚନ କମିସନ ନିଷେଧଦେଶ ଉଠାଇ ନେଇ ଥିବାରୁ ତାହା ଉପରେ ତଦନ୍ତ ଆଦେଶ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ବିଶ୍ୱାସଙ୍କ ଭିଡ଼ିଓ ପଂଜାବ ରାଜନୀତିକୁ ସରଗରମ କରିଛି ସତ, କିନ୍ତୁ ଫେବୃୟାରୀ ୨୦ରେ ହେବାକୁ ଥିବା ମତଦାନକୁ କେତେଦୂର ପ୍ରଭାବିତ କରିବ କହିବା ସମ୍ଭବ ନୁହେଁ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି । କେଜରୀୱାଲ କମ୍ ଖିଲାଡି ନୁହନ୍ତି । ୨୦୧୧ରେ ଗାନ୍ଧିବାଦୀ ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ରାଜନୀତିକୁ ଆସିଥିବା କେଜରୀୱାଲ ଉଭୟ ବିଜେପି ଓ କଂଗ୍ରେସକୁ ମୁକାବିଲା କରିବାର କ୍ଷମତା ରଖିଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS