ମୋଦୀଙ୍କୁ ମନମୋହନ ବାଣ ?
ପ୍ରସାଦ ରାଓ
ଫେବୃୟାରୀ ୧୭
୧୧୭ଆସନ ବିଶିଷ୍ଟ ପଂଜାବ ବିଧାନସଭା ପାଇଁ ରବିବାର (୨୦ ତାରିଖ) ଭୋଟ ହେବାକୁ ଥିବା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଏକ ଭିଡ଼ିଓ ବାର୍ତ୍ତା ଆଜି ସାମ୍ନାକୁ ଆସିଛି । ଏହି ଭିଡ଼ିଓ ମାଧ୍ୟମରେ କଂଗ୍ରେସ ନେତୃତ୍ୱ ମୋଦୀ ସରକାରଙ୍କ ଉପରେ ଜବରଦସ୍ତ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କ ଆଭ୍ୟନ୍ତରୀଣ, ଅର୍ଥନୈତିକ ଓ ବିଦେଶ ନୀତିକୁ ଏହି ଭିଡ଼ିଓରେ କଡା ସମାଲୋଚନା କରାଯାଇଛି । ମୋଦୀ ଓ ତାଙ୍କ ଦଳର ନେତୃବର୍ଗ ପ୍ରତି କଥାରେ କଂଗ୍ରେସ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ସମାଲୋଚନା କରୁଥିବା ନିଜ ଦୋଷ ଦୁର୍ବଳତାକୁ ଘଂଟଘୋଇବା ପାଇଁ ଅପଚେଷ୍ଟା ବୋଲି ଡକ୍ଟର ସିଂହଙ୍କ ଭିଡ଼ଓରେ ଅଭିଯୋଗ ହୋଇଛି ।
୮୯ ବର୍ଷ ବୟସ୍କ ନେତା ଡକ୍ଟର ସିଂହ ଏହି ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାର ଦେଶର ପ୍ରତିଟି ସମସ୍ୟା ପାଇଁ କଂଗ୍ରେସ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଦାୟୀ କରୁଥିବା ନିଜ ଦୁର୍ବଳତାକୁ ଘୋଡାଇବା ପାଇଁ ଉଦ୍ଦିଷ୍ଟ । ଦେଶରେ ପ୍ରଧାନମନ୍ତ୍ରୀ ପଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ପୂର୍ବ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ସମାଲୋଚନା କରି ଏହି ପଦମର୍ଯ୍ୟାଦାର କ୍ଷୁର୍ଣ୍ଣ କରାଯାଉଛି । ମୋଦୀ ସରକାରରେ ଗଲା ସାଢେ ସାତ ବର୍ଷରେ ଦେଶରେ ମୁଦ୍ରାସ୍ଫିତି ବଢିଛି । ବେକାର ସମସ୍ୟା ମଧ୍ୟ ଉଦ୍ବେଗଜନକ ସ୍ଥିତିରେ ପହଂଚିଛି । ତେବେ, ସରକାର ଏସବୁ ପ୍ରସଙ୍ଗକୁ ଏଡାଇବା ପାଇଁ ଦେଶର ପ୍ରତିଟି ସମସ୍ୟା ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓ କଂଗ୍ରେସକୁ ଦାୟି କରୁଛନ୍ତି । କଂଗ୍ରେସ କେବେ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ଦେଶକୁ ବିଭାଜିତ କରି ନାହିଁ ବା ସତ୍ୟ ଲୁଚାଇବା ଉଦ୍ୟମ କରି ନାହିଁ । ଗୋଟିଏ ପଟେ ଦେଶବାସୀ ମୁଦ୍ରାସ୍ଫିତି ଓ ବେକାରୀକୁ ନେଇ ଛଟପଟ ହେଉଥିବା ବେଳେ ଅନ୍ୟପଟେ ବିଜେପି ସରକାର ନିଜ ତ୍ରୁଟି ସବୁ ସ୍ୱୀକାର କରି ସୁଧାରିବା ବଦଳରେ ଲୋକଙ୍କ ସମସ୍ୟା ପାଇଁ କଂଗ୍ରେସ ଓ ପଣ୍ଡିତ ନେହେରୁଙ୍କୁ ଦାୟି କରି ବାସ୍ତବ ସମସ୍ୟାଠାରୁ ଲୋକଙ୍କୁ ଦୂରେଇ ନେବାକୁ ଉଦ୍ୟମ କରୁଥିବା କ୍ଷୋଭର ବିଷୟ ।
‘ମୁଁ ଜାଣିବାରେ ଦେଶର ପ୍ରଧାନମନ୍ତ୍ରୀ ପଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ସେହି ପଦ ମର୍ଯ୍ୟାଦା ବଜାୟ ରଖିବା ବଦଳରେ ନିଜ ତ୍ରୁଟିକୁ ଘୋଡାଇବା ପାଇଁ ଇତିହାସକୁ ଦାୟି କରୁଛନ୍ତି’ ବୋଲି ଡକ୍ଟର ସିଂହ କହିଛନ୍ତି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଦୀର୍ଘ ୧୦ ବର୍ଷ ଧରି ଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେହି ସମୟରେ ସମୟରେ ତାଙ୍କ କାର୍ଯ୍ୟ ହିଁ ତାଙ୍କ କଥା କହୁଥିଲା । ସେ କେବେହେଲେ ଦେଶର ଗାରିମାକୁ ବିଶ୍ୱ ଦରବାରରେ କ୍ଷୁର୍ଣ୍ଣ ହେବାକୁ ଦେଇନଥିଲେ । ତାଙ୍କ ସରକାରରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ସେ ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ଅନ୍ୟ ଦ୍ୱାରା ପରିଚାଳିତ ହେଉଥିବା ନେଇ ଅଭିଯୋଗ କରି ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଜେପି ସରକାର କ୍ଷମତାସୀନ ହୋଇଥିଲେ । ତେବେ, ଯେଉଁମାନେ ସେତେବେଳେ ତାଙ୍କୁ ଦୁର୍ବଳ, ଦୁର୍ନୀତିଗ୍ରସ୍ତ ଏବଂ ପୋତାମୁହାଁ କହୁଥିଲେ ଆଜି ସେମାନଙ୍କ ମୁଖା ଖୋଲି ଯାଇଛି ବୋଲି ସିଂହ କହିଛନ୍ତି ।
ଲାଇନ ଅଫ୍ ଏକ୍ଚୁଆଲ କଂଟ୍ରୋଲ ବା ଏଲଏସିରେ ଚୀନୀ ଅନୁପ୍ରବେଶ ରୋକିବାରେ ମୋଦୀ ସରକାର ବିଫଳ ହୋଇଥିବା ଓ ତାହାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଡକ୍ଟର ସିଂହ ଅଭିଯୋଗ କରିବା ସହ ବିଜେପି ସରକାରଙ୍କ ବିଦେଶ ନୀତି ବିଫଳ ହୋଇଥିବା ଦର୍ଶାଇଛନ୍ତି । ଆର୍ଥିକ ନୀତିକୁ ନେଇ ମଧ୍ୟ ଏହି ସରକାରଙ୍କ ଧାରଣା ନଥିବା ସେ କହିଛନ୍ତି । ଜବରଦସ୍ତ କୌଣସି ନେତାଙ୍କୁ କୁଣ୍ଢାଇ ଧରିଲେ, ଝୁଲାରେ ଝୁଲାଇଲେ ବା ବିରିୟାନୀ ଖୁଆଇଲେ ତାହା ବିଦେଶ ନୀତି କହିବା ଠକ୍ ହେବ ନାହିଁ । ମୋଦୀ ସରକାରଙ୍କ ‘ନକଲି ଜାତୀୟତାବାଦ’ ଓ ‘ବିଭାଜନ ନୀତି’ ଯୋଗୁଁ ଦେଶର ବିଦେଶ ନୀତି ବିଫଳ ହୋଇଛି ବୋଲି ଅଭିଯୋଗ କରି ଡକ୍ଟର ସିଂହ କହିଛନ୍ତି, ଆର୍ଥିକ ନୀତିରେ ସ୍ୱାର୍ଥପରତା ଓ ଲୋଭ କାରଣରୁ ସରକାର ବିଫଳ ହୋଇଛନ୍ତି । ନିଜ ସ୍ୱାର୍ଥକୁ ପ୍ରଧାନ୍ୟ ଦେଉଥବାରୁ ସରକାର ଜନସାଧାରଣଙ୍କୁ ବିଭାଜିତ କରିବା ସହ ନିଜ ନିଜ ଭିତରେ ଲଢାଉଛନ୍ତି ।
ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଜାବ ଗସ୍ତ ସମୟରେ ସୁରକ୍ଷାରେ ତ୍ରୁଟି ଉପରେ ମଧ୍ୟ ଡକ୍ଟର ସିଂହ ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଗୋଟିଏ ଫ୍ଲାଏ ଓଭର ଉପରେ ତାଙ୍କ କାରକେଡ୍ ୨୦ ମିନିଟ ଫସୀ ରହିବା ନେଇ କେନ୍ଦ୍ର ସରକାର ପଂଜାବ ସରକାରଙ୍କୁ ଦାୟି କରିବା ସହ ତୁମ୍ବିତୋଫାନ କରିଛନ୍ତି । ତେବେ, ଚାଷୀଙ୍କ ଆନ୍ଦୋଳନ ଓ ରାସ୍ତା ଅବରୋଧ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ, ମୋଦୀ ସରକାର ସେଥିପାଇଁ ପଂଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନିଙ୍କୁ ଦାୟି କରି ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ ଓ ପଂଜାବୀୟତକୁ ନିନ୍ଦିତ କରିବାକୁ ଉଦ୍ୟମ କରିଛନ୍ତି । ସମଗ୍ର ବିଶ୍ୱ ପଂଜାବ ଜନସାଧାରଣଙ୍କ ବୀରତ୍ୱ, ଦେଶତ୍ମବୋଧତା ଓ ଆତ୍ମୋତ୍ସର୍ଗକୁ ସାଲ୍ୟୁଟ କରୁଥିବା ବେଳେ ଏନଡ଼ିଏ ସରକାର ଏହା ଉପରେ ମୋଟେ ଆଲୋଚନା କରୁନଥିବା ଜଣେ ଭାରତୀୟ ପଂଜାବୀ ଭାବେ ତାଙ୍କୁ ଗଭୀର ଆଘାତ ଦେଇଛି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ଚୀନ ଠାରୁ ଆରମ୍ଭ କରି ଦେଶର ପ୍ରତିଟି ସମସ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର କଂଗ୍ରେସ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଲଗାତର ଦାୟି କରିଛନ୍ତି । ପଂଜାବ, ୟୁପି ଏବଂ ଗତ ୧୪ ତାରିଖ ସରିଥିବା ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ ସମୟରେ ବିଜେପିର ଏହା ପ୍ରଚାରଧାରା ଥିବା ଦେଖିବାକୁ ମିଳିଛି । ମୁଦ୍ରାସ୍ଫିତି, ବେକାରୀ ଓ ଦେଶ ସାମ୍ନା କରୁଥିବା ଅନ୍ୟ ସବୁ ସମସ୍ୟାକୁ ଗୌଣ କରିବା ପାଇଁ ବିଜେପି ବିଗତ କଂଗ୍ରେସ ସରକାର ଓ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଟାର୍ଗେଟ୍ କରି ଆସୁଛି ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ବଜେଟ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶରେ କଂଗ୍ରେସ ଶାସନକୁ ପ୍ରତିଟି ସମସ୍ୟା ପାଇଁ ଦାୟି କରିଥିଲେ ଏବଂ ତାହାର ଏକ ଲମ୍ବା ତାଲିକା ଗୃହରେ ଉପସ୍ଥାପନ କରିଥିଲେ । ପୂର୍ବ ସରକାରଙ୍କ ବଂଶବାଦ ଶାସନ ଯୋଗୁଁ ହିଁ ଆଜି ଦେଶ ଦୂରବସ୍ଥାର ସାମ୍ନା କରୁଛି ବୋଲି ସେ କହି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଆଜି କଂଗ୍ରେସ ତାହାର ଜବାବ ରଖିଛି । ତେବେ, ପଂଜାବରେ କଂଗ୍ରେସ ଦଳ ଯେଭଳି ବିଭାଜିତ ହୋଇ ରହିଛି ଏବଂ ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଲାଲସାରେ ଯେଭଳି ଛକାପଂଝା ଚାଲିଛି ସେଥିରେ ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ଏହି ଭିଡ଼ିଓ ମତଦାତାଙ୍କୁ ବାର୍ତ୍ତା କଂଗ୍ରେସ ସପକ୍ଷରେ ପ୍ରଭାବିତ କରିବାରେ କେତେଦୂର ସଫଳ ହେବ, ତାହା ବଡ଼ ପ୍ରଶ୍ନ ହୋଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲେ ଆପେ ଆପେ ଏହି ପ୍ରଶ୍ନର ଉତ୍ତର ମିଳି ଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS