କଂଗ୍ରେସ ନେତୃତ୍ୱ ଆତ୍ମଚିନ୍ତନ କରିବା ସମୟ ଆସିଛି
ପ୍ରସାଦ ରାଓ
ଫେବୃୟାରୀ ୧୬
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ମଙ୍ଗଳବାର ଦିନ କଂଗ୍ରେସରୁ ଇସ୍ତଫା ଦେବା ଘଟଣାରୁ ଏଆଇସିସି ନେତୃତ୍ୱ ବିରୋଧରେ କଂଗ୍ରେସରେ ଅସନ୍ତୋଷ ବଢୁଥିବାର ସୂଚନା ଦେଉଛି । ୪୬ ବର୍ଷ ଧରି କୁମାର କଂଗ୍ରେସରେ ଥିଲେ । ତିନି ଥର ରାଜ୍ୟସଭା ସାଂସଦ ରହି ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସରକାରରେ ସେ ଆଇନ ମନ୍ତ୍ରୀ ଥିଲେ । ଗତକାଲି ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇବା ପରେ ନେତୃତ୍ୱ ବିରୋଧରେ ବର୍ଷିଥିବା ବେଳେ ଦଳରେ ଥିବା ବିଦ୍ରୋହୀ ଗୋଷ୍ଠୀ ମଧ୍ୟ ନେତୃତ୍ୱକୁ ଆକ୍ରମଣ କରିବାକୁ ପୁନର୍ବାର ସୁଯୋଗ ପାଇଛନ୍ତି । କଂଗ୍ରେସରୁ ଜଣକ ପରେ ଜଣେ ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଇସ୍ତଫା ଦେଇ ପଳାଉଥିବା ଗୁରୁତର ସଂକଟର ୂଚନା ଦେଉଥିବାରୁ କଂଗ୍ରେସ ନେତୃତ୍ୱ ଗମ୍ଭୀର ଭାବେ ଆତ୍ମଚିନ୍ତନ କରିବା ସମୟ ଆସିଛି ବୋଲି ବିଦ୍ରୋହୀ ନେତାମାନେ ଆଜି ମତ ଦେଇଛନ୍ତି ।
୨୦୧୪ ପରେ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ କଂଗ୍ରେସ ଶୋଚନୀୟ ପରାଜୟର ସାମ୍ନା କରିବା ପରଠାରୁ କଂଗ୍ରେସରେ ବିଦ୍ରୋହୀ ଆରମ୍ଭ ହୋଇଛି । ବିଦ୍ରୋହୀ ଗୋଷ୍ଠୀ ଦଳର ନେତୃତ୍ୱକୁ ଆତ୍ମଚିନ୍ତନ ପାଇଁ ପରାମର୍ଶ ଦେଇ ଆସୁଛନ୍ତି । କଂଗ୍ରେସର ସାଂଗଠନିକସ୍ତରରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱ ଦେଉଛନ୍ତି । ଏହା ହେଲେ ହିଁ ପୁନର୍ବାର ଦଳର ଶକ୍ତିବୃଦ୍ଧି ଘଟିବ ଏବଂ ଜାତୀୟ ରାଜନୈତିକ ଦଳ ଭାବେ କଂଗ୍ରେସ ତାହାର ପୂର୍ବ ଗୌରବ ଫେରି ପାଇବ ବୋଲି ବିଦ୍ରୋହୀ ଗୋଷ୍ଠୀର ମତ । ୨୦୨୦ ଅଗଷ୍ଟରେ ଏହି ୨୩ ଜଣିଆ ଗୋଷ୍ଠୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ନେତା ଏକ ମିଳିତ ପତ୍ର ଲେଖି ଏଭଳି ପରାମର୍ଶ ଦେବା ପରେ ଏହି ଗୋଷ୍ଠୀକୁ ‘ଜି-୨୩’ ନାମରେ ନାମିତ କରାଯାଇଛି । ସୋନିଆଙ୍କୁ ଚିଠି ଲେଖି ଥିବା ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟର ରାଜ୍ୟସଭାରେ ଦଳର ପୂର୍ବତନ ନେତା ଥିବା ଗୁଲାମ ନବୀ ଆଜାଦ ଅନ୍ୟତମ । ତାଙ୍କ ସହ ବରିଷ୍ଡ ନେତା କପିଲ ସିବ୍ୱଲ, ରାଜ୍ୟସଭାରେ କଂଗ୍ରେସର ଉପ ନେତା ଥିବା ଆନନ୍ଦ ଶର୍ମା, ଲୋକସଭା ସାଂସଦ ମନିଷ ତିୱାରୀ ପ୍ରମୁଖ ଅଛନ୍ତି । ଅଶ୍ୱିନୀ କୁମାରଙ୍କ ଇସ୍ତଫା ଏହି ନେତାମାନଙ୍କୁ ଏଆଇସିସି ନେତୃତ୍ୱ ବିରୋଧରେ ପ୍ରତିକ୍ରିୟା ରଖିବାକୁ ଆଉ ଏକ ସୁଯୋଗ ଦେଇଛି । କଂଗ୍ରେସ ନେତୃତ୍ୱକୁ ଗମ୍ଭୀର ଭାବେ ଆତ୍ମଚିନ୍ତନ କରିବାକୁ ଏହି ନେତାମାନେ ପରାମର୍ଶ ଦେଇଛନ୍ତି ।
ଏବେ ଉତ୍ତର ପ୍ରଦେଶରେ ସାତ ପର୍ଯ୍ୟାୟରେ ବିଧାନସଭା ଭୋଟ ଚାଲିଛି । ଦୁଇ ପର୍ଯ୍ୟାୟ ମତଦାନ ସରିଛି, ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ ପ୍ରଚାର ସରଗରମ ରହିଛି । ପଂଜାବରେ ଆସନ୍ତା ରବିବାର (୨୦ ତାରିଖ) ବିଧାନସଭା ଭୋଟ ହେବ । ୟୁପିରେ କଂଗ୍ରେସର ସ୍ଥିତିକୁ ସୁଧାରିବାକୁ ଦଳର ଜାତୀୟ ସାଧାରଣ ସଂପାଦିକ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ସଂଘର୍ଷ ଚାଲିଛି । ପଂଜାବ କଂଗ୍ରେସ ଗଭିର ଅନ୍ତଦ୍ୱର୍ନ୍ଦ୍ୱରେ ଫସି ରହିଛି । ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନି ଓ ପଂଜାବ ପିସିସି ସଭାପତି ନଭଜୋତ ସିଂହ ସିଦ୍ଧୁଙ୍କ ମୁଖ୍ୟମନ୍ତ୍ରୀ ହେବାର ଲାଳସା ଦଳକୁ ମଝି ଦରିଆରେ ଫସାଇ ରଖିଥିବା ବେଳେ ବିବାଦର କାମଚଳା ସମାଧାନ କରିଛି କଂଗ୍ରେସ ନେତୃତ୍ୱ । ପଂଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଝାକର ଅସନ୍ତୋଷ ଜାହିର କଲେଣି । ସେ ଜଣେ ଅଣ-ଶିଖ୍ ନେତା ହୋଇଥିବାରୁ ତାଙ୍କୁ କଂଗ୍ରେସ ନେତୃତ୍ୱ ମୁଖ୍ୟମନ୍ତ୍ରୀ ଆସନଠାରୁ ଦୂରେଇ ରଖିଛନ୍ତି ବୋଲି ଝାକର ଖୋଲାଖୋଲି କହୁଛନ୍ତି । ଏଭଳି ସ୍ଥିତିରେ ଚାରି ଦିନ ପରେ ରାଜ୍ୟରେ ବିଧାନସଭା ଭୋଟ ହେବାକୁ ଥିବା ବେଳେ ଅଶ୍ୱିନୀ କୁମାରଙ୍କ ଇସ୍ତଫା ଦଳକୁ ଝଟକା ହୋଇଛି । ଏଥର ପଂଜାବ କଂଗ୍ରେସ ହାତରୁ ଖସିବା ସୁନିଶ୍ଚିତ ବୋଲି ବିଦ୍ରୋହୀ ଗୋଷ୍ଠୀରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ପଂଜାବର ନେତା ଅଶ୍ୱିନୀ କୁମାର ମଧ୍ୟ ଗତକାଲି କଂଗ୍ରେସରୁ ଇସ୍ତଫା ଦେବା ପରେ ନିର୍ବାଚନ ଫଳାଫଳ କଂଗ୍ରେସ ବିରୋଧରେ ଯାଉଥିବା ଆକଳନ କରିଛନ୍ତି । ଅନ୍ୟ କିଛି ନେତା ମାର୍ଚ୍ଚ ୧୦ରେ କଂଗ୍ରେସ ପାଦ ତଳୁ ମାଟି ଖସିଯିବ ବୋଲି ମନ୍ତବ୍ୟ ଦେଲେଣି । କାରଣ, ଫେବୃୟାରୀ ୧୦ରୁ ମାର୍ଚ୍ଚ ସାତ ପର୍ଯ୍ୟନ୍ତ ପାଂଚଟି ରାଜ୍ୟରେ ଯେଉଁ ବିଧାନସଭା ଭୋଟ ହେଉଛି ତାହାର ଫଳାଫଳ ମାର୍ଚ୍ଚ ୧୦ରେ ପ୍ରକାଶ ପାଇବ । ପଂଜାବ, ୟୁପି ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବା ଆଶା ନ ଥିବାରୁ ଦଳ ବଡ଼ ଧରଣର ଝଟକା ସାମ୍ନା କରିବାକୁ ଯାଉଛି ବୋଲି ଜି-୨୩ ନେତାମାନେ ଅନୁମାନ ଲଗାଇଲେଣି । ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡ୍ଡା ମଧ୍ୟ ଅଶ୍ୱିନୀ କୁମାରଙ୍କ ଇସ୍ତଫାକୁ ନେଇ ଏକାଭଳି ମନ୍ତବ୍ୟ ରଖିଛନ୍ତି । ଆଜିର ସ୍ଥିତିରେ ଦେଶ ଏକ ସୁଦୃଢ, ଶକ୍ତିଶାଳୀ ଓ ସଂଗଠିତ କଂଗ୍ରେସ ଚାହୁଁ ଥିବା ବେଳେ ସ୍ୱାଧୀନତା ସଂଗ୍ରାମ ଭିତ୍ତିଭୂମିରୁ ଆସିଥିବା ଓ କଂଗ୍ରେସ ସହ ଚାରି ଦଶକ ଧରି ରହି ଥିବା ଅଶ୍ୱିନୀ କୁମାରଙ୍କ ଭଳି ନେତା ଦଳ ଛାଡିବା ଦଳର କିଛି ସମସ୍ୟା ଥିବା ସୂଚିତ କରୁଛି । ତେଣୁ, କଂଗ୍ରେସ ନେତୃତ୍ୱ ଗମ୍ଭୀର ଭାବେ ଆତ୍ମଚିନ୍ତନ କରନ୍ତୁ ବୋଲି ଆଜାଦଙ୍କ ଭଳି ହୁଡ୍ଡା ମଧ୍ୟ ପରାମର୍ଶ ଦେଇଛନ୍ତି ।
ଅଶ୍ୱିନୀ କୁମାର ନିଜେ କହିଛନ୍ତି, ଦଳ ସୁଧୁରିବା ସ୍ଥିତିରେ ନଥିବା ଦେଖି ସେ ଦୀର୍ଘ ଦିନର ଆତ୍ମଚିନ୍ତନ ପରେ କଂଗ୍ରେସ ଛାଡିବା ନିଷ୍ପତ୍ତି ନେଲେ । ଅଶ୍ମିନୀ କୁମାରଙ୍କ ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜିତିନ୍ ପ୍ରସାଦ, ଆରପିଏନ ସିଂହଙ୍କ ଭଳି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦଳତ୍ୟାଗ ସମୟରେ ସେହି ଏକା କଥା କହଛନ୍ତି । କିନ୍ତୁ, କଂଗ୍ରେସ ସୁଧୁରୁ ନାହିଁ । ଅଶ୍ୱନୀ କୁମାରଙ୍କ ଇସ୍ତଫା ପରେ ମଧ୍ୟ କଂଗ୍ରେସ ନେତୃତ୍ୱ ନିରବ । ତେଣୁ, ଆଉ କେତେ ନେତା ଦଳ ଛାଡି ପଳାଇଲେ କଂଗ୍ରେସ ହାଇକମାଣ୍ଡଙ୍କ ନିଦ ଭାଂଗିବ ବୋଲି ବିଦ୍ରୋହୀ ଗୋଷ୍ଠୀ ପ୍ରଶ୍ନ କରିଛନ୍ତି । କିଛି ଦିନ ପରେ ଦଳରେ କେବଳ ଯୁବ କଂଗ୍ରେସ କର୍ମୀମାନେ ଥିବେ ବୋଲି ଦଳର କିଛି ବରିଷ୍ଠ ନେତା ମତ ରଖିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS