ଅଣ-କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ମେଂଟରେ ନବୀନ ସାମିଲ ହେବେ ?
ପ୍ରସାଦ ରାଓ
ଭୁବନେଶ୍ୱର
ଫେବୃୟାରୀ ୧୫
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଜାତୀୟ ରାଜନୀତି ଚଳଚଂଚଳ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ଦେଶରେ ସଂଘୀୟ ବ୍ୟବସ୍ଥାକୁ ପଦାନତ କରିବା ସହ ରାଜ୍ୟପାଳଙ୍କ ମାଧ୍ୟମରେ ଅଣ-ବିଜେପି ଶାସିତ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରି ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଏକ ବିଜେପି ବିରୋଧୀ ମେଂଟ ଗଠନର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ପ୍ରୟାସରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କିଛି ଭୂମିକା ରହିବ କି ନାହିଁ – ତାହା ଏବେ ଆଲୋଚନାର ପ୍ରସଙ୍ଗ ହୋଇଛି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅଭିଯାନର ନେତୃତ୍ୱରେ ଥିବା ବେଳେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଓ ତେଲେଂଗାାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ସେଥିରେ ସକ୍ରିୟ ଭାବେ ସାମିଲ ହେଉଥିବା ସୂଚନା ମିଳୁଛି । ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସେମାନେ ସଂପର୍କ କରୁଛନ୍ତି । ଦିଲ୍ଲୀରେ କିମ୍ବା ଦିଲ୍ଲୀ ବାହାରେ ସେମାନେ ମିଳିତ ହୋଇ ମେଂଟର ଚୂଡାନ୍ତ ରୂପରେଖ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଏଭଳି ସ୍ଥିତିରେ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ କଣ ହେବ, ତାହା ଏବେ ନିୟୁତ ଡ଼ଲାର ପ୍ରଶ୍ନ ରହିଛି ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ କଂଗ୍ରେସରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରି ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କଂଗ୍ରେସ ବିରୋଧୀ ରାଜନୀତିର ନେତୃତ୍ୱ ନେଇ ବିରୋଧୀ ଏକତାର ମିଶାଲ ସାଜି ଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ବିଜୁ ବାବୁ ରାଜ୍ୟ ତଥା ଜାତୀୟସ୍ତରରେ ଅଣ-କଂଗ୍ରେସ ରାଜନୀତିର ନେତୃ ସ୍ଥାନରେ ରହି ଥିଲେ । ତେବେ, ସମାଜବାଦର ଚିନ୍ତକ ଥିବା ବିଜୁ ବାବୁଙ୍କ ପୂର୍ବର ଜନସଂଘ ତଥା ବର୍ତ୍ତମାନର ବିଜେପି ସହ ଘନିଷ୍ଟତା ଥିଲା । ରାଜନୈତିକ ଆବଶ୍ୟକତା ଦେଖି ସେ ଗୋଟି ଚଳାନା କରୁଥିଲେ । ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ଓଡ଼ିଶାରୁ ଆରମ୍ଭ କରି ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ୨୦୦୦ ମସିହାରେ ସେ ରାଜ୍ୟ ରାଜନୀତିକୁ ଆସି ଥିଲେ ଏବଂ ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେଡ଼ିର ପ୍ରଥମ ସରକାର ଏନଡ଼ିଏର ସମର୍ଥନରେ ପ୍ରତିଷ୍ଠିତ ହୋଇଥିଲା । ୨୦୦୯ ପର୍ଯ୍ୟନ୍ତ ଓଡ଼ିଶା ବିଜେଡ଼ି-ବିଜେପିର ମିଳିତ ସରକାର ଦେଖିଛି । ତେବେ, ବିଜେଡ଼ି ଏକାକୀ ନିର୍ବାଚନ ଲଢି ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ହେବ ବୋଲି ନବୀନଙ୍କ ହୃଦବୋଧ ହେବାରୁ ସେ ୨୦୦୯ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ବିଜେପି ଓ ଏନଡ଼ିଏ ସହ ସଂପର୍କ ଛିନ୍ନ କରି ଏକାକୀ ନିର୍ବାଚନ ଲଢି ଥିଲା ଏବଂ ରାଜ୍ୟବାସୀଙ୍କ ବିପୁଳ ସମର୍ଥନ ପାଇ ସରକାର ଗଠନ କରିଥିଲା । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ଏକାକୀ ଶାସନ କରୁଛି ।
ବିଜେଡ଼ିର ରାଜନୈତିକ ମୂଳଦୁଆ ଅଣ-କଂଗ୍ରେସ ରାଜନୀତି ଅଧାରିତ, ଏହା ସମସ୍ତେ ଜାଣନ୍ତି । ୨୦୦୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ଓ ଏନଡ଼ିଏ ସହ ସଂପର୍କ ଛିନ୍ନ କରିବା ପରେ କଂଗ୍ରେସ ଓ ବିଜେପି ସହ ସମଦୂରତା କଥା କହି ଆସୁଛନ୍ତି । ତେବେ, ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ତାଙ୍କର ରାଜନୈତିକ ସଂପର୍କ ମଧୁର ରହି ଆସିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ଭଳି ପ୍ରମୁଖ ନେତାଙ୍କ ସହ ନବୀନଙ୍କ ବ୍ୟକ୍ତିଗତ ସଂପର୍କ ମଧ୍ୟ ଥିଲା । ୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସରକାର ପ୍ରତିଷ୍ଠା ହେବା ପରେ ମଧ୍ୟ ତାଙ୍କ ସଂପର୍କ ଘନିଷ୍ଟ ରହିଛି । ବିଜେଡ଼ି ଦୁଇ ଜାତୀୟ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ସହ ସମଦୂରତା କଥା କହି ଓଡ଼ିଶା ବିଜେପିକୁ ରାଜନୈତିକ ଶତୃ ଭାବେ ବିଚାର କରୁଥିବା ବେଳେଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରକୁ ବିମୁଦ୍ରୀକରଣ, ଜିଏସଟି, ଜାତୀୟ ନାଗରିକତା ସଂଶୋଧନ ଆଇନ ଭଳି ବିଭିନ୍ନ ଜାତୀୟ ପ୍ରସଙ୍ଗର ଅକୁଣ୍ଠ ସମର୍ଥନ ଦେଇଛି ।
ନିକଟରେ, ସଂସଦର ବଜେଟ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବର ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ଦେବା ଏବଂ ନବୀନ କେନ୍ଦ୍ର ସରକାରଙ୍କ ସମସ୍ତ ନିଷ୍ପତ୍ତିକୁ ସମର୍ଥନ ଦେଇ ଆସିଛନ୍ତି ବୋଲି ସ୍ୱୀକାର କରିବା ରାଜ୍ୟ ବିଜେପିକୁ ଅସହଜ କରିଥିଲେ ମଧ୍ୟ ଶାସକ ବିଜେଡ଼ିକୁ ଉଲ୍ଲସିତ କରିଛି । ଏଥିରୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ସହ ବିଜେଡ଼ିର ସଂପର୍କ କେତେ ସୌହାର୍ଦ୍ଧ୍ୟପୂର୍ଣ୍ଣ, ତାହା ସ୍ପଷ୍ଟ ହେଉଛି । ଏଭଳି ସ୍ଥିତିରେ, ଦେଶରେ ସଂଘୀୟ ବ୍ୟବସ୍ଥା ବିପନ୍ନ ହୋଇଥିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ସଂକୁଚିତ କରଦିଆ ଯାଇଥିବା ଅଭିଯୋଗ କରି ବିଜେପି ସରକାର ବିରୋଧରେ ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ସଂଗଠିତ ହେବା ଆବଶ୍ୟକ ବୋଲି ମମତା, ଷ୍ଟାଲିନ ଓ କେସିଆରଙ୍କ ଆହ୍ୱାନକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଦୂର ଗ୍ରହଣ କରିବେ ଏବଂ ଅଣ-କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ମେଂଟ ଉଦ୍ୟମରେ ତାଙ୍କ ଭୂମିକା ରହିବ କି ନାହିଁ, ସେ ନେଇ ଆଲୋନା ହେବା ସ୍ୱାଭାବିକ ।
ପଶ୍ଚିମ ବଂଗ ରାଜ୍ୟପାଳଙ୍କ ସହ ପ୍ରାରମ୍ଭରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସଂପର୍କ ତୀକ୍ତ ରହି ଆସିଛି । ନିକଟରେ, ରାଜ୍ୟପାଳ ପଶ୍ଚିମ ବଂଗ ବିଧାନସଭାକୁ ପ୍ରୋରୋଗ କରି ତାଙ୍କ ପୂର୍ବ ଅନୁମତି ବିନା ରାଜ୍ୟ ସରକାର ବିଧାନସଭା ଅଧିବେଶନ ଡକାଇ ପାରିବେ ନାହିଁ ନିର୍ଦେଶନାମା ଜାରି କରିଛନ୍ତି । ସେହିଭଳି, ତାମିଲନାଡ଼ୁ, ତେଲେଂଗାନା, ମହାରାଷ୍ଟ୍ର ପ୍ରଭୃତି ଅଣ- ବିଜେପି ଶାସିତ ରାଜ୍ୟରେ ସରକାର ଓ ବିଜେପି ନିଯୁକ୍ତ ରାଜ୍ୟପାଳଙ୍କମଧ୍ୟରେ ସଂପର୍କ ତୀକ୍ତ ରହିଛି । ସଂପୃକ୍ତ ରାଜ୍ୟର ରାଜ୍ୟପାଳମାନେ ବିଜେପି ଆଜେଣ୍ଡାକୁ କାର୍ଯ୍ୟକାରୀ କରିବାକୁ ଯାଇ ରାଜ୍ୟ ସରକାରଙ୍କ ସହ ମୁକାବିଲା ମନୋଭାବ ପୋଷଣ କରୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି । କିନ୍ତୁ, ଓଡ଼ିଶା ସ୍ଥିତି ଭିନ୍ନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଓଡ଼ିଶା ସରକାରଙ୍କ ସଂପର୍କ ମୂଳରୁ ସୌହାଦ୍ଧ୍ୟପୂର୍ଣ୍ଣ ରହି ଆସିଛି । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବା ଭଳି କେତେକ ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କ ମତଭେଦ ରହିଛି ସତ, କିନ୍ତୁ ମୋଟାମୋଟି ଭାବେ କେନ୍ଦ୍ର-ରାଜ୍ୟ ସଂପର୍କ ସେତେଦୂର ତୀକ୍ତ ନୁହେଁ ।
ତାହାଛଡା, ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଜେପି ବିରୋଧରେ ମେଂଟ କରୁଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ସେଥିରେ ସାମିଲ ହେବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ଆମନ୍ତ୍ରଣ ପାଇ ନାହାନ୍ତି । ବିଧିବଦ୍ଧ ଆମନ୍ତ୍ରଣ ପାଇଲେ ସେ ତାହା ଉପରେ ପ୍ରତିକ୍ରିୟା ରଖି ପାରନ୍ତି ବୋଲି ଦଳ (ବିଜେଡ଼ି)ରେ ଆଲୋଚନା ହେଉଛି । ତେବେ, ଗଲା ସାତ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ସୁଦୃଷ୍ଟିରେ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଅଣ-କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିଜେପି ବିରୋଧୀ ମେଂଟରେ ସାମିଲ ହେବା ଆଶା କମ୍ ବୋଲି ଓଡ଼ିଶାର ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି । ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଏହି ସମ୍ଭାବ୍ୟ ମେଂଟରେ କଂଗ୍ରେସକୁ ସାମିଲ କରାଯାଉ ନଥିବା ଜଣାପଡିଛି । କୌଣସି ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀଙ୍କ ସହ କଂଗ୍ରେସର ସଂପର୍କ ଭଲ ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସଦ୍ୟ ବିବୃତିରୁ ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS