ହାଇକୋର୍ଟରେ ଶୁଣାଣୀ ଚାଲିଛି, ରାଜନୀତି ମଧ୍ୟ ଚାଲିଛି…

ପ୍ରସାଦ ରାଓ
ଫେବୃୟାରୀ ୧୪
‘ହିଜାବ’ ପ୍ରସଙ୍ଗକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣୀ ଚାଲିଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରିତୁ ରାଜ ଅୱସ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ବିବାଦୀୟ ପ୍ରସଙ୍ଗର ଶୁଣାଣୀ କରୁଛନ୍ତି । ଏଭଳି ସ୍ଥିତିରେ, ‘ହିଜାବ’କୁ ନେଇ ଦେଶବ୍ୟାପୀ ରାଜନୀତି ମଧ୍ୟ ସରଗରମ ରହିଛି । ‘ହିଜାବ’କୁ ନେଇ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଧ୍ରୁବୀକରଣ ପ୍ରସଙ୍ଗକୁ ଅଧିକ ଜଟିଳ କରିଛି । ୟୁପିରେ ବର୍ତ୍ତମାନ ଚାଲି ଥିବା ବିଧାନସଭା ନିର୍ବାଚନରେ ଧାର୍ମିକ ଧ୍ରୁବୀକରଣ ପାଇଁ ଉଭୟ ଶାସକ ବିଜେପି ଓ ବିରୋଧୀ ‘ହିଜାବ’କୁ ରାଜନୈତିକ ପ୍ରସଙ୍ଗ କରିଥିବା, ବିଜେପି ନେତୃବର୍ଗ ‘ହିଜାବ’କ ନେଇ କଟୁ ମନ୍ତବ୍ୟ ରଖୁଥିବା ବେଳେ ବିରୋଧୀ ସଂଖ୍ୟାଲଘୁ ସଂପ୍ରଦାୟ ବାଳିକାଙ୍କ ଧାର୍ମିକ ବିଶ୍ୱାସ ଏବଂ ସାମ୍ବିଧାନିକ ଅଧିକାରକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ଉଦ୍ୟମରେ ଥିବା ଦେଖିବାକୁ ମିଳୁଛି । ୟୁପିର ଜଣେ ବିଧାୟକ ରାଘବେନ୍ଦ୍ର ସିଂହ ନିର୍ବାଚନ ପ୍ରଚାର ବେଳେ ‘ସେ ପୁନର୍ବାର ନିର୍ବାଚିତ ହୋଇ ଆସିଲେ ମୁସଲିମ୍ ସଂପ୍ରଦାୟ ‘ଗୋଲ ଟୋପି’ ବଦଳରେ ‘ତିଳକ’ ଧାରଣ କରିବେ’ ବୋଲି ମନ୍ତବ୍ୟ ଦେବାର ଭିଡ଼ିଓ ବହୁଳ ଭାବେ ପ୍ରସାରିତ ହେବା ପରେ ୟୁପି ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବା କହିଛନ୍ତି ।
ଡୋମାରିଆଗଂଜ ବିଧାୟକ ସିଂହ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଗଠିତ ଦକ୍ଷିଣପନ୍ଥୀ ‘ହିନ୍ଦୁ ଯୁବ ବାହିନୀ’ର ୟୁପି ଇନ୍-ଚାର୍ଜ ଅଛନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ସେ ମାତ୍ର ୨୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏଥର ସେହି ଆସନରୁ ବିଜେପି ପ୍ରାର୍ଥୀ ଅଛନ୍ତି । ସିଂହଙ୍କ ଘୃଣା ଉଦ୍ରେକକାରୀ ମନ୍ତବ୍ୟ ଅନ୍ ଲାଇନରେ ବହୁଳ ପ୍ରସାରିତ ହେବା ପରେ ପୁଲିସ ଆଡୁ ମାମଲା ହୋଇଛି । ଅପରପକ୍ଷରେ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଆଜି ହାଇଦ୍ରାବାଦରେ ସାମ୍ବାଦିକ ସମ୍ମିଳନୀ କରି ତିନି କୃଷି ଆଇନ (ପ୍ରତ୍ୟାହାର ହୋଇସାରିଛି)ରୁ ଆରମ୍ଭ କରି କର୍ଣ୍ଣାଟକ ଶିକ୍ଷାନୁଷ୍ଠାନରେ ମୁସଲମାନ ବାଳିକାଙ୍କ ‘ହିଜାବ’ ପିନ୍ଧିବାକୁ ଅନୁମତି ନ ମିଳିବା ପର୍ଯ୍ୟନ୍ତ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ ଘେରିଛନ୍ତି । ବିଜେପିର ଗଣତନ୍ତ୍ର ପ୍ରତି ମୋଟେ ସମ୍ମାନ ନାହିଁ ବୋଲି ରାଓ ଅଭିଯୋଗ କରିଥିବା ଜଣାପଡିଛି । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହେବୁବା ମୁଫତି ମଧ୍ୟ ‘ହିଜାବ’ ପରିଧାନ ଉପରେ କଟକଣାକୁ ଦୃଢ ବିରୋଧ କରି ବିଜେପି ମୁସଲିମ୍ ସଂପ୍ରଦାୟର ସବୁ ଧାର୍ମିକ ଚିହ୍ନକୁ ମୂଳପୋଛ କରିବା ଉଦ୍ୟମରେ ଅଛି ବୋଲି ଅଭିଯୋଗ କରି ଥିବା ଶ୍ରୀନଗରରୁ ଖବର ମିଳିଛି ।
ବିଜେପି ଶାସିତ କର୍ଣ୍ଣାଟକରୁ ‘ହିଜାବ’ ବିବାଦର ସୂତ୍ରପାତ ହୋଇଛି । ଉଡୁପି ଜିଲ୍ଲା କୁନ୍ଦାପୁର ପ୍ରି-ୟୁନିଭରସିଟି କଲେଜର ୮ ଜଣ ସଂଖ୍ୟାଲଘୁ ଛାତ୍ରୀଙ୍କୁ ‘ହିଜାବ’ ପରିଧାନ କରିଥିବା କାରଣରୁ ଶିକ୍ଷାନୁଷ୍ଠାନରେ ପ୍ରବେଶ ଅନୁମତି ମିଳି ନଥିଲା । ଏହାର ପ୍ରତିବାଦରେ ସେମାନେ କଲେଜ ପରିସର ବାହାରେ ଧାରଣାରେ ଦେଇଥିବା ବେଳେ ଗେରୁଆ (କେଶରୀ ରଂଗ) ସାଲ୍ ଓ ସ୍କାର୍ଭ ପିନ୍ଧା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ତାହା ବିରୋଧରେ ପ୍ରଦର୍ଶନ କରିଥିଲେ । ଫଳରେ, ହିସାତ୍ମକ ବାତାବରଣ ସୃଷ୍ଟି ହୋଇ କର୍ଣ୍ଣାଟକର ଅନ୍ୟ ଶିକ୍ଷାନୁଷ୍ଠାନକୁ ବ୍ୟାପିଥିଲା । ଅନ୍ୟ ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନରେ ‘ହିଜାବ’କୁ ନିଷିଦ୍ଧ କରି କର୍ଣ୍ଣାଟକ ସରକାର ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି ଏବଂ ସେମାନଙ୍କ ମୌଳିକ ଓ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି ବୋଲି ଅଭିଯୋଗ କରି ଛାତ୍ରୀମାନେ କର୍ଣ୍ଣାଟକ ହାଇକୋର୍ଟରେ ତାହା ବିରୋଧରେ ଆବେଦନ କରିବାରୁ ପ୍ରଥମେ ହାଇକୋର୍ଟର ଜଣିକିଆ ବେଂଚରେ ତାହାର ଶୁଣାଣୀ ହୋଇଥିଲା । ତେବେ, ବିବାଦ ସହ ଅନେକ ସାମ୍ବିଧାନିକ ପ୍ରସଙ୍ଗ ଯୋଡି ହୋଇ ଅନୁଭବ କରି ବିଚାରପତି କ୍ରୀଷ୍ଣା ଏସ ଦୀକ୍ଷିତ ଏକ ବୃହତ ବେଂଚରେ ମାମଲାର ଶୁଣାଣୀ ପାଇଁ ସୁପାରିଶ କରି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଅୱସ୍ତିଙ୍କ ନିକଟକୁ ସ୍ଥାନାନ୍ତର କରି ଦେଇଥିଲେ ।
କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଅୱସ୍ତି ଗତ ସପ୍ତାରେ ଏକ ତିନି ଜଣିଆ ବେଂଚ ଗଠନ କରି ମାମଲାର ଶୁଣାଣୀ ଆରମ୍ଭ କରିଛନ୍ତି । ଏହା ଉପରେ ଏକ ଅନ୍ତରୀଣ ରାୟ ଦେଇ କୋର୍ଟ ଚୂଡାନ୍ତ ରାୟ ନଦେବା ଯାଉଁ ଛାତ୍ରଛାତ୍ରୀ କୌଣସି ପ୍ରକାର ଧାର୍ମିକ ପୋଷାକ ପରିଧାନ କରି ଶିକ୍ଷାନୁଷ୍ଠାନକୁ ଆସିବା ମନା ବୋଲି କହିଛନ୍ତି । ସରକାର ବନ୍ଦ ରଖି ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ଖୋଲିବାକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଅନ୍ରୀଣ ରାୟରେ ନିର୍ଦେଶ ଥିବାରୁ ସରକାର ଆଜିଠାରୁ ରାଜ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଛନ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବୁଧବାରରୁ ଆରମ୍ଭ ହେବା ସୂଚନା ମିଳିଛି ।
ଆଜି ସ୍କୁଲ ଖୋଲିବା ପରେ କେତେକ ଶିକ୍ଷାନୁଷ୍ଠାନରେ ସଂଖ୍ୟାଲଘୁ ଛାତ୍ରୀ ସ୍କୁଲରେ ପ୍ରବେଶ ପୂର୍ବରୁ ‘ହିଜାବ’ ଖୋଲି ଦେଇଥିବା ବେଳେ ଅନ୍ୟ କେତେକ ସ୍କୁଲରେ ଶେଣ୍ରୀ କକ୍ଷ ପର୍ଯ୍ୟନ୍ତ ‘ହିଜାବ’କୁ ଅନୁମତି ଦିଆଯିବାକୁ ଛାତ୍ରୀମାନେ ଦାବି କରିଥିଲେ । ତେବେ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମନା କରିବାରୁ ହିଜାବ ଖୋଲି ପ୍ରବେଶ କରୁଥିବା ଖବର ମିଳିଛି । ତେବେ, ଶିବମୋଗା ଜିଲ୍ଲାର ଏକ ଶିକ୍ଷାନୁଷ୍ଠାନର ୧୩ ଜଣ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଛାତ୍ରୀ ‘ହିଜାବ’ ପିନ୍ଧି ସ୍କୁଲରେ ପ୍ରବେଶ ଅନୁମତି ନ ମିଳିବାରୁ ପରୀକ୍ଷା ବର୍ଜନ କରି ଘରକୁ ଫେରି ଯାଇଥିବା ଖବର ମିିଳିଛି । ‘ପରୀକ୍ଷା ଥିବାରୁ ପିଲାଙ୍କୁ ଆମେ ସ୍କୁଲକୁ ଆଣି ଥିଲୁ । ବୁର୍ଖା ନହେଲେ ମଧ୍ୟ ‘ହିଜାବ’ ପିନ୍ଧି ପରୀକ୍ଷାରେ ବସିବାକୁ ଅନୁମତି ମିଳିବ ବୋଲି ଆଶା ରଖି ଥିଲୁ । ତେବେ, ସ୍କୁଲ କର୍ତ୍ତୃପକ୍ଷ ଅନୁମତି ନ ଦେବାରୁ ଆମେ ପିଲାଙ୍କୁ ଘରକୁ ଫେରାଇ ନେଲୁ’ ବୋଲି ସେମାନଙ୍କ ଅଭିଭାବକମାନେ ଗଣମାଧ୍ୟମକୁ କହିଛନ୍ତି । ଉଡୁପି ଓ ଶିବମୋଗା ଜିଲ୍ଲାରେ ନିକଟରେ ‘ହିଜାବ’ ସପକ୍ଷବାଦୀ ଓ ବିରୋଧୀ ମୁହାଁମୁହିଁ ହେବାରୁ ପରିସ୍ଥିତି ହିଂସାତ୍ମକ ମୋଡ ନେଇ ଥିଲା । ‘ହିଜାବ’ ପରିହିତା ଧାରଣା ଦେଉଥିବା ବେଳେ ଗେରୁଆ ସାଲ୍ ଓ ସ୍କାର୍ଭ ପିନ୍ଧା ଛାତ୍ରଛାତ୍ରୀ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ସେଠାରେ ପାଲଟା ହାଂଗାମା କରିଥିଲେ । ତେଣୁ, ସ୍କୁଲ ଖୋଲିବା ପୂର୍ବରୁ ଆଜି ସଂପୃକ୍ତ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି ।
ଇତିମଧ୍ୟରେ, କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଅୱସ୍ତିଙ୍କ ନେତୃତ୍ୱରେ ବିଚାରପତି କ୍ରୀଷ୍ଣା ଏସ ଦୀକ୍ଷିତ ଓ ବିଚାରପତି ଜେ.ଏମ.ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ‘ହିଜାବ’ ମାମଲାର ଶୁଣାଣୀ ଆରମ୍ଭ କରି ଗତ ସପ୍ତାହରେ ଯେଉଁ ଅନ୍ତରୀଣ ରାୟ (ସ୍କୁଲ ଖୋଲା ଯିବ ସିନା ଶିକ୍ଷାନୁଷ୍ଠାନରେ ଧାର୍ମିକ ବିଭେଦ ଓ ଅଶାନ୍ତ ସୃଷ୍ଟି କଲା ଭଳି ପୋଷାକ ପରିଧାନ ପାଇଁ ଅନୁମତି ନାହିଁ) ଦେଇଥିଲେ ତାହାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରାଯାଇ ଆବେଦନ ହୋଇଛି । ଏହି ଅନ୍ତରୀଣ ରାୟ ସେମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରୁ ଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ତାହା ଉପରେ ତୁରନ୍ତ ଶୁଣାଣୀ କରି ଅନ୍ତରୀଣ ରାୟକୁ ରଦ୍ଦ କରିବାକୁ ଆବେଦନ ହୋଇଛି ।
ତେବେ, ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ପ୍ରଥମେ ଏହି ଅବେଦନକୁ ବିଚାର ପାଇଁ ଗ୍ରହଣ ନକରି କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦେଇଥିଲେ । ତେବେ, ସୁପ୍ରିମ କୋର୍ଟ ସମସ୍ତଙ୍କ ସାମ୍ବିଧାନିକ ଅଧିକାରୀକୁ ସୁରକ୍ଷା ଦେବାକୁ ଅଛନ୍ତି । ସମୟ ଆସିଲେ ସେମାନଙ୍କ ଆବେଦନର ଶୁଣାଣୀ ହେବ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ରମଣାଙ୍କ ପ୍ରତିଶ୍ରୁତି ଆବେଦନକାରୀଙ୍କୁ ଆଶ୍ୱସ୍ତ କରିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS