ପ୍ରିୟଙ୍କାଙ୍କ ଖୁଲାସା, ଅମରିନ୍ଦର ସରକାର କେନ୍ଦ୍ରରୁ ବିଜେପି ଦ୍ୱାରା ପରିଚାଳିତ ହେଉଥିଲେ…
ପ୍ରସାଦ ରାଓ
ଫେବୃୟାରୀ ୧୩
୧୧୭ ଆସନ ବିଶିଷ୍ଟ ପଂଜାବ ବିଧାନସଭା ପାଇଁ ଫେବୃୟାରୀ ୨୦ରେ ମତଦାନ ହେବାକୁ ଥିବା ବେଳେ ଗାନ୍ଧୀ ପରିବାର ପ୍ରଥମ ଥର ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । କ୍ୟାପଟେନ ସିଂହଙ୍କ ସରକାର କେନ୍ଦ୍ରରୁ ବିଜେପି ଦ୍ୱାରା ପରିଚାଳିତ ହେଉଥିବା ଅନୁଭବ କରିବା ପରେ କଂଗ୍ରେସ ନେତୃତ୍ୱ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କଲେ ବୋଲି କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଖୁଲାସା କରିଛନ୍ତି । ପଂଜାବରେ ଦଳ ପାଇଁ ନିର୍ବାଚନ ପ୍ରଚାର ସମୟରେ ପ୍ରିୟଙ୍କା ଅମରିନ୍ଦରଙ୍କୁ ଟାର୍ଗେଟ କରିଥିଲେ ମଧ୍ୟ ତାଙ୍କ ନାମ ନନେଇ ଗାନ୍ଧୀ ପରିବାରର ‘ଦୀର୍ଘ ବର୍ଷର ଅନୁଗତ’ ବୋଲି ଦର୍ଶାଇ ଥିଲେ । ରାଜ୍ୟରେ ସବୁ କିଛି ଠିକଠାକ୍ ଚାଲି ନଥିବା ଅନୁଭବ କରି ନେତୃତ୍ୱ ପରିବର୍ତ୍ତନ କରାଗଲା ଏବଂ ଦଳିତ ବିଧାୟକ ଚରନଜିତ୍ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ବୋଲି ସେ କହିଛନ୍ତି । ‘ଆପଣମାନେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇଛନ୍ତି, ଯିଏକି ଆପଣମାନଙ୍କ ମଧ୍ୟରୁ ଜଣେ । ଆପଣମାନଙ୍କ ସମସ୍ୟାକୁ ସେ ଭଲ ଭାବେ ଜାଣନ୍ତି ଓ ବୁଝନ୍ତି’ ବୋଲି ପ୍ରିୟଙ୍କା କହିଥିଲେ ।
ବର୍ତ୍ତମାନ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥିବା ନଭଜୋତ ସିଂହ ସିନ୍ଧୁଙ୍କ ସହ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସଂପର୍କ ମାତ୍ରାଧିକ ତୀକ୍ତ ରହିବାରୁ ଗଲା ସେପ୍ଟେମ୍ବରରେ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିଲେ । ତାଙ୍କ ସ୍ଥାନରେ ଦଳିତ ବିଧାୟକ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଧ୍ୟ କଂଗ୍ରେସ ନେତୃତ୍ୱ ତାଙ୍କୁ ମନାଇ ନଥିଲେ । ତେଣୁ, ଦଳ ଭିତରେ ନିଜକୁ ଉପେକ୍ଷିତ ମନେ କରି ଅମରିନ୍ଦର କଂଗ୍ରେସରୁ ଇସ୍ତଫା ଦେବା ସହ ବିଜେପି ସହ ସଂପର୍କରେ ରହି ‘ପଂଜାବ ଲୋକ କଂଗ୍ରେସ’ ନାମରେ ଏକ ଆଂଚଳିକ ଦଳ ଗଠନ କରିଛନ୍ତି । ଅମରିନ୍ଦରଙ୍କ ଆଂଚଳିକ ଦଳ ବିଜେପି ସହ ମେଂଟରେ ପଂଜାବ ବିଧାନସଭା ନିର୍ବାଚନ ଲଢୁଛି ।
ଅମରିନ୍ଦର କଂଗ୍ରେସ ଛାଡିବା ପରେ ଦଳର ନେତୃତ୍ୱ ବିରୋଧରେ ରିତିମତ ବୟାନ ଦେଉଥିଲେ ମଧ୍ୟ ଗାନ୍ଧୀ ପରିବାରରୁ କେହି ମୁହଁ ଖୋଲୁ ନଥିଲେ । ପ୍ରଥମ କରି ପ୍ରିୟଙ୍କା ଆଜି ମୁହଁ ଖୋଲିଛନ୍ତି । କ୍ୟାପଟେନଙ୍କ ଅଭିଯୋଗ ଥିଲା, ସୀମାନ୍ତ ରାଜ୍ୟ ପଂଜାବରେ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଓ ନିଷିଦ୍ଧ ମାଦକ ଦ୍ରବ୍ୟର ଅବାଧ କାରବାର ଚାଲିଥିବା ବେଳେ ପାକିସ୍ତାନ ସହ ‘ଅସ୍ଥିରମନା’ ନଭଜୋତ ସିଂହ ସିଦ୍ଧୁଙ୍କ ସଂପର୍କ କାହାରିକୁ ଅଛପା ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ତାଗିଦ କରିବା ପରିବର୍ତ୍ତେ ପୃଷ୍ଠପୋଷକତା ଦେବା ଏବଂ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ସବୁ କିଛି ଜାଣି ମଧ୍ୟ ନିରବ ରହିବା କ୍ଷୋଭର ବିଷୟ । ସୋନିଆଙ୍କୁ ପଠାଇ ଥିବା ଇସ୍ତଫାପତ୍ରରେ ଅମରିନ୍ଦର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ତାଙ୍କ ସ୍କୁଲ ଦିନରୁ ବନ୍ଧୁତା ଏବଂ କଂଗ୍ରେସ ସହ ପାଖାପାଖି ଚାରି ଦଶକର ସଂପର୍କ କଥା ସ୍ମରଣ କରାଇ ରାହୁଲ ଓ ପ୍ରିୟଙ୍କାଙ୍କୁ ସେ ନିଜ ପୁଅ, ଝିଅ ଭଳି ଭଲ ପାଆନ୍ତି, ତେବେ ସେମାନେ ତାଙ୍କ ପ୍ରତି ଯେଭଳି ଆଚରଣ ଦେଖାଇଲେ ସେଥିରେ ସେ ମର୍ମାହତ ବୋଲି ଅଭିଯୋଗ କରିଥିଲେ ।
କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ସେହି ସମୟରେ ଅମରିନ୍ଦରଙ୍କ ଅଭିଯୋଗକୁ ନେଇ ସେତେବେଳେ ତୁରନ୍ତ କିଛି ପ୍ରତିକ୍ରିୟା ରଖି ନଥିଲେ ବା ଚଳିତ ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କୁ ‘ମୁଖ୍ୟମନ୍ତ୍ରୀ ଚେହେରା’ ଘୋଷଣା କରି ନାହାନ୍ତି । ଅପରପକ୍ଷରେ, ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ତାଙ୍କ ନେତୃତ୍ୱରେ ସ୍ୱୀକୃତି ଦେଇଛନ୍ତି । ଏଥିରେ ସିଦ୍ଧୁ ପ୍ରତିକ୍ରିୟାଶୀଳ ଥିଲେ ମଧ୍ୟ ରାହୁଲ ବା ପ୍ରିୟଙ୍କା ସେଥିରେ ଦବି ନଯାଇ ଚନ୍ନିଙ୍କ ନିଜର ନାୟକତ୍ୱ ପ୍ରମାଣ କରିବାର ସୁଯୋଗ ଦେଇଛନ୍ତି । ପ୍ରାୟ ଛଅ ମାସ ପରେ ଗାନ୍ଧୀ ପରିବାରରୁ ଜଣେ ପ୍ରଥମ କରି ପୂର୍ବତନ ପଂଜାବ ମୁଖ୍ୟମନ୍ତ୍ରୀ ସିଂହଙ୍କୁ ନିର୍ବାଚନ ମଇଦାନରେ ଟାର୍ଗେଟ କରିବା ଏବଂ ଅମରିନ୍ଦର ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦ୍ରରୁ ବିଜେପି ଦ୍ୱାରା ନିୟନ୍ତ୍ରିତ ହେଉଥିଲେ ବୋଲି ଅଭିଯୋଗ କରିବା କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କାଙ୍କ ରାଜନୈତିକ ପରିପକ୍ୱତାର ପରିଚୟ ଦେଇଛନ୍ତି । ଏହାଛଡା, ସେ ମୁଖ୍ୟମନ୍ତ୍ରୀ ଚନ୍ନି ହିଁ ମୁଖ୍ୟମନ୍ତ୍ରୀ ହେଲେ ପଂଜାବବାସୀଙ୍କୁ ଉଚିତ ନ୍ୟାୟ ଦେଇ ପାରିବେ ବୋଲି ଭରସା ଦେବାକୁ ଯେଉଁ ଉଦ୍ୟମ କରିଛନ୍ତି ତାହା ଚନ୍ନିଙ୍କ ରାଜନୈତିକ ବିରୋଧୀଙ୍କ ମୁହଁରେ ତାଲା ଲଗାଇବାକୁ ଯଥେଷ୍ଟ ବୋଲି ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS