କିଏ ସତ ? କେନ୍ଦ୍ର ନା ରାଜ୍ୟ ?
ପ୍ରସାଦ ରାଓ
ଭୁବନେଶ୍ୱର
ଫେବୃୟାରୀ ୧୨
ଓଡ଼ିଶାରେ ବିଧାନ ପରିଷଦ ଗଠନର ଆବଶ୍ୟକତା ଅଛି କି ନାହିଁ, ଭିନ୍ନ କଥା । ତେବେ, ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ନେଇ ଗଲା କିଛି ବର୍ଷ ହେଲା ରାଜନୀତି ଜୋର୍ ଧରିଛି । ୨୦୧୪ ସାଧାରଣ ନିର୍ବାଚନରେ ଟିକଟ ପାଇ ନଥିବା ଶାସକ ଦଳ ନେତାଙ୍କୁ ବିଧାନ ପରିଷଦର ମୁଆଁ ଦେଖାଇ ଲଟକାଇ ରଖା ଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ବିଧାନ ପରିଷଦ ଗଠନ ପ୍ରସ୍ତାବ ଜୀବନ୍ତ ଥିଲା । ରାଜନୈତିକ କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ, ରାଜ୍ୟ ସରକାର ୨୦୧୪ ପରଠାରୁ ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସଙ୍ଗକୁ ଜୀବନ୍ତ ରଖିଛନ୍ତି । ଓଡ଼ିଶାକୁ ସ୍ପତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବା ଦାବି ଭଳି ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବ ମଧ୍ୟ କେନ୍ଦ୍ର ସରକାରଙ୍କ ଅନୁକଂପା ଅପେକ୍ଷାରେ ପଡି ରହିଛି । ତେବେ, ଶାସକ ଦଳ ନିର୍ବାଚନ ଆସିଲେ ଏସବୁ ପ୍ରସଙ୍ଗକୁ ଶୀତଳ ବାକ୍ସରୁ ବାହାର କରି ନୂଆ ବିବାଦର ସୂତ୍ରପାତ କରୁଛି ।
ବର୍ତ୍ତମାନ ରାଜ୍ୟରେ ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନ ଚାଲିଛି । ମାସେ ଦୁଇ ମାସ ମଧ୍ୟରେ ରାଜ୍ୟରେ ମହାନଗର ନିଗମ, ନଗରପାଳିକା ନିର୍ବାଚନ ହେବାକୁ ଯାଉଛି । ର୍ନିାଚନ ଋତୁରେ ରାଜ୍ୟରେ ବିଜେଡ଼ି-ବିଜେପି ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଗଲା ଗୁରୁବାର (୧୦ ତାରିଖ) ଦିନ କେନ୍ଦ୍ର ଆଇନ ଓ ନ୍ୟୟା ମନ୍ତ୍ରୀ କିରଣ ରିଜ୍ଜୁ ଲୋକସଭାରେ ଓଡିଶା ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ନେଇ ରଖିଥିବା ଉତ୍ତର ଏଥିରେ ନିଆଁ ଲଗାଇଛି । ରାଜ୍ୟ ସରକାର ୨୦୧୮ ସେପ୍ଟେମ୍ବର ୬ ତାରିଖ ଦିନ ସମ୍ବାଧାନର ୧୬୯ (୧) ଧାରା ଅନୁଯାୟୀ ବିଧାନସଭାରେ ଏକ ସଂକଳ୍ପ ପାରିତ କରାଇ ତାହାକୁ କେନ୍ଦ୍ରର ଅନୁମୋଦନ ନିମନ୍ତେ ପଠାଇ ଥିଲେ । ଲୋକସଭା ଓ ରାଜ୍ୟସଭା ସଚିବାଳୟର ସେକ୍ରେଟାରୀ ଜେନେରାଲଙ୍କ ସମେତ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସଚିବଙ୍କ ନିକଟକୁ ପ୍ରସ୍ତାବଟି ପଠା ଯାଇଥିବା ରାଜ୍ୟ ସରକାର କହୁଥିବା ବେଳେ ଏଭଳି କୌଣସି ପ୍ରସ୍ତାବ କେନ୍ଦ୍ରର ହସ୍ତଗତ ହୋଇ ନାହିଁ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ରିଜ୍ଜୁ ଗୁରୁବାର ଲୋକସଭାରେ ମନ୍ତବ୍ୟ ରଖିଛନ୍ତି ।
ଲୋକସଭାରେ ଶୂନ୍ୟକାଳରେ ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନ ଉତ୍ତର ଦେଇ ଆଇନ ମନ୍ତ୍ରୀ ରିଜ୍ଜୁ ଏଭଳି ମନ୍ତବ୍ୟ ରଖିବା ଓଡ଼ିଶା ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ରାଜ୍ୟର ବିରୋଧୀ ଦଳ ନେତାମାନେ ରିଜ୍ଜୁଙ୍କ ଉତ୍ତର ପରେ ଓଡ଼ିଶା ସରକାର, ବିଶେଷକରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଏହାର ଉତ୍ତର ଦେବାକୁ ଆଗକୁ ଆସି ନଥିବା ବେଳେ ରାଜ୍ୟ ବିଧାନସଭା ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦ୍ର ଆଇନ ମନ୍ତ୍ରୀ ରିଜ୍ଜୁଙ୍କ ଉତ୍ତର ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ବିଧାନ ପରିଷଦକୁ ନେଇ ବିଧାନସଭାରେ ଗୃହୀତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇ ନଥିବା ଆଇନ ମନ୍ତ୍ରୀ କହୁ ଥିବାରୁ ବିଧାନସଭା ସଚିବାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖା ଯିବ ବୋଲି ବାଚସ୍ପତି ଡକ୍ଟର ପାତ୍ର ଆଜି ଗଣମାଧ୍ୟମକୁ କହିଛନ୍ତି । ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଗତକାଲି ଲୋକସଭାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗ ଉଠାଇ କେନ୍ଦ୍ର ମନ୍ତ୍ରୀ ରିଜ୍ଜୁ ରଖି ଥିବା ଉତ୍ତରର ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ବୋଧହୁଏ ସମନ୍ୱୟ ନାହିଁ । ତାହା ରିଜ୍ଜୁଙ୍କ ଉତ୍ତରରୁ ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି ।
ଓଡ଼ିଶା ପାଇଁ ବିଧାନ ପରିଷଦର କିଛି ଆବଶ୍ୟକତା ନାହିଁ ବୋଲି କିଛି କଂଗ୍ରେସ ନେତା ମନ୍ତବ୍ୟ ଦେଉଥିବା ବେଳେ ବିଜେପିର ରାଜ୍ୟସ୍ତରୀୟ ନେତାମାନେ ଏହି ପ୍ରସଙ୍ଗକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏବେ ବିଧାନସଭାକୁ ଆସୁ ନାହାନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ କାମ ଚଳାଉଛନ୍ତି । ବିଧାନ ପରିଷଦ ଗଠନର ଆବଶ୍ୟକତା କଣ (?) ବୋଲି ରିଚ୍ଚୁଙ୍କ ଉତ୍ତରକୁ ନେଇ ବିବାଦ ଉପୁଜିବା ପରେ ଗତକାଲି ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତା ଗଣମାଧ୍ୟମରେ ମନ୍ତବ୍ୟ ରଖିଛନ୍ତି । ବର୍ତ୍ତମାନ ରାଜ୍ୟରେ ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଛି । ତିନି ଦିନ ପରେ ମତଦାନ ଆରମ୍ଭ ହେବ । ତେଣୁ, ବିଜେଡ଼ି ବିଧାନ ପରିଷଦ ଗଠନ ପ୍ରସ୍ତାବୁ କେନ୍ଦ୍ର ସରକାର ଚାପି ରଖି ଥିବା ଅଭିଯୋଗ କରିବା ଏବଂ ରାଜ୍ୟର ବିଜେପି ନେତାମାନେ ରିଜ୍ଜୁଙ୍କ ଉତ୍ତରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିବାରେ କିଛି ଅସ୍ୱାଭାବିକତା ନାହିଁ । ତେବେ, ପ୍ରଶ୍ନ ଉଠୁଛି ରାଜ୍ୟର ବିଜେପି ନେତାମାନେ ଓଡ଼ିଶା ବିଧାନ ପରିଷଦ ଗଠନ ହେବା ଚାହୁଁ ନାହାନ୍ତି କି ?
୨୦୧୮ ସେପ୍ଟେମ୍ବରରେ ରାଜ୍ୟ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠ ମତରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ପାରିତ କରାଇ ପ୍ରସ୍ତାବର ନକଲ ଇମେଲ୍ ଓ ସ୍ପିଡ୍ ପୋଷ୍ଟ୍ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦପ୍ତରକୁ ପଠାଇ ଥିବା ରାଜ୍ୟ ବିଧାନସଭା ବାଚସ୍ପତି ନିଜେ କହୁଛନ୍ତି । କେନ୍ଦ୍ର ସରକାରଙ୍କ ଆଇ ମନ୍ତ୍ରୀ ତାହା ସରକାର ପାଇ ନାହାନ୍ତି କହି ବାଏଁ ବାଏଁ ଉଡାଇ ଦେବା ରାହସ୍ୟମୟ ନୁହେଁ କି ? ବିଜେଡ଼ି ସହଯୋଗରେ ଓଡ଼ିଶାରୁ ରାଜ୍ୟସଭାକୁ ସାଂସଦ ହୋଇ ଯାଇଥିବା ବିଜେପି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଟି ଓ ଡ଼ାକ ବିଭାଗ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି । ୨୦୧୮ରେ ରାଜ୍ୟ ବିଧାନସଭାରୁ ପଠା ଯାଇଥିବା ଇମେଲ୍ ଓ ସ୍ପଡ୍ ପୋଷ୍ଟ କେମିତି ୨୦୨୨ ଫେବୃୟାରୀ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟରେ ପହଂଚିଲା ନାହିଁ, ତାହା ମନ୍ତ୍ରୀ ବୈଷ୍ଣବ ଯାଂଚ କରିବା ଆବଶ୍ୟକ ବୋଲି ବିଜେଡ଼ିରେ ଆଲୋଚନା ହେଉଛି ।
ରାଜ୍ୟ ବିଧାନସଭା ବାଚସ୍ପତି ଡକ୍ଟର ପାତ୍ର ଶୁକ୍ରବାର ଦିନ ଦେଇଥିବା ସୂଚନାକୁ ପରଖିଲେ ରାଜ୍ୟ ସରକାର ମିଛ କହୁ ନଥିବା ଅତ୍ୟନ୍ତ ସ୍ପଷ୍ଟ । କାରଣ, ବାଚସ୍ପତି ଦେଇଥିବା ତଥ୍ୟ ଅନୁଯାୟୀ, ଓଡ଼ିଶା ବିଧାନ ପରିଷଦ ଗଠନ ନିମନ୍ତେ ୨୦୧୪ରେ ରାଜ୍ୟ ସରକାର ଚିନ୍ତା କରିବା ପରେ ୨୦୧୫ରେ ରାଜ୍ୟର ବରିଷ୍ଠ ବିଧାୟକ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପାଂଚ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହେଲା । କମିଟିରେ ବିଧାୟକ ସାହୁଙ୍କ ସହ ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ଭୂଜବଳ ମାଝୀ, ମନୋହର ରନ୍ଧାରୀ ଓ ନିତିଶ ଗଂଗଦେବ ମଧ୍ୟ ସଦସ୍ୟ ରହି ଥିଲେ । କମିଟିର ପ୍ରଥମ ବୈଠକ ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସରେ ଅନୁଷ୍ଠିତ ହେବା ପରେ କମିଟି ସଦସ୍ୟମାନେ ୨୦୧୫ ଫେବୃୟାରୀ ୨ ଓ ମେ’ ୨୦ ଏବଂ ୨୦୧୮ ଜୁଲାଇ ୪ ଓ ଜୁଲାଇ ୧୬ ତାରିଖରେ ବିଧାନ ପରିଷଦ ଥିବା ରାଜ୍ୟ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର ଓ ତେଲେଂଗାନା ଯାଇ ବିଧାନ ପରିଷଦ ଗଠନର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିଥିଲେ । କମିଟିର ରିପୋର୍ଟ ହସ୍ତଗତ ହେବା ପରେ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୧୮ ଅଗଷ୍ଟ ୨୯ ତାରିଖରେ ଓଡ଼ିଶା ବିଧାନ ପରିଷଦ ଗଠନ ନେଇ ଏକ ସଂକଳ୍ପ ବିଧାନସଭାକୁ ପଠାଇ ଥିଲେ ।
୨୦୧୮ ସେପ୍ଟେମ୍ବର ୫ ତାରିଖ ଦିନ ରାଜ୍ୟର ସମସ୍ତ ବିଧାୟକ, ବିଧାୟିକାଙ୍କୁ ସଂକଳ୍ପର ନକଲ ବିତରଣ କରାଯିବା ପରେ ୬ ତାରିଖ ବିଧାନସଭାରେ ତାହା ଉପରେ ଆଲୋଚନା ହେଲା ଏବଂ ଭାରତୀୟ ସମ୍ବିଧାନର ୧୬୯ (୧) ଧାରା ଅନୁଯାୟୀ ବିଧାନସଭାରେ ଦୁଇ ତୃତୀୟାଂଶରୁ ଅଧିକ ସଦସ୍ୟ, ସଦସ୍ୟାଙ୍କ ଉପସ୍ଥିତରେ ଭୋଟିଂ କରାଯାଇ ସଂକଳ୍ପ ପାରିତ କରାଯାଇଥିଲା । ବିଧାନସଭାର ୧୪୭ ସଦସ୍ୟଙ୍କ ମଧ୍ୟରୁ ୧୦୪ ଜଣ ସେଦିିନ ଉପସ୍ଥିତ ଥିଲେ ଓ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ପ୍ରସ୍ତାବଟି ସର୍ବସମ୍ମତ ଭାବେ ପାରିତ ହେବା ପରେ ୧୮ ତାରିଖ ଦିନ ତାହାର ନକଲ ରାଜ୍ୟସଭା ଓ ଲୋକସଭାର ସେକ୍ରେଟାରୀ ଜେନେରାଲ, କେନ୍ଦ୍ର ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସଚିବ, ସଂସଦୀୟ ବ୍ୟାପାର ସଚିବ ଓ କମିସନର୍ ଏବଂ ଓଡ଼ିଶା ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଶାସନ ସଚିବଙ୍କୁ ପଠା ଯାଇଛି । କେନ୍ଦ୍ର ସରକାର ପ୍ରସ୍ତାବଟି ପାଇ ନାହାନ୍ତି ବୋଲି ଆଇନ ମନ୍ତ୍ରୀ ଲୋକସଭାରେ କହିବା ଆଶ୍ଚର୍ଯ୍ୟଜନକ ବୋଲି ଓଡ଼ିଶା ବିଦାନସଭା ବାଚସ୍ପତି କହିଛନ୍ତି ।
ବିଜେଡ଼ି ସାଂସଦ ଡକ୍ଟର ମହତାବ ମଧ୍ୟ ଲୋକସଭାରେ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ତିନି ବର୍ଷ ତଳେ ପଠା ଯାଇଥିବା ପ୍ରସ୍ତାବ ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ଆଇନ ଓ ନ୍ୟାୟ ମନ୍ତ୍ରୀ ୧୦ ତାରିଖ ସଂସଦରେ ଉତ୍ତର ରଖିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ମହତାବଙ୍କ କହିବା ଅନୁସାରେ, ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ଧରି ବିଜେଡ଼ି ସାଂସଦମାନେ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀଙ୍କୁ ଭେଟି ଥିଲେ ଏବଂ ତାହା ଲୋକସଭା ଓ ରାଜ୍ୟସଭାରେ ପାରିତ କରାଇବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । କାରଣ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ହିଁ ପ୍ରସ୍ତାବ ସବୁ ସଂସଦରେ ଆଗତ ହୋଇଥାଏ । କେନ୍ଦ୍ର ସରକାର ପ୍ରାସଂଗିକ ପ୍ରସ୍ତାବଗୁଡିକର ଏଭଳି ଖାମଖିଆଲି ଉତ୍ତର ରଖିବା ଗ୍ରହଣୀୟ ନୁହେଁ ବୋଲି ଡକ୍ଟର ମହତାବ କହିଛନ୍ତି । କେନ୍ଦ୍ର ସରକାର ଭୁଲ ଭୁଲ ଉତ୍ତରକୁ ସୁଧାରିବେ ବୋଲି ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି । ବିଧାନସଭାରେ ପାରିତ ସଂକଳ୍ପ କେନ୍ଦ୍ରକୁ ନ ପଠାଇବାର କିଛି କାରଣ ନାହିଁ ବୋଲି ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭାରତୀୟ ସମ୍ବିଧାନର ୧୬୯ ଧାରା ଅନୁଯାୟୀ, ବିଧାନ ପରିଷଦ ଗଠନ କରିବାକୁ ଚାହିଁଲେ ରାଜ୍ୟମାନେ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକଙ୍କ ସମର୍ଥନରେ ଏକ ପ୍ରସ୍ତାବ ଗୃହୀତ କରାଇ କେନ୍ଦ୍ରକୁ ପଠାଇଲେ ଏବଂ ତାହା ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହେଲେ ରାଜ୍ୟରେ ବିଧାନ ପରିଷଦ ଗଠନ ସମ୍ଭବ ହୋଇ ପାରିବ । ରାଜ୍ୟରେ ବିଧାନ ପରିଷଦ ଆସନ ସଂଖ୍ୟା ବିଧାନସଭା ଆସନ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ । ତେବେ, ତାହା ୪୦ରୁ ମଧ୍ୟ କମ୍ ହେବ ନାହିଁ । ବିଧାନ ପରିଷଦ ସଦସ୍ୟଙ୍କ ସେଭଳି କିଛି କ୍ଷମତା ନାହିଁ । ସରକାର ଗଢିବା ବା ଭଂଗିବାରେ ସେମାନଙ୍କ ଭୂମିକା ନାହିଁ ବା କୌଣସି ଆର୍ଥିକ ବିଲରେ ସେମାନେ ଭାଗ ନେବା ଅଧିକାର ନାହିଁ । ସେମାନେ ପରୋକ୍ଷରେ ନିର୍ବାଚିତ ବା ମନୋନୀତ ହେବେ । ବିଧାନ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସେମାନଙ୍କ ଦ୍ୱାରା ନିର୍ବାଚିତ ହେବେ । କେବଳ, ବିଧାନ ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ରାଜ୍ୟର ଜଣେ କ୍ୟାବନେଟ ମନ୍ତ୍ରୀ ପାଉଥିବା ସୁବିଧା ମିଳିବ ବୋଲି ଆଇନରେ ବ୍ୟବସ୍ଥା ରହିଛି ।
ଏହା ସତ୍ତ୍ୱେ ରାଜନୈତିକ ଥଇଥାନ ପାଇଁ ବିଧାନ ପରିଷଦ ଗଠନ କରିବାକୁ ରାଜ୍ୟମାନେ ଆଗ୍ରହୀ । କିଛି ରାଜ୍ୟ ବିଧାନ ପରିଷଦ ଗଠନ କରି ପରେ ତାହାକୁ ଭଂଗି ଦେଇଛନ୍ତି । ପଶ୍ଚିମ ବଂଗ, ରାଜସ୍ଥାନ, ଆସାମରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ବିଧାନସଭାର ଗୃହୀତ ହୋଇ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଥିବା ଜଣାପଡିଛି । ମାତ୍ର ୬ଟି ରାଜ୍ୟରେ ଏବେ ବିଧାନ ପରିଷଦ କାର୍ଯ୍ୟ କରୁଛି । ସେସବୁ ରାଜ୍ୟ ହେଉଛି – ଆନ୍ଧ୍ର ପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଂଗାନା ଓ ଉତ୍ତର ପ୍ରଦେଶ । ଓଡ଼ିଶାରେ ୪୯ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦ ଗଠନ ପ୍ରସ୍ତାବ ରହିଛି । ଏବାବଦରେ ରାଜ୍ୟ ସରକାର ବାର୍ଷିକ ୩୫ କୋଟି ଖର୍ଚ୍ଚ କରିବା ବୋଲି ରାଜ୍ୟ କ୍ୟାବିନେଟ୍ ପୂର୍ବରୁ ନିଷ୍ପତ୍ତି ନେଇ ସାରିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS