‘ହିଜାବ’ ବିବାଦ ଥମୁନି, ରାଜନେତାଙ୍କ ପରେ ବଲିଉଡ଼ ତାରକା ବିବାଦକୁ ଟାଣିଲେ


ପ୍ରସାଦ ରାଓ
ଫେବୃୟାରୀ ୧୧
କର୍ଣ୍ଣାଟକର ଉଡୁପି ଜିଲ୍ଲା କୁନ୍ଦାପୁର ପିୟୁ (ପ୍ରି-ୟୁନିଭରସିଟି) କଲେଜରେ ମୁସିଲିମ୍ ଛାତ୍ରୀଙ୍କୁ ‘ହିଜାବ’ ପିନ୍ଧି ଶିକ୍ଷାନୁଷ୍ଠାନରେ ପ୍ରବେଶ ଅନୁମତି ନ ମିଳିବାରୁ ଯେଉଁ ବିବାଦର ସୂତ୍ରପାତ ହୋଇଛି ତାହା କର୍ଣ୍ଣାଟକ ହାଇକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ଏହାକୁ ନେଇ ବାଦବିବାଦ ଥମିବା ନାଁ ନେଉ ନାହିଁ । କିଛି ଦିନ ହେଲା ବିଜେପି ଓ କଂଗ୍ରେସ ନେତାମାନେ ଏହି ପ୍ରସଙ୍ଗକୁ ନେଇ ବୟାନବାଜୀ କରୁଥିଲେ । ଏବେ, ସେଥିରେ ବଲିଉଡ଼ ବ୍ୟକ୍ତବିଶେଷ ମଧ୍ୟ ସାମିଲ ହେଲେଣି । ‘ହିଜାବ’ ସପକ୍ଷରେ ଯୁକ୍ତି ରଖୁ ଥିବା କୁନ୍ଦାପୁର ପ୍ରି-ୟୁନିଭରସିଟି କଲେଜର ସଂଖ୍ୟାଲଘୁ ଛାତ୍ରୀଙ୍କୁ ଧରାଇବା ସକାଶେ ବହୁ ସଂଖ୍ୟାରେ ଗେରୁଆ ସାଲ୍ ପିନ୍ଧା ଛାତ୍ରଛାତ୍ରୀ ସଂଗଠିତ ଟ୍ରୋଲ୍ ଚଳାଇ ଥିବା ଏବଂ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ହଇରାଣ ହରକତ କରୁଥିବା ନିନ୍ଦନୀୟ ବୋଲି ପ୍ରଖ୍ୟାତ ଗୀତିକାର ଜାଭେଦ ଅଖତାର ନିକଟରେ ମନ୍ତବ୍ୟ ଦେଇଥିଲେ । କିଛି ଦିନ ପରେ ବଲିଉଡ଼ର ଜଣାଶୁଣା ଅଭିନେତା ଅନୀଲ କୁମାରଙ୍କ ତନୟା ତଥା ଅଭିନେତ୍ରୀ ସୋନମ କପୁର ଆହୁଜା ତାଙ୍କ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ଶିଖ୍ ସଂପ୍ରଦାୟଙ୍କ ପଗଡ଼ି ପିନ୍ଧିବା ଗ୍ରହଣୀୟ ଥିବା ବେଳେ ‘ହିଜାବ’କୁ କାହିଁକି ଅନୁମତି ନାହିଁ (?) ବୋଲି ପ୍ରଶ୍ନ କରିଛନ୍ତି ।
ଇତିମଧ୍ୟରେ, ବିବାଦ କର୍ଣ୍ଣାଟକର ବ୍ୟାପକ ଅଂଚଳକୁ ମାଡି ଗଲାଣି । ରାଜ୍ୟର ବିଭିନ୍ନ ସ୍ଥାନରେ ମୁକାବିଲାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ସରକାର ତିନି ପାଇଁ ଶିକ୍ଷାନୁଷ୍ଠାନ ସବୁକୁ ବନ୍ଦ ଘୋଷଣା କରିଥିଲେ । ତେବେ, ଗୁରୁବାର ଦିନ ହାଇକୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠଙ୍କ ଅନ୍ତରୀଣ ରାୟ ପରେ ସରକାର କେବଳ ହାଇସ୍କୁଲ ଖୋଲିବାକୁ ନିର୍ଣ୍ଣୟ ନେଇଛନ୍ତି । ଅନ୍ୟପକ୍ଷରେ, ‘ହିଜାବ’ ପରିଧାନ କରି ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ ସେମାନଙ୍କୁ ଅନୁମତି ନ ମିଳିବା ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି କୁନ୍ଦାପୁର ପିୟୁ କଲେଜର କେତେକ ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରୀ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିବା ପରେ ପ୍ରଥମେ ହାଇକୋର୍ଟ ବିଚାରପତି ଜଷ୍ଟିସ କ୍ରୀଷ୍ଣା ଏସ ଦୀକ୍ଷିତଙ୍କ ଜଣିକିଆ ବେଂଚ ଏହାର ଶୁଣାଣୀ କରିଥିଲେ । ତେବେ, ପ୍ରସଙ୍ଗ ସହ ଅନେକ ସାମ୍ବିଧାନିକ ପ୍ରଶ୍ନ ଜଡିତ ଥିବାରୁ ଏହାର ଶୁଣାଣୀ ହାଇକୋର୍ଟ ମୁଖ୍ୟ ବିଚାରପତି ରିତୁ ରାଜ ଅୱସ୍ତିଙ୍କ ନେତୃତ୍ୱରେ ଏକ ବୃହତ୍ତ ଖଣ୍ଡପୀଠରେ ହେବା ଆବଶ୍ୟକ ବୋଲି କହି ବିଚାରପତି ଜଷ୍ଟିସ ଦୀକ୍ଷିତ ମାମଲାକୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇ ଦେଇଥିଲେ ।
ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଅୱସ୍ତି ତାଙ୍କ ନିକଟକୁ ମାଲା ସ୍ଥାନାନ୍ତର ହେବା ପରେ ନିଜ ସମେତ ଜଷ୍ଟିସ କ୍ରୀଷ୍ଣା ଏସ ଦୀକ୍ଷିତ ଓ ଜଷ୍ଟିସ ଖାଜି ଜୈବୁନ୍ନେସା ମୋହିଉଦ୍ଦିନଙ୍କୁ ନେଇ ଏକ ତିନି ଜଣିଆ ଖଣ୍ଡପୀଠ ଗଠନ କରିଛନ୍ତି । ଗୁରୁବାର ଦିନ ଖଣ୍ଡପୀଠରେ ମାମଲାର ଶୁଣାଣୀ ହୋଇଛି । ତେବେ, ମାମଲା ସହ ଜଡିତ ବିଭିନ୍ନ ସମ୍ବିଧାନିକ ଦିଗକୁ ଅଧିକ ତର୍ଜମା କରାଯିବାର ଆବଶ୍ୟକତା ଥିବାରୁ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣୀ ସୋମବାର (୧୪ ତାରିଖ)କୁ ଧାର୍ଯ୍ୟ କରି ଏକ ଅନ୍ତରୀଣ ରାୟ ଦେଇଛନ୍ତି । ‘ହିଜାବ’କୁ ନେଇ ଉପୁଜି ଥିବା ବିବାଦର ସମାଧାନ ନ ହେବା ଯାଉଁ ଛାତ୍ରଛାତ୍ରୀ ‘ହିଜାବ’, ଗେରୁଆ ସାଲ୍ ବା ଅନ୍ୟ କୌଣସି ବିବାଦ ସୃଷ୍ଟି କଲା ଭଳି ଧାର୍ମିର୍କ ପୋଷାକ ପିନ୍ଧି ପାରିବେ ନାହିଁ ବୋଲି ଖଣ୍ଡପୀଠ ଅନ୍ତରୀଣ ରାୟରେ କହିବା ସହ ତୁରନ୍ତୁ ଶିକ୍ଷାନୁଷ୍ଠାନ ଖୋଲିବାକୁ ଓ ଶାନ୍ତି ଶଅଙ୍ଖଳା ରକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ‘ହିଜାବ’ ବିବାଦ ହିଂସାତ୍ମକ ମୋଡ ନେବା ପରେ ସରକାର ବୁଧବାରରୁ ତିନି ଦିନ ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ । ତେବେ, ହାଇକୋର୍ଟଙ୍କ ଗୁରୁବାରର ଅନ୍ତରୀଣ ରାୟ ପରେ ଶିକ୍ଷା ମନ୍ତ୍ରଣାଳୟ ସ୍କୁଲ ଖୋଲିଛନ୍ତି । କିନ୍ତୁ, ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ରଖିଛନ୍ତି ।
ସୋମବାର ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବାକୁ ଥିବା ବେଳେ ଏହାକୁ ନେଇ ରାଜନୀତି ଥମି ନାହିଁ । ଉଭୟ ସରକାର ଓ ବିରୋଧୀ ସେମାନଙ୍କୁ ସୁହାଇଲା ଭଳି ମତ ମନ୍ତବ୍ୟ ଦେବା ଜାରି ରଖିଛନ୍ତି । ‘ହିଜାବ’ ସପକ୍ଷବାଦୀ ଛାତ୍ରୀଙ୍କ ଅଭିଯୋଗ ହେଉଛି, ୨୦୨୧ ଡ଼ିସେମ୍ବର ପୂର୍ବରୁ ଶିକ୍ଷାନୁଷ୍ଠାନରେ ‘ହିଜାବ’କୁ ନେଇ କୌଣସି ବିରୋଧ ବା ପ୍ରତିବନ୍ଧକ ନଥିଲା । ସେମାନେ ବର୍ଷ ବର୍ଷ ଧରି ଶ୍ରେଣୀକକ୍ଷକୁ ‘ହିଜାବ’ ପିନ୍ଧି ଯାଉଥିଲେ ଏବଂ ପଠାପଢା ସମୟରେ ତାହା ଖୋଲି ଦେଉଥିଲେ । ହଠାତ୍ ବିବାଦର ସୂତ୍ରପାତ ହୋଇଛି । ‘ହିଜାବ’କୁ ବିରୋଧ କରୁଥିବା ଲୋକଙ୍କ ଚାପରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସ୍କୁଲ ୟୁନିଫର୍ମକୁ ଗୁରୁତ୍ୱ ଦେଇ କରି ‘ହିଜାବ’ ଉପରେ କଟକଣା ଲଗାଇଛନ୍ତି । ‘ହିଜାବ’ ପିନ୍ଧି ଥିବା ଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ମିଳୁ ନାହିଁ । ଆଠ ଜଣ ଛାତ୍ରୀଙ୍କୁ ଦୁଇ ମାସ ଧରି ଶିକ୍ଷାରୁ ବଂଚିତ କରାଯିବା ପରେ ତାହାର ପ୍ରତିବାଦ କରାଯାଉଛି । ଶିକ୍ଷାନୁଷ୍ଠାନ ପରିସର ବାହାରେ ସେମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ଗେରୁଆ ସାଲ୍ ଓ ସ୍କାର୍ଭ ପିନ୍ଧା ବହୁ ସଂଖ୍ୟାକ ଛାତ୍ରଛାତ୍ରୀ (ଅଧିକାଂଶ ଅଣଛାତ୍ର ବୋଲି ଦାବି କରାଯାଉଛି) ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବା ସହ ସେମାନଙ୍କୁ ଭୟଭିତ କରିବାରୁ ପରିସ୍ଥିତି ହିଂସାତ୍ମକ ମୋଡ ନେଇଛି । ତେବେ, ଗୁରୁବାର ଦିନ ଶିକ୍ଷାନୁଷ୍ଠାନ ଅଧିକାରୀ ଓ ଶିକ୍ଷକମାନେ ସଂପୃକ୍ତ ସଂଖ୍ୟାଲଘୁ ଛାତ୍ରୀଙ୍କୁ ସୁରକ୍ଷା ଦେଇଥିବା ସେମାନେ ଗଣମାଧ୍ୟମ ସାମ୍ନାରେ ସ୍ୱାକାର କରିଛନ୍ତି ।
ଫେବୃୟାରୀ ୫ ତାରିଖ ଦିନ କୁନ୍ଦାପୁର ପିୟୁ କଲେଜରେ ୟୁନିଫର୍ମକୁ ବାଧ୍ୟତାମୂଳକ କରାଯାଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଜ୍ଞପ୍ତି ଜାରି ହେବା ପରେ ମାମଲା ଅଦାଲତରେ ପହଂଚିଛି । ଧାର୍ମିକ ବିଶ୍ୱାସ ଓ ଶିକ୍ଷା ସେମାନଙ୍କ ମୌଳିକ ଓ ସାମ୍ବିଧାନିକ ଅଧିକାର ବୋଲି ଦାବି କରି କିଛି ସଂଖ୍ୟାଲଘୁ ଛାତ୍ରୀ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ ଦାଖଲ କରିବା ପରେ ଅଦାଲତ ଏହାର ଶୁଣାଣୀ କରୁଛନ୍ତି । ଶେଷ ପର୍ଯ୍ୟନ୍ତ ସେମାନଙ୍କ ଲଢେଇ ଜାରି ରହିବେ ବୋଲି ସେମାନେ କହିଛନ୍ତି । ଅପରପକ୍ଷରେ, ଶିକ୍ଷାନୁଷ୍ଠାନରେ ଜାତି, ଧର୍ମ, ସଂପ୍ରଦାୟ ବା ଆର୍ଥିକ ସ୍ଥିତି ମାପଦଣ୍ଡ ନହୋଇ ସମସ୍ତଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ନିୟମ ସମାନ ରହିବା ଉପରେ ବିରୋଧ ମତ ରଖିଛନ୍ତି । କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ କରୁଥିବା ବେଳେ ମାମଲା ସୁପ୍ରିମ କୋର୍ଟକୁ ସ୍ଥାନାନ୍ତର କରାଇବା ପାଇଁ ଗତକାଲି ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଆଡୁ ଉଦ୍ୟମ ହୋଇଥିଲା । ତେବେ, ସୁପ୍ରିମ କୋର୍ଟରେ ତାଙ୍କ ଆବେଦନକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଅଗ୍ରାହ୍ୟ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣୀ ଆରମ୍ଭ କରିଥିବାରୁ ସମାଧାନ ପାଇଁ ପ୍ରଥମେ ସୁଯୋଗ ହାଇକୋର୍ଟଙ୍କୁ ମିଳିବା ଉଚିତ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ରମଣା କହିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS