ୟୁପି ମତଦାନ ଆରମ୍ଭ ବେଳେ ଚାଷୀ ହତ୍ୟା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ !
ପ୍ରସାଦ ରାଓ
ଫେବୃୟାରୀ ୧୦
୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭା ପାଇଁ ଆଜିଠାରୁ ମତଦାନ ଆରମ୍ଭ ହୋଇଛି । ସାତ ପର୍ଯ୍ୟାୟରେ ଏହି ନିର୍ବାଚନ ହେଉଛି । ଆଜି ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ୟୁପିର ୫୮ଟି ଆସନରେ ମତଦାନ ହୋଇଥିବା ବେଳେ ୧୪ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ରହିଛି । ପ୍ରଥମ ଦୁଇ ପର୍ଯ୍ୟାୟରେ ପଶ୍ଚିମ ୟୁପିର ୧୧୩ ଆସନରେ ହେଉଥିବା ମତଦାନ ଉଭୟ ଶାସକ ବିଜେପି ଓ ବିରୋଧୀଙ୍କ ପାଇଁ ବେଶ୍ ମହତ୍ତ୍ୱ ରଖୁଛି । କାରଣ, ୨୦୧୭ ବିଧାନସଭା ନିର୍ବାଚନରେ ଶାସକ ବିଜେପି ପଶ୍ଚିମ ୟୁପିରୁ ସର୍ବାଧିକ ସଂଖ୍ୟକ ବିଧାନସଭା ଆସନ ପାଇଁ ନିରଂକୁଶ ସଂଖ୍ୟାଗରିଷ୍ଠତା (୩୦୦ରୁ ଅଧିକ ଆସନ) ହାସଲ କରିଥିବା ବେଳେ ଏଥର ସମୀକରଣ ବଦଳିଛି ।
ପଶ୍ଚିମ ୟୁପି ଭୋଟର ବିଭିନ୍ନ କାରଣରୁ ୨୦୧୭ରେ ଶାସକ ସମାଜବାଦୀ ପାର୍ଟି ବିରୋଧରେ ଭୋଟ ଦେଇ ବିଜେପିକୁ କ୍ଷମତାକୁ ଆଣିଥିଲେ । ଏଥର କିନ୍ତୁ ‘ଜାଠଲ୍ୟାଣ୍ଡ୍’ ଭାବେ ପରିଚିତ ଏହି ଅଂଚଳର ଭୋଟର ବିଜେପି ବିରୋଧୀ ମତଦାନ କରିବା ନେଇ ଆଶଙ୍କା ରହିଛି । ଏହାର କାରଣ ହେଉଛି, କୃଷି ଉପରେ ନିର୍ଭରଶୀଳ ଅଂଚଳବାସୀ, ବିଶେଷକରି ଜାଠ୍ ମତଦାତା କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ବର୍ଷେରୁ ଅଧିକ ସମୟ ଧରି ଆନ୍ଦୋଳନ କରିବା ସମୟରେ ଯେଉଁ ତୀକ୍ତ ଅନୁଭବ ହାସଲ କରିଛନ୍ତି ତାହା ଏପର୍ଯ୍ୟନ୍ତ ଭୁଲି ନାହାନ୍ତି । ସେମାନଙ୍କୁ ଖାଲିସ୍ଥାନୀ, ଆନ୍ଦୋଳନଜୀବୀ ଏବଂ ଦେଶ ବିରୋଧ ଭାବେ ଚିତ୍ରଣ କରାଯାଇଥିଲା ଏବଂ ଚାଷୀ ଆନ୍ଦୋଳନ ଭଣ୍ଡୁର କରିବା ପାଇଁ ବଳ ପ୍ରୟୋଗ ମଧ୍ୟ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଦୋଳନକାରୀ ଚାଷୀ ନେତାଙ୍କ ସହ ଥରୁଟିଏ ମଧ୍ୟ ଆଲୋଚନା କରିବାକୁ ଚାହିଁ ନଥିଲେ ।
ତେବେ, ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ଶାସକ ବିଜେପି ଜାଠ୍ ମତଦାତାଙ୍କ ଅକ୍ରୋଶର ଶିକାର ହେବ, ଏହି ଭୟରେ କେନ୍ଦ୍ର ସରକାର ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଥିଲେ । ୨୦୨୧ ନଭେମ୍ବର ୧୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି କୃଷି ଆଇନ ପ୍ରତ୍ୟାହାର ନେଉଥିବା ଘୋଷଣା କରିବା ପରେ ସେହି ମାସ ୨୯ ତାରିଖ ସୁଦ୍ଧା ସଂସଦରେ ବିଲ୍ ପାରିତ କରାଯାଇ ଆଇନ ପ୍ରତ୍ୟାହୃତ କରାଯାଇଥିଲା । ତେବେ, ଚାଷୀ ସଂଗଠନ ଆନ୍ଦୋଳନ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର ନକରି ସାମୟିକ ଭାବେ ସ୍ଥଗିତ ରଖି ଥିବା ଘୋଷଣା କରି ସରକାରଙ୍କୁ ଝୁଲାଇ ରଖିଛନ୍ତି ।
ଏମଏସପି (କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ)କୁ ଆଇନଗତ ମାନ୍ୟତା ଦିଆଯିବା, ଆନ୍ଦୋଳନରେ ଭାଗ ନେଇ ଥିବା ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ପରବାରର ଜଣକୁ ସରକାରୀ ନିଯୁକ୍ତି ଦିଆଯିବା, ୨୦୨୧ ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରିରେ ଘଟି ଥିବା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରଭୃତି ଦାବି ଏପର୍ଯ୍ୟନ୍ତ ଅପୂରଣୀୟ ରହିଛି ।
କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଏମଏସପିକୁ ଆଇନଗତ ମାନ୍ୟତା ଦେବା ଦାବିର ବିଚାର ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଅନ୍ୟାନ୍ୟ ଦାବି ମାନି ନେଲେ ବୋଲି ଗଲା ଡ଼ିସେମ୍ବର ମାସ ପ୍ରଥମ ସପ୍ତାହରେ ଚାଷୀ ସଂଗଠନଙ୍କୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନ ସ୍ଥଳ ପରିତ୍ୟାଗ କରିଥିଲେ । ଦୁଇ ମାସ ପରେ ମଧ୍ୟ ଏଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନଥିବା ଚାଷୀଙ୍କୁ ଅସନ୍ତୁଷ୍ଟ କରିଛି । ସରକାର ସେମାନଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍) ଅନୁଭବ କରିବା ସହ ଜାନୁୟାରୀ ୩୧ ତାରିଖ ଦିନ ସମଗ୍ର ଦେଶରେ ‘ବିଶ୍ୱାସଘାତ ଦିବସ’ ପାଳନ କରିଛି ।
ଅପରପକ୍ଷରେ, ଚାଷୀ ଆନ୍ଦୋଳନରେ ସକ୍ରିୟ ଭାଗ ନେଇ ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାରଙ୍କୁ ବାଧ୍ୟ କରିବାରେ ପ୍ରମୁଖ ଭୂମିକା ନେଇଥିବା ଚାଷୀ ସଂଗଠନ ମଧ୍ୟରୁ କିଛି ଦୁଇଟି ଭିନ୍ନ ଭିନ୍ନ ରାଜନୈତିକ ଦଳ ଗଠନ କରି ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେଇଛନ୍ତି । ନିଜକୁ ସକ୍ରିୟ ରାଜନୀତିରୁ ଦୂରେଇ ରଖି ଥିବା କହୁଥିବା ସଂଯୁକ୍ତ କିଶାନ ମେର୍ଚ୍ଚା ପରୋକ୍ଷରେ ଶାସକ ଦଳ ବିରୋଧରେ ପ୍ରଚାର ଅଭିଯାନ ଚଳାଇଛି । ଏସକେଏମ ନେତାମାନେ ୟୁପିର ବିଭିନ୍ନ ଅଂଚଳ ଗସ୍ତ କରି ନିର୍ଦ୍ଧିଷ୍ଟ ଭାବେ କୌଣସି ରାଜନୈତିକ ଦଳକୁ ଭୋଟ ଦେବାକୁ ମତଦାତାଙ୍କୁ ପ୍ରବର୍ତ୍ତାଉ ନଥିଲେ ମଧ୍ୟ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡ଼ିଜେଲ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି, ଶିକ୍ଷିତ ବେକାରଙ୍କୁ କର୍ମନିଯୁକ୍ତ ଦେବା ନାମରେ ହୋଇଥିବା ଠକେଇ ଏବଂ ଚାଷୀଙ୍କ ପ୍ରତି ସରକାରଙ୍କ ବିଶ୍ୱାସଘାତକୁ ନଜରରେ ରଖି ଭୋଟ ଦେବାକୁ ମତଦାତାଙ୍କୁ ନିବେଦନ କରୁଛନ୍ତି, ଯାହାକି ଶାସକ ବିଜେପି ପାଇଁ ସମସ୍ୟା ହୋଇଛି ।
ଇତିମଧ୍ୟରେ, ୨୦୨୧ ଅକ୍ଟୋବର ୩ ତାରିଖ ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଆଶିଷ ମିଶ୍ରାଙ୍କୁ ଆଜି ଆଲହାବାଦ ହାଇକୋର୍ଟରୁ ଜାମିନ ମିଳିବା ରାଜ୍ୟରେ ଚର୍ଚ୍ଚର ବିଷୟ ହୋଇଛି । ସେଦିନ ତିନି କୃଷି ଆଇନ ବିରୋଧରେ ଲକ୍ଷ୍ମୀପୁର ଖେରିରେ ପ୍ରଦର୍ଶନ କରୁଥିବା ଚାଷୀଙ୍କ ଉପରେ ମିଶ୍ରା ଏସୟୁଭି ଚଢାଇ ଦେଇଥିଲେ । ଫଳରେ, ଘଟଣା ସ୍ଥଳରେ ଚାରି ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟି ଥିବା ବେଳେ ପରବର୍ତ୍ତୀ ହିଂସାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ‘ତେନି’ଙ୍କ ପୁଅ । ଯେହେତୁ ଆଶିଷ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଏବଂ ଚାଷୀ ହତ୍ୟାରେ ବ୍ୟବହୃତ ଏସୟୁଭି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର, ୟୁପି ପୁଲିସ ତଦନ୍ତକୁ ବାଟବଣା କରିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ଯୋଗୁଁ ସଫଳ ହୋଇ ନଥିଲେ ।
ମାମଲା ପିଟିସନ୍ ଆକାରରେ ସୁପ୍ରିମ କୋର୍ଟରେ ପହଂଚିବା ପରେ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସଆଇଟିର ପୁନର୍ଗଠନ କରି ପଂଜାବ-ହରିୟାଣା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱଧାନରେ ମାମଲାର ତଦନ୍ତ କରାଉଛନ୍ତି । ଏସଆଇଟି ମଧ୍ୟ ଅଦାଲତରେ ଦାଖଲ ତଦନ୍ତ ରିପୋର୍ଟ ଦାଖଲ କରି ଅକ୍ଟୋବର ୩ ତାରିଖ ଘଟଣା ଆକସ୍ମିକ ଦୁର୍ଘଟଣା ନଥିଲା, ଏକ ସୁଚିନ୍ତିତ ହତ୍ୟା ଷଡଯନ୍ତ୍ର ଥିଲା ବୋଲି ଦର୍ଶାଇବା ସହ ଏହାର ମୁଖ୍ୟ କାରପଟଦାର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ବୋଲି କହିଛନ୍ତି । ଆଶିଷଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଏବଂ ଅସ୍ତ୍ରଶସ୍ତ୍ର ଆଇନର ବିଭିନ୍ନ ଆଇପିସି ଦଫାରେ ମାମଲା ପରିଚାନା କରାଯିବାକୁ ଏସଆଇଟି ଆଦାଲତରେ ଆବେଦନ କରିଛନ୍ତି ।
ଆଶିଷ ମିଶ୍ରାଙ୍କ ବିରୋଧରେ ଏସଆଇଟି ତଦନ୍ତ ଜାରି ରହିଥିବା ଏବଂ ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ ଆଲହାବାଦ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିବା ଘଟଣା ଆଜି ଚର୍ଚ୍ଚାର ବିଷୟ ହୋଇଛି । ହାଇକୋର୍ଟଙ୍କ ନିର୍ଣ୍ଣୟ ଉପରେ କାହାରି ମନ୍ତବ୍ୟ ଦେବାର ଯୁକ୍ତିଯୁକ୍ତତା ନାହିଁ । ତେବେ, ଜାମିନ ମିଳିବା ଟାଇମିଂକୁ ନେଇ ଗଣମାଧ୍ୟମରେ ସରଗରମ ଆଲୋଚନା ଚାଲିଛି । ଲକ୍ଷ୍ମୀପୁର ଖେରି ଷଡଯନ୍ତ୍ରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ମଧ୍ୟ ସଂପୃକ୍ତି ଥିବା ବିରୋଧୀ ଓ ଚାଷୀ ସଂଗଠନ ଅଭିଯୋଗ କରିବା ସହ ତାଙ୍କ ବରଖାସ୍ତ ଦାବି କରୁଥିଲେ । ଏହି ଦାବି ଏବେ ମଧ୍ୟ ବଳବତ୍ତର ରହିଛି । ଏଭଳି ସ୍ଥିତିରେ ଆଶିଷ ମିଶ୍ରାଙ୍କୁ ଜାମିନ ମିଳିବା ମତଦା ଉପରେ ପ୍ରଭାବ ପକାଇ ପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି ।
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ତେନିଙ୍କ ବହିଷ୍କାର ଏବଂ ଏସଆଇଟି ତଦନ୍ତରେ ତାଙ୍କୁ ପକ୍ଷଭୁକ୍ତ କରାଯିବା ସଂଯୁକ୍ତ କିଶାନ ମୋର୍ଚ୍ଚାର ଦାବି ଥିଲା । ଏବେ ମଧ୍ୟ ତାହା କାଏମ ରହିଛି । ତେବେ, ଅଜୟ ମିଶ୍ରାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏବଂ ଭୋଟ ସମୟରେ ଆଶିଷ ଜାମିନରେ ବାହାରିବା ମତଦାତାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇ ପାରେ ବୋଲି ଏସକେଏମ୍ ନେତା ରାକେଶ ଟିକାୟତ ମନ୍ତବ୍ୟ ରଖିଛନ୍ତି । ତେବେ, ମୋଦୀ ସରକାର ଜନଆକ୍ରାଶକୁ ନଜରରେ ରଖି କେନ୍ଦ୍ର ମନ୍ତ୍ରୀ ତେନିଙ୍କୁ ମୂଳରୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନରୁ ଦୂରେଇ ରଖିଛନ୍ତି । ପୁଅ ଆଶିଷ ମିଶ୍ରା ଜାମିନରେ ବାହାରକୁ ଆସି ଥିବାରୁ ପରବର୍ତ୍ତୀ ପର୍ଯ୍ୟାୟ ମତଦାନରେ ତାଙ୍କ ଭୂମିକା କଣ ହେବ ଦେଖିବାକୁ ଅଛି ।
ୟୁପି ସରକାର ଆଲହାବାଦ ହାଇକୋର୍ଟରେ ଠିକ୍ ଭାବରେ ମାମଲା ପରିଚାଳନା କରିଥିଲେ ଆଶିଷଙ୍କୁ ଜାମିନ ମିଳି ନଥା’ନ୍ତା ବୋଲି ଆଇନ ବିଶେଷଜ୍ଞଙ୍କ ମତ । ସେ ଯାହା ହେଉ, ୟୁପିରେ ବିଧାନସଭାଭୋଟ ଆରମ୍ଭ ହୋଇ ସାରିଛି । ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ମୋଟ ସାତ ପର୍ଯ୍ୟାୟରେ ମାର୍ଚ୍ଚ ୭ ତାରିଖ ଦିନ ମତଦାନ ସରିବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ରହିଛି । ୨୦୨୨ ବିଧାନସଭା ନିର୍ବାଚନକୁ ନେଇ ଉଭୟ ଶାସକ ବିଜେପି ଓ ବିରୋଧୀ ଆଶାବାଦୀ ଥିବାରୁ ଏବଂ ନିର୍ବାଚନରେ ଚାଷୀ ଆନ୍ଦୋଳନର ପ୍ରଭାବ ରହୁ ଥିବାରୁ ୧୦ ତାରିଖ ଭୋଟ ଫଳାଫଳ କାହା ସପକ୍ଷରେ ଯିବ ଦେଖିବା ଅପେକ୍ଷାରେ ଅଛନ୍ତି ଦେଶବାସୀ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS