ହିଜାବ ବନାମ ଗେରୁଆ ରାଜନୀତି…!
ପ୍ରସାଦ ରାଓ
ଫେବୃୟାରୀ ୦୯
କିଛି ଦିନ ହେଲା କର୍ଣ୍ଣାଟକରୁ ଯେଉଁ ଖବର ଆସୁଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କୁହାଯାଇପାରେ । କାରଣ, ଧର୍ମକୁ ନେଇ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସମାନ୍ତରାଳ ବିଭାଜନ ଦେଖିବାକୁ ମିଳିଛି । ଗୋଟିଏ ପଟେ ହିନ୍ଦୁବାଦୀ ଓ ଅନ୍ୟପଟେ ଜିହାଦୀ ମନୋଭାବ ହିଜାବ ଓ କେଶରୀ ସ୍କାର୍ଭର ରୂପ ନେଇ ବିଭାଜନ ରେଖା ଟାଣିଛି । ୨୦୨୩ରେ ଦେଶର ନଅଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କର୍ଣ୍ଣାଟକ ସେଥିରୁ ଅନ୍ୟତମ । ତେଣୁ, ରାଜ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି କହିବା ଅତ୍ୟୁକ୍ତି ହେବ ନାହିଁ ।
କର୍ଣ୍ଣାଟକରେ ବିଜେପି ସରକାର ରହିଛି । ଆଜିର ଦିନରେ ନିର୍ବାଚନ ରାଜନୀତିରୁ ‘ବିକାଶ’ ଗାଏବ ହୋଇଯାଇଛି । ଧର୍ମ ଓ ଜାତିକୁ ନେଇ ରାଜନୀତି ନିର୍ବାଚନ ପ୍ରଚାରକୁ ସଂପୂର୍ଣ୍ଣ ଭାବେ କବଳିତ କରି ରଖି ଥିବା ୟୁପି ଓ ପଂଜାବରେ ଚାଲିଥିବା ନିର୍ବାଚନ ପ୍ରଚାରରୁ ସ୍ପଷ୍ଟ ହେଉଛି । ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରଚାର ସେମିତି କିଛି ଭିନ୍ନ ହେବା ଆଶା ନାହିଁ । ଉଡୁପି ଜିଲ୍ଲା କୁନ୍ଦାପୁର ପ୍ରି-ୟୁନିଭରସିଟି କଲେଜରୁ ଆରମ୍ଭ ହୋଇଥିବା ଧାର୍ମିକ ରାଜନୀତି କର୍ଣ୍ଣାଟକର ଅନ୍ୟ ବହୁ ଅଂଚଳକୁ ବ୍ୟାପିବା ପରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସୋମବାର ସକ୍ରିୟତା ଦେଖାଇ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ତିନି ଦିନ ପାଇଁ ବନ୍ଦ ରଖିଛନ୍ତି ।
ହିଜାବକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟରେ ଶୁଣାଣୀ ହେଉଛି । ହାଇକୋର୍ଟର ସିଂଗଲ ବେଂଚ୍ ବିଚାରପତି ଜଷ୍ଟିସ କ୍ରୀଷ୍ଣା ଏସ୍ ଦିକ୍ଷିତ ଗତକାଲିଠାରୁ ଏହି ମାମଲାର ଶୁଣାଣୀ କରୁଥିଲେ । ତେବେ, ଶିକ୍ଷାନୁଷ୍ଠାନରେ ‘ହିଜାବ’କୁ ଅନୁମତି ଦିଆଯିବ କି ନାହିଁ ଏକ ସାମ୍ବିଧାନିକ ପ୍ରସଙ୍ଗ ହୋଇଥିବାରୁ ସେ ଆଜି ମାମଲାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ରିତୁ ରାଜ ଅୱସ୍ତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଅୱସ୍ତି ଏକ ବୃହତ୍ତ ଖଣ୍ଡପୀଠ ଗଠନ କରି ଏହା ଉପରେ ଶୁଣାଣୀ ପାଇଁ ନିର୍ଣ୍ଣୟ ନେଇ ପାରନ୍ତି ବୋଲି ଏକକ ବେଂଚ ବିଚାରପତି ଜଷ୍ଟିସ ଦିକ୍ଷିତ ମାମଲା ତାଙ୍କ ନିକଯକୁ ପଠାଇ ଥିବା ସୂଚନା ମିଳିଛି । ବର୍ତ୍ତମାନ ହାଇକୋର୍ଟଙ୍କ ରାୟକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ତେବେ, ହିଜାବକୁ ନେଇ କର୍ଣ୍ଣାଟକର ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରଛାତ୍ରୀ ଅଚାନକ କାହିଁକି ଏତେଦୂର ସମ୍ବେଦନଶୀଳ ହେଲେ ? ହିଜାବକୁ ନେଇ ଦକ୍ଷିଣପନ୍ଥୀ ଛାତ୍ରଛାତ୍ରୀଙ୍କ ଏଭଳି ବିରୋଧାତ୍ମକ ପ୍ରତିକ୍ରିୟାର କାରଣ କଣ ହୋଇପାରେ ? ସେମାନେ ବହୁ ସଂଖ୍ୟାରେ ସଂଗଠିତ ହୋଇ ଗେରୁଆ ସ୍କାର୍ଭ ଓ ଉତ୍ତରୀୟ ପରିଧାନ କରିବା ପଛରେ କେଉଁମାନଙ୍କ ପ୍ରଚ୍ଛନ୍ନ ସମର୍ଥନ ରହିଛି ? ରାଜ୍ୟ ସରକାର ଗତକାଲି ପର୍ଯ୍ୟନ୍ତ ନିରବ ରହି ପରିସ୍ଥିତି ଅନିୟନ୍ତ୍ରିତ ହେବା ପରେ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେବା ପଛରେ କାହା ନିର୍ଦେଶ ରହିଛି – ଏସବୁ ପ୍ରଶ୍ନର ଉତ୍ତର କେବଳ ରାଜ୍ୟ ସରକାର ଦେଇ ପାରିବେ ।
ପାଠକ ଜାଣିବାକୁ ଉତ୍ସୁକତା ଦେଖାଇ ପାରନ୍ତି ‘ହିଜାବ’ କଣ (?), ଯାହାକୁ ନେଇ ଉଡୁପି ଜିଲ୍ଲାର ଏକ ପ୍ରି-ୟୁନିଭରସିଟି କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରସ୍ପର ବିରୋଧୀ ଆକ୍ରୋଶ ସୃଷ୍ଟି ହୋଇଛି । ହିଜାବ ହେଉଛି, ମୁସଲିମ୍ ଯୁବତୀ ଓ ମହିଳାମାନେ ନିଜ ମୁହଁ ଓ ମୁଣ୍ଡବାଳକୁ ଢଂକିବା ସକାଶେ ପରିଧାନ କରୁଥିବା ବସ୍ତ୍ର । ସାଧାରଣତଃ ମୁସଲିମ୍ ମହିଳା ଘରୁ ପଦାକୁ ବାହାରିଲେ ବୁର୍ଖା ଦ୍ୱାରା ନିଜ ଶରୀରକୁ ଆବୃତ୍ତ କରିବା ଅତି ସାଧାରଣ କଥା । ସବୁ ରାଜ୍ୟରେ ଏହା ଦେଖିବାକୁ ମିଳେ । ମୁସଲିମ୍ ଧର୍ମାବଲମ୍ବୀଙ୍କ କହିବା ଅନୁସାରେ ପ୍ରାପ୍ତବୟସ୍କା ଯୁବତୀ ନିଜ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଢାଂକି ରଖିବା ଏକ ଧାମିକ ପରଂପରା ଭାବେ ବିଚାର କରାଯାଏ । ପ୍ରାପ୍ତବୟସ୍କାମାନେ ପରପୁରୁଷଙ୍କ ନଜରରୁ ନିଜକୁ ବଂଚାଇ ରଖିବାକୁ ବୁର୍ଖା ବ୍ୟବହାର କରିଥା’ନ୍ତି । ତେବେ, ଦେଶର ପ୍ରତ୍ୟେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନର ନିଜସ୍ୱ ୟୁନିଫର୍ମ ବା ଡ୍ରେସ୍ କୋଡ୍ ଥିବାରୁ ଛାତ୍ରଛାତ୍ରୀ, ହିନ୍ଦୁ, ମୁସଲମାନ ବା ଯେକୌଣସି ଧର୍ମର ହୋଇଥା’ନ୍ତୁ, ତାହାକୁ ମାନିବାକୁ ବାଧ୍ୟ ।
ଅଚାନକ କର୍ଣ୍ଣାଟକ ଉଡୁପି ଜିଲ୍ଲାରେ ହିଜାବ ଓ ଗେରୁଆଙ୍କୁ ନେଇ ଯେଉଁ ବିବାଦର ସୂତ୍ରପାତ ହୋଇଛି ତାହା ପଛରେ ଯେ ରାଜନୀତି ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ । ଗତ ଡ଼ିସେମ୍ବର ମାସରୁ ଏହି ବିବାଦ ଆରମ୍ଭ ହୋଇଛି । ରାଜ୍ୟ ସରକାର ଗତକାଲି ସୁଦ୍ଧା ନିରବ ଦ୍ରଷ୍ଟା ଥିଲେ । ହିଜାବ ବିବାଦ କୁନ୍ଦାପୁର ଡେଇଁ ରାଜ୍ୟର ଅନ୍ୟତ୍ର ବ୍ୟାପିବା ପରେ ସରକାର ସୋମବାରରୁ ତିନି ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି । ସୋମବାର ପୂର୍ବରୁ ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାକୁ ଚାହୁଁ ଥିବା ଛାତ୍ରୀ ଓ ତାହାକୁ ବିରୋଧ କରି ଗେରୁଆ ସ୍କାର୍ଭ ଓ ଉତ୍ତରୀୟ ପରିଧାନ କରିଥିବା ହିନ୍ଦୁତ୍ୱବାଦୀ ଛାତ୍ରଛାତ୍ରୀ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ସରକାରୀ ଓ ବିରୋଧୀ ରାଜନୈତିକ ବୟାନବାଜୀରେ ବ୍ୟସ୍ତ ।
ଉଭୟ ପକ୍ଷ ନିଜ ନିଜ ଧର୍ମିୟ ଭାବନାକୁ ଜାହିର କରିବାକୁ ଏତେ ବ୍ୟଗ୍ର ଯେ ସ୍ଥିତି ଅସମ୍ଭାଳ ହେବାରୁ ସରକାରଙ୍କ ନିଦ ଭାଂଗିଲା । ରାଜ୍ୟର କେତେକ ଅଂଚଳରେ ପୁଲିସକୁ ଲାଠିମାଡ଼, ଲୁହବୁହା ବାଷ୍ପ ପ୍ରୟୋଗ କରିବାକୁ ପଡିଛି । ୧୪୪ ଧାରା ମଧ୍ୟ ଲାଗିଛି । ସରକାର ଦୁଇ ମାସ କାଳ ଏହି ବିବାଦକୁ ଖୋଲାମେଲା ଛାଡିବାରୁ ଏଭଳି ବିଷ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି । କୁନ୍ଦାପୁରା ସରକାରୀ ପ୍ରି-ୟୁନିଭରସିଟି କଲେଜରେ ଯାହା ସବୁ ଘଟିଛି ତାହା ପଛରେ ସଂପୃକ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଅନମନୀୟତାକୁ ଦାୟି କରାଯିବ କି ଗେରୁଆ ରାଜନୀତିକୁ – ତାହା ତଦନ୍ତ ସାପେକ୍ଷ । ତେବେ, ସଂପୃକ୍ତ ଶିକ୍ଷାନୁଷ୍ଠାନ ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରୀଙ୍କ ଅଭିଯୋଗ ମଧ୍ୟ ଅତି ବିଚିତ୍ର ।ସ୍କୁଲରେ ପାଠ ପଢାଉ ଥିବା ଅଧିକାଂଶ ଶିକ୍ଷକ ପୁରୁଷ ହୋଇ ଥିବାରୁ ନିଜକୁ ପବିତ୍ର ରଖିବା ପାଇଁ ସେମାନେ ‘ହିଜାବ’ ପିନ୍ଧି ଶ୍ରେଣୀକକ୍ଷରେ ବସିବାକୁ ଚାହାଁନ୍ତି ବୋଲି ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରଛାତ୍ରୀ କହୁଛନ୍ତି । ତେବେ, ଏହା ଗୁରୁ-ଶିଷ୍ୟ ପରଂପରାକୁ ଲଜ୍ଜିତ କଲା ଭଳି ଚିନ୍ତାଧାରା ବୋଲି ଅପରପକ୍ଷ ଯୁକ୍ତି କରୁଛି ।
ଶିକ୍ଷାନୁଷ୍ଠାନରେ ଅନ୍ୟୁନ ୭୦ ଜଣ ମୁସଲିମ୍ ଛାତ୍ରୀ ଥିବା ବେଳେ ଗଲା ଡ଼ିସେମ୍ବରରୁ ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନକୁ ଆସୁଥିବା ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ମିଳୁ ନଥିଲା । ୮ ଜଣ ଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ନ ମିଳିବାରୁ ସେମାନେ ସ୍କୁଲ ପରିସର ବାହାରେ ଧାରଣାରେ ବସିଥିଲେ । ସେମାନଙ୍କ ଅଭିଭାବକ ମଧ୍ୟ ସେଥିରେ ସାମିଲ ହୋଇଥିଲେ । ‘ହିଜାବ’ ସପକ୍ଷରେ ଧାରଣା ରାଜନୀତିର ରଂଗ ବଦଳାଇ ଦେଇଛି କିଛି ଛାତ୍ରଛାତ୍ରୀ ସ୍କୁଲ ୟୁନିଫର୍ମ ଉପରେ ଗେରୁଆ ସ୍କାର୍ଭ ଓ ଉତ୍ତରୀୟ ପରିଧାନ କରି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବା ସହ ବିକ୍ଷୋଭ ସ୍ଥଳରେ ପ୍ରଦର୍ଶନ କରିବାରୁ । ଏହା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବ ଧର୍ମିୟ ଧ୍ରୁବୀକରଣ ଉଦ୍ୟମ ବୋଲି ବିରୋଧୀ ସମାଲୋଚକମାନେ କରିଛନ୍ତି ।
‘ହିଜାବ’ ବିବାଦ ରାଜ୍ୟର ଅଧିକ ଅଂଚଳକୁ ବ୍ୟାପି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ପରେ ସରକାର ଚେତିଛନ୍ତି । ଛାତ୍ରଛାତ୍ରୀ ପ୍ରଚଳିତ ସ୍କୁଲ ୟୁନିଫର୍ମ ବ୍ୟତୀତ ଅନ୍ୟ କିଛି ପରିଧାନ କରି ସ୍କୁଲକୁ ଆସିଲେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ଏକ ବିଜ୍ଞପ୍ତି ଜାରି କରି ସ୍ଥିତି ନିୟନ୍ତ୍ରଣ ଉଦ୍ୟମ କରିଥିଲେ । ତଥାପି, ସ୍କୁଲ ବାହାରେ ହିଜାବ ପିନ୍ଧା ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରୀଙ୍କ ଧାରଣା ଜାରି ରହିବା ଏବଂ ଏହାକୁ ବିରୋଧ କରୁଥିବା ହିନ୍ଦୁତ୍ୱବାଦୀ ଛାତ୍ରଛାତ୍ରୀଙ୍କ ପାଲଟା ବିକ୍ଷୋଭ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବାରୁ ହିଂସାର ଆଶଙ୍କା କରି ସ୍କୁଲରେ ସୋମବାର (ଫେବୃୟାରୀ ୭ତାରିଖ)ରୁ ହିଜାବ ପରିହିତ ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ପ୍ରବେଶ ଅନୁମତି ଦିଆଯାଇଛି । ତେବେ, ସେମାନେ ‘ହିଜାବ’ ପିନ୍ଧିବା ପର୍ଯ୍ୟନ୍ତ ଶିକ୍ଷାଦାନରୁ ବଂଚିତ ରହିବେ ଓ ଭିନ୍ନ କକ୍ଷରେ ବସିବେ ବୋଲି ଜଣାଇ ଦିଆଯାଇଛି ।
‘ହିଜାବ’ ପରିଧାନ କରିଥିବା ଛାତ୍ରୀଙ୍କୁ ସ୍କୁଲରେ ପ୍ରବେଶ ଅନୁମତି ନ ମିଳିବା ଏବଂ ଗତ ଡ଼ିସେମ୍ବର ମାସରୁ ଏହି କାରଣରୁ ସେମାନଙ୍କୁ ଶିକ୍ଷାରୁ ବଂଚିତ କରାଯିବା ସେମାନଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି କୁନ୍ଦାପୁରା ସରକାରୀ ପ୍ରି-ୟୁନିଭରସିଟି କଲେଜର କିଛି ଛାତ୍ରୀ କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ ଦାଏର କରିବା ସହ ନ୍ୟାୟ ଭିକ୍ଷା କରିବାପରେ କୋର୍ଟରେ ଏହି ମମଲାର ଶୁଣାଣୀ ଚାଲିଛି । ଏସଂପର୍କରେ ଦାଏର ହୋଇଥିବା ଏକାଧିକ ପିଟିସନକୁ ଏକାଠି କରି କର୍ଣ୍ଣାଟକ ହାଇକୋର୍ଟ ୮ତାରିଖ (ମଙ୍ଗଳବାର)ରୁ ଶୁଣାଣୀ ଆରମ୍ଭ କରିଛନ୍ତି । ରାୟ ପ୍ରକାଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶାନ୍ତି ରକ୍ଷା କରିବାକୁ କୋର୍ଟ ଅନୁରୋଧ କରିଛନ୍ତି । ହିନ୍ଦୁ ଧର୍ମଗ୍ରନ୍ଥ, କୋରାନ ଏବଂ ଡ୍ରେସ୍ କୋଡ଼କୁ ନେଇ ହାଇକୋର୍ଟରେ ତର୍ଜମା ହୋଇଛି । ଉଭୟ ପକ୍ଷର ଓକିଲ ନିଜ ନିଜ ଦଲିଲ ରଖିଛନ୍ତି, ଯାହାକୁ କି କୋର୍ଟ ତର୍ଜମା କରିଛନ୍ତି । ତେବେ, ଏହା ଏକ ସାମ୍ବିଧାନିକ ପ୍ରସଙ୍ଗ ହୋଇ ଥିବାରୁ ହାଇକୋର୍ଟ ମୁଖ୍ୟ ବିଚାରପତି ଏକ ବହତ୍ତର ବେଂଚ ଗଠନ କରି ଏହାର ଶୁଣାଣୀ କରାଇପାରନ୍ତି ବୋଲି ବିଚାର କରି ଜଷ୍ଟିସ କ୍ରୀଷ୍ଣା ଏସ୍ ଦିକ୍ଷିତଙ୍କ ସିଂଗଲ ବେଂଚ ମାମଲାକୁ ମୁଖ୍ୟ ବିଚାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ହାଇକୋର୍ଟଙ୍କ ରାୟ କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଏଭଳି ସ୍ଥିତିରେ, ସୋମବାର ହିଜାବ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଆନ୍ଦୋଳନ ସ୍ଥଳରୁ ଛୁରୀ ଧରି ବୁଲୁ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି । ଅନ୍ୟ ତିନି ଜଣ ଖସି ପଳାଇ ଥିବା ଉଡୁପିର ଅତିରିକ୍ତ ପୁଲିସ ଏସପି ଏସଟି ସିଦ୍ଦଲିଂଗାପ୍ପା ଗଣମାଧ୍ୟକୁ କହିଛନ୍ତି । ଗିରଫ ଦୁଇ ଯୁବକଙ୍କ ନିକଟରୁ ଛୁରୀ ଜବତ ହୋଇଛି ଓ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟ ତିନି ଜଣଙ୍କୁ ଧରିବା ଉଦ୍ୟମ ଚାଲିଛି । ଅଭିଯୁକ୍ତମାନେ ସ୍ଥାନୀୟ ଅଧିବାସୀ ନୁହନ୍ତି, ଗଂଗୋଲିରୁ ଆସିଥିଲେ ବୋଲି ସିଦ୍ଦଲିଂଗାପ୍ପା ସୂଚନା ଦେଇଛନ୍ତି । ଏଥିରୁ ରାଜନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ଉଭୟ କଂଗ୍ରେସ ଓ ବିଜେପି କୁନ୍ଦାପୁର ଘଟଣାରୁ ରାଜନୈତିକ ଫାଇଦା ନେବାକୁ ବ୍ୟଗ୍ର ଥିବା ଦେଖିବାକୁ ମିଳୁଛି ।
କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ହିଜାବ ପିନ୍ଧି ସ୍କୁଲକୁ ଆସୁ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ପ୍ରବେଶ ଅନୁମତି ନ ମିଳିବା ସେମାନଙ୍କ ସାମ୍ବିଧାନିକ ଅଧିକାରର ଉଲଂଘନ ବୋଲି କହିଛନ୍ତି । ସମ୍ବିଧାନର ଧାରା ୨୫ (ରାଇଟ୍ ଟୁ ଫେଥ୍) ଓ ୨୧-କ ଧାରା (ଶିକ୍ଷା ଅଧିକାର)କୁ ସେ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । ଅପରପକ୍ଷରେ, ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ‘ତାଲିବାନୀ’ ହେବାକୁ ଦିଆଯିବ ନାହିଁ ବୋଲି ବିଜେପି ନେତାଙ୍କ ଚେତାବନୀ ଦେବା ଏବଂ ଦେଶର ବରିଷ୍ଠ ବିଜେପି ନେତାମାନେ ହିଜାବ ବିରୋଧରେ ମତ ରଖିବା ରାଜନୈତି କଫାଇଦା ପାଇଁ ସେମାନଙ୍କ ଦୌଡ଼କୁ ସ୍ପଷ୍ଟ କରୁଛି ।
କର୍ଣ୍ଣାଟକ ସରକାର ଆଜି ବେଂଗାଲୁରୁର ସମସ୍ତ ସ୍କୁଲ, ପିୟୁ କଲେଜ, ଡ଼ିଗ୍ରୀ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାର ମୁଖ୍ୟ ଫାଟକ ନିକଟରୁ ୨୦୦ ମିଟର ବ୍ୟାସାର୍ଦ୍ଧ ଅଂଚଳରେ ଛାତ୍ରଛାତ୍ରୀ ସମାଗମ, ପ୍ରତିବାଦ, ବିକ୍ଷୋଭ ପ୍ରଭୃତି ଉପରେ ଦୁଇ ସପ୍ତାହ ପାଇଁ ନିଷେଧାଦେଶ ଜାରି କରିଛନ୍ତି ।
ହିଜାବ ପିନ୍ଧା ଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନରେ ସାମୟିକ ଭାବେ ପ୍ରବେଶ ଅନୁମତି ଦିଆଯିବା ନିମନ୍ତେ ଆଜି କୋର୍ଟରେ ହୋଇଥିବା ଆବେଦନକୁ ଆଡ଼ଭୋକେଟ ଜେନେରାଲଙ୍କ ଆଡୁ ଦୃଢ ବିରୋଧ କରାଯାଇଥିଲା । ଏଭଳି ସ୍ଥିତିରେ, ହିଜାବ ସପକ୍ଷବାଦୀ ଓ ବିରୋଧୀ ରାଜନୈତିକ ନେତାମାନେ ବୟାନବାଜୀ ଜାରି ଥିବାରୁ ପରିସ୍ଥିତି ଅଧିକ ସ୍ପର୍ଶକାତର ହୋଇଛି । ଆସନ୍ତା ବର୍ଷ ମାର୍ଚ୍ଚ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ହିଜାବକୁ ନେଇ ରାଜ୍ୟର ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଓ ବିଜେପି ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ମାମଲା କର୍ଣ୍ଣାଟକ ହାଇକୋର୍ଟରେ ଥିବାରୁ ଅତିଶୀଘ୍ର ସମାଧାନର ରାସ୍ତା ଖୋଲିବ ବୋଲି ଆଶା କରାଯାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS