ସୁର ସାମ୍ରାଜ୍ଞି ‘ଭାରତ ରତ୍ନ’ ଲତା ମଂଗେସ୍କରଙ୍କ ଶେଷକୃତ୍ୟ ସଂପନ୍ନ
ମୁମ୍ବାଇ
ଫେବୃୟାରୀ ୦୬
କୋକିଳ କଣ୍ଠି ଲତା ମଂଗେସ୍କରଙ୍କ ଦେହାନ୍ତ ଖବର ସମଗ୍ର ଦେଶକୁ ଦୁଃଖର ସାଗରରେ ଭସାଇ ଦେଇଛି । ଆଜି ରାତି ୭ଟା ୧୯ ମିନିଟରେ ମୁମ୍ବାଇ ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।କୋଭିଡ଼ରେ ଆକ୍ରାନ୍ତ ହୋଇ ସେ ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବାରୁ ତାଙ୍କୁ ଭେଂଟିଲେଟରରୁ ବାହାରକୁ ଅଣା ଯାଇଥିଲା । ତେବେ, ଶନିବାର ତାଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ବିଗିଡ଼ିବାରୁ ତାଙ୍କୁ ଭେଂଟିଲେଟରରେ ରଖା ଯାଇଥିଲା । ଆଜି ସକାଳ ୮ଟା ୧୨ ମିନିଟରେ ଲତାଙ୍କ ପରଲୋକ ଘଟିଛି । ଲତା ୨୮ରୁ ଅଧିକ ଦିନ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ମଲ୍ଟି ଅର୍ଗାନ ଫେଲ୍ୟୁଏର୍ କାରଣରୁ ଲତାଙ୍କ ମୃତ୍ୟୁ ଘଟି ଥିବା ବ୍ରିଚ୍ କାଣ୍ଡି ହସ୍ପିଟାଲରେ ତାଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ପ୍ରତୀପ ସାମଦାନି କହିଛନ୍ତି । ଏହି କିମ୍ବଦନ୍ତୀ ଗାୟିକାଙ୍କ ମୃତ୍ୟୁରେ ଦେଶବ୍ୟାପୀ ଦୁଇ ଦିନ ଶୋକ ପାଳନ ପାଇଁ ଘୋଷଣା କରାଯାଇଛି । ତାଙ୍କ ସମ୍ମାନାର୍ଥେ ଦୁଇ ଦିନ ସମଗ୍ର ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଲତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାର ରାଜ୍ୟରେ ୭ ତାରିଖ ସରକାରୀ ଛୁଟି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅବର୍ତ୍ତମାନ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ତାହା ଅପୂରଣୀୟ ବୋଲି କହିଛନ୍ତି । ରାଜନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ୍ ଜଗତ ପର୍ଯ୍ୟନ୍ତ ସବୁଠି ଲତାଙ୍କ ମୃତ୍ୟୁ ଖବର ଶୋକର ଛାୟା ଖେଳାଇ ଦେଇଛି । ସାଧାରଣ ଜନତା ମଧ୍ୟ ଲତାଙ୍କ ଗାୟନକୁ ମନେ ପକାଇ ଦୁଃଖରେ ଭାଂଗି ପଡିଛନ୍ତି । ଦେଶ ସୁର ସାମ୍ରାଜ୍ଞିଙ୍କୁ ହରାଇଛି ସତ, କିନ୍ତୁ ସେ ଛାଡି ଯାଇଥିବା ଅସଂଖ୍ୟ ସୁରିଲା ସଂଗୀତ ଅଗାମୀ ପୀଢି ପାଇଁ ପ୍ରେରଣାଦାୟୀ ହୋଇ ରହିବ । ଲତା ଜୀ ପ୍ରାଥମିକ ଭାବେ ହିନ୍ଦୀ ଓ ମରାଠୀ ଭାଷାରେ ଗୀତ ଗାଇବା ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ୩୬ଟି ଭାଷା ଓ କିଛି ବିଦେଶୀ ଭାଷାରେ ମଧ୍ୟ ତାଙ୍କ ଗୀତ ରେକର୍ଡ କରାଇଛନ୍ତି । ଦୀର୍ଘ ସାତ ଦଶକ ଧରି ସେ ଭାରତୀୟ ସଂଗୀତ ଜଗତରେ ରାଜତ୍ୱ କରି ଆସିଥିଲେ । ୧୯୮୭ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ‘ଦାଦାସାହେବ ଫାଲକେ’ ପୁରସ୍କାରରେ ସମ୍ମାନୀତ କରିଥିଲେ । ୨୦୦୧ରେ ତାଙ୍କୁ ‘ଭାରତ ରତ୍ନ’ ସମ୍ମାନ ମିଳି ଥିଲା । ଏମ.ଏସ.ଶୁଭଲକ୍ଷ୍ମୀଙ୍କ ପରେ ସେ ହେଉଛନ୍ତି ଦ୍ୱିତୀୟ ମହିଳା ସଂଗୀତ ସାମ୍ରାଜ୍ଞୀ ଯିଏକି ‘ଭାରତ ରତ୍ନ’ ପାଇଛନ୍ତି । ଫ୍ରାନ୍ସ ସରକାର ମଧ୍ୟ ୨୦୦୭ରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ନ୍ୟାସନାଲ ଅଡର ଅଫ୍ ଦିନ ଲିଜିୟନ ଅଫ୍ ଅନର’ରେ ସମ୍ମାନିତ କରିଛନ୍ତି । ଲତା ମଂଗେସ୍କର ତିନି ଥର ‘ନ୍ୟାସନାଲ ଫିଲ୍ମ ଆୱାର୍ଡ’ ପାଇବା ସହ ସାତ ଦଶକର ସାଧନା ଭିତରେ ଅଗଣିତ ଅନ୍ୟାନ୍ୟ ପୁରସ୍କାର ମଧ୍ୟ ପାଇଛନ୍ତି । ଲତା ୧୯୨୯ରେ ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଦୀନନାଥ ମଂଗେସକର ଥିଲେ ଜଣେ ମରାଠି ଓ କେଂକଣି ସଂଗୀତଜ୍ଞ । ମାତା ସେଭନ୍ତି ଗୁଜରାଟର । ଲତା ଥିଲେ ପରିବାରରେ ବଡ଼ । ତାଙ୍କ ଅନ୍ୟ ତିନି ଭଉଣୀ ମୀନା, ଆଶା, ଉଷା ଓ ଭାଇ ହ୍ରିଦୟନାଥ ମଂଗେସ୍କର – ସମସ୍ତେ ସଂଗୀତଜ୍ଞ । ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ପିତାଙ୍କ ଦେହାନ୍ତ ଘଟି ଥିଲା । ସେହି ଦିନରୁ ଲତା ପରିବାରର ବୋଝ ନିଜ କାନ୍ଧକୁ ନେଇ ଥିଲେ । ଗଲା ଜାନୁୟାରୀ ୮ ତାରିଖ ଦିନ କୋଭିଡ଼ର ସାମାନ୍ୟ ଲକ୍ଷଣ ଦେଇବାକୁ ମିଳିବାରୁ ତାଙ୍କୁ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ଼ ଲକ୍ଷଣ ସହ ନିମୋନିଆ କାରଣରୁ ଅସୁସ୍ଥ ଥିବା ଲତାଙ୍କୁ ଉପଯୁକ୍ତ ଚିକିତ୍ସା ଓ ଯତ୍ନର ଅବଶ୍ୟକତା ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପରିବାରବର୍ଗ କହିଥିଲେ । ଆଜି ୯୨ ବର୍ଷ ବୟସରେ ତାଙ୍କ ଦେହାନ୍ତ ଘଟିଛି । ଆଜି ସନ୍ଧ୍ୟାରେ ଶିବାଜୀ ପାର୍କରେ ତିନି ବାହିନୀ ପକ୍ଷରୁ ଭାରତ ରତ୍ନ ଲତା ମଂଗେସ୍କରଙ୍କୁ ସଂପୂର୍ଣ୍ଣ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କ ଶରୀର ଉପରେ ଘୋଡା ଯାଇଥିବା ଜାତୀୟ ପତାକାକୁ ଅନ୍ତିମ ସଂସ୍କାର ପୂର୍ବରୁ ସେନା ଅଧିକାରୀମାନେ ପରଂପରା ଅନୁଯାଇ ହଟାଇ ନେଇ ଥିଲେ । ସନ୍ଧ୍ୟା ୭ଟା ୧୯ ମିନିଟରେ ଲତାଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଲତା ଅବିବାହିତ ଥିଲେ । ଲତାଙ୍କ ଶେଷକୃତ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟେଲ,ଏନସିପି ମୁଖ୍ୟ ଶରଦ ପାୱାର, ପୂର୍ବତନ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର, ସାଂସଦ ସୁପ୍ରିୟା ସୁଲେ, ରାଜ୍ ଠାକରେ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତା, ଗାୟିକା ଅନୁରାଧା ପୋଡୱାଲ,କବିତା କୃଷ୍ଣମୂର୍ତ୍ତି, ଗାୟକ ଶଙ୍କର ମହାଦେବନ, ବଲିଉଡ଼ ଅଭିନେତା ସାହାରୁଖ ଖାନ, ରଣବୀର କପୁର, ଅଭିନେତ୍ରୀ ଶ୍ରଦ୍ଧା କପୁର, ଲିରିସିଷ୍ଟ୍ ଜାଭେଦ ଅଖତାରଙ୍କ ସମେତ ସଂପୂର୍ଣ୍ଣ ବଲିଉଡ଼, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଶିବାଜୀ ପାର୍କରେ ପହଂଚି ଲତାଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ଶେଷ ସମ୍ମାନ ଅର୍ପଣ କରିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ସମେତ ଅନ୍ୟମାନେ ମରଶରୀର ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଂଜଳୀ ଜଣାଇ ଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS