ବଗତୁଇ ହିଂସାକୁ ନେଇ ବିଜେପି-ଟିଏମସି ମୁହାଁମୁହିଁ
ପ୍ରସାଦ ରାଓ
ମାର୍ଚ୍ଚ ୨୪
ପଶ୍ଚିମ ବଂଗ ବୀରଭୂମ ଜିଲ୍ଲା ରାମପୁରହାଟ ସହର ନିକଟସ୍ଥ ବଗତୁଇ ଗ୍ରାମରେ ମଂଗଳବାର ଘଟି ଥିବା ଜଘଣ୍ୟ ହିଂସା ଛାତି ଥରାଇ ଦେଲା ଭଳି ହୋଇଛି । ସୋମବାର ସନ୍ଧ୍ୟାରେ ଶାସକ ଟିଏମସିର ଜଣେ ପଂଚାୟତସ୍ତର ନେତାଙ୍କୁ ବୋମା ମାଡ଼ କରି ହତ୍ୟା କରାଯିବା ଘଟଣାକୁ ନେଇ ମଂଗଳବାର ଆଠ ଜଣଙ୍କୁ ଜୀବନ୍ତ ଜାଳି ଦିଆଯାଇଛି । ଟିଏମସି ସମର୍ଥକମାନେ ଏଭଳି ଜଘଣ୍ୟ କାଣ୍ଡ ଘଟାଇଥିବା ବିଜେପି ଅଭିଯୋଗ କରିଛି । ଘଟଣାର ସିବିଆଇ ତଦନ୍ତ, ମୁଖ୍ୟମନ୍ତ୍ରୀଙ୍କ ବହିଷ୍କାର ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ବିଜେପି ପକ୍ଷରୁ ଜୋରଦାର ଦାବି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣା ପଛରେ ଗଭୀର ଷଡଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । ବିଜେପି, କଂଗ୍ରେସ ଓ କମ୍ୟୁନିଷ୍ଟଙ୍କୁ ଏଥିପାଇଁ ଦାୟୀ କରି ତାଙ୍କ ସରକାରକୁ ବଦନାମ କରିବା ଓ ରାଜ୍ୟରେ ବଡ଼ ଧରଣର ଦଂଗା ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ଥିଲା ବୋଲି ସେ କହିଛନ୍ତି ।
ବଗତୁଇ ଗ୍ରାମରେ ମଂଗଳବାର ଘଟି ଥିବା ଅଗ୍ନିକାଣ୍ଡରେ ତିନି ଜଣ ମହିଳା ଓ ଦୁଇ ଜଣ ଶିଶୁଙ୍କ ସମେତ ମୋଟ ଆଠ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତଙ୍କୁ ନିସ୍ତୁକ ମାଡ ମରା ଯିବା ପରେ ଘର ଭିତରେ ପୁରାଇ ନିଆଁ ଲଗାଇ ଦିଆଯାଇଥିବା ଫୋରେନ୍ସିକ ବିଭାଗର ପ୍ରାଥମିକ ରିପୋର୍ଟରେ କୁହାଯାଇଛି । ୮ ଜଣ ଯାକ ଜୀବନ୍ତ ଜଳି ଯାଇଛନ୍ତି । ତେବେ, ଏହା ପଛରେ ବିରୋଧୀଙ୍କ ଯେଉଁ ହୀନ ଉଦ୍ଦେଶ୍ୟ ଥିଲା ତାହା ସଫଳ ହୋଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ ଆଜି ବଗତୁଇ ଗ୍ରାମ ଗସ୍ତରେ ଥିବା ଅବସରରେ କହିଛନ୍ତି । ମୁଖ୍ୟମନ୍ତ୍ରୀ କଡ଼ା ସୁରକ୍ଷା ବ୍ରବସ୍ଥା ମଧ୍ୟରେ ଆଜି ସେହି ଗ୍ରାମକୁ ଯାଇ ମୃତକଙ୍କ ପରିବାର, ସଂପର୍କୀୟ ଓ ଗ୍ରାମବାସୀଙ୍କୁ ଭେଟିଛନ୍ତି ।
ଘଟଣାଟି ଘଟିଛି ଏହିଭଳି । ସୋମବାର ସନ୍ଧ୍ୟାରେ ଭଦ୍ଦୁ ଶେଖ ନାମକ ଜଣେ ପଂଚାୟତସ୍ତର ନେତାଙ୍କୁ କିଛି ଦୁର୍ବୁତ୍ତ ବୋମା ଫିଙ୍ଗି ହତ୍ୟା କରବା ପରେ ମଂଗଳବାର ବଗତୁଇ ଗ୍ରାମରେ ୮ ଜଣଙ୍କୁ ଜୀବନ୍ତ ଜାଳି ଦିଆଯାଇଛି । ଭଦ୍ଦୁ ଶେଖଙ୍କ ହତ୍ୟାର ପ୍ରତିଷୋଧ ନେବା ସକାଶେ ଟିଏମସି ସମର୍ଥକମାନେ ଏଭଳି ଜଘଣ୍ୟ କାର୍ଯ୍ୟ କରିଥିବା ବିଜେପି ଅଭିଯୋଗ କରିବା ସହ ଟିଏମସି ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବହିଷ୍କାର ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ଦାବି କରୁଥିବା ବେଳେ ମମତା ତାଙ୍କ ସରକାରକୁ ନିନ୍ଦିତ କରିବା ପାଇଁ ବିଜେପି ଓ ଅନ୍ୟ ବିରୋଧୀଙ୍କ ଏହା ଏକ ଘୃଣ୍ୟ ଷଡଯନ୍ତ୍ର ବୋଲି ପାଲଟା ଅଭିଯୋଗ କରିଛନ୍ତି ।
ବଗତୁଇ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି । ପୁଲିସ ଅନ୍ୟୁନ ୨୦ ଜଣଙ୍କୁ ଗିରଫ କଲେଣି । ତେବେ, ରାଜ୍ୟରେ ସରକାରୀ ଦଳ ପକ୍ଷରୁ ଚାଲି ଥିବା ‘ରାଜନୈତିକ ହିଂସା’ ନିତିଦିନିଆ ବୋଲି ଅଭିଯୋଗ କରି ବିଜେପି ନେତୃବର୍ଗ ମଂଗଳବାର ଘଟଣାର ସିବିଆଇ ତଦନ୍ତ ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ଦାବି କରିଛନ୍ତି । ରାଜ୍ୟ ସରକାର ଯେଉଁ ଏସଆଇଟି ତଦନ୍ତ କରାଉଛନ୍ତି ତାହା ଉପରେ ଭରସା ନଥିବା ବିଜେପି କହିଛି । ରାଜ୍ୟ ବିଜେପି ନେତାମାନେ ଘଟଣାର କେନ୍ଦ୍ରୀୟ ତଦନ୍ତ ଦାବି କରିଥିବା ବେଳେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ମଧ୍ୟ ଏକ କେନ୍ଦ୍ରୀୟ ଟିମ୍ କୁ ପଠାଇଛନ୍ତି । ଫଳରେ, ଟିଏମସି ଓ ବିଜେପି ମଧ୍ୟରେ ପୁନର୍ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପଶ୍ଚିମ ବଂଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମଂଗଳବାର ଘଟଣାକୁ ନେଇ ଚାଲି ଥିବା ଟ୍ୱିଟ୍ ଯୁଦ୍ଧ ଏହାର ଏକ ଜ୍ୱଳନ୍ତ ଉଦାହରଣ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବଗତୁଇ ଗ୍ରାମରେ ଘଟି ଥିବା ଘଟଣାକୁ ‘ଅତ୍ୟନ୍ତ ଜଘଣ୍ୟ’ ବୋଲି ବୁଧବାର ସଂଧ୍ୟାରେ କହିଛନ୍ତି । ଏଭଳି ଜଘଣ୍ୟ କାଣ୍ଡ ଘଟାଇଥିବା ଦୁର୍ବୁତ୍ତଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେବା ସହ ଏଦିଗରେ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ପଶ୍ଚିମ ବଂଗ ଜନସାଧାରଣ ଏଭଳି ରାଜନୈତିକ ହିଂସାକୁ ବରଦାସ୍ତ ନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିବା ଘଟଣାକୁ ନେଇ ଚାଲି ଥିବା ରାଜନୀତିକୁ ଅଧିକ ସ୍ପଷ୍ଟ କରିଛି ।
ପଶ୍ଚିମ ବଂଗରେ ୨୦୨୧ ପ୍ରାରମ୍ଭରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରୁ ବିଜେପି-ଟିଏମସି ସଂପର୍କ ତୀକ୍ତ ରହି ଆସିଛି । ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଦୁଇ ଦଳ ପରସ୍ପର ପ୍ରତି ଦୋଷାରୋପ କରୁଥିଲେ । ବଗତୁଇ ଘଟଣା ବିବାଦକୁ ଇଂଧନ ଯୋଗାଇଛି । ମଂଗଳବାର ଘଟଣାକୁ ନେଇ ବିଜେପି ବନାମ ଟିଏମସି ରାଜନୀତି ସରଗରମ ଥିବା ବେଳେ ଘଟଣାର ସିବିଆଇ ତଦନ୍ତ ଦାବିରେ କୋଲକାତା ହାଇକୋର୍ଟରେ ଆବେଦନ ହୋଇଛି । ହାଇକୋର୍ଟ ଏହି ଆବେଦନକୁ ବିଚାର ପାଇଁ ଗ୍ରହଣ କରି ଦୁର୍ବୁତ୍ତଙ୍କୁ ଧରିବାରେ ରାଜ୍ୟ ସରକାର ନେଇ ଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ ବୋଲି ମନ୍ତବ୍ୟ ଦେଇଛନ୍ତି । ଆନ୍ତତଃ ସାକ୍ଷୀଙ୍କୁ ସୁରକ୍ଷିତ ସୁରକ୍ଷିତ ରଖିବାକୁ ଓ ଘଟଣାସ୍ଥଳରେ ସିସିଟିଭିର ବନେ୍ଦାବସ୍ତ କରାଯିବାକୁ ହାଇକୋର୍ଟ ପକ୍ଷରୁ ସରକାରଙ୍କୁ ନିର୍ଦେଶ ଦିଆଯାଇଛି । କୋର୍ଟରେ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି ।
ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବଗତୁଇ ଗ୍ରାମକୁ ଯାଇ ମୃତକଙ୍କ ପରିବାର, ସଂପର୍କୀୟ ଓ ଗ୍ରମାବାସୀଙ୍କୁ ଭେଟିଛନ୍ତି । ମଂଗଳବାର ଘଟଣା ‘ଅତ୍ୟନ୍ତ ହୃଦୟବିଦାରକ’ ବୋଲି ସେ ମନ୍ତବ୍ୟ ରଖିବା ସହ ଏହା ପଛରେ ବଡ଼ ଧରଣର ରାଜନୈତିକ ଷଡଯନ୍ତ୍ର ଥିବା ପାଲଟା ଅଭିଯୋଗ କରିଛନ୍ତି । ଯେଉଁମାନଙ୍କ ଘର ଜାଳି ଯାଇଛି ସେମାନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ ବୋଲି ସେ ଘୋଷଣା କରିଥିଲେ । ତେବେ, ତାହା ପର୍ଯ୍ୟାପ୍ତ ନୁହେଁ ବୋଲି ଗ୍ରାମବାସୀ କହିବାରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ପୀଡ଼ିତଙ୍କୁ କ୍ଷତିପୂରଣ ଚେକ୍ ଦେବା ସହ ସେ କ୍ଷତିଗ୍ରସ୍ତ ପରିବାରଙ୍କୁ ଚାକିରୀ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ମଂଗଳବାର ହିଂସା ପଛରେ ବଡ଼ ଷଡଯନ୍ତ୍ର ଥିବାରୁ ରାଜ୍ୟ ପୁଲିସ ସବୁ ଦିଗରୁ ଏହାର ତଦନ୍ତ କରିବ ଓ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ମମତା ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
ଭଦ୍ଦୁ ଶେଖଙ୍କ ହତ୍ୟାକାଣ୍ଡ ପରେ ଘଟିଥିବା ବଗତୁଇ ଘଟଣାରେ ଯେଉଁ ୮ ଜଣଙ୍କ ଜୀବନ୍ତ ଦବ୍ଧ ଘଟଣା ଘଟିଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଟିଏ ପରିବାରର ବୋଲି ଜଣାପଡିଛି । ଜଳି ଯାଇଥିବା ଶବଗୁଡିକ ଚିହ୍ନଟ ହେବା ଅବସ୍ଥାରେ ନାହିଁ । ତେବେ, ସେମାନଙ୍କୁ ପୋଡି ଦିଆଯିବା ପୂର୍ବରୁ ନିସ୍ତୁକ ମାଡ଼ ଦିଆଯାଇଥିଲା ବୋଲି ଶବ ଫୋରେନ୍ସିକ ବିଶେଷଜ୍ଞମାନେ କହିଛନ୍ତି । ରାମପୁରହାଟ ହସପିଟାଲରେ ଫୋରେନ୍ସିକ ପରୀକ୍ଷା ହୋଇ ପ୍ରାଥମିକ ରିପୋର୍ଟ ସାମ୍ନାକୁ ଆସିଛି । ରାଜ୍ୟ ସରକାର ଏସଆଇଟି ଗଠନ କରି ବଗତୁଇ ଘଟଣାର ତଦନ୍ତ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି । ଏସଆଇଟି ପକ୍ଷରୁ ଯେଉଁ ୨୦ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ସେଥିରେ ମୃତ ଟିଏମସି ନେତା ଭଦ୍ଦୁ ଶେଖଙ୍କ ପୁଅମାନେ ଥିବା ସୂଚନା ମିଳିଛି ।
ପୋଲିସ ଆଡୁ ଦମନମୂଳକ କାର୍ଯ୍ୟାନୁଷ୍ଠାନ ବା ଗିରଫଦାରୀ ଭୟରେ ବହୁ ଗ୍ରାମବାସୀ ଗାଁ ଛାଡୁ ଥବା ଖବର ମିଳି ଥିବା ବେଳେ ପଶ୍ଚିମ ବଂଗ ପୁଲିସ ସୋମବାର ଓ ମଂଗଳବାର ଘଟଣାକୁ ନେଇ ଦୁଇଟି ଭିନ୍ନ ଭିନ୍ନ ଏତଲା ଦାଏର କରି ତଦନ୍ତ କରୁଥିବା ଜଣାପଡିଛି । ବିଜେପି ସମତେ ବିଭିନ୍ନ ବିରୋଧୀ ରାଜନୈତିକ ଦଳର ନେତାମାନେ ଗତମାଲି ଅଲଗା ଅଲଗା ବଗତୁଆ ଗ୍ରାମକୁ ଯାଇ ମଂଗଳବାର ଘଟଣାକୁ ନେଇ ତଥ୍ୟ ସଂଗ୍ରହ କରିଛନ୍ତି । ଏହା ଟିଏମସି ସରକାରଙ୍କ ରାଜନୈତିକ ହିଂସାର ଆଉ ଏକ ନମୂନା ବୋଲି ବିରୋଧୀ ଦାବି କରିଥିବା ବେଳେ ବିରୋଧୀ ଘଟଣାକୁ ଯେତେ ରାଜନୈତିକ ରଂଗ ଦିଅନ୍ତୁ ନା କାହିଁକି ରାଜ୍ୟ ସରକାର ଘଟଣାର ପୁଂଖାନୁପୁଂଖ ତଦନ୍ତ କରି ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି ।
ବଡ଼ ଧରଣର ଦଙ୍ଗା ଷଡଯନ୍ତ୍ର ବିଫଳ ହେବାରୁ ବିରୋଧୀ ତାଙ୍କ ସରକାରକୁ ନିନ୍ଦିତ କରିବାକୁ ରାଜନୈତିକ ରଂଗ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ ଯେଉଁ ଅଭିଯୋଗ କରିଛନ୍ତି ସେଥିରେ କେତେ ଦମ୍ ଅଛି, ତାହା ନିରପେକ୍ଷ ତଦନ୍ତ ହେଲେ ହିଁ ଜଣାପଡିବ । ରାଜ୍ୟ ପୁଲିସକୁ ନେଇ ଗଠିତ ଏସଆଇଟି କେତେଦୂର ନିରପେକ୍ଷ ହୋଇ ପାରିବେ, ତାହା ହିଁ ଆଜିର ବଡ଼ ପ୍ରଶ୍ନ । କେବଳ ପଶ୍ଚିମ ବଂଗ ନୁହେଁ, ୟୁପି ଓ ଅନ୍ୟ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଏକାଭଳି ଘଟଣା ଘଟୁଛି । ତେବେ, ସେସବୁ ଘଟଣାରେ ନିରବ ରହୁଥିବା ନେତାମାନେ ବଗତୁଇ ଘଟଣାକୁ ନେଇ ମୁଖର ହୋଇ ଉଠିବା ପଛରେ ଥିବା ରାଜନୀତି ଦୂରରେ ଥାଇ ମଧ୍ୟ ଅନୁଭବ କରି ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS