ରାଜ୍ୟର ଦୁଇ ମନ୍ତ୍ରୀଙ୍କ ପିଛା ଛାଡୁନି ବିବାଦ !
ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୨୨
ରାଜ୍ୟର ଦୁଇ ଜଣ ବରିଷ୍ଠ ମନ୍ତ୍ରୀଙ୍କ ପିଛା ଛାଡୁନି ବିବାଦ । ଦୁଇ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ରାଜ୍ୟର ଆଇନ ମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟ ଜଣକ ହେଲେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ମନ୍ତ୍ରୀ ଜେନା ନିଜ ନିର୍ବାଚନ ମଣ୍ଡଳୀର ଦୁଇ ଜଣ ବରିଷ୍ଠ ବିଜେପି ନେତାଙ୍କ ହତ୍ୟା ଷଡଯନ୍ତ୍ରରେ ସଂପୃକ୍ତ ଥିବା ନେଇ ଥାନାରେ ଏତଲା ରହିଛି । ପୁଲିସ ମନ୍ତ୍ରୀଙ୍କ ନାମକୁ ଏତଲାରୁ ବାଦ୍ ଦେଇଥିଲେ ମଧ୍ୟ ଅଦାଲତଙ୍କ ହସ୍ତକ୍ଷେପ ପରେ ପୁନର୍ବାର ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବାଧ୍ୟ ହୋଇଛନ୍ତି । ସେହିଭଳି, ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟତ୍ରୀ ଥିବା ମମିତା ମେହେର ହତ୍ୟାକୁ ନେଇ ବିବାଦ ଘେରରେ । ଗତ ଅକ୍ଟୋବର ମାସରେ ମମିତାଙ୍କୁ ଅପହରଣ ଓ ହତ୍ୟା କରାଯାଇ ଖାତ ଖୋଳି ପୋତି ଦିଆଯାଇଥିଲା । ସେଠି ମଧ୍ୟ ସେକ୍ସ୍ ସ୍କାଣ୍ଡାଲ୍ ଓ ମୋବାଇଲ୍ ଚିପ୍ ପାଇଁ ହତ୍ୟାକାଣ୍ଡ ଘଟି ଥିଲା ।
ମମିତାଙ୍କ ଅପହରଣ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ସ୍କୁଲର ପରିଚାଳନା ପରିଷଦ ସଭାପତି ଗୋବିନ୍ଦ ସାହୁଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଘନିଷ୍ଟତାକୁ ନେଇ ବିରୋଧୀ ତୁମ୍ବିତୋଫାନ କରିବା ସହ ତାଙ୍କ ବହିଷ୍କାର ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲେ । ମମିତା ମେହେର ହତ୍ୟା ଘଟାଣାରେ ମଧ୍ୟ ବିରୋଧୀ ଆଇନ ମନ୍ତ୍ରୀ ଜେନାଙ୍କୁ ଟାର୍ଗେଟ କରିବାକୁ ପଛାଇ ନଥିଲେ । ଗଲା ଫେବୃୟାରୀ ମାସରେ ହୋଇଥିବା ପଂଚାୟତ ନିର୍ବାଚନରେ ଦୁଇ ମନ୍ତ୍ରୀଙ୍କ ବହିଷ୍କାର ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ ଥିଲା । ତେବେ, ବିଜେପି ଓ କଂଗ୍ରେସର ଜୋରଦାର ଆନ୍ଦୋଳନ ସତ୍ତ୍ୱେ ଫଳାଫଳ ବିଜେଡ଼ି ସପକ୍ଷରେ ଯିବାରୁ ବିରୋଧୀ ଅପପ୍ରଚାର କରୁଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମୁହଁରେ ତାଲା ଲଗାଇ ଦେଇଥିଲେ ।
ତେବେ, ଦୁଇ ମନ୍ତ୍ରୀ ଏବେ ଏକ ନୂଆ ବିବାଦ ଭିତରକୁ ଟାଣି ହୋଇଛନ୍ତି । ଗତ ଫେବୃୟାରୀ ମାସରେ ରାଜଧାନୀ ଉପକଂଠରେ ଘଟିଥିବା ଲୋମହର୍ଷକ ମାନସ ସ୍ୱାଇଁ ହତ୍ୟା ଘଟଣା ସହ ସେମାନଙ୍କର କୌଣସି ପ୍ରତ୍ୟକ୍ଷ ସଂପର୍କ ନଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସାମ୍ବାଦିକା ଶମିଷ୍ଠା ରାଉତଙ୍କ ସହ ସେମାନଙ୍କ ଫଟୋ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି । ଶମିଷ୍ଠାଙ୍କ କ୍ୟାମେରାମ୍ୟାନ ମାନସଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପରେ ମୁଖ୍ୟ ଅଭିଯୁକ୍ତ ଥିବା ସାମ୍ବାଦିକା ଶର୍ମିଷ୍ଠାଙ୍କ ସହ ଦୁଇ ମନ୍ତ୍ରୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ମୃତ ମାନସଙ୍କ ପତ୍ନୀ ଓ ପରିବାରବର୍ଗ ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଉଠାଇବା ସହ ଘଟଣାର ସିବିଆଇ ତଦନ୍ତ ଦାବି କଲେଣି । ହତ୍ୟାକାଣ୍ଡର ତଦନ୍ତ କରୁଥିବା ଭଦ୍ରକ ଜିଲ୍ଲା ପୁଲିସ (ଚାନ୍ଦବାଲି ପୁଲିସ) ଇତିମଧ୍ୟରେ ୫ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ବୈଷୟିକ ନିର୍ଦେଶକ ନିରଂଜନ ସେଠୀ ଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନଚିହ୍ନ ଲଗାଇଛି ।
ମୃତ ଭିଡ଼ିଓଗ୍ରାଫର ମାନସ ସ୍ୱାଇଁଙ୍କ ଘର ନୟାଗଡ଼ ଜିଲ୍ଲାରେ । ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱର ସହର ଉପକଂଠ ଦୟାଲ ଆଶ୍ରମରେ । ତାଙ୍କୁ ଅପହରଣ କରାଯାଇଥିଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟସ୍ଥ ପଳାଶପୁର ରାସ୍ତାରୁ । ଶବ ପୋତା ହେଲା ନୟାଗଡ଼ର ରାଜସୁନାଖଳା ନିକଟ ଜଂଗଲରେ । ତେବେ, ଘଟଣାର ଅୟମାରମ୍ଭ ଚାନ୍ଦବାଲିରୁ ହୋଇଥିବାରୁ ମାନସଙ୍କ ପରିବାର ଚାନ୍ଦବାଲି ଥାନରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ମାମଲାକୁ ପ୍ରଥମେ ସେତେଟା ଗୁରୁତ୍ୱ ନଦେଇ ତଦନ୍ତରେ ଶିଥିଳତା ଦେଖାଇ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ଏକ ଲୋମହର୍ଷକ ଅପହରଣ, ହତ୍ୟା ଓ ପ୍ରମାଣ ନଷ୍ଟ ଉଦ୍ୟମ ବୋଲି ତଦନ୍ତରୁ ଜାଣିବା ପରେ ତଦନ୍ତକୁ ଅଧିକ ଜୋରଦାର କରିଛନ୍ତି ।
ପୁଲିସ ପ୍ରଥମେ ମାନସଙ୍କ ଜଣେ ସହାୟକଙ୍କୁ ଠାବ କରି ପଚରା ଉଚୁରା କରିଥିଲେ ଓ ସଂପୃକ୍ତ ସହାୟକଙ୍କ ମୋବାଇଲ ଫୋନକୁ ତଦନ୍ତ ପରିସରଭୁକ୍ତ କରି ସେଥିରୁ କଲ୍ ଡ଼ିଟେଲ୍ ସଂଗ୍ରହ କରିଥିଲେ । ତାହାକୁ ଭିତ୍ତି କରି ଭଦ୍ରକ ପୁଲିସ ରାଜଧାନୀ ଉପକଂଠରୁ ତିନି ଜଣ ସୁପାରି କିଲର୍ ଙ୍କୁ ଉଠାଇବା ପରେ ତଦନ୍ତରେ ଅଗ୍ରଗତି ଘଟିଲା । ସେମାନଙ୍କୁ ଜେରା କରାଯାଇ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ଜଂଗଲରୁ ମାନସଙ୍କ ଗଳିତ ଶବ ଗୋଟିଏ ଖାତ ଭିତରୁ ଉଦ୍ଧାର ହେଲା । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ଫେରାର ଥିବା ବେଳେ ଚାନ୍ଦବାଲି ପୁଲିସ ସୋମବାର ଦିନ ଏହି ହତ୍ୟା ଷଡଯନ୍ତ୍ରରେ ସଂପୃକ୍ତି ଥିବା ଅଭିଯୋଗରେ ବରିଷ୍ଠ ଓଇଏସ୍ (ଅବସରପ୍ରାପ୍ତ) ସେଠୀ ଓ ରଂଜନ ନାୟକ ନାମକ ଅନ୍ୟ ଜଣକୁ ଗିରଫ କରି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରିବାକୁ ଜାଲ ବିଛାଇଛନ୍ତି । ଶମିଷ୍ଠା ରାଜଧାନୀରୁ ‘ସମୀକ୍ଷା’ ନାମକ ପାକ୍ଷୀକ ପତ୍ରିକା ସହ ଏକ ୱେବ୍ ଚ୍ୟାନେଲ ଚଳାଇଛନ୍ତି ।
ଶର୍ମିଷ୍ଠାଙ୍କୁ ଧରିବା ପାଇଁ ପୁଲିସ ତିନିଟି ଟିମ୍ ଗଠନ କରି ଚଢାଉ ଜାରି ରଖିଛନ୍ତି । ମୁଖ୍ୟ ଅଭିଯୁକ୍ତ କିଛି ଦିନ ଧରି ଓଡ଼ିଶାର ବିଭିନ୍ନ ଅଂଚଳରେ ଆତ୍ମଗୋପନ କରିବା ପରେ ଆନ୍ଧ୍ର ପ୍ରଦେଶ ପଳାଇ ଥିବା ଏବଂ ବିଜୟୱାଡାରେ ଜଣେ ସଂପର୍କିୟଙ୍କ ଘରେ ଥିବା ଖବର ପାଇ ପୁଲିସର ଗୋଟିଏ ଟିମ୍ ସେଠାକୁ ଯାଇଥିବା ଜଣାପଡିଛି । ଶମିଷ୍ଠାଙ୍କୁ ଏଯାବତ୍ ଧରିବାରେ ପୁଲିସ ସଫଳ ହୋଇ ନଥିବା ବେଳେ ସେ କିନ୍ତୁ ଆଗୁଆ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବାରୁ ଶର୍ମିଷ୍ଠାଙ୍କୁ ଧରିବା ସକାଶେ ପୁଲିସ ତତ୍ପରତା ବଢିଛି । ଶର୍ମିଷ୍ଠାଙ୍କ ସହ ଅନ୍ୟ ଜଣେ ମହିଳା ମଧ୍ୟ ଏଥିରେ ସଂପୃକ୍ତ ଥିବା ଜଣାପଡିଛି । ତେବେ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଗିରଫ ହେବା ପରେ ମାନସ ହତ୍ୟା ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଭଦ୍ରକ ଏସପି ଚରଣ ସିଂହ ମୀନା ଆଜି ଗଣମାଧ୍ୟମକୁ କହିଛନ୍ତି । ଶର୍ମିଷ୍ଠାଙ୍କ ସହ ରାଜ୍ୟର ଦୁଇ ମନ୍ତ୍ରୀଙ୍କ ଫଟୋ ବିଷୟରେ ସେ କିଛି କହି ପାରିବେ ନାହିଁ ବୋଲି ମୀନା କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ମାନସ ହତ୍ୟା ଘଟଣାରେ ଶର୍ମିଷ୍ଠା ମୁଖ୍ୟ ଅଭିଯୁକ୍ତ ଅଛନ୍ତି । ଅବସରପ୍ରାପ୍ତ ସୂଚନା ଓ ଲୋକ ସଂପର୍କ ନିର୍ଦେଶକ (ବୈଷୟିକ) ସେଠୀ ମାନସ ଅପହରଣରେ ସିଧାସଳଖ ସଂପୃକ୍ତ ନଥିଲେ ମଧ୍ୟ ଭୁବନେଶ୍ୱର ଦୟାଲ ଆଶ୍ରମରେ ଘଟି ଥିବା ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ । ସେ ଓ ରଂଜନ ନାୟକ ମିଶି ମାନସଙ୍କୁ ନିସ୍ତୁକ ମାଡ଼ ମାରି ଥିଲେ । ଏନେଇ ପୁଲିସ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଭଦ୍ରକ ଏସପି ମୀନା କହିଛନ୍ତି । ମାନସଙ୍କ ମୃତ୍ୟୁ ପରେ ଶବକୁ ନେଇ ନୟାଗଡ଼ ବଧିପାଟନା ଜଂଗଲରେ ପୋତିବାରେ ମଧ୍ୟ ସେଠୀ ଓ ନାୟକଙ୍କ ଭୂମିକା ରହିଥିବା ପୁଲିସ ସୂଚନା ଦେଇଛି । ଅଭଯୁକ୍ତଙ୍କ ବିରୋଧରେ ପୁଲିସ ହତ୍ୟା ସମେତ ଆଇପିସିର ବିଭିନ୍ନ ସଂଗୀନ ଦଫାରେ ମାମଲା ରୁଜୁ କରିଛି ।
ତେବେ, ଯେଉଁ ମେରୋରୀ କାର୍ଡ଼ ବା ‘ଚିପ୍’କୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ତାହା ଏପର୍ଯ୍ୟନ୍ତ ପୁଲିସର ହସ୍ତଗତ ହୋଇ ନାହିଁ । ‘ଚିପ୍’ ମିଳିଲେ ମାନସ ସ୍ୱାଇଁ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବ ଓ ହତ୍ୟା ପଛରେ ଆଉ କାହାର ସଂପୃକ୍ତି ରହିଛି ପଦାକୁ ଆସିବ ବୋଲି ପୁଲିସ କହୁଥିବା ବେଳେ ‘ଚିପ୍’ଟି କେଉଁଠି, କାହା ପାଖରେ ଅଛି, ତାହା ରହସ୍ୟ ମଧ୍ୟରେ ରହିଛି । ମମିତା ମେହେର ହତ୍ୟାକାଣ୍ଡରେ ମଧ୍ୟ ଏଭଳି ଏକ ‘ମୋବାଇଲ୍ ଚିପ୍’ ଖୋଜା ଚାଲି ଥିଲା, ଯାହାକି ଆଜି ସୁଦ୍ଧା ମିଳି ନାହିଁ । ବର୍ତ୍ତମାନ ସୁଦ୍ଧା ମାନସ ହତ୍ୟାକାଣ୍ଡକୁ ନେଇ ଯେତିକି ସୂଚନା ମିଳିଛି ସେଥିରୁ ଗାଟିଏ କଥା ସ୍ପଷ୍ଟ ହେଉଛି, ଭୁବନେଶ୍ୱରସ୍ଥିତ ‘ଦୟାଲ ଆଶ୍ରମ’ କେବଳ ଏକ ବୃଦ୍ଧାଶ୍ରମ ନଥିଲା, ସେଠାରେ ଉପର ମହଲାରେ ଥିବା ୱେବ୍ ପୋର୍ଟାଲ କାର୍ଯ୍ୟାଳୟରେ ଅନୈତିକ କାର୍ଯ୍ୟକଳାପ ମଧ୍ୟ ଚାଲି ଥିଲା । କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏଥିରେ ସଂପୃକ୍ତ ଥିଲେ ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ୱେବ୍ ଚ୍ୟାନେଲ କର୍ମଚାରୀ ଥିଲେ । କୌଣସି କାରଣରୁ ଗତ ଜାନୁୟାରୀ ମାସରେ ସେ ସଂସ୍ଥା ଛାଡି ଥିଲେ ମଧ୍ୟ ଗୋଟେ ଅଧେ ଭିଡ଼ିଓ ଚିପ୍ ଦାବି ରଖି ଥିଲେ । ଯାହାକି ତାଙ୍କ ମୃତ୍ୟୁର କାରଣ ହେଲା । ଏହି ଭିଡ଼ିଓ ଚିପ୍ ପାଇବା ପାଇଁ ଅପହରଣ, ହତ୍ୟା ଓ ଶବ ଗାଏବ ଭଳି ଅପରାଧ ଘଟିଲା । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦେଶକ ପଦରେ ଥିବା ଜଣେ ବରିଷ୍ଠ ଅଧିକାରୀ ଏହି ଅବୈଧ କାର୍ଯ୍ୟକଳାପରେ ସାମିଲ ରହିବା ଓ ହତ୍ୟା ଅଭିଯୋଗରେ ଗିରଫ ହେବା ମାମଲାକୁ ଅଧିକ ଗମ୍ଭୀର କରିଛି । ସଂପୃ୍କ୍ତ ଅଧିକାରୀ ନିରଂଜନ ସେଠୀ ପୁଲିସ ଦ୍ୱାରା ଗିରଫ ହେବା ପରେ ହତ୍ୟାକାଣ୍ଡ ସହ ସେ ସଂପୃକ୍ତି ନୁହନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ ମଧ୍ୟ ଶମିଷ୍ଠାଙ୍କ ସହ ତାଙ୍କ ଘନିଷ୍ଟତା ପଦାରେ ପଡି ଯାଇଛି । ସେଠୀ ନିୟମିତ ଭାବେ ଦୟାଲ ଆଶ୍ରମ ଯାଉଥିଲେ ବୋଲି ପୁଲିସ କହିଛି ।
ହତ୍ୟାକାଣ୍ଡ ଘଟିବା ପୂର୍ବରୁ ଓ ପରେ ସେଠୀ ବାରମ୍ବାର ଶମିଷ୍ଠାଙ୍କ ମୋବାଇଲକୁ କଲ୍ କରି ଯୋଗାଯୋଗରେ ଥିବାର ପୁଲିସ କଲ୍ ରେକର୍ଡରୁ ଜାଣାପାରିଛି । ସେଠୀଙ୍କୁ ହତ୍ୟା ଘଟଣା ସହ ଯୋଡିବା ପାଇଁ ଏହା ବଡ଼ ପ୍ରମାଣ ଭାବେ ବିଚାର କରାଯାଉଛି । ସେଠୀ ଠିକ୍ ଅବସର ଗ୍ରହଣ କରିବା ପୂର୍ବରୁ ଶର୍ମିଷ୍ଠାଙ୍କ ପାକ୍ଷୀକ ପତ୍ରିକା ‘ସମୀକ୍ଷା’କୁ ସରକାରୀ ସ୍ୱୀକୃତି ଦେଇ ସରକାରୀ ବିଜ୍ଞାପନ ପାଇବାର ହକଦାର୍ କରିବା ମଧ୍ୟ ସେମାନଙ୍କ ମଧ୍ୟରେ ଅନ୍ତରଂଗ ସଂପର୍କର ଖୁଲାସା କରିଛି । ମାନସ ହତ୍ୟା ସହ ତାଙ୍କ ସଂପୃକ୍ତ ନାହିଁ ବୋଲି ସେଠୀ ଯେତେ ଜୋରରେ କହିଲେ ମଧ୍ୟ ପୁଲିସ ଯେତିକି ପ୍ରମାଣ ଯୋଗାଣ କଲାଣି ସେ ଜାଲରୁ ଫିଟିବା ସହଜ ନୁହେଁ ବୋଲି ଏବେ ଆଲୋଚନା ହେଉଛି । ତେବେ, ଆଉ କିଏ ବଡ଼ ବଡ଼ିଆ ଏହି ଅନୈତିକ କାରବାରରେ ସଂପୃକ୍ତ ଓ ସେମାନଙ୍କ ନିକଟରେ ପୁଲିସ ପହଂଚି ପାରୁଛି କି ନାହିଁ, ତାହା ଦେଖିବା ସମୟ ଆସିଛି । ଶର୍ମିଷ୍ଠା ଗିରଫ ହେଲେ ହିଁ ତାହା ସମ୍ଭବ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS