ଶର୍ମିଷ୍ଠାଙ୍କ ପ୍ରତି ଥିଲା ସେଠୀଙ୍କ ଆଶୀର୍ବାଦ !
ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୨୧
ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଚାଂଚଲ୍ୟକର ହତ୍ୟାର ତଦନ୍ତ କରୁଥିବା ଭଦ୍ରକ ଜିଲ୍ଲା ପୁଲିସ ଏହି ହତ୍ୟା ଷଡଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗରେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଅବସରପ୍ରାପ୍ତ ଓଆଇଏସ୍ (ଓଡ଼ିଶା ଇନଫର୍ମେସନ ସର୍ଭିସ ଅଧିକାରୀ) ନିରଂଜନ ସେଠୀଙ୍କୁ ଗିରଫ କରିଛନ୍ତି । ସେଠୀ ନିକଟରେ ସୂଚନା ଓ ଲୋକସଂପର୍କ ବିଭାଗ ବୈଷୟିକ ନିର୍ଦେଶକ ପଦରୁ ଅବସର ନେଇଥିଲେ । ତାଙ୍କ ସହ ରାଜ୍ ଓରଫ ରଂଜନ ନାୟକ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଫଳରେ, ଆଜି ସୁଦ୍ଧା ଏହି ହତ୍ୟା ଘଟଣାରେ ଗିରଫ ସଂଖ୍ୟା ପାଂଚକୁ ବୃଦ୍ଧି ପାଇଛି । ହତ୍ୟାର ଶିକାର ହୋଇଥିବା ମାନସ ସ୍ୱାଇଁ ଭୁବନେଶ୍ୱରରେ ଗୋଟିଏ ସରକାରୀ ସ୍ୱୀକୃତିପ୍ରାପ୍ତ ୱେବ୍ ଚ୍ୟାନେଲରେ କ୍ୟାମେରାମ୍ୟାନ କାର୍ଯ୍ୟ କରୁଥିଲେ । ଚାକିରୀ ଛାଡିବା ପରେ ମଧ୍ୟ ତାଙ୍କ ନିକଟରେ ରହି ଯାଇଥିବା ଏକ ‘ଚିପ୍’ ବା ମେମୋରୀ କାର୍ଡ଼ ଫେରସ୍ତ ପାଇବା ପାଇଁ ତାଙ୍କୁ ଅପହରଣ କରାଯିବା ସହ ପିଟି ପିଟି ମାରି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ପ୍ରମାଣ ନଷ୍ଟ ପାଇଁ ମାନସଙ୍କ ଶବକୁ ନୟାଗଡ଼ ଜିଲ୍ଲାର ଏକ ଜଂଗଲରେ ପୋତି ଦିଆଯାଇଥିଲା । ଭଦ୍ରକ ପୁଲିସ ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ପୁଲିସ କହିବା ଅନୁଯାୟୀ, ଅପହରଣ ସମୟରେ ଅବସରପ୍ରାପ୍ତ ଓଆଇଏସ୍ ସେଠୀ ଘଟଣା ସ୍ଥଳରେ ଉପସ୍ଥିତ ନଥିଲେ ମଧ୍ୟ ମାନସଙ୍କୁ ଅପହରଣ କରାଯାଇ ଭୁବନେଶ୍ୱର ଅଣାଯିବା, ଦୟାଲ ଆଶ୍ରମରେ ନିର୍ଯ୍ୟାତନା ଦିଆଯିବା ଷଡ଼ଯନ୍ତ୍ରରେ ସାମିଲ ଥିଲେ । ମାନସଙ୍କୁ ନିର୍ଯ୍ୟାତନା ଦିଆଯିବା ସମୟରେ ସେଠୀ ଓ ରାଜ୍ ଉପସ୍ଥିତ ଥିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁଲିସ ଏହି ହତ୍ୟା ଘଟଣାର ତଦନ୍ତ କରି ପ୍ରଥମେ ତିନି ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କ ନିକଟରୁ ମିଳିଥବା ତଥ୍ୟକୁ ଧରି ଅନ୍ୟମାନଙ୍କୁ ଗିରଫ କରିଛି । ମାନସ ଯେଉଁ ୱେବ୍ ଚ୍ୟାନେଲର କ୍ୟାମରାମ୍ୟାନ ଥିଲା ତାହାର ମାଲିକାଣି ହେଉଛନ୍ତି ଶର୍ମିଷ୍ଠା ରାଉତ । ଶର୍ମିଷ୍ଠା ରାଜଧାନୀର ଏକ ପ୍ରମୁଖ ଗଣମାଧ୍ୟମରେ କ୍ରାଇମ୍ ରିପୋର୍ଟର ଭାବେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ନିଜର ୱେବ୍ ଚ୍ୟାନେଲ ଖୋଲି ଥିଲେ । ଚ୍ୟାନେଲ ସହ ସେ ଦୟାଲ ଆଶ୍ରମ ମଧ୍ୟ ଚଳାଉ ଥିଲେ । ‘ଦୟାଲ ଆଶ୍ରମ’ର ତଳ ମହଲାରେ ଅସହାୟ ବୃଦ୍ଧ, ବୃଦ୍ଧାଙ୍କୁ ରଖା ଯାଇ ସେବା କରାଯାଉଥିଲା । ଉପର ମହଲାରେ ଥିବା ୱେବ୍ ଚ୍ୟାନେଲ କାର୍ଯ୍ୟାଳୟରେ ରାତି ଅଧିଆ କଣ ସବୁ ସୁଟିଂ ହେଉଥିଲା । କଣ ସଟିଂ ହେଉଥିଲା ତାହା ଏପର୍ଯ୍ୟନ୍ତ ପୁଲିସ ସ୍ପଷ୍ଟ କରି ନାହିଁ । ମାନସ ନିକଟରେ ଯେଉଁ ‘ଚିପ୍’ ବା ମେମୋରୀ କାର୍ଡ ଥିଲା ତାହା ମଧ୍ୟ ଆଜି ସୁଦ୍ଧା ପୁଲିସକୁ ମିଳି ନାହିଁ ।
ତେବେ, ୱେବ୍ ଚ୍ୟାନେଲ କାର୍ଯ୍ୟାଳୟରେ ଅଶ୍ଲୀଳ ଭିଡ଼ିଓ ସୁଟିଂ ହେଉଥିଲା ବୋଲି ପୁଲିସର ସନ୍ଦେହ ଦୃଢ ହେବାରେ ଲାଗିଛି । ମାନସ ଶର୍ମିଷ୍ଠାଙ୍କ ନିର୍ଦେଶରେ ସୁଟିଂ କାର୍ଯ୍ୟ କରୁଥିଲେ । କୌଣସି କାରଣରୁ ସେ ଚାକିରୀ ଛାଡି ଥିଲେ ମଧ୍ୟ ତାଙ୍କ ନିକଟରେ ଥିବା ଏକ ‘ଚିପ୍’ ବା ମେମୋରୀ କାର୍ଡ ଶର୍ମିଷ୍ଠାଙ୍କୁ ଫେରାଇ ନଥିଲେ । ତେଣୁ, ‘ଚିପ୍’ ଫେରାଇବା ପାଇଁ ତାଙ୍କ ଉପରେ ଚାପ ଥିଲା । ମାନସ ତାହା ଫେରାଉ ନଥିବା ଦେଖି ସେ ଏକ ବାହାଘରର ସୁଟିଂ ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲିକୁ ଯାଇଥିବା ଖବର ପାଇ ଶର୍ମିଷ୍ଠା ସେଠାରେ ପହଂଚି ତାଙ୍କୁ ମାଡ଼ ମାରିବା ସହ ସେଠାରୁ ଜବରଦସ୍ତ ଭୁବନେଶ୍ୱର ଦୟାଲ ଆଶ୍ରମକୁ ଉଠାଇ ଆଣି ଥିଲେ । ଆଶ୍ରମରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇ ହତ୍ୟା କରାଯିବା ସହ ପ୍ରମାଣ ନଷ୍ଟ ପାଇଁ ଶବକୁ ନୟାଗଡ଼ ଜିଲ୍ଲା ରାଜସୁୁନାଖଳା ବଧିପାଟଣା ଜଂଗଲରେ ପୋତି ଦିଆଯାଇଥିଲା ।
ମାନସଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଗୋଡିପେଖରିଆ ଗ୍ରାମରେ । ଫେବୃୟାରୀ ୭ ତାରିଖ ଦିନ ସେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଯାଇ ସେଠାରୁ ନିଖୋଜ ହୋଇ ଥିବାରୁ ପୁଲିସରେ ଏତଲା ପରେ ଚାନ୍ଦବାଲି ପୁଲିସ ତଦନ୍ତ ଆରମ୍ଭ କରି ଥିଲେ । ମାର୍ଚ୍ଚ ୧୨ ତାରିଖ ଦିନ ନୟାଗଡ଼ ବଧିପାଟଣା ଜଂଗଲରୁ ମାନସଙ୍କ ଶବ ଉଦ୍ଧାର କରାଯାଇଛି । ଅପହରଣ ଓ ହତ୍ୟାର ନାୟିକା ଶର୍ମିଷ୍ଠା କୁହାଯାଉଥିବା ବେଳେ ପୁଲିସ ଏଯାବତ୍ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ । ଶର୍ମିଷ୍ଠା ମୁଖ୍ୟ ଷଡଯନ୍ତ୍ରକାରୀ ସନ୍ଦେହ କରାଯାଉଥିଲେ ମଧ୍ୟ ପୁଲିସ ଏସଂପର୍କରେ ତଦନ୍ତ ଚାଲିଥିବା କହୁଛି । ଶର୍ମିଷ୍ଠାଙ୍କ ସହ ଅନ୍ୟ ଜଣେ ମହିଳା ଘଟଣାରେ ସଂପୃକ୍ତ ଥିବା କୁହାଯାଉଛି । ମାନସଙ୍କୁ ଅପହରଣ କରି ଭୁବନେଶ୍ୱର ଦୟାଲ ଆଶ୍ରମ ଅଣାଯିବା ପରେ ନିସ୍ତୁକ ମାଡ ମରାଯାଇଥିବା ଏବଂ କୌଣସି ଧାରୁଆ ଅସ୍ତ୍ରର ବ୍ୟବହାର ହୋଇଥିବା ପୁଲିସ ଅନୁମାନ କରୁଛି । ଦୟାଲ ଆଶ୍ରମରେ ମାନସଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯିବା ସମୟରେ ବରିଷ୍ଠ ଓଆଇଏସ୍ ନିରଂଜନ ସେଠୀ ଓ ରାଜ୍ ସେଠାରେ ଉପସ୍ଥିତ ଥିଲେ । ହତ୍ୟା ଘଟଣାରେ ଅଭିଯୁକ୍ତମାନଙ୍କ ସଂପୃକ୍ତି ନେଇ ପୁଲିସ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡା ଗଣମାଧ୍ୟମକୁ କହିଥିବା ଜଣାପଡିଛି ।
ଗିରଫ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦେଶକ ସେଠୀ କେବଳ ବିଭାଗରେ ନୁହେଁ, ରାଜ୍ୟ ସରକାରରେ ମଧ୍ୟ ଜଣେ ପ୍ରଭାବଶାଳୀ ଅଧିକାରୀ ଭାବେ ଜଣାଶୁଣା ଥିଲେ । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବହୁ ୱେବ୍ ନ୍ୟୁଜ୍ ପୋର୍ଟାଲ ଓ ୱେବ୍ ଚ୍ୟାନେଲ ଖୋଲିଛି । ରାଜ୍ୟ ସରକାରଙ୍କ ସ୍ୱୀକୃତି ପାଇଁ ସଂସ୍ଥା ସବୁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ନିକଟରେ ଆବେଦନ କରି ବର୍ଷ ବର୍ଷ ଅପେକ୍ଷା କରିଥିଲେ ମଧ୍ୟ ସେମାନଙ୍କୁ ସ୍ୱୀକୃତି ଓ ପ୍ରୋତ୍ସାହନ ମିଳୁ ନାହିଁ । ଶର୍ମିଷ୍ଠା ରାଉତ କେମିତି ଅନାୟାସରେ ସରକାରୀ ସ୍ୱୀକୃତି ପାଇ ଥିଲେ ବୋଲି ମାନସ ହତ୍ୟାକାଣ୍ଡ ସାମ୍ନାକୁ ଆସିବା ପରେ ମୁଖ୍ୟସ୍ରୋତ ଗଣମାଧ୍ୟମ ପ୍ରଶ୍ନ ଉଠାଇ ଥିଲେ । ନିକଟରେ ଅବସର ନେଇଥିବା ଓଆଇଏସ୍ ସେଠୀଙ୍କ ଆଶୀର୍ବାଦ ଯେ ଶର୍ମିଷ୍ଠାଙ୍କ ମୁଣ୍ଡରେ ଥିଲା ତାହା ସେଠୀ ଗିରଫ ହେବା ପରେ ଏକପ୍ରକାର ସ୍ପଷ୍ଟ ହୋଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS