କ୍ରିକେଟର ହରଭଜନ ସିଂହ ‘ଆପ୍’ର ରାଜ୍ୟସଭା ପ୍ରାର୍ଥୀ


ପ୍ରସାଦ ରାଓ
ମାର୍ଚ୍ଚ ୨୧
ଫେବୃୟାରୀ ୨୦ ତାରିଖ ଅନୁଷ୍ଠିତ ପଂଜାବ ବିଧାନସଭା ନିର୍ବାଚନରେ ରାଜକୀୟ ବିଜୟ ହାସଲ କରିଥିବା ଦିଲ୍ଲୀ ଭିତ୍ତିକ ଆଂଚଳିକ ଦଳ ‘ଆମ୍ ଆଦମୀ ପାଟି’ର୍ (ଆପ୍) ୧୧୭ରୁ ୯୨ଟି ଆସନରେ ବିଜୟ ପରେ ରାଜ୍ୟର ପାଂଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଉ ଥିବା ଆଜି ଘୋଷଣା କରିଛି । ଏହି ପ୍ରମୁଖ ବ୍ୟକ୍ତିମାନେ ହେଉଛନ୍ତି – ଭାରତୀୟ କ୍ରିକେଟର ପୂର୍ବତନ ଦୃତ ବୋଲର୍ ହରଭଜନ ସିଂହ, ଦିଲ୍ଲୀ ବିଧାୟକ ତଥା ‘ଆପ୍’ର ଜାତୀୟ ମୁଖପାତ୍ର ରାଘବ ଚଢ୍ଢା, ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ, ଶିକ୍ଷାବତ୍ ଅଶୋକ କୁମାର ମିତ୍ତଲ ଓ ଲୁଧିଆନା ଭିତ୍ିକ ବ୍ୟବସାୟୀ ସଂଜୀବ ଆରୋରା । ଏପ୍ରିଲ ୯ରେ ଖାଲି ହେଉଥିବା ପାଂଚଠି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୩୧ରେ ନିର୍ବାଚନ ହେବ । ପ୍ରାର୍ଥୀଙ୍କ ନାମ ଆଜି ଦାଖଲ ହେବାକୁ ଥିବାରୁ ‘ଆପ୍’ ଏହି ସେମାନଙ୍କ ନାମ ଘୋଷଣା କରିବା ସହ ନାମାଂକନପତ୍ର ଦାଖଲ କରାଇଛି । ୪୧ ବର୍ଷ ବୟସ୍କ କ୍ରିକେଟର୍ ହରଭଜନ ସିଂହ ଆଜି ‘ଆପ୍’ ପ୍ରାର୍ଥୀ ଭାବେ ନାମାଂକନପତ୍ର ଦାଖଲ କରିବା ସମୟରେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଭଳି ବାସନ୍ତୀ (ହଳଦିଆ) ରଂଗର ପଗଡି ପିନ୍ଧି ଥିବା ଓ ନିକଟରେ ମୁଖ୍ୟମନ୍ତ୍ରୀ ମାନ୍ ବସି ଥିବା ଦେଖିବାକୁ ମିଳିଛି । ଅନ୍ୟମାନେ ମଧ୍ୟ ଆଜି ନାମାଂକନପତ୍ର ଦାଖଲ କରିଛନ୍ତି । କ୍ରିକେଟର୍ ହରଭଜନ ସିଂହ ଭାରତୀୟ ଦଳର କିମ୍ବଦନ୍ତୀ ବୋଲର୍ ଭାବେ ସଫଳତା ଅର୍ଜନ କରିଥିଲେ । ସଂସଦରେ ମଧ୍ୟ ତାହା ଦୋହରାଇବେ ବୋଲି ‘ଆପ୍’ ପକ୍ଷରୁ ଏକ ‘ଟ୍ୱିଟ୍’ରେ କୁହାଯାଇଛି । ମାର୍ଚ୍ଚ ୩୧ ତାରିଖ ରାଜ୍ୟସଭା ନିର୍ବାଚନ ପରେ ରାଜ୍ୟସଭାରେ ‘ଆପ୍’ର ସାଂସଦ ସଂଖ୍ୟା ୩ରୁ ୮କୁ ବୃଦ୍ଧି ପାଇବ । କ୍ରିକେଟର ହରଭଜନ ସିଂହ ଫେବୃୟାରୀ ୨୦ ପଂଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ମୁଖ୍ୟ ଥିବା ନଭଜୋତ ସିଂହ ସିଦ୍ଧୁଙ୍କୁ ଭେଟିବା ଘଟଣା କୋଳାହଳ ସୃଷ୍ଟି କରିଥିଲା । ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ତେବେ, ହରଭଜନ ତାହାକୁ ଅଗ୍ରାହ୍ୟ କରିଥିଲେ । ଗଲା ନିର୍ବାଚନରେ ପଂଜାବ କଂଗ୍ରେସ ସଭାପତି ଥିବା ସିଦ୍ଧୁଙ୍କ ସମେତ ବହୁ ପ୍ରମୁଖ ନେତା ପରାଜିତ ହୋଇଛନ୍ତି । ଏପରିକି, ରାଜ୍ୟରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା ଚରନଜିତ୍ ସିଂହ ଚନ୍ନି ଦୁଇଟି ବିଧାନସଭା ଆସନରୁ ଲଢି ଦୁଇଟି ଯାକରୁ ପରାଜିତ ହୋଇଛନ୍ତି । କଂଗ୍ରେସ ମାତ୍ର ୧୮ଟି ବିଧାନସଭା ଆସନ ପାଇଛି । ‘ଆପ୍’ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ନାମାଂକନପତ୍ର ଦାଖଲ କରିଥିବା ୩୩ ବର୍ଷ ବୟସ୍କ ରାଘବ ଚଢ୍ଢା ହେବେ ଦେଶର କନିଷ୍ଠ ରାଜ୍ୟସଭା ସାଂସଦ । ସେହିଭଳି, ରାଜ୍ୟସଭାକୁ ଯାଉଥିବା ଆଇଆଇଟି ପ୍ରଫେସର ସନ୍ଦୀପ ପାଠକ ପଂଜାବରେ ‘ଆମ ଆଦମୀ ପାର୍ଟି’କୁ ଗଢି ତୋଳିବା ଓ ବିଜୟ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କୁହାଯାଉଛି । ସେ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କ ବନ୍ଧୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସହ ମଧ୍ୟ ଘନିଷ୍ଟ । ଆଇଆଇଟିରେ ଫିଜିକ୍ସ୍ (ଖଗୋଳ ବିଜ୍ଞାନ) ପ୍ରଫେସର ଥିବା ପାଠକ ତିନି ବର୍ଷ ଧରି ପଂଜାବରେ ରହି ‘ଆପ୍’ ପାଇଁ ନିର୍ବାଚନ ପ୍ରସ୍ତୁତି ସହ ବୁଥ୍ କମିଟିମାନ ଗଠନ କରିଥିଲେ । ଶିକ୍ଷାବିତ୍ ତଥା ସାମାଜିକ କର୍ମୀ ଅଶୋକ ମିତ୍ତଲ ଲଭଲି ପ୍ରଫେସନାଲ ୟୁନିଭରସିଟିର ପ୍ରତିଷ୍ଠାତା ହୋଇଥିବା ବେଳେ ସଂଜୀବ ଆରୋରା କ୍ୟାନସର ଚ୍ୟାରିଟି ପାଇଁ ଜଣାଶୁଣା ବୋଲି ‘ଆପ୍’ ପକ୍ଷରୁ କୁହାଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS