ପଂଜାବରେ ନୂଆ ସରକାର, ନୂଆ ରାଜନୀତି
ପ୍ରସାଦ ରାଓ
ମାର୍ଚ୍ଚ ୨୦
ପଂଜାବରେ ‘ଆମ୍ ଆଦମୀ ପାଟି’ର ସରକାର ପ୍ରତିଷ୍ଠା ପରଠାରୁ ପ୍ରତିଦିନ ନୂଆ ନୂଆ ଘୋଷଣା ସାମ୍ନାକୁ ଆସୁଛି । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇ ଥିବା ଭଗୱନ୍ତ ମାନ୍ ଆଜି ତାଙ୍କ ମନ୍ତ୍ରୀ ପରିଷଦର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ କାମର ଟାର୍ଗେଟ୍ ଧାର୍ଯ୍ୟ କରିଛନ୍ତି । ଟାର୍ଗେଟ ଅନୁସାରେ କାମ ନ ହେଲେ ପଂଜାବ ଜନସାଧାରଣ ସେମାନଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ଦାବି ରଖି ପାରିବେ ବୋଲି ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମୋହାଲିଠାରେ ଏକାଠି ହୋଇଥିବା ବିଧାୟକମାନଙ୍କୁ ଚେତାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମାନ୍ ଦାୟିତ୍ୱ ନେବାର ତିନି ଦିନ ମଧ୍ୟରେ କରିଥିବା ନୂତନ ଘୋଷଣା ମଧ୍ୟରେ ଫସଲ ନଷ୍ଟ ହେଲେ କ୍ଷତିପୂରଣ ମିଳିବ ଅନ୍ୟତମ । ଲାଂଚ ମାଗୁଥିବା ସରକାରୀ ଅଧିକାରୀଙ୍କୁ ଧରାଇବା ପାଇଁ ଜନତାଙ୍କୁ ଆହ୍ୱାନ ଦିଆଯିବା ସହ ସିଧାସଳଖ ଅଭିଯୋଗ କରିବା ପାଇଁ ହେଲ୍ପ ଲାଇନ ଜାରି ହୋଇଛି । ମାନ୍ ତାଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ବିଭିନ୍ନ ସରକାରୀ ବିଭାଗରେ ଖାଲି ଥିବା ୨୫ ହଜାର ସରକାରୀ ଚାକିରୀରେ ନୂତନ ନିଯୁକ୍ତି ପ୍ରସ୍ତାବର ଅନୁମୋଦନ କରିଛନ୍ତି । ଏଥିରେ ୧୦ ହଜାର ପୁଲିସ ଚାକିରୀ ମଧ୍ୟ ରହିଛି । ‘ଆପ୍’ ମୁଖ୍ୟ କେଜରୀୱାଲ ଆଜି ପଂଜାବର ଦଳୀୟ ବିଧାୟକଙ୍କୁ ଭର୍ଚୁଆଲ୍ ମାଧ୍ୟମରେ ସଂବୋଧିତ କରିଥିଲେ । ଦଳର ବିଧାୟକମାନେ ରାଜଧାନୀ ଚଣ୍ଡିଗଡ଼ରେ ବସି ନରହି ଓ ଗାଡ଼ିଘୋଡାକୁ ନିର୍ଭର ନକରି ଗ୍ରାମାଂଚଳକୁ ଯିବାକୁ ଓ ଲୋକଙ୍କ ଗହଣରେ ରହିବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପୁରୁଣା ମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ଜନସାଧାରଣଙ୍କୁ ସେହି ସୁରକ୍ଷା ଦେଇଥିବା କେଜରୀୱାଲ ବିଧାୟକମାନଙ୍କୁ କହିଛନ୍ତି । ଦିଲ୍ଲୀରେ ଦୁର୍ନୀତି ବିରୋଧୀ ହେଲ୍ପ ଲାଇନ୍ ଜାରି ପରେ ପରିସ୍ଥିତି ସୁଧୁରି ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଦଳର ଏକମାତ୍ର ମନ୍ତ୍ର ‘ଗ୍ରାମଂଚଳକୁ ଯାଅ, ଲୋକଙ୍କ ସହିତ ରୁହ’ ବୋଲି ‘ଆପ୍’ ମୁଖ୍ୟ କେଜରୀୱାଲ ସ୍ପଷ୍ଟ ଜଣାଇ ଦେଇଛନ୍ତି । ନିକଟରେ ଅନୁଷ୍ଠିତ ୧୧୭ ଆସନ ବିଶିଷ୍ଟ ପଂଜାବର ବିଧାନସଭା ନିର୍ବାଚନରେ ‘ଆପ୍’କୁ ୯୨ ଆସନ ମିଳିଛି । ପଂଜାବବାସୀ ୯୨ଟି ହୀରାଙ୍କୁ ନିର୍ବାଚିତ କରିଛନ୍ତି । ସମସ୍ତେ ଏକାଠି ରହି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ନେତୃତ୍ୱରେ କାମ କରିବା ଆବଶ୍ୟକ ବୋଲି କେଜରୀୱାଲ ପରାମର୍ଶ ଦେଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS