‘କଶ୍ମୀର ଫାଇଲ୍ସ’: ବିରୋଧୀଙ୍କ ଟାର୍ଗେଟରେ ବିଜେପି
ପ୍ରସାଦ ରାଓ
ମାର୍ଚ୍ଚ ୨୦
ଜି’ ଷ୍ଟୁଡ଼ିଓ ଦ୍ୱାରା ପ୍ରୟୋଜିତ ଏବଂ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ନିର୍ଦେଶିତ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ମାର୍ଚ୍ଚ ୧୧ରେ ମୁକ୍ତିଲାଭ କରିବା ଦିନରୁ ଯେଉଁ ବିତର୍କର ଝଡ ଆରମ୍ଭ ହୋଇଛି ତାହା ଥମିବା ନାଁ ନେଉନି । ଏହି ଫିଲ୍ମର ବିଷୟବସ୍ତୁକୁ ନେଇ ବିଜେପି କଂଗ୍ରେସ ଓ ଗାନ୍ଧୀ ପରିବାରକୁ ନିନ୍ଦିତ କରିବା ପ୍ରୟାସରେ ଥିବା ବେଳେ ବିରୋଧୀ ବିଜେପିକୁ ଟାର୍ଗେଟ କରିଛନ୍ତି । ଆଜି ‘ଶିବସେନା’ ରାଜ୍ୟସଭା ସାଂସଦ ସଂଜୟ ରାଉତ ‘ଶିବସେନା’ ମୁଖପତ୍ର ‘ସାମନା’ରେ ଅଗ୍ରଲେଖା ଆଜି ଆସନ୍ତା ନଭେମ୍ବର, ଡ଼ିସେମ୍ବରରେ ଗୁଜରାଟ ଓ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଜେପି ଏହି ଚଳଚ୍ଚିତ୍ରର ପୃଷ୍ଠପୋଷକତା କରୁଛି ବୋଲି ସିଧାସଲଖ ଅଭିଯୋଗ କରିଛନ୍ତି । ରାଉତ ‘ସାମ୍ନା’ରେ ସାପ୍ତାହିକ ସ୍ତମ୍ଭ ‘ରୋକଠୋକ୍’ ଲେଖିଥା’ନ୍ତି । ଏହି ସ୍ତମ୍ଭରେ ଆଜି ‘କଶ୍ମୀର ଫାଇଲ୍ସ’କୁ ନେଇ ଆଲୋଚନା ହୋଇଛି ।
୧୯୯୦ରେ କଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ହିଂସା ଓ ହତ୍ୟାର ଶିକାର ହୋଇ କଶ୍ମୀରୀ ପଣ୍ଡିତମାନେ ସେମାନଙ୍କ ସବୁ କିଛି ଛାଡି ପଳାୟନ କରିବାକୁ କେମିତି ବାଧ୍ୟ ହେଲେ ତାହା ଉପରେ ଆଧାରିତ ଅଗ୍ନିହୋତ୍ରୀଙ୍କ ଏହି ଫିଲ୍ମରେ ସତ୍ୟର ଅବତାରଣା ହୋଇଛି ବୋଲି ବିଜେପି ଦାବି କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଏଥିପାଇଁ ଦାୟି କରୁଥିବା ବେଳେ ଫିଲ୍ମରେ ଜାଣିଶୁଣି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଲୁଚାଇ ଦିଆଯାଇଛି ବୋଲି ଶିବସେନା ସାଂସଦ ରାଉତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ନବେ ଦଶକରେହୋଇଥିବା ଏହି ହିଂସାରେ କେବଳ ହିନ୍ଦୁ ନୁହନ୍ତି, ଶିଖ୍ ସଂପ୍ରଦାୟ ମଧ୍ୟ ପ୍ରଭାବିତ ହୋଇଛନ୍ତି ଏବଂ କଶ୍ମୀର ଛାଡି ପଳାଇବାକୁ ବାଧ୍ୟ ହୋଇଛନ୍ତି । ‘କଶ୍ମୀର ଫାଇଲ୍ସ’ରେ କେବଳ ହିନ୍ଦୁ ପଣ୍ଡିତଙ୍କ ଉପରେ ହୋଇଥିବା ନୃଶଂସତାକୁ ଦର୍ଶାଯାଇଛି । ଅତ୍ୟାଚାର, ହିଂସା, ହତ୍ୟା, କଶ୍ମୀରରୁ ପଳାୟନ ପାଇଁ ବାଧ୍ୟ ହେବା କାରଣରୁ କଶ୍ମୀରୀ ପଣ୍ଡିତଙ୍କ ମନରେ ଥିବା ଦୁଃଖ ଓ ଆକ୍ରୋଶକୁ ଫିଲ୍ମରେ ଯେଭଳି ଚିତ୍ରଣ କରାଯାଇଛି ତାହା ସମସ୍ତଙ୍କୁ ବିବ୍ରତ କଲା ଭଳି । ତେବେ, ତାହାଠାରୁ ଅଧିକ ବିବ୍ରତ କରୁଛି ଏହି ଚଳଚ୍ଚିତ୍ର ମାଧ୍ୟମରେ ହିନ୍ଦ-ମୁସଲମାନ ସଂପ୍ରଦାୟ ମଧ୍ୟରେ ଘୃଣାଭାବ ବୃଦ୍ଧି କରି ନିର୍ବାଚନ ଜିତିବାର ଅଭିସନ୍ଧି ବୋଲି ସେ କହିଛନ୍ତି ।
ରାଉତ କହିଛନ୍ତି, ‘କଶ୍ମୀର ଫାଇଲ୍ସ’ ଭଳି ଫିଲ୍ମ ନିର୍ମାଣ ହେବା ଆବଶ୍ୟକ । ତେବେ, ଆଜି ଦିନରେ ସାଂପ୍ରଦାୟିକ ଘୃଣାଭାବ ବୃଦ୍ଧି କରିବା ଓ ବିରୋଧୀଙ୍କ ସଂପର୍କରେ ରାଜନୈତିକ ଅପପ୍ରଚାର କରିବା ଦିଗରେ ଏଭଳି ଚଳଚ୍ଚିତ୍ର ନିର୍ମାଣ ହେଉଛି । ‘କଶ୍ମୀର ଫାଇଲ୍ସ’ର ପ୍ରୟୋଜକମାନେ ପୂର୍ବରୁ ‘ଦି ତାସକେଂଟ୍ ଫାଇଲ୍ସ’ ନିର୍ମାଣ କରିଥିଲେ, ଯେଉଁଥିରେ କି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ପାଇଁ କେବଳ ଗାନ୍ଧୀ ପରିବାର ଦାୟି ବୋଲି ପ୍ରଚାର ହେଲା ଭଳି ମନେ ହେଉଥିଲା । ପାକ୍ ପ୍ରୟୋଜିତ ଆତଙ୍କବାଦ ଯୋଗୁଁ ୩୨ ବର୍ଷ ତଳେ ସମଗ୍ର କଶ୍ମୀର ପ୍ରଭାବିତ ହୋଇଥିଲା । କଶ୍ମୀରୀ ପଣ୍ଡିତ କେବଳ ନୁହନ୍ତି, ଅନ୍ୟ ସଂପ୍ରଦାୟ ମଧ୍ୟ ଆତଙ୍କବାଦୀଙ୍କ ହିଂସାର ଶିକାର ହୋଇଥିଲେ । କଶ୍ମୀରୀ ପଣ୍ଡିତ ଅଧିକ ଭାବେ ପ୍ରଭାବିତ ହୋଇଥିଲେ । ତେବେ, ୧୯୮୯ ଅଗଷ୍ଟରେ କଶ୍ମୀରରେ ପ୍ରଥମ ରାଜନୈତିକ ହତ୍ୟାର ଶିକାର ହୋଇଥିଲେ ନ୍ୟାସନାଲ କନ୍ଫରେନ୍ସ ନେତା ମହମ୍ମଦ ୟୁସୁଫ ହଲୱାଇ । ଏହା ପୂର୍ବରୁ କଶ୍ମୀରର ଜଣେ ପୁଲିସ ଆଇଜିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ଯେଉଁଥିରେ କି ତାଙ୍କ ଦେହରକ୍ଷୀଙ୍କ ମୃତ୍ୟୁ ଘଟି ଥିଲା । ଏଭଳି ଅନେକ ସତ୍ୟ ‘କଶ୍ମୀର ଫାଇଲ୍ସ’ରୁ ଉହ୍ୟ ରହିଛି ବୋଲି ରାଉତ କହିଛନ୍ତି ।
୧୯୯୦ରେ ଏହି ହିଂସା ସଂଗଠିତ ହେବା ସମୟରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଭି.ପି.ସିଂହଙ୍କ ନେତୃତ୍ୱାଧୀନ ସରକାର ଥିଲା ଏବଂ ସରକାରକୁ ବିଜେପି ସମର୍ଥନ ଦେଉଥିଲା । ତକ୍ରାଳୀନ ପ୍ରଶାସକ ତଥା ବିଜେପି ନେତା ଜଗମୋହନ ସେତେବେଳ ଜମ୍ମୁ-କଶ୍ମୀରରେ ରାଜ୍ୟପାଳ ଭାବେ ନିଯୁକ୍ତି ପାଇ ଥିଲେ । ପାକ୍ ସମର୍ଥିତ ଆତଙ୍କବାଦୀଙ୍କ ହିଂସାରେ କଶ୍ମୀରରେ ଯେତେବେଳେ ହିନ୍ଦୁ ମରୁଥିଲେ ଓ କଶ୍ମୀର ଛାଡି ପଳାଇବାକୁ ବାଧ୍ୟ ହୋଇଥିଲେ ସେତେବେଳେ କଶ୍ମୀର ଫାଇଲ୍ସ ଥଣ୍ଡାବାକ୍ସରେ ଥିଲା । ଏହି ହିଂସାକୁ ନେଇ ବିଜେପି ନୀରବ ଥିଲା । ସେହି ସମୟରେ ଶିବସେନା ମୁଖ୍ୟ ବାଲ୍ ଠାକରେ ହିଁ କଶ୍ମୀରରେ ହିନ୍ଦୁ ପଣ୍ଡିତଙ୍କ ପ୍ରତି ହେଉଥିବା ଅତ୍ୟାଚାରର ନିନ୍ଦା କରିଥିଲେ । ବାସଚ୍ୟୁତ କଶ୍ମୀରୀ ପଣ୍ଡିତ ପରିବାର ପିଲାଙ୍କୁ ପାଇଁ ମେଡ଼ିକାଲ ଓ ଇଂଜିନିୟରିଂ ଶିକ୍ଷା କ୍ଷେତ୍ରରେ ଭର୍ତ୍ତି ପାଇଁ ଶିବସେନା ମୁଖ୍ୟ ବାଲ୍ ଠାକରେ ମହାରାଷ୍ଟରେ ୫ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ବିଜେପି ଶାସିତ ରାଜ୍ୟମାନେ କଣ କରିଛନ୍ତି ବୋଲି ରାଉତ ପ୍ରଶ୍ନ କରିଛନ୍ତି ।
ସାତ ବର୍ଷରୁ ଅଧିକ ହେଲା କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଶାସନ ଚାଲିଛି । ଦଳ କ୍ଷମତାକୁ ଆସିଲେ ବାସଚ୍ୟୁତ କଶ୍ମୀରୀ ପଣ୍ଡିତଙ୍କୁ ସେମାନଙ୍କୁ ଭିଟାମାଟିକୁ ଫେରିବା ବ୍ୟବସ୍ଥା କରାଯିବ ଏବଂ ପାକ୍ ଅଧିକୃତ କଶ୍ମୀରକୁ ପାକିସ୍ତାନ ହାତରୁ ଛଡାଇ ଆଣି ଜମ୍ମୁ-କଶ୍ମୀରରେ ମିଶାଇ ଦିଆଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ତେବେ, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବ୍ୟତୀତ ବିଜେପି ଆଉ କଣ କରିଛି (?) ବୋଲି ସେ ପ୍ରଶ୍ନ କରିଛନ୍ତି । ରାଉତ ତାଙ୍କ ଲେଖା ମାଧ୍ୟମରେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ମୁଫତି ମହମ୍ମଦ ସୟଦଙ୍କ ପିଡ଼ିପି ଦେଶ ବିରୋଧୀ ମୁସଲମାନ ଆତଙ୍କବାଦୀ ସଂଗଠନଙ୍କ ସହ ସିଧାସଳଖ ସଂପର୍କ ରଖି ଥିବା ବେଳେ ବିଜେପି ୨୦୧୫ ମାର୍ଚ୍ଚରେ ଜମ୍ମୁ-କଶ୍ମୀରରେ ପିଡ଼ିପି ସହ ମେଂଟ ସରକାର କଲା କେମିତି ? ୨୦୧୯ରେ କଶ୍ମୀରର ପୁଲୱାମାରେ ପାକ୍ ପ୍ରୟୋଜିତ ଆତଙ୍କବାଦୀ ବିଷ୍ଫୋରଣ ଘଟାଇ ୪୦ ଜଣ ସିଆରପିଏଫ ଯବାନଙ୍କୁ ହତ୍ୟା କରିଥିଲେ । ଘଟିଲା । ସେମାନେ ସମସ୍ତେ କଶ୍ମୀରୀ ପଣ୍ଡିତ ହୋଇ ନପାରନ୍ତି । ଯବାନଙ୍କ ମୃତ୍ୟୁ ପାଇଁ କିଏ ଦାୟି ବୋଲି ସେ ପ୍ରଶ୍ନ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS