ରୁଷରୁ ତିନି ନିୟୁତ ବ୍ୟାରେଲ ଅଶୋଧିତ ତୈଳ କିଣିବ ଆଇଓସି
ପ୍ରସାଦ ରାଓ
ମାର୍ଚ୍ଚ ୧୯
ଦେଶର ସର୍ବବୃହତ ତୈଳ କଂପାନୀ ‘ଇଣ୍ଡିଆନ ଅଏଲ କର୍ପୋରେସନ୍’ (ଆଇଓସି) ରୁଷରୁ ତିନି ନିୟୁତ ବ୍ୟାରେଲ ଆଶୋଧିତ ତୈଳ କିଣିବାକୁ ଚୁକ୍ତିବଦ୍ଧ ହୋଇଥିବା କଂପାନୀ ସୂତ୍ରରୁ ସୂଚନା ମିଳିଛି । ୟୁକ୍ରେନରେ ରୁଷ ଆକ୍ରମଣ ପରେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନେ ରୁଷରୁ ତୈଳ ଆମଦାନୀ ସମେତ ଅନ୍ୟାନ୍ୟ ବ୍ୟବସାୟିକ କ୍ଷେତ୍ରରେ ବ୍ୟାପକ ପ୍ରତିବନ୍ଧକ ଲଗାଇ ଥିବା ବେଳେ ଭାରତ ରୁଷରୁ ଅଶୋଧିତ ତୈଳ ଆମଦାନୀ କରିବାକୁ ଚୁକ୍ତି କରିଛି । ତେବେ, ରୁଷ ଉପରେ ଜାରି ବାସନ୍ଦ ଭାରତ ପାଇଁ ଲାଗୁ ନୁହେଁ ବୋଲି ଆମେରିକା ଆଗରୁ କହି ସାରିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ଯଥେଷ୍ଟ ଅଧିକ ଥିବା ବେଳେ ରୁଷ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଅର୍ଥନୈତିକ ବାସନ୍ଦର ସାମ୍ନା କରୁଥିବାରୁ ଭାରତ ସମେତ ଅନ୍ୟ ତୈଳ ଆମଦାନୀକାରୀଙ୍କୁ ଆନ୍ତର୍ଜାତିକ ମୂଲ୍ୟଠାରୁ ଯଥେଷ୍ଟ କମ (ଅଧିକ ପରିମାଣର ରିହାତି ଦେଇ) ମୂଲ୍ୟରେ ଅଶୋଧିତ ତୈଳ ଯୋଗାଇ ଦେବାକୁ ପ୍ରସ୍ତୁତ । ଭାରତୀୟ କଂପାନୀମାନେ ଏହି ସୁଯୋଗ ହାତଛଡା କରିବାକୁ ଚାହୁଁ ନୁହନ୍ତି । ଆଇଓସି ରୁଷ ତୈଳ କଂପାନୀଙ୍କ ସହ ସିଧାସଳଖ ସଂପର୍କରେ ରହି ଅଶୋଧିତ ତୈଳ ଆମଦାନୀ ବ୍ୟବସ୍ଥା କରିଛି । ଅଶୋଧିତ ତୈଳ ଦୃଷ୍ଟିରୁ ଯେଉଁମାନେ ସ୍ୱାବଲମ୍ବୀ ବା ରୁଷ କଂପାନୀରୁ ଏବେ ମଧ୍ୟ ତୈଳ ଆମଦାନୀ କରୁଛନ୍ତି ସେମାନେ ଭାରତର ତୈଳ ଆମଦାନୀ ଚୁକ୍ତିକୁ ଅଯଥା ରାଜନୀତିକରଣ କରିବା ଉଚିତ ନୁହେଁ ବୋଲି ଭାରତ କହିଛି । ରୁଷ ଯଥେଷ୍ଟ ରିହାତି ଦରରେ ଭାରତକୁ ଅଶୋଧିତ ତୈଳ ଯୋଗାଇବାକୁ ପ୍ରସ୍ତୁତ ଥିବା ଦୃଷ୍ଟିରୁ ଭାରତ ତାହା କ୍ରୟ କରିବାରେ କିଛି ଅସଂଗତି ନାହିଁ । ରୁଷ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଅର୍ଥନୈତିକ ବାସନ୍ଦକୁ ତାହା ଉଲଂଘନ କରୁ ନାହିଁ ବୋଲି ଆମେରିକାର ହ୍ୱାଇଟ ହାଉସ୍ ପ୍ରେସ ସେକ୍ରେଟାରୀ ଜେନ ପାସ୍କି କହିଛନ୍ତି । ତେବେ, ବର୍ତ୍ତମାନ ପରିସ୍ଥିତିରେ ରୁଷ ନେତୃତ୍ୱକୁ ସମର୍ଥ ଦେବା ଅର୍ଥ ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଦେବା ଏବଂ ଏହାର ପ୍ରଭାବ ବିଧ୍ୱଂସକାରୀ ହେବା ନିଶ୍ଚିତ ବୋଲି ପାସ୍କି ସ୍ପଷ୍ଟ କରିଛନ୍ତି । ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅଶୋଧିତ ତୈଳ ବ୍ୟବସାୟରେ ପ୍ରତିବନ୍ଧକ ଦେଖା ଦେଇ ବିଶ୍ୱ ବଜାରରେ ବ୍ରେଂଟ କ୍ରୁଡ୍ ର ବ୍ୟାରେଲ ପିଛା ମୂଲ୍ୟ ୧୪୦ ଡ଼ଲାର ପର୍ଯ୍ୟନ୍ତ ପହଂଚି ଯାଇଥିଲା । ବର୍ତ୍ତମାନ ତାହା ୧୦୦ ଡ଼ଲାର ରହିଛି । ଭାରତ ତାହାର ଶକ୍ତି ଚାହିଦାର ୮୦ ପ୍ରତିଶତ ବିଦେଶରୁ ଆମଦାନୀ କରୁଥିବାରୁ ନିୟମ କାନୁନ ମଧ୍ୟରେ ଶସ୍ତା ଓ ସୁବିଧାରେ ଯେଉଁଠୁ ତେଲ ମିଳିବ କ୍ରୟ କରିବାକୁ ପ୍ରସ୍ତୁତ । ରୁଷ ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଇ ଦେବାକୁ ପ୍ରସ୍ତୁତ ଥିବାରୁ ଚଳିତ ସପ୍ତାହ ପ୍ରାରମ୍ଭରେ ଭାରତର ରୁଷିଆନ୍ ଫେଡେରେସନ୍ ମଧ୍ୟରେ ଉଚ୍ଚସ୍ତରୀୟ କଥାବାର୍ତ୍ତା ରୁଷରୁ ଭାରତୀୟ ତୈଳ କଂପାନୀ ଅଶୋଧିତ ତୈଳ ଆମଦାନୀ କରିବାର ଚୁକ୍ତି ହୋଇଛି । ଆଇଓସି ପୂର୍ବରୁ ମଧ୍ୟ ରୁଷରୁ ୩ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରି ସାରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS