‘କଶ୍ମୀର ଫାଇଲ୍ସ’ ନେଇ ବିବାଦ କାହିଁକି ?
ପ୍ରସାଦ ରାଓ
ମାର୍ଚ୍ଚ ୧୯
ନିର୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ମାର୍ଚ୍ଚ ୧୧ ତାରିଖ ଦେଶବ୍ୟାପୀ ମୁକ୍ତିଲାଭ କରିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଦକ୍ଷିଣପନ୍ଥୀ ଓ ଉଦାରବାଦୀ ଫିଲ୍ମକୁ ନେଇ ଭ୍ରମାତ୍ମକ ବାତାବରଣ ସୃଷ୍ଟି କରୁଥିବା ବେଳେ ଫିଲ୍ମ ଦେଖିନଥିବା ଲୋକମାନେ ପକ୍ଷଭୁକ୍ତ ଆଲୋଚନା, ସମାଲୋଚନାକୁ ଆଗକୁ ବଢାଉଛନ୍ତି । ତେବେ, ଏହି ଫିଲ୍ମ ମୁକ୍ତିଲାଭ କରିବାର ସପ୍ତାହକ ମଧ୍ୟରେ ୯୭ କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରିବା ଓ ୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଥିବା ଜନାଦୃତର ପ୍ରମାଣ ଦେଉଛି ।
‘କଶ୍ମୀର ଫାଇଲ୍ସ’ ‘ଥ୍ରିଲର’ ନୁହେଁ ବା ‘ଡକ୍ୟୁମେଂଟାରୀ’ ନୁହେଁ, ଏକ ବ୍ୟବସାୟିକ ଫିଲ୍ମ ବୋଲି ଏହାର ନିର୍ଦେଶକ ଅଗ୍ନିହୋତ୍ରୀ ଦାବି କରୁଥିବା ବେଳେ ଏହି ଫିଲ୍ମ ପ୍ରତି କେନ୍ଦ୍ର ସରକାରଙ୍କ ଅହେତୁକ ଅନୁକଂପା ରାଜନୀତିକୁ ପ୍ରଶ୍ରୟ ଦେଇଛି । ୩୨ ବର୍ଷ ତଳେ ସ୍ୱାଧୀନ ଭାରତର କଶ୍ମୀରରେ ଯେଉଁ ଘୃଣ୍ୟ ଘଟଣା ଘଟି ଥିଲା ତାହା ସମୟର ଚକା ତଳେ ଚପି ହୋଇ ଅଣନିଶ୍ୱାସୀ ଅବସ୍ଥାରେ ଥିଲା । ଏହାର ଶିକାର ହୋଇଥିବା ହିନ୍ଦୁ କଶ୍ମୀରୀ ପଣ୍ଡିତ ପରିବାରମାନେ ସର୍ବହରା ହୋଇ ନିଜର ଅକୁହା କଥାକୁ ଛାତିରେ ଚାପି ରଖି ଥିଲେ । ‘କଶ୍ମୀର ଫାଇଲ୍ସ’ ମାଧ୍ୟମରେ ନିଚ୍ଛକ ସତ୍ୟ ବାହାରକୁ ଆସିଛି, ଯାହାକି ଆଜି ପର୍ଯ୍ୟନ୍ତ କେହି ସାହସ କରି ନଥିଲେ ବୋଲି କୁହାଯାଉଛି ।
୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖ୍ ସଂପ୍ରଦାୟ ମଧ୍ୟ ଏଭଳି ରାଜନୈତିକ ହିଂସା ସାମ୍ନା କରିଥିଲେ । ଯାହା ଘଟିଥିଲା, ସ୍ୱାଧୀନ ଭାରତ ପାଇଁ ଏକ କଳଙ୍କିତ ଅଧ୍ୟାୟ ଥିଲା । ଶିଖ୍ ସଂପ୍ରଦାୟ ଧୀରେ ଧୀରେ ପରିସ୍ଥିତି ସହ ଖାପ ଖୁଆଇ ନେଲେଣି । ତଥାପି, ସେମାନଙ୍କୁ ପୂର୍ଣ୍ଣତଃ ନ୍ୟାୟ ମିଳି ନାହିଁ । ସେହିଭଳି, ୧୯୯୦ରେ ଜମ୍ମୁ-କଶ୍ମୀର ପାକ୍ ପ୍ରୟାଜିତ ଆତଙ୍କବାଦର ଚରମରେ ଥିବା ବେଳେ ମୁସଲମାନ ବହୁଳ କଶ୍ମୀର ଉପତ୍ୟାକାରୁ ହିନ୍ଦୁ ପଣ୍ଡିତଙ୍କୁ ଜୋରଜବରସ୍ତ ପଳାୟନ ପାଇଁ ବାଧ୍ୟ କରାଯାଇଥିଲା । ସେହି ସମୟରେ ହିନ୍ଦୁ ପରିବାର ପ୍ରତି ହୋଇଥିବା ନିର୍ଦ୍ଦୟ ହିଂସା, ଅତ୍ୟାଚାର, ଗଣହତ୍ୟା ଓ ବଳକ୍ରାରର ବାସ୍ତବିକତା ନିଚ୍ଛକ ଭାବେ ‘କଶ୍ମୀର ଫାଇଲ୍ସ’ରେ ଉପସ୍ଥାପିତ ହୋଇଥିବା ଦାବି କରାଯାଉଛି ।
ହିଂସାର ଶିକାର ହୋଇ ନିଜର ସର୍ବସ୍ୱ ହରାଇ ଦେଶାନ୍ତର ହୋଇଥିବା କଶ୍ମୀରୀ ପଣ୍ଡିତ ପରିବାର ସବୁ ଏବେ ବି ଶରଣାର୍ଥୀର ଜୀବନ ବିତାଉଛନ୍ତି । ଭିଟାମାଟିକୁ ଫେରି ଥଇଥାନ ହେବାକୁ ସେମାନଙ୍କ ମନରେ ପ୍ରବଳ ଇଚ୍ଛା ଥିଲେ ମଧ୍ୟ କୌଣସି ସରକାର ସେଦିଗରେ ପଦକ୍ଷେପ ନେଇ ନାହାନ୍ତି । ଫଲରେ, କଶ୍ମୀରୀ ପଣ୍ଡିତ ପରିବାରଗୁଡିକ ୩୨ ବର୍ଷ ଧରି କୋହକୁ ଚାପି ରଖି ଯେଭଳି ମନ ଭିତରେ କାନ୍ଦୁଛନ୍ତି ତାହା ‘କଶ୍ମୀର ଫାଇଲ୍ସ’ ଉପସ୍ଥାପନ ହୋଇଛି । ବିବେକ ଅଗ୍ନିହୋତ୍ରୀ ଓ ପଲ୍ଲବୀ ଯୋଶୀ ୪ ବର୍ଷ ଧରି ଏହା ଉପରେ ଗବେଷଣା କରିଥିବା ଏବଂ ୭୦୦ ପୀଡ଼ିତ ପରିବାରଙ୍କ ବୟାନ ଲିପିବଦ୍ଧ କରିଥିବା ଦାବି କରିଛନ୍ତି । ଫିଲ୍ମ ମାଧ୍ୟମରେ ସଂପୂର୍ଣ୍ଣ ସତ୍ୟର ଅବତାରଣା ହୋଇଛି ବୋଲି ସେମାନେ କହିଛନ୍ତି ।
ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନ ପରେ ଥିଏଟରକୁ ଆସିଥିବା ଅଗ୍ନିହୋତ୍ରୀଙ୍କ ଏହି ଚଳଚ୍ଚିତ୍ର ଭାରତୀୟ ରାଜନୀତିକୁ ଉଷ୍ଣ କରିଛି । ଚଳଚ୍ଚିତ୍ରକୁ ମିଳିଥିବା ବ୍ୟବସାୟିକ ସଫଳତା ଓ ଏହାକୁ ନେଇ ଚାଲି ଥିବା ରାଜନୈତିକ ବିବାଦରୁ ଅଗ୍ନିହୋତ୍ରୀଙ୍କ ଶ୍ରମ ସଫଳ ହୋଇଥିବା ମନେ ହେଉଥିବା ବେଳେ ଶାସକ ବିଜେପି ‘କଶ୍ମୀର ଫାଇଲ୍ସ’ ସହ ନିଜକୁ ସଂପୃକ୍ତ କରି ରାଜନୈତିକ ଫାଇଦା ନେବାକୁ ପ୍ରୟାସରେ ଥିବା ଆଲୋଚନା ହେଉଛି । ଫଳରେ, ଅଗ୍ନିହୋତ୍ରୀଙ୍କ ସତ୍ ଉଦ୍ଦେଶ୍ୟ ଦ୍ରବିଭୂତ ହୋଇ ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବାର ସନ୍ଦେହ ସୃଷ୍ଟି କରୁଛି । ଉଦାରବାଦୀ ରାଜନୈତିକ ଦୃଷ୍ଟିକୋଣରୁ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରୁଥିବା ଅନୁମାନ କରାଯାଉଛି ।
କେନ୍ଦ୍ର ସରକାର ‘କଶ୍ମୀର ଫାଇଲ୍ସ’ ଫିଲ୍ମ ମୁକ୍ତିଲାଭ କରୁ କରୁ ଏହାର ପ୍ରଶଂସାରେ ଶତମୁଖ ଥିଲେ । ଏହି ଚଳଚ୍ଚିତ୍ରକୁ ସମସ୍ତ ଭାରତୀୟ ଦେଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଏବଂ କହି ତୁରନ୍ତ ଫିଲ୍ମର ପ୍ରଦର୍ଶନକୁ ‘ଟ୍ୟାକ୍ସ୍ ଫ୍ରି’ କରିଛନ୍ତି । ଅନ୍ୟ ରାଜ୍ୟ ଏପର୍ଯ୍ୟନ୍ତ ସେଭଳି କିଛି ଘୋଷଣା କରି ନଥିବା ବେଳେ ବିଜେପି ଶାସିତ ରାଜ୍ୟ ‘ଟ୍ୟାକ୍ସ୍ ଫ୍ରି’ ଘୋଷଣାକୁ ତୁରନ୍ତ କାର୍ଯ୍ୟକାରୀ କରିଛନ୍ତି । ‘କଶ୍ମୀର ଫାଇଲ୍ସ’ ଦେଖିବାକୁ ଚାହୁଁ ଥିବା କର୍ମଚାରୀଙ୍କୁ ଗୋଟିଏ ଦିନ ଛୁଟି ଦେବାକୁ ମଧ୍ୟ ସରକାର ପ୍ରସ୍ତାବ ରଖିଛନ୍ତି । ଆଉ ଗୋଟିଏ ବଡ଼ କଥା ହେଉଛି, ‘କଶ୍ମୀର ଫାଇଲ୍ସ’ର ନିର୍ଦେଶକ ଅଗ୍ନିହୋତ୍ରୀ ତାଙ୍କର ଏହି ଚଳଚ୍ଚିତ୍ର ମାଧ୍ୟମରେ ଗୋଟିଏ ସଂପ୍ରଦାୟର ଘୃଣିତ କାର୍ଯ୍ୟକୁ ପଦାରେ ପକାଇ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା (ଗୁଇନ୍ଦା ରିପୋର୍ଟ ଭିତ୍ତିରେ) ଦର୍ଶାଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ତାଙ୍କୁ ‘ୱାଇ’ କାଟାଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି । ଅଭିନେତ୍ରୀ କଂଗନା ରଣାୱତଙ୍କ ଭଳି ସେ ମଧ୍ୟ ସିଆରପିଏଫ ସୁରକ୍ଷାରେ ରହିବେ ।
ସରକାରଙ୍କ ଏଭଳି ଅନୁକଂପା ପଛରେ ଯୁକ୍ତି ହେଉଛି, ନବେ ଦଶକରେ କଶ୍ମୀର ଉପତ୍ୟାକାରେ ଘଟି ଥିବା ହିନ୍ଦୁ ଓ କଶ୍ମୀରୀ ପଣ୍ଡିତଙ୍କ ପ୍ରତି ହିଂସା ଓ ଗଣସଂହାରର କାହାଣୀ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଶ, ବିଦେଶରେ ପହଂଚିଛି । ୧୯୯୦ରେ କଶ୍ମୀରରେ ହିନ୍ଦୁ ଥିଲେ ମୁସଲମାନ ଆତଙ୍କବାଦୀଙ୍କ ପ୍ରମୁଖ ଟାର୍ଗେଟ୍ । ସେମାନଙ୍କୁ ଭୟଭୀତ କରାଯାଇ ସଂପତ୍ତିରୁ ବେଖଦଲ କରାଯିବା ସହ ସବୁ କିଛି ହଡପ କରାଯାଇଥିଲା । ଦୁଇ ଦିନ ମଧ୍ୟରେ କଶ୍ମୀର ଛାଡି ପଳାଇବାକୁ ଚେତାବନୀ ଦିଆଯାଇ ହଜାର ହଜାର ହିନ୍ଦୁଙ୍କୁ ହତ୍ୟା ଓ ବଳକ୍ରାର ଏବଂ ଶତାଧିକ ସଂଖ୍ୟାରେ ଶିଶୁଙ୍କୁ ‘ପଏଂଟ୍ ବ୍ଲାଂକ’ରେ ଗୁଳି କରି ମାରି ଦିଆଯାଇଥିଲା । ସେହି ଲୋମହର୍ଷକ କଥାବସ୍ତୁ ଉପରେ ନିର୍ମିତ ହୋଇଛି ‘କଶ୍ମୀର ଫାଇଲ୍ସ’ । ଏଥିରେ ରାଜନୀତି ମଧ୍ୟ ରହିଛି । ୧୯୯୦ରେ କେନ୍ଦ୍ରରେ ଥିବା ସରକାର କଶ୍ମୀରରେ ହିନ୍ଦୁ ପଣ୍ଡିତଙ୍କ ଉପରେ ଚାଲି ଥିବା ଜୁଲମକୁ ନେଇ ନିରବଦ୍ରଷ୍ଟା ଥିଲେ ଏବଂ ତାହାକୁ ରୋକିବାର ପ୍ରୟାସ କରି ନଥିଲେ । ଯାହାକି ଦଂଗାକାରୀଙ୍କୁ ଅଧିକ ଉତ୍ସାହିତ କରିଥିଲା ବୋଲି ଅଭିଯୋଗ ହୋଇଛି ।
ଫିଲ୍ମରେ ଉପସ୍ଥାପିତ ତଥ୍ୟ ସତ୍ୟକୁ ନେଇ ଆଧାରିତ, ହୃଦୟ ବିଦାରକ । ସମସ୍ତେ ଦେଶବାସୀ ‘କଶ୍ମୀର ଫାଇଲ୍ସ’ ଦେଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏହାର ମୁକ୍ତିଲାଭ ପରେ କହିଥିଲେ । ୟୁପି, ତ୍ରିପୁରା, ଗୋଆ, ହରିୟାଣା, ଗୁଜରାଟ, ଉତ୍ତରାଖଣ୍ଡ ପ୍ରଭୃତି ବିଜେପି ଶାସିତ ରାଜ୍ୟରେ ଏହାର ପ୍ରଦର୍ଶନ ଟିକସ ମୁକ୍ତ ରହିଛି । ଘରୋଇ ଥିଏଟରରେ ମଧ୍ୟ ପ୍ରଦର୍ଶନ ପାଇଁ ବିଭିନ୍ନ ମୋହଲ୍ଲାରେ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ପୂର୍ବ ସରକାରମାନେ କଶ୍ମୀରରେ ହୋଇଥିବା ୧୯୯୦ର ନରସଂହାରକୁ କବର ତଳେ ଚାପି ଦେବାର ଉଦ୍ୟମ କରିଥିଲେ । ଏବେ ତାହା ‘କଶ୍ମୀର ଫାଇଲ୍ସ’ ମାଧ୍ୟମରେ ପଦାକୁ ଆସିଛି । ବାକ୍ ସ୍ୱାଧୀନତାର ପ୍ରବକ୍ତାମାନେ ଏଥିରେ ଉତ୍କ୍ଷିପ୍ତ କାହିଁକି (?) ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିବା ଏବଂ ବିରୋଧୀଙ୍କୁ ‘ଜମାତ୍ ଗ୍ୟାଙ୍ଗ’ ବୋଲି ଆକ୍ଷେପ କରିବା ପଛରେ ବିଜେପିର ମାତ୍ରାଧିକ ସକ୍ରିୟତା ସ୍ପଷ୍ଟ ହେଉଛି ।
ଅପରପକ୍ଷରେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ବୁଧବାର ନିଜ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ ଓ ସରକାରୀ ଅଧିକାରୀଙ୍କ ସହ ଫିଲ୍ମଟି ଦେଖିବା ପରେ କହିଛନ୍ତି, ଏଥିରେ ଅର୍ଦ୍ଧସତ୍ୟର ପରିବେଷଣ ହୋଇଛି ଏବଂ ହିଂସାକୁ ଗୌରବମଂଡିତ କରାଯାଇଛି । ୧୯୯୦ରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଭି.ପି.ସିଂହ । ବିଜେପିର ସରକାରକୁ ସମର୍ଥନ ଥିଲା । ତେବେ, ବିଜେପି କଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନେଇ ନଥିଲା । ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇ ବରିଷ୍ଠ ପ୍ରଶାସକ ଜଗମୋହନଙ୍କୁ ଲ୍ୟୁଟିନାଂଟ ଗଭର୍ଣ୍ଣର ନିଯୁକ୍ତି କରିବାରେ ସରକାର ସୀମିତ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ତାହାର ଦୃଢ ବିରୋଧ କରିବାରୁ ଓ ଲୋକସଭା ଘେରାଉ ହେବାରୁ ଭି.ପି.ସିଂହ ସରକାର ଜମ୍ମୁ-କଶ୍ମୀରକୁ ସୈନ୍ୟ ପଠାଇ ଥିଲେ ।
ଗୋଟିଏ ବ୍ୟବସାୟିକ ଫିଲ୍ମ ପ୍ରତି କେନ୍ଦ୍ର ସରକାରଙ୍କ ମାତ୍ରାଧିକ ଅନୁକଂପା ପଛରେ ରାଜନୀତି ରହିଛି । ନବେ ଦଶକର ଏହି ସ୍ପର୍ଶକାତର ଘଟଣାକୁ ଅଧିପନ୍ତୁରିଆ ଉପସ୍ଥାପନ କରାଯାଇ ଶୁଖି ଆସୁଥିବା କ୍ଷତକୁ ପୁନର୍ବାର ଜୀବନ୍ତ କରାଯାଇଛି ବୋଲି ବାଘେଲା ଅଭିଯୋଗ କରିଛନ୍ତି । ଦିଲ୍ଲୀରରେ ପ୍ରଦର୍ଶନ ହେଉଥିବା ଏହି ଫିଲ୍ମକୁ ନେଇ ସେଭଳି କିଛି ଖବର ମଧ୍ୟ ଆସୁଛି । ଫିଲ୍ମ ଦେଖି ପଦାକୁ ଆସୁଥିବା ଦର୍ଶକଙ୍କ ମଧ୍ୟରୁ କିଛି ଘୃଣାପୂର୍ଣ୍ଣ ମନ୍ତବ୍ୟ ଓ ସ୍ଲୋଗାନ ଦେଉଥିବା ସାମାଜିକ ଗଣମାଧ୍ୟମରୁ ସୂଚନା ମିଳୁଛି । କେନ୍ଦ୍ର ସରକାର ମଧ୍ୟ ଆଶଙ୍କାରେ । ହିନ୍ଦୁ ଓ ମୁସଲମାନଙ୍କ ମିଶ୍ରିତ ଜନସଂଖ୍ୟା ଥିବା ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସରକାର ଦିଲ୍ଲୀ ପୁଲିସକୁ ନିର୍ଦେଶ ଦେଇଛନ୍ତି । ଏସଂପର୍କରେ ମାର୍ଚ୍ଚ ୧୪ ତାରିଖରେ ଦିଲ୍ଲୀର ସବୁ ଜିଲ୍ଲା ଡ଼ିସିପି, ପିସିଆର, ଟ୍ରାଫିକ ଓ ଡ଼ିସିପି (ସ୍ପେଶାଲ ବ୍ରାଂଚ)ଙ୍କୁ ଚିଠି ହୋଇଥିବା ଜଣାପଡିଛି ।
୨୦୨୦ ଦଂଗାକୁ ନେଇ ଉତ୍ତର ପୂର୍ବ ଦିଲ୍ଲୀ ଏବେସୁଦ୍ଧା ସ୍ପର୍ଶକାତର ରହିଛି । କର୍ଣ୍ଣାଟକରେ ‘ହିଜବ’ ବିବାଦ ଏବଂ କିଛି ମାସ ତଳେ ହରିଦ୍ୱାରରେ ସାଧୁ ସନ୍ଥଙ୍କ ମୁସଲମାନ ସଂପ୍ରଦାୟ ବିରାଧୀ ଘୃଣା ସୃଷ୍ଟିକାରୀ ଭାଷଣ ସରକାରଙ୍କୁ ଅଧିକ ସତର୍କ ହେବାକୁ ବାଧ୍ୟ କରିଛି । ସରକାର ସାଂପ୍ରଦାୟିକ ସୌହାର୍ଦ୍ଧ୍ୟ ନଷ୍ଟ ହେବା ଆଶଙ୍କା କରୁଥିଲେ ମଧ୍ୟ ଫିଲ୍ମକୁ ‘ଟ୍ୟାକ୍ସ ଫ୍ରି’ କରିବା ଏବଂ ନିଜ ସମର୍ଥିତ ଗଣମାଧ୍ୟମ ଜରିଆରେ ଏହାର ବ୍ୟାପକ ପ୍ରଚାର, ପ୍ରସାର କରିବା ପଛରେ ଉଦ୍ଦେଶ୍ୟ ଯାହା ଥାଉନା କାହିଁକି, ୨୦୨୪ ପୂର୍ବରୁ ସାଂପ୍ରଦାୟିକ ଧ୍ରୁବୀକରଣ ଦିଗରେ ଆଉ ଏକ ରଣକୌଶଳ ବୋଲି ବିରୋଧୀ ଅଭିଯୋଗ କରିବାକୁ ପଛାଉ ନାହାନ୍ତି । ଏବେ ବିରୋଧୀ ଶିବିରରେ ଗୁଜରାଟର ‘ଗୋଧ୍ରା’ରେ ହୋଇଥିବା ନରସଂହାର ବିଷୟ ଅଧିକ ଆଲୋଚିତ ହେଉଛି । ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗୋଧ୍ରାକାଣ୍ଡ ଘଟି ଥିଲା । ତାହା ଚାପି ଦେଇଥିବା ଲୋକମାନେ ଏବେ କଶ୍ମୀରର ନରସଂହାରକୁ ନେଇ ରାଜନୀତି କରୁଛନ୍ତି ବୋଲି ବିରୋଧୀ ପାଲଟା ଅଭିଯୋଗ କରିଛନ୍ତି ।
ଜମ୍ମୁ-କଶ୍ମୀରର ପ୍ରଭାବଶାଳୀ ରାଜନୈତିକ ପରିବାର (ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ ଅବଦୁଲ୍ଲା, ଡ଼କ୍ଟର ଫରୁକ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା) ମଧ୍ୟ ‘କଶ୍ମୀର ଫାଇଲ୍ସ’ ଅର୍ଦ୍ଧସତ୍ୟ ଉପରେ ଆଧାରିତ ବୋଲି ବୋଲି ଅଭିଯୋଗ କରିଛନ୍ତି । ତେବେ, ସେମାନଙ୍କୁ ଜବାବ ଦେବାକୁ ତାଙ୍କ ନିକଟରେ ଯଥେଷ୍ଟ ତଥ୍ୟ ରହିଛି ବୋଲି ‘କଶ୍ମୀର ଫାଇଲ୍ସ’ ନିର୍ଦେଶକ ଅଗ୍ନିହୋତ୍ରୀ କହିଛନ୍ତି । ସେ ‘କଶ୍ମୀର ଫାଇଲ୍ସ’ ପୂର୍ବରୁ ‘ତାସକେଂଟ୍ ଫାଇଲ୍ସ’, ‘ହେଟ୍ ଷ୍ଟୋରୀ’, ‘ବୁଦ୍ଧ ଇନ୍ ଏ ଟ୍ରାଫିକ ଜାମ୍’ ଭଳି କଳାତ୍ମକ ଫିଲ୍ମ ନିର୍ମାଣ କରି ପ୍ରଶଂସିତ ହୋଇଥିଲେ । ଅଗ୍ନିହୋତ୍ରୀଙ୍କ ପୂବରୁ କଶ୍ମୀର ଉପତ୍ୟାକାରେ ଆତଙ୍କବାଦ ଏବଂ ହିନ୍ଦୁଙ୍କ ପଳାୟନକୁ ନେଇ ୨୦୨୦ରେ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଶିକାରା’ ନିର୍ମିତ ହୋଇଥିଲା ।
ତେବେ, ‘କଶ୍ମୀର ଫାଇଲ୍ସ’ ଫିକ୍ସନ୍ ନୁହେଁ, ସତ୍ୟ ଉପରେ ଆଧାରିତ ଏକ ବ୍ୟବସାୟିକ ଫିଲ୍ମ ବୋଲି ଏହାର ନିର୍ଦେଶକ ଅଗ୍ନିହୋତ୍ରୀ କହିଛନ୍ତି । ଫିଲ୍ମ ଦେଖିବା ପରେ ଥିଏଟରରେ ବସି ଦର୍ଶକ କାନ୍ଦୁ ଥିବା ଏବଂ ଫିଲ୍ମର ପ୍ରଚାର, ପ୍ରସାର ବେଳେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ଷ୍ଟୁଡିଓରେ ଉପସ୍ଥିତ ଏହାର କଳାକାର ଓ ଉପସ୍ଥିତ କଶ୍ମୀରୀ ପଣ୍ଡିତମାନେ କୋହ ସମ୍ଭାଳି ପାରୁ ନଥିବା ଦୃଶ୍ୟ ୩୨ ବର୍ଷ ତଳର କ୍ଷତ ଆଜି ମଧ୍ୟ ଜୀବନ୍ତ ଥିବା ସ୍ପଷ୍ଟ କରୁଛି । ଅଭିନେତା ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଯୋଶୀ, ଦର୍ଶନ କୁମାର ପ୍ରମୁଖ ‘କଶ୍ମୀର ଫାଇଲ୍ସ’କୁ ଅଧିକ ଜୀବନ୍ତ କରିଛନ୍ତି । ଦେଶରେ ବିଜେପି ଶାସନ ଥିବାରୁ ହିଁ ଏହି ଫିଲ୍ମ ନିର୍ମାଣ ସମ୍ଭବ ହେଲା ବୋଲି ଅଭିନେତା ଅନୁପମ ଖେରଙ୍କ ମନ୍ତବ୍ୟ ରାଜନୀତି ଦ୍ୱାରା ପ୍ରେରିତ ହେଲେ ମଧ୍ୟ ସେଥିରେ ସତ୍ୟତା ଥିବା ଅନୁଭବ କରି ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS