ମିଳିତ ନେତୃତ୍ୱ, ସମ୍ମିଳିତ ନିଷ୍ପତ୍ତି ହେଉଛି କଂଗ୍ରେସ ଅସନ୍ତୁଷ୍ଟଙ୍କ ଦାବି !
ପ୍ରସାଦ ରାଓ
ମାର୍ଚ୍ଚ ୧୭
ସଦ୍ୟ ସମାପ୍ତ ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ‘ମିଳିତ ନେତୃତ୍ୱ’କୁ କଥା ଚର୍ଚ୍ଚାକୁ ଆସିଲାଣି । ଗାନ୍ଧୀ ପରିବାରକୁ ନେତୃତ୍ୱରୁ ବାଦ୍ ଦେଇ କଂଗ୍ରେସକୁ ପୁନଃ ସଂଗଠିତ କରାଯିବା ଦାବି ଅଧିକାଂଶ ଦଳୀୟ ନେତାଙ୍କ ଦ୍ୱାରା ଗ୍ରହଣୀୟ ହେଉନଥିବା ଦେଖି କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ ସେମାନଙ୍କ ରଣନୀତି ବଦଳାଇଛନ୍ତି ଏବଂ ସବୁ ନିଷ୍ପତ୍ତି ଗୋଟିଏ ପରିବାର ବା ସେମାନଙ୍କ ସମର୍ଥକ ଗୋଷ୍ଠୀ ଦ୍ୱାରା ନ ହୋଇ ସମସ୍ତଙ୍କୁ ସେଥିରେ ସମ୍ମିଳିତ କରାଯିବା ପାଇଁ ନେତୃତ୍ୱ ଉପରେ ଚାପ ସୃଷ୍ଟି କରିବା ଆରମ୍ଭ କରିଛନ୍ତି ।
ବୁଧବାର ରାତିରେ କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ ନେତାମାନେ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ନୈଶ୍ୟଭୋଜିରେ ମିଳିତ ହୋଇ ଦଳରେ ପ୍ରତ୍ୟେକସ୍ତରରେ ‘ମିଳିତ ନେତୃତ୍ୱ’ ଏବଂ ‘ସମ୍ମିଳିତ ନିଷ୍ପତ୍ତି’ ମଡେଲ୍ କାର୍ଯ୍ୟକାରୀ କରାଯିବାକୁ ନେତୃତ୍ୱ ଉପରେ ଚାପ ସୃଷ୍ଟି କରିବେ ବୋଲି ସ୍ଥିର କରିଥିବା ଜଣାପଡିଛି । ଅସନ୍ତୁଷ୍ଟଙ୍କ ଏହି ବୈଠକ ପରେ ଏଆଇସିସିର ଆନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଜି-୨୩ ଗୋଷ୍ଠୀ ନେତା ଗୁଲାମ ନବୀ ଆଜାଦଙ୍କ ସହ କଥା ହୋଇଥିବା ଏବଂ ଅନ୍ୟ କେତେକ ନେତାଙ୍କ ସହ କଥା ହେବାକୁ ଯୋଜନା ରଖିଥିବା ସୂଚନା ମିଳିଛି । ସେହିଭଳି, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅସନ୍ତୁଷ୍ଟ ନେତା ଭୂପିନ୍ଦର ସିଂହ ହୁଡ୍ଡା ଆଜି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ଉପସ୍ଥାପନ କରିଥିବା ସୂଚନା ମିଳିଛି ।
ବୁଧବାର ରାତିରେ ଅନୁଷ୍ଠିତ ଜି-୨୩ ଗୋଷ୍ଠୀର ନୈଶ୍ୟଭୋଜି ପରେ ସେ ହେଉଛନ୍ତି ଗୋଷ୍ଠୀର ପ୍ରଥମ ନେତା ଯିଏକି ଗାନ୍ଧୀ ପରିବାରର ଜଣେ ସଦସ୍ୟଙ୍କୁ ଭେଟି ଆଲୋଚନା କରିବା ସହ ନିଜ ଅସନ୍ତୋଷ ଜଣାଇଛନ୍ତି । ହୁଡ୍ଡା ସେ କିମ୍ବା ତାଙ୍କ ପୁଅ ଦୀପିନ୍ଦର ହୁଡ୍ଡା ହରିୟାଣାରେ କଂଗ୍ରେସ ମୁଖ୍ୟ ହେବାକୁ ଚାହୁଁଥିଲେ ମଧ୍ୟ ଗାନ୍ଧୀ ପରିବାରର ଘନିଷ୍ଟ କୁହାଯାଉଥିବା କୁମାରୀ ଶୈଳଜାଙ୍କୁ କଂଗ୍ରେସ ମୁଖ୍ୟ ପଦରେ ନିଯୁକ୍ତି ଦିଆଯିବା ପରଠାରୁ ହୁଡ୍ଡା ନେତୃତ୍ୱ ଉପରେ କ୍ଷୁବଧ । ପ୍ରଥମ ଥର ପାଇଁ ସେ ବୁଧବାର ଆଜାଦଙ୍କ ବାସଭବନରେ ହୋଇଥିବା ଅସନ୍ତୁଷ୍ଟ ଗୋଷ୍ଠୀ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ୧୮ ଜଣ ଅସନ୍ତୁଷ୍ଟ ନେତା ଯୋଗ ଦେଇଥିବା ବେଳେ ସେଥିରେ ଜି-୨୩ ଗୋଷ୍ଠୀ ନେତାଙ୍କ ସହ କିଛି ନୂଆ ନେତା ମଧ୍ୟ ସାମିଲ ହୋଇଥିବା ଜଣାପଡିଛି ।
ଏଠାରେ ଉଲ୍ଳେଖନୀୟ ଯେ, ଦୁଇ ବର୍ଷ ତଳେ କଂଗ୍ରେସ ଦଳର ୨୩ ଜଣ ବରିଷ୍ଠ ନେତା ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନେତୃତ୍ୱ ପରିବର୍ତ୍ତନ ଓ କଂଗ୍ରେସର ସାଂଗଠନିକସ୍ତରରେ ବଡ଼ ଧରଣର ଅଦଳବଦଳ କରାଯିବାକୁ ଦାବି ଉଠାଇ ଥିଲେ । ଚିଠିରେ ଦସ୍ତଖତ ଦେଇ ଥିବା ୨୩ ନେତାଙ୍କୁ ‘ଜି-୨୩’ ଗୋଷ୍ଠୀ ନାମରେ ନାମିତ କରାଯାଇଛି । ସଦ୍ୟ ସମାପ୍ତ ୟୁପି, ପଂଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଦେଖି କଂଗ୍ରେସ ନେତୃତ୍ୱ ଏହାର କାରଣ ସଂପର୍କରେ ସମୀକ୍ଷା କରିବାକୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସିଡବ୍ଲ୍ୟୁସି ବୈଠକ ଡାକି ଥିଲେ । ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୫୦ରୁ ଅଧିକ ନେତା ଯୋଗ ଦେଇଥିଲେ ।
ବୈଠକରେ, ଗାନ୍ଧୀ ପରିବାର ନେତୃତ୍ୱରେ ଥିବା ଯୋଗୁଁ ଦଳ ଏଭଳି ବିପର୍ଯ୍ୟୟର ସାମ୍ନା କରୁଛି ତେବେ ସେ ରାହୁଲ, ପ୍ରିୟଙ୍କାଙ୍କ ସହ ନେତୃତ୍ୱରୁ ଓହରି ଯିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସୋନିଆ ଗାନ୍ଧୀ ସିଡବଲୁ୍ୟସି ବୈଠକରେ କହିବାରୁ ସେଥିରେ ଯୋଗ ଦେଇଥିବା ଦଳର ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଗୋଷ୍ଠୀ ତାହାକୁ ଗ୍ରହଣ ନ କରି ସୋନିଆଙ୍କ ନେତୃତ୍ୱ ପ୍ରତି ସେମାନଙ୍କ ଆସ୍ଥା ଥିବା କହିଛନ୍ତି । ନଭେମ୍ବରରେ ଦଳର ସାଂଗଠନିକ ନିର୍ବାଚନ ହେବାକୁ ଥିବାରୁ ନୂତନ ସଭାପତି ନିର୍ବାଚନ ସରିବା ପର୍ଯ୍ୟନ୍ତ ସେ ଦଳର ଅନ୍ତରୀଣ ସଭାପତି ରୁହନ୍ତୁ ବୋଲି ସିଡବ୍ଲ୍ୟୁସି ଅନୁମୋଦନ ଦେଇଛି । କଂଗ୍ରେସର ଏଆ ଅତ୍ମ ମନ୍ଥନ ବୈଠକର ପରଦିନ ଜି-୨୩ ଗୋଷ୍ଠୀ ଗୁଲାମ ନବୀ ଆଜାଦଙ୍କ ବାସଭବନରେ ଏକାଠି ହୋଇ ମିଳିତ ନେତୃତ୍ୱ ଓ ସମ୍ମିଳିତ ନିଷ୍ପତ୍ତି କଥା ଉଠାଇଛନ୍ତି ।
କିଛି ନହେଲେ କଂଗ୍ରେସ ଅନ୍ତତଃ ପଂଜାବରେ ଜିତିବ ଓ ୨୦୧୭ରୁ ସେଠାରେ ଚାଲି ଥିବା ଦଳର ସରକାରକୁ ପୁନଃ କ୍ଷମତାସୀନ କରିବ ବୋଲି କଂଗ୍ରେସ ନେତାଙ୍କ ଆଶା ଥିଲା । ତେବେ, ପଂଜାବରେ ଦଳ ଘୋର ବପର୍ଯ୍ୟୟର ସାମ୍ନା କରିବା ସହ ଥିବା ସରକାରକୁ ହାତଛଡା କରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆଉ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦଳ ଆନ୍ତତଃ ସଂଗଠିତ ଭାବେ ନିର୍ବାଚନ ଲଢିବା ଓ କ୍ଷମତା ଫେରି ପାଇବା ସୁଯୋଗ ରହିଛି । ତେଣୁ, ‘ମିଳିତ ନେତୃତ୍ୱ’ ଓ ‘ସମ୍ମିଳିତ ନିଷ୍ପତ୍ତି’ ଉପରେ ଜି-୨୩ ଗୋଷ୍ଠୀ ଗୁରୁତ୍ୱ ଦେଉଥିବା ଜଣାପଡିଛି ।
ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ କେଉଁ ସବୁ କାରଣ ଦାୟି ତାହାର ସମୀକ୍ଷା କରିବା ନିମନ୍ତେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ୨୦୨୪ ପୂର୍ବରୁ ହେବାକୁ ଥିବା ଅନ୍ୟ ନିର୍ବାଚନଗୁଡିକ ପାଇଁ ଏକ ନୂଆ ପ୍ରସ୍ତୁତି କମିଟି ଗଠନ କରିବାକୁ ଘୋଷଣା କରାଯାଇଛି । ଚଳିତ ସଂସଦ ଅଧିବେଶନ ସରିବା ପରେ ଏହି କମିଟି ଗଠନ ହେବ ବୋଲି ମଧ୍ୟ ଦଳର ନେତୃତ୍ୱ ପ୍ରତିଶ୍ରୁତି ଦେଇଛି । ତେବେ, ସେଭଳି କିଛି ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ଅସନ୍ତୁଷ୍ଟ ଗୋଷ୍ଠୀ ଆଶା ରଖି ନାହାନ୍ତି । ତଥାପି, ଯେଉଁ ସବୁ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ଘଟିଛି ସେସବୁ ରାଜ୍ୟର କଂଗ୍ରେସ ମୁଖ୍ୟମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରି କଂଗ୍ରେସ ନେତୃତ୍ୱ ଏକ ପରିବର୍ତ୍ତନର ସୂଚନା ଦେଇଛନ୍ତି ।
ସେସବୁ ରାଜ୍ୟରେ ଦଳରେ କିପ୍ରକାର ସାଂଗଠନିକ ପରିବର୍ତ୍ତନ ଆବଶ୍ୟକ ତାହାର ପରାମର୍ଶ ଦେବାକୁ ସୋନିଆ ପାଂଚ ଜଣ ନେତାଙ୍କୁ ଦାୟିତ୍ୱ ଦେଇ ବିଶ୍ୱାସର ବାତାବରଣ ସୃଷ୍ଟି କରୁଥିବା ବେଳେ ଗାନ୍ଧୀ ପରିବାରକୁ ଭୁଲ ବାଟରେ ପରିଚାଳିତ କରି ନିର୍ବାଚନ ପରାଜୟର କାରଣ ହୋଇଥିବା ନେତାଙ୍କ ବିରୋଧରେ ଅଧିକ କଠୋର ଦଣ୍ଡ ବିଧାନ ହେବା ଅସନ୍ତୁଷ୍ଟ ଗୋଷ୍ଠୀ ଚାହୁଁଛନ୍ତି । ବୁଧବାର ଆଜାଦଙ୍କ ବାସଭବନରେ ନୈଶ୍ୟଭୋଜିରେ ଯୋଗ ଦେଇଥିବା ଜି-୨୩ ଗୋଷ୍ଠୀ ବାହାର ନେତାଙ୍କ ମଧ୍ୟରେ ଅଛନ୍ତି, ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର, ପୂର୍ବତନ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ପତ୍ନୀ ଲୋକସଭା ସାଂସଦ ପ୍ରଣୀତ କୌର ଓ ବରିଷ୍ଠ ନେତା ଶଙ୍କର ସିଂହ ବାଘେଲ । ୨୦୧୭ରେ ବାଘେଲା କଂଗ୍ରେସ ଛାଡି ୨୦୧୯ରେ ଏନସିପିରେ ଯୋଗ ଦେଇଥିଲେ । ଗତବର୍ଷ ସେ ଏନସିପି ଛାଡି କଂଗ୍ରେସକୁ ଫେରିବା ଉଦ୍ୟମରେ ଅଛନ୍ତି ।
ନୈଶ୍ୟଭୋଜିରେ ଯୋଗ ଦେଇଥିବା ୧୮ ନେତା ଏକ ମିଳିତ ବିବୃତିରେ ଫେବୃୟାରୀ-ମାର୍ଚ୍ଚରେ ଅନୁଷ୍ଠିତ ପାଂଚ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଦଳର ନେତା ଓ କର୍ମୀଙ୍କ ମନୋବଳକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିବା ସହ ପରିସ୍ଥିତିରେ ସୁଧାର ଆଣିବା ସକାଶେ ମିଳିତ ନେତୃତ୍ୱ ଓ ସମ୍ମିଳିତ ନିଷ୍ପତ୍ତି ମଡେଲ କାର୍ଯ୍ୟକାରୀ କରାଯିବା ଦାବି ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଦଳ ବିଜେପିର ମୁକାବିଲା ପାଇଁ ସମଭାବାପନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା କରି ଏକ ବିଶ୍ୱସନୀୟ ବିରୋଧୀ ମେଂଟ ଗଠନ କରିବାକୁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି । ମିଳିତ ବିବୃତିରେ ଗୁଲାମ ନବୀ ଆଜାଦଙ୍କ ସମେତ ଆନନ୍ଦ ଶର୍ମା, କପିଲ ସିବଲ, ପ୍ରିଥ୍ୱିରାଜ ଚଭନ, ମନିଷ ତିୱାରୀ, ଭୂପିନ୍ଦର ସିଂହ ହୁଡ୍ଡା, ଅଖିଳେଶ ପ୍ରସାଦ ସିଂହ, ରାଜ ବବ୍ବର, ଶଂକର ସିଂହ ବାଘେଲା, ମଣିଶଙ୍କର ଆୟାର, ଶଶି ଥରୁର, ପି.ଜେ.କୁରିଆନ, ଏମ.ଏ.ଖାନ, ରାଜିନ୍ଦର କୌର ଭଟ୍ଟଲ,ସଂଦୀପ ଦିକ୍ଷୀତ, କୁଲଦୀପ ଶର୍ମା, ବିବେକ ଟଂକ ଓ ପ୍ରଣୀତ କୌରଙ୍କ ଦସ୍ତଖତ ରହିଛ ।
‘ଦଳ ଆମକୁ ବିଦା କରିବା ଯାଏଁ ଆମେ ଦଳ ଛାଡିବା ପ୍ରଶ୍ନ ଉଠୁ ନାହିଁ । କଂଗ୍ରେସରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ଏବଂ ୨୦୨୪ରେ ବିଜେପିର ମୁକାବିଲା ପାଇଁ ଏକ ବିଶ୍ୱନୀୟ ବିକଳ୍ପ ମେଂଟ ଗଠନ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ’ ବୋଲି ଏହି ନେତାମାନେ ଦଳର ନେତୃତ୍ୱକୁ ସୂଚାଇ ଦେବା ସହ ଦାବିଗୁଡିକ ସପକ୍ଷରେ ଜନମତ ଜାଗରଣ ପାଇଁ ଦେଶବ୍ୟାପୀ ଗସ୍ତ କରିବେ ବୋଲି ମଧ୍ୟ କହିଛନ୍ତି । ଅପରପକ୍ଷରେ, ଗାନ୍ଧୀ ପରିବାର ଓ ନେତୃତ୍ୱକୁ ଟାର୍ଗେଟ କରୁଥିବା ଅସନ୍ତୁଷ୍ଟ ଗୋଷ୍ଠୀକୁ ସପକ୍ଷବାଦୀ ଗୋଷ୍ଠୀ କଡା ସମାଲୋଚନା କରିଛି । ନିର୍ବାଚନ ପରାଜୟକୁ ନେଇ ସିଡବ୍ଲ୍ୟୁସି ବୈଠକରେ ସବିଶେଷ ଆଲୋଚନା ହେବା ସତ୍ତ୍ୱେ ଏହି ଗୋଷ୍ଠୀ କଂଗ୍ରେସକୁ ଭାଗ ଭାଗ କରିବା ଷଡଯନ୍ତ୍ରରେ ଲିପ୍ତ ଅଛନ୍ତି ବୋଲି ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ମଲ୍ଲିକାର୍ଜୁନ ଖାର୍ଗେ ମନ୍ତବ୍ୟ ଦେଇଛନ୍ତି । ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଥିବା ବେଳେ ଏଆଇସିସି ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଗୁଲାମ ନବୀଙ୍କ ସହ କଥାବାର୍ତ୍ତା ହେବା ଓ ଅନ୍ୟ ନେତାଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସଂପର୍କରେ ସୁଧାର ଆଣିବା ଦିଗରେ ପଦକ୍ଷେପ ବୋଲି ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS