ପଂଜାବ ମୁଖ୍ୟମନ୍ତ୍ରୀ ହେଲେ ଭଗୱନ୍ତ ମାନ୍

ପ୍ରସାଦ ରାଓ
ମାର୍ଚ୍ଚ ୧୬
‘ଆପ୍’ ବିଧାୟକ ଦଳ ନେତା ଭଗୱନ୍ତ ମାନ୍ ଆଜି ପଂଜାବ ମୁଖ୍ୟମନ୍ତ୍ରୀ ଭାବେ ସ୍ୱାଧୀନତା ସଂଗ୍ରାମୀ ସହୀଦ ଭଗତ ସିଂହଙ୍କ ଜନ୍ମମାଟି ‘ଖଟକର କାଲାନ’ ଗ୍ରାମରେ ଶପଥ ଗ୍ରହଣ କରିଛନ୍ତି । ଏକ ବିସ୍ତୃତ ଚାଷୀ ଜମିରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ର ଜାତୀୟ ଆବାହକ ଅରବିନ୍ଦ କେଜାରୱାଲଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ । ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ତାଙ୍କ ପ୍ରଥମ ଭାଷଣରେ କହିଛନ୍ତି, ପଂଜାବକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ଦିଗରେ ସେ କାର୍ଯ୍ୟ କରିବେ । ପଂଜାବ ଆଉ ‘ଉଡ଼ତା ପଂଜାବ’ ନୁହେଁ, ‘ବଢତା ପଂଜାବ’ ଭାବେ ଦେଶରେ ପରିଚିତ ହେବ ବୋଲି ସେ ଘୋଷଣା କରିଛନ୍ତି । ମାନ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ‘ଆପ୍’ ବିଧାୟକ ଦଳ ବୈଠକରେ ଉଦବୋଧନ ଦେଇ ଦଳକୁ ଯେଉଁମାନେ ଭୋଟ ଦେଇଛନ୍ତି ଓ ଯେଉଁମାନେ ଦେଇ ନାହାନ୍ତି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ ଓ କାହାରି ପ୍ରତି ଆକ୍ରୋଶ ନ ରଖିବାକୁ ସହଯୋଗୀ ବିଧାୟକମାନଙ୍କୁ ଆହ୍ୱାନ ଦେଇଥିଲେ । ୪୮ ବର୍ଷ ବୟସ୍କ ମାନ୍ ହେଉଛନ୍ତି ରାଜ୍ୟର କନିଷ୍ଠତମ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ନେତା ହେବା ପରେ ସେ ଗତକାଲି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ସହୀଦ ଭଗତ ସିଂହଙ୍କ ପ୍ରତି ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ତେଣୁ, ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ରାଜଭବନ କିମ୍ବା କୌଣସି ବଡ଼ କ୍ରିକେଟ ପଡିଆକୁ ନ ବାଛି ଭଗତ ସିଂହଙ୍କ ଗ୍ରାମ ‘ଖଟକର କାଲାନ’କୁ ବାଛିଲେ ବୋଲି ହଳଦି ବସନ୍ତ ରଂଗର ପଗଡି ପରିଧାନ କରିଥିବା ମାନ୍ କହିଛନ୍ତି । ନିକଟରେ ପଂଜାବରେ ସରି ଥିବା ବିଧାନସଭା ନିର୍ବାଚନରେ ଭଗୱନ୍ତ ମାନ୍ ଙ୍କ ନେତୃତ୍ୱରେ ଦଳ (ଆମ୍ ଆଦମୀ ପାର୍ଟି) ୧୧୭ ବିଧାନସଭା ଆସନରୁ ୯୨ଟିରେ ବିଜୟ ହାସଲ କରିଛି । ଦଳ କ୍ଷମତାକୁ ଆସିଲେ ମାନ୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ‘ଆପ୍’ ଜାତୀୟ ଆବାହକ କେଜରୀୱାଲ ନିର୍ବାଚନ ସମୟରୁ ଘୋଷଣା କରି ସାରିଥିଲେ । ଆଜି ତାହା ବାସ୍ତବ ରୂପ ନେଇଛି । ଦିଲ୍ଲୀରେ ଯେଭଳି ମୋହଲ୍ଲା କ୍ଲିନିକ ଚାଲିଛି ଓ ସରକାରୀ ସ୍କୁଲ ସବୁର ରୂପାନ୍ତରିତ ହୋଇଛି ପଂଜାବରେ ମଧ୍ୟ ସେଭଳି ହେବ । ତାଙ୍କ ସରକାର କୃଷିର ବିକାଶ ସହ ବେକାରୀ ଦୂର କରିବା ଦିଗରେ କାର୍ଯ୍ୟ କରିବେ ବୋଲି ମାନ୍ ଘୋଷଣା କରିଛନ୍ତି । ତାଙ୍କ ସରକାରର କାର୍ଯ୍ୟ ସାମାନ୍ୟ ମନ୍ଥର ରହିଲେ ସାମାଜିକ ଗଣମାଧ୍ୟମ ତାହାର ସମାଲୋଚନା ନ କରି ସହଯୋଗ କରିବାକୁ ମଧ୍ୟ ସେ ନିବେଦନ କରିଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS