୨୦୨୪ରେ ବିକଳ୍ପ କିଏ ?

ପ୍ରସାଦ ରାଓ
ମାର୍ଚ୍ଚ ୧୫
୨୦୧୪ ପୂର୍ବରୁ ରାଜନୀତିକୁ ନେଇ ଚର୍ଚ୍ଚା ହେଲେ ମନକୁ ଗୋଟିଏ ପ୍ରଶ୍ନ ଆସୁଥିଲା – ଦେଶରେ କଂଗ୍ରେସର ବିକଳ୍ପ କିଏ ? ଏକମାତ୍ର ଜାତୀୟ ଦଳ ଭାବେ କଂଗ୍ରେସ ଥିଲା ସଂଗଠିତ ଓ ଶକ୍ତିଶାଳୀ । ରାଜ୍ୟମାନଙ୍କରେ ମଧ୍ୟ ଦଳ ଅସ୍ତିତ୍ୱ ଜାହିର କରୁଥିଲା । ଭୋଟ ଦୃଷ୍ଟିରୁ ଉଭୟ ସହରାଂଚଳ ଓ ଗ୍ରାମାଂଚଳରେ ଦଳର ସାଂଗଠନିକ ଶକ୍ତି ଥିଲା ଅତୁଳନୀୟ । ଇତିମଧ୍ୟରେ ପରିସ୍ଥିତି ବଦଳିଛି । କଂଗ୍ରେସ ରାଜସ୍ଥାନ ଓ ଛତିଶଗଡ଼ ମଧ୍ୟରେ ସୀମିତ ରହି ଯାଇଛି । ମହାରାଷ୍ଟ୍ରରେ କଂଗ୍ରେସ ଶିବସେନାର କନିଷ୍ଠ ସହଯୋଗୀ ଭାବେ ସରକାରେ ଅଛି । ଓଡ଼ିଶାରେ ୧୯୯୯ ପରଠାରୁ ଦଳ କ୍ଷମତାକୁ ଫେରି ନାହିଁ । ହିନ୍ଦି ଭାଷାଭାଷୀ ରାଜ୍ୟ, ଉତ୍ତର ପୂର୍ବାଂଚଳ ଏବଂ ଦକ୍ଷିଣ ଭାରତରେ ଦଳର ସ୍ଥିତି ସୀମିତ । ୨୦୧୮ରେ କର୍ଣ୍ଣାଟକରେ ବିଜେପି ସର୍ବାଧିକ ବିଧାନସଭା ଆସନ ପାଇଥିଲେ ମଧ୍ୟ କଂଗ୍ରେସ ଜନତା ଦଳ (ଏସ) ସହ ବୁଝାମଣା କରି ସରକାର ଗଠନ କରିଥିଲା । କିନ୍ତୁ, ବିଜେପି ଉଭୟ ଜେଡ଼ିଏସ ଓ କଂଗ୍ରେସରେ ଛିଦ୍ର କରି ମେଂଟ ସରକାରର ପତନ ଘଟାଇଲା ଏବଂ ବିଜେପିର ସରକାର ପୁନଃ ପ୍ରତିଷ୍ଠା ହେଲା । ମଧ୍ୟ ପ୍ରଦେଶରେ ମଧ୍ୟ କଂଗ୍ରେସ କ୍ଷମତାରେ ଥିଲା । କିନ୍ତୁ, ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକ ବିଧାୟକଙ୍କ ସହ ବିଜେପିରେ ଯୋଗ ଦେବା ପରେ କମଳନାଥ ସରକାରଙ୍କ ପତନ ଘଟି ବିଜେପି ପୁନଃ କ୍ଷମତାସୀନ ହେଲା ।
ସଦ୍ୟ ସମାପ୍ତ ପଂଜାବ ନିର୍ବାଚନରେ କଂଗ୍ରେସ ଲଜ୍ୟାଜନକ ପରାଜୟର ସାମ୍ନା କରିଛି । ୧୧୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ୨୦୧୭ରେ ୭୭ଟି ଆସନ ପାଇ ସରକାର କରିଥିବା ବେଳେ ୨୦୨୨ରେ ମାତ୍ର ୧୮ଟି ଆସନରେ ସୀମିତ ହୋଇଯାଇଛି । କଂଗ୍ରେସ ନିଜ ଗୁଣରୁ ନିର୍ବାଚନ ହାରିଛି ଓ ‘ଆମ୍ ଆଦମୀ ପାର୍ଟି’ ଭଳି ଏକ ଆଂଚଳିକ ଦଳ ପଂଜାବରେ କଂଗ୍ରେସ ଗଡ଼କୁ ବିଧ୍ୱସ୍ତ କରି ୯୨ ଆସନ ସହ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ସରକାର ଗଢିବାକୁ ସକ୍ଷମ ହୋଇଛି । ଉତ୍ତରାଖଣ୍ଡରେ ମଧ୍ୟ ସେହି ଅବସ୍ଥା । ପ୍ରତି ପାଂଚ ବର୍ଷରେ ଥରେ ରାଜ୍ୟରେ ସରକାର ବଦଳିବାର ଧାରା ଏଥର କାମ କଲା ନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ରାଜ୍ୟରେ କଂଗ୍ରେସର ପ୍ରତ୍ୟାବର୍ତ୍ତନରେ ସହାୟକ ହେବେ ବୋଲି ଦଳର ନେତୃତ୍ୱ ବିଶ୍ୱାସ କରୁଥିଲେ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରି ୨୦୨୨ ନିର୍ବାଚନ ଲଢି ଥିଲେ । ତେବେ, ରାୱତ ନିଜେ ହାରିବା ସହ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ମାତ୍ର ୧୮ଟି ଆସନ ଆଣିବାକୁ ସକ୍ଷମ ହୋଇଛନ୍ତି । ଅବଶ୍ୟ, ଦଳ ୨୦୧୭ ତୁଳନାରେ ଅଧିକ ୭ଟି ଆସନ ପାଇବାକୁ ସମର୍ଥ ହୋଇଛି ।
୨୦୨୨ ନିର୍ବାଚନରେ ୟୁପିରେ କଂଗ୍ରେସ ପ୍ରଚାର ଜୋରଦାର ଥିଲା । ୟୁପି ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ବିଧାନସଭା ନିର୍ବାଚନରେ ଦଳର ମଂଗ ଧରି ଥିଲେ । ପ୍ରିୟଙ୍କାଙ୍କ ବିଭିନ୍ନ ସଭା ଓ ରୋଡ଼ ସୋ’ରେ ବିପୁଳ ଜନସମାଗମ ହେଉଥିଲା । ସମସ୍ତେ ବିଶ୍ୱାସ କରୁଥିଲେ, ୟୁପିରେ କଂଗ୍ରେସ ସରକାରକୁ ନ ଆସିଲେ ମଧ୍ୟ ଆଖିଦୃଶିଆ ପ୍ରଦର୍ଶନ କରିବ ଏବଂ ‘ପ୍ରିୟଙ୍କା ଛାପ’ ଛାଡିବ । କିନ୍ତୁ, ରାହୁଲଙ୍କ ଭଳି ପ୍ରିୟଙ୍କା ମଧ୍ୟ କଂଗ୍ରେସ ପୁନରୁଦ୍ଧାରରେ ବିଫଳ ହୋଇଛନ୍ତି । ରାଜ୍ୟରେ ଦଳକୁ ମାତ୍ର ଦୁଇଟି ଆସନ ମିଳିଛି । ଅବଶ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବିଏସପି ତୁଳନାରେ କଂଗ୍ରେସର ଭଲ ପ୍ରଦର୍ଶନ କରିଛି । ୟୁପି ନିର୍ବାଚନରେ ବିଏସପି ୪୦୩ରୁ ମାତ୍ର ଗୋଟିଏ ଆସନ ପାଇଥିବା ବେଳେ କଂଗ୍ରେସ ଦୁଇଟି ଆସନ ପାଇଛି । ତାହା ହିଁ କଂଗ୍ରେସ ଦଳ ପାଇଁ ଏକମାତ୍ର ଆଶ୍ୱସ୍ତି । ୨୦୨୨ ନିର୍ବାଚନରେ ମଣିପୁର ଓ ଗୋଆରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଶୋଚନୀୟ ଥିଲା ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାରକୁ ଆସିବା ପରେ ଯେଉଁ ‘କଂଗ୍ରେସ-ମୁକ୍ତ ଭାରତ’ ଅଭିଯାନ ଆରମ୍ଭ ହୋଇଥିଲା ତାହା ଏବେ ବାସ୍ତବ ହେବାକୁ ଯାଉଥିବା ଦେଖିବାକୁ ମିଳୁଛି । ବିରୋଧୀ ବିଜେପି ବିରୋଧରେ ସଂଗଠିତ ଭାବେ ଲଢିବା ଆପେକ୍ଷା ପରସ୍ପର ବିରୋଧରେ ଲଢେଇରେ ମାତିବାରୁ ବିଜେପି ତାହାର ଫାଇଦା ନେଉଛି । ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ଆଜି ଆଉ ବିଜେପିର ଜାତୀୟ ବିକଳ୍ପ ସ୍ଥିତିରେ ନାହିଁ । ବିଭିନ୍ନ ରାଜ୍ୟରେ ଆଂଚଳିକ ଦଳଙ୍କ ଅଭ୍ୟୁଦୟ ଓ କ୍ଷମତା ଦଖଲ ପରେ କଂଗ୍ରେସରେ ସମସ୍ୟା ବଢିଛି । ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସ ମୋଦୀ ସରକାରଙ୍କ ପ୍ରମୁଖ ଟାର୍ଗେଟ ରହିଛି । କଂଗ୍ରେସ ମୂଳପୋଛ ହେଲେ ଦେଶରେ ବିଜେପି ନିରଙ୍କୁଶ ହେବ । ବିଜେପି ନେତୃତ୍ୱ ଏହା ଜାଣନ୍ତି । ତେଣୁ, ସାତ ବର୍ଷ ହେଲା କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ଦେଶରେ କଂଗ୍ରେସ ଏବେ ଆଂଚଳିକ ଦଳଙ୍କ ଠାରୁ ହୀନ ସ୍ଥିତିରେ । ଜାତୀୟ ରାଜନୀତିରେ ମଧ୍ୟ ଏକପ୍ରକାର ଅଲୋଡା ହୋଇ ଗଲାଣି । କଂଗ୍ରେସର ସ୍ଥାନ ନେଇଛି ବିଜେପି । ଆଜି ଦିନରେ ରାଜନୀତିକୁ ନେଇ ଚର୍ଚ୍ଚା ହେଲେ ପ୍ରଶ୍ନ ହେଉଛି, ଦେଶରେ ବିଜେପିର ବିକଳ୍ପ କିଏ ?
୨୦୨୨ ପ୍ରାରମ୍ଭରେ ହୋଇଥିବା ୟୁପି, ପଂଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ୟୁପିରେ ୪୦୩ରୁ ମାତ୍ର ଦୁଇଟିରେ ବିଜୟୀ ହୋଇଥିବା ବେଳେ ପଂଜାବରେ ୧୧୭ ଓ ଉତ୍ତରାଖଣ୍ଡରେ ୭୦ ଆସନରୁ ୧୮ଟି ଲେଖାଏଁ ଆସନ ପାଇଛି । ୪୦ ଆସନ ବିଶିଷ୍ଟ ଗୋଆରେ କଂଗ୍ରେସକୁ ୧୨ଟି ଆସନ ଓ ୬୦ ଆସନ ବିଶିଷ୍ଟ ମଣିପୁରରେ ମାତ୍ର ୫ଟି ଆସନ ମିଳିଛି । ୨୦୧୭ ନିର୍ବାଚନ ତୁଳନାରେ କଂଗ୍ରେସ ୨୦୨୨ରେ ୟୁପିରେ ୫ଟି, ପଂଜାବରେ ୫୯ଟି, ଗୋଆରେ ୮ଟି ଓ ମଣିପୁରରେ ୨୩ଟି କମ୍ ଆସନ ପାଇଛି । ଅପରପକ୍ଷରେ, ପଂଜାବରେ ‘ଆମ୍ ଆଦମୀ ପାର୍ଟି’ କଂଗ୍ରେସର ଦୁର୍ଗ ପତନ କରି ଆଶାତୀତ ସଫଳତା (୧୧୭ରୁ ୯୨ ଆସନରେ ବିଜୟ) ପାଇଛି । ସରକାର-ବିରୋଧୀ ଅସନ୍ତୋଷ ସତ୍ତ୍ୱେ ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପିକୁ ଲଗାତର ଦ୍ୱତୀୟ ଥର ପାଇଁ କ୍ଷମତା ମିଳିଛି ।
ୟୁପିରେ କଂଗ୍ରେସ ୪୦୩ରୁ ୩୯୯ ଆସନରେ ପ୍ରାର୍ଥୀ ଦେଇଥିଲା । ୩୮୭ ଆସନରେ ଦଳର ପ୍ରାର୍ଥୀ ଅମାନତ ହରାଇଛନ୍ତି । କଂଗ୍ରେସକୁ ମାତ୍ର ୨.୪ ପ୍ରତିଶତ ଭୋଟ ମିଳିଛି, ଯାହାକି ରାଷ୍ଟ୍ରୀୟ ଲୋକଦଳ (ଆରଏଲଡ଼ି) ଠାରୁ କମ୍ । ଆରଏଲଡି (ରାଷ୍ଟ୍ରୀୟ ଲୋକଦଳ) ୩୩ ଆସନରେ ପ୍ରାର୍ଥୀ ଦେଇ ମୋଟ ଭୋଟର ୨.୯ ପ୍ରତିଶତ ହାତେଇଛି । ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ୟୁପିର ୪୦୩ ଆସନରୁ ପ୍ରାର୍ଥୀ ଦେଇଥିବା ବେଳେ ଗୋଟିଏ ଆସନରେ ବିଜୟୀ ହୋଇଛି । ୨୯୦ ଆସନରେ ବିଏସପି ପ୍ରାର୍ଥୀ ଅମାନତ ହରାଇଛନ୍ତି । ଅନ୍ୟପକ୍ଷରେ, ୟୁପିରେ ବିଜେପି ୩୭୬ ଆସନରେ ପ୍ରାର୍ଥୀ ଦେଇ ମାତ୍ର ୩ଟିରେ ଓ ସମାଜବାଦୀ ପାର୍ଟି ୩୪୭ ଆସନରେ ପ୍ରାର୍ଥୀ ଦେଇ ୬ଟି ଆସନରେ ଅମାନତ ହରାଇଛି । ପଂଜାବରେ କଂଗ୍ରେସର ସବୁଠୁ ବଡ଼ ବିପର୍ଯ୍ୟୟ ହୋଇଛି, ଚାରି ମାସ ତଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଦଳିତ ବିଧାୟକ ଚରନଜିତ୍ ସିଂହ ଚନ୍ନି ଏଥର ଦୁଇଟି ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ମୁହଁ କରି କଂଗ୍ରେସ ପଂଜାବ ନିର୍ବାଚନ ଲଢୁ ଥିଲା ଏବଂ ଦଳିତ ଭୋଟରୁ ସିଂହଭାଗ ପାଇବା ଆଶା ରଖି ଥିଲା ।
କଂଗ୍ରେସରେ ତୀବ୍ର ଅନ୍ତଦ୍ଦ୍ୱର୍ନ୍ଦ୍ୱ ଓ ପଂଜାବରେ ‘ଦିଲ୍ଲୀ ମଡ଼େଲ’ ସରକାର ପ୍ରତିଷ୍ଠା ପାଇଁ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କ ପ୍ରତିଶ୍ରୁତି ୨୦୨୨ ନିର୍ବାଚନରେ ‘ଆପ୍’କୁ ଏକତରଫା ବିଜୟ ଦେଇଛି । ଅନ୍ୟପକ୍ଷରେ, କଂଗ୍ରେସ ନେତୃତ୍ୱର ଭୁଲ ରଣନୀତି ପାଇଁ ଦେଶର ଏହି ସୀମାନ୍ତ ରାଜ୍ୟ ଦଳର ହାତଛଡା ହୋଇଛି । ୨୦୧୭ରେ ‘ଆପ୍’ ପଂଜାବରେ ପରୀକ୍ଷାମୂଳକ ଭାବେ ନିର୍ବାଚନ ଲଢି ୨୦ଟି ବିଧାନସଭା ଆସନ ଓ ୨୦୧୯ରେ ଗୋଟିଏ ଲୋକସଭା ଆସନ ପାଇଥିଲା । ୨୦୨୨ରେ ଦଳକୁ ଅଧିକ ୭୨ ଆସନ ମିଳିଛି । କଂଗ୍ରେସ ୫୯ଟି ଆସନ ହରାଇ ଥିବା ବେଳେ ଶିରୋମଣୀ ଅକାଳୀ ଦଳ ୧୧ ଓ ବିଜେପି ଗୋଟିଏ ଆସନ ହରାଇଛି । ଦିଲ୍ଲୀ ଓ ପଂଜାବରେ କଂଗ୍ରେସ ଭୋଟ ବ୍ୟାଂକରେ ଛିଦ୍ର କରି ‘ଆପ୍’ କ୍ଷମତା ଦଖଲ କରିବା ପରେ ଏବେ ୨୦୨୨ ଡ଼ିସେମ୍ବର ଆଡକୁ ହେବାକୁ ଥିବା ଗୁଜରାଟ ଓ ହିମାଂଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଉପେ ଆଖି ରଖିଛି । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ବିଜେପି ଶାସନ ଚାଲିଛି ।
୨୦୧୭ ବିଧାନସଭା ନିର୍ବାଚନରେ ଗୁଜରାଟରେ ଶାସକ ବିଜେପି ସହ କଂଗ୍ରେସର କଡା ମୁକାବିଲା ହୋଇଥିଲା ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ରାତାରାତି ବିମୁଦ୍ରୀକରଣ ଘୋଷଣା କରିବା ଓ ଜିଏସଟି ଲାଗୁ କରିବା ନେଇ ପ୍ରବଳ ଜନଅସନ୍ତୋଷ ଥିଲା । ଏହି ପ୍ରେକ୍ଷାପଟ୍ଟରେ ଗୁଜରାଟ ବିଧାନସଭା ନିର୍ବାଚନ ହୋଇଥିଲା । ବିଜେପି ପ୍ରତି ଗୁଜରାଟ ଗ୍ରାମାଂଚଳରେ ନକାରାତ୍ମକ ଭୋଟ ହୋଇଥିଲେ ମଧ୍ୟ ସହରାଂଚଳରେ ଭଲ ପ୍ରଦର୍ଶନ କରି ଦଳ କ୍ଷମତାକୁ ଫେରି ଥିଲା । ତେବେ, ବିଜେପିକୁ କଂଗ୍ରେସ ଦୁଇ ଅଂକରେ ସୀମିତ ରଖି ନିଜ ଆସନ ସଂଖ୍ୟା ବଢାଇ ଥିଲା । ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୨୦୧୭ରେ ୨୦୧୨ ତୁଳନାରେ ୧୬ଟି କମ୍, ଅର୍ଥାତ ୯୯ ଆସନ ମିଳିଥିବା ବେଳେ କଂଗ୍ରେସକୁ ୨୦୧୨ ତୁଳନାରେ ଅଧିକ ୧୯ଟି ଆସନ ମିଳିଥିଲା । ବିଧାନସଭାରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ପାଇ ୨୦୧୭ରେ ୮୦କୁ ବୃଦ୍ଧି ପାଇଥିଲା । ତେବେ, ଭୋଟ ପ୍ରତିଶତ ଦୃଷ୍ଟିରୁ ବିଜେପି ୨୦୧୨ରେ ୪୭.୮୫ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୭ରେ ୪୯.୧ ପ୍ରତିଶତ ଭୋଟ ପାଇଛି ଏବଂ କଂଗ୍ରେସ ୨୦୧୨ରେ ୩୮.୯୩ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୧୭ରେ ତାହା ୪୧.୪ ପ୍ରତିଶତକୁ ବୃଦ୍ଧି କରିଛି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୭ ବିଧାନସଭା ନିର୍ବାଚନରେ ଗୁଜରାଟରେ କଂଗ୍ରେସର ମଂଗ ଧରି ଥିଲେ । ସେହିପରି, ୨୦୨୨ ଡ଼ିସେମ୍ବର ଆଡକୁ ୬୮ ଆସନ ବିଶିଷ୍ଟ ହିମାଂଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ବିଜେପି ଶାସନରେ ଅଛି । ୨୦୧୭ ନିର୍ବାଚନରେ ବିଜେପିକୁ ୪୪ଟି ଆସନ ମିଳି ଥିବା ବେଳେ କଂଗ୍ରେସକୁ ୨୧ଟି ଆସନ ମିଳି ଥିଲା । ପଂଜାବରେ ବିଜୟକୁ ନେଇ ଉତ୍ସାହିତ ଥିବା ‘ଆପ୍’ ଏବେ ଜାତୀୟ ରାଜନୀତିରେ ପ୍ରବେଶ ପାଇଁ ଗୁଜରାଟ ଓ ହିମାଂଚଳ ପ୍ରଦେଶରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛି । ୨୦୨୩ରେ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଂଗାନା ଏବଂ ଉତ୍ତର ପୂର୍ବାଂଚଳ ରାଜ୍ୟ ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ‘ଆପ୍’ ଗୁଜରାଟ ଓ ହିମାଂଚଳ ପ୍ରଦେଶରେ ଯଦି ଭଲ ପ୍ରଦର୍ଶନ କରିବ ତେବେ ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିବ ବୋଲି ଆଲୋଚନା ହେୁଛି । ତେବେ, କଂଗ୍ରେସ ଭୋଟ ବିନିମୟରେ ହିଁ ‘ଆପ୍’ର ଏହି ବିସ୍ତାରବାଦୀ ଅଭିଳାଷ ପୂରଣ ହୋଇ ପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଦିଲ୍ଲୀ ଓ ପଂଜାବ ଅଭିଜ୍ଞତା ମଧ୍ୟ ତାହା ହିଁ କହୁଛି ।
୨୦୨୨ ପ୍ରାରମ୍ଭରେ ପାଂଚଟି ରାଜ୍ୟରେ ନିର୍ବାଚନ ପରାଜୟ ପରେ କଂଗ୍ରେସରେ ମାନସମନ୍ଥନ ଆରମ୍ଭ ହୋଇଛି । ତେବେ, ଏହା ଦଳରେ ସୁଧାର ଆଣିବା ଆଶା କ୍ଷୀଣ । କାରଣ, ବିଜେପି ପ୍ରଭାବରେ ଦେଶରେ କଂଗ୍ରେସ ଅବକ୍ଷୟମୁଖୀ ଥିବା ବେଳେ ଦଳ ଭିତରେ ମଧ୍ୟ ବିଦ୍ରୋହ ବଢୁଛି । ସାତ ବର୍ଷରୁ ଅଧିକ ସମୟ ହେଲା କ୍ଷମତାରୁ ଦୂରରେ ରହି କଂଗ୍ରେସ ନେତୃବର୍ଗ ଏକପ୍ରକାର ହତାଶ । ଦଳର ଅଧିକରୁ ଅଧିକ ନେତା କଂଗ୍ରେସ ଛାଡି ବିଜେପି ବା ଅନ୍ୟ ଦଳ ଆଡେ ମୁହାଁଇଲେଣି । ଯେଉଁ ନେତା ଦଳରେ ଅଛନ୍ତି, ସେମାନେ କଂଗ୍ରେସ ବିପର୍ଯ୍ୟୟ ପାଇଁ ଖୋଲାଖୋଲି ଗାନ୍ଧୀ ପରିବାରକୁ ଦାୟୀ କରୁଥିବା ଓ ଏଆଇସିସି ନେତୃତ୍ୱ ପରିବର୍ତ୍ତନ ପାଇଁ ଚାପ ସୃ୍େଟି କରୁଥିବା ଦେଖିବାକୁ ମିଳୁଛି । ଦଳର ଅନ୍ତଃରୀଣ ସଭାପତି ସୋନିଆ ଗାନ୍ଧୀ ଅସୁସ୍ଥତା କାରଣରୁ ନିଷ୍କ୍ରିୟ ଥିବା ବେଳେ ରାହୁଲ ଓ ପ୍ରୟିଙ୍କା ଗାନ୍ଧୀଙ୍କ ନିକଟରେ ଦଳକୁ ଜିତାଇବା ଭଳି ‘ମାରକ ଶକ୍ତି’ ନାହିଁ । ତେଣୁ, ଦୁହେଁ କଂଗ୍ରେସରେ ‘ସୌଖୀନ ରାଜନୀତି’ କରୁଛନ୍ତି ବୋଲି ଦଳ ଭିତରେ ଏବେ ଆକ୍ଷେପ ହେଉଛି ।
ରବିବାର (୧୩ ତାରିଖ) ଦିନ ନୂଆଦିଲ୍ଲୀରେ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ ବସି ନିର୍ବାଚନ ପରାଜୟ ନେଇ ଆଲୋଚନା ହୋଇଥିଲା । ଏଆଇସିସି ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ସେମାନଙ୍କ ପାଇଁ ଦଳ ଯଦି ବିପର୍ଯ୍ୟୟର ସାମ୍ନା କରୁଛି ତେବେ ପୁଅ ରାହୁଲ ଓ ଝିଅ ପ୍ରିୟଙ୍କାଙ୍କ ସହ କଂଗ୍ରେସ ନେତୃତ୍ୱରୁ ଓହରି ଯିବେ ବୋଲି ପ୍ରସ୍ତାବ ରଖି ଥିଲେ । ତେବେ, ନଭେମ୍ବରରେ ଦଳର ନୂତନ ସଭାପତି ଚୟନ ପର୍ଯ୍ୟନ୍ତ ସେ ଅନ୍ତଃରୀଣ ସଭାପତି ରୁହନ୍ତୁ ବୋଲି ସିଡ଼ବ୍ଲ୍ୟୁସି ବୈଠକରେ ଯୋଗ ଦେଇଥିବା ବରିଷ୍ଠ ନେତାମାନେ ସୋନିଆଙ୍କୁ ଅନୁରୋଧ କରିଛନ୍ତି । ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ଯୁକ୍ତି ରଖି ଆସୁଥିବା ଗୋଷ୍ଠୀ ମଧ୍ୟ ସେଥିରେ ଏକମତ ହେବା ରାଜନୈତିକ ବିଶ୍ଲେଷକଙ୍କୁ ଆଚମ୍ବିତ କରିଛି । ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ଗାନ୍ଧୀ ପରିବାରକୁ ହାତଛଡା କରିବାକୁ ଚାହୁଁ ନାହାନ୍ତି । ଏହାର ଦୁଇଟି କାରଣ ଦର୍ଶାଯାଉଛି । ପ୍ରଥମ କାରଣ ହେଲା, ଅଶି ଦଶକରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଗାନ୍ଧୀ ପରିବାର ଦଳକୁ ସମ୍ଭାଳିଛନ୍ତି । ସୋନିଆ ବ ପରିବାରରୁ କେହି ଆଜି ସୁଦ୍ଧା ପ୍ରଧାନମନ୍ତ୍ରୀ ବା ମନ୍ତ୍ରୀ ହେବାକୁ ଆଗ୍ରହ ଦେଖାଇ ନାହାନ୍ତି । ଗାନ୍ଧୀ ପରିବାର ନେତୃତ୍ୱରୁ ଓହରି ଗଲେ ଦଳରେ ଥିବା ମହତ୍ତ୍ୱାକାଂକ୍ଷୀ ନେତାମାନେ ନିଜ ନିଜ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଦଳକୁ ଭାଗ ଭାଗ କରିପାରନ୍ତି ବୋଲି ଆଶଙ୍କା ରହିଛି । ଦ୍ୱିତୀୟ କାରଣ ହେଲା, ଗାନ୍ଧୀ ପରିବାରକୁ ବାଦ୍ ଦେଲେ ଦଳରେ ଏଭଳି କେହି ନେତା ନାହାନ୍ତି ଯିଏକି ଦଳକୁ ସଂଗଠିତ ରଖି ବିଜେପିର ବିକଳ୍ପ ହୋଇ ପାରିବେ ।
ଏକ୍ଷେତ୍ରରେ ସଚିନ ପାଇଲଟଙ୍କ କଥା ଉଠୁଛି । ତେବେ, ସେ ମଧ୍ୟ ଦଳକୁ ଏକାଠି ରଖି ଜାତୀୟସ୍ତରରେ ବିଜେପିର ବିକଳ୍ପ ହୋଇପାରିବ, ତାହାର କିଛି ଗ୍ୟାରେଂଟି ନାହିଁ । ୨୦୧୯ ସାଧାରଣ ନିର୍ବାଚନ ପରାଜୟ ପରେ ରାହୁଲ ଗାନ୍ଧୀ ପରାଜୟ ଦାୟିତ୍ୱ ମୁଣ୍ଡାଇ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ଗାନ୍ଧୀ ପରିବାର ବାହାରୁ କାହାରିକୁ ଦଳର ସଭାପତି କରାଯିବାକୁ ସିଡ଼ବ୍ଲୁ୍ୟସି ବୈଠକରେ ଆହ୍ୱାନ ଦେଇଥିଲେ । ତେବେ, କଂଗ୍ରେସ ନେତୃବର୍ଗ ସେତେବେଳେ ବୁଲି ବୁଲି ପୁଣି ଗାନ୍ଧୀ ପରିବାର ନିକଟକୁ ଫେରିଲେ ଓ ସୋନିଆଙ୍କୁ ଦଳର ଅନ୍ତଃରୀଣ ସଭାପତି କରି ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଚାହୁଁଛନ୍ତି । ରାହୁଲ ଦଳର ସଭାପତି ଦାୟିତ୍ୱ ନିଅନ୍ତୁ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ସମେତ ଦଳର ବହୁ ବରିଷ୍ଠ ନେତାମାନେ ଦାବି କରୁଛନ୍ତି ।
୨୦୧୪ ପୂର୍ବରୁ ମଧ୍ୟ ଦେଶର ରାଜନୈତିକ ଅବସ୍ଥା ଏହିଭଳି ଥିଲା । କଂଗ୍ରେସର ବିକଳ୍ପ ହେବାକୁ ବିଜେପିକୁ ସଂଘର୍ଷ କରିବାକୁ ପଡୁଥିଲା । ଅଟଳ ବିହାରୀ ବାଜପେୟୀଙ୍କ ଭଳି ଜଣେ ଅତ୍ୟନ୍ତ ଜନପ୍ରିୟ ନେତା ମଧ୍ୟ କଂଗ୍ରେସ ସହ ମୁକାବିଲା ପାଇଁ ବିକଳ୍ପ ବିରୋଧୀ ମେଂଟ ଗଠନ ପାଇଁ ବାଧ୍ୟ ହୋଇଥିଲେ । ଅଶି ଦଶକ ପରେ କଂଗ୍ରେସ ଏକାକୀ ସରକାର ଗଠନ ସ୍ଥିତିରେ ନଥିଲା ଓ ସମାଭାବାପନ୍ନ ଦଳଙ୍କୁ ନେଇ ମେଂଟରେ ସରକାର କରୁଥିଲା । ୨୦୦୪ରୁ ୨୦୧୪ ୟୁପିଏ ଶାସନ ଏହାର ଜ୍ୱଳନ୍ତ ଉଦାହରଣ । ଆଜି କଂଗ୍ରେସ ୨୦୧୪ ପୂର୍ବ ବିଜେପି ସ୍ଥିତିରେ ଥିବା ବେଳେ ବିଜେପି କଂଗ୍ରେସର ସ୍ଥାନ ନେଇ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ବିଜେପିର ମୁକାବିଲା ପାଇଁ ଏବେ ସମସ୍ତ ଅଣ-ବିଜେପି ରାଜନୈତିକ ଦଳ ଏକାଠି ହେବାର ଆବଶ୍ୟକତା ଅନୁଭବ କରାଯାଉଛି । ତେବେ, କଂଗ୍ରେସକୁ କେହି ଭରସାକୁ ନେଉ ନଥିବା ଏବଂ ବିରୋଧୀ ନେତାମାନେ ଉଚ୍ଚାଭିଳାଷ ରଖି ନିଜ ଭିତରେ ଲଢୁଥିବା ବିକଳ୍ପ ବିରୋଧୀ ମେଂଟ ଗଠନରେ ପ୍ରତିବନ୍ଧକ ହୋଇଛି । ଏହା ଜାତୀୟ ରାଜନୀତିରେ କଂଗ୍ରେସକୁ ନିଶ୍ଚିହ୍ନ କରିଦେବା ପାଇଁ ସୁଯୋଗ ସୃଷ୍ଟି କରିଛି । ବିଜେପି ଏହି ଉଦ୍ଦେଶ୍ୟ ରଖି ଗାନ୍ଧୀ ପରିବାର ଉପରେ ଆକ୍ରମଣକୁ ଅଧିକ ଶାଣିତ କରିଛି ।
ବିଜେପିକୁ ପରାହତ କରିବା ସକାଶେ ଯେଉଁ ବିକଳ୍ପ ବିରୋଧୀ ମେଂଟ ଗଠନର ଆବଶ୍ୟକତା ରହିଛି ତାହାକୁ ନେଇ ପରୀକ୍ଷା ନିରୀକ୍ଷା କରିବା ଅବସର ମିଳିଥିଲା ୨୦୨୨ ୟୁପି ବିଧାନସଭା ନିର୍ବାଚନରେ । ତେବେ, ସମାଜବାଦୀ ପାର୍ଟି, କଂଗ୍ରେସ, ବିଏସପି, ଆରଏଲଡ଼ି ସମେତ ବିଭିନ୍ନ ବିଜେପି-ବିରୋଧୀ ରାଜନୈତିକ ଦଳ ନିଜ ନିଜ ଅହଂକାରକୁ ସାବ୍ୟସ୍ତ କରିବାକୁ ଯାଇ ଭିନ୍ନ ଭିନ୍ନ ଭାବେ ନିର୍ବାଚନ ଲଢିଲେ ଓ ବିଜେପି ନିକଟରୁ ପରାଜିତ ହେଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ଦ୍ୱିତୀ ଥର ପାଇଁ ସରକାର କରି ଇତିହାସ ରଚିଲେ । ୨୦୨୪ ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡିକରେ ମଧ୍ୟ ଏହାର ପୁନଃରାବୃତ୍ତି ଘଟିବା ସମ୍ଭାବନାକୁ ଏଡାଇ ହେବ ନାହିଁ । ତଥାପି, ଆଶା କରାଯାଇପାରେ, ବିରୋଧୀ ଏକାଠି ହେବେ ଏବଂ ୨୦୨୪ ପାଇଁ ଏକ ବିକଳ୍ପ ମେଂଟ ଠିଆ କରାଇ ପାରିବେ । ତାହା ନହେଲେ, ବିଜେପି ଲଗାତର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର କରିବା ଥୟ । କେହି ତାହାକୁ ଅଗ୍ରାହ୍ୟ କରି ପାରିବେ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS