୨୦୨୨ ୟୁପି ଫଳାଫଳ ୨୦୨୪ର ପୂର୍ବାଭାସ !

ପ୍ରସାଦ ରାଓ
ମାର୍ଚ୍ଚ ୧୧
୨୦୨୨ ଫେବୃୟାରୀ-ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ପଂଜାବ ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟ ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିପୁଳ ଜନସମର୍ଥନ ପାଇଛି । ପଂଜାବରେ ଅରବିନ୍ଦ କଜରୀୱାଲଙ୍କ ‘ଆମ୍ ଆଦବୀ ପାର୍ଟି’ କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ମୂଳପୋଛ କରି ସରକାର ଗଢୁ ଥିବା ବେଳେ ବିଜେପି ଅନ୍ୟ ଚାରିଟି ରାଜ୍ୟରେ ଲଗାତର ଦ୍ୱତୀୟ ଥର ପାଇଁ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ବିଜେପି ଓ ତାହାର ସହଯୋଗୀ ଦଳଙ୍କ ଏହି ବିଜୟ କଂଗ୍ରେସ ସମେତ ସମସ୍ତ ବିରୋଧୀ ବିଷର୍ଣ୍ଣ କରିଛି । ବିଶେଷକରି, ୟୁପି ଫଳାଫଳକୁ ନେଇ ବିଜେପି ଅଧିକ ଉତ୍ସାହିତ । ଦେଶର ସର୍ବାଧିକ ୮୦ ଲୋକସଭା ଆସନ ଥିବା ଏହି ରାଜ୍ୟର ମତଦାତା ବିଜେପି ସପକ୍ଷରେ ଯେଭଳି ହୃଦୟ ଖୋଲା ମତଦାନ କରିଛନ୍ତି ତାହା ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପୂନର୍ବାର କେନ୍ଦ୍ରରେ କ୍ଷମତାସୀନ ହେବାର ପୂର୍ବାଭାସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେଇ ଦୃଢତାର ସହ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ କୌଣସି ବିରୋଧୀ ରାଜନୈତିକ ଦଳ ବିଧିବଦ୍ଧ ଭାବେ ଖଣ୍ଡନ କରି ନଥିଲେ ମଧ୍ୟ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟ୍ୱିଟ୍ ମାଧ୍ୟମରେ ଏହାକୁ ଖଣ୍ଡନ କରିଛନ୍ତି ।
୨୦୨୪ରେ ଦେଶରେ କାହାର ସରକାର ହେବ, ତାହା ନିର୍ବାଚନ ଯୁଦ୍ଧରେ ନିର୍ଣ୍ଣୟ ହେବ । କୌଣସି ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ନୁହେଁ । ପ୍ରଧାନମନ୍ତ୍ରୀ ମୋଦୀ ଭଲ ଭାବରେ ତାହା ଜାଣନ୍ତି । ତଥାପି, ବିରୋଧୀଙ୍କ ଉପରେ ମନୋବୈଜ୍ଞାନିକ ଚାପ ସୃଷ୍ଟି କରିବା ସକାଶେ ଗତକାଲି ଏଭଳି କହିଛନ୍ତି ବୋଲି ପ୍ରଶାନ୍ତ କିଶୋର ତାଙ୍କ ‘ଟ୍ୱିଟ୍’ରେ କହିଛନ୍ତି । ବିରୋଧୀ ଦଳମାନେ ଏଭଳି ମନୋବୈଜ୍ଞାନିକ ଚାପର ଶିକାର ନହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚତୁର ବକ୍ତବ୍ୟ ଥିଲା, ୨୦୨୨ରେ ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଯେଭଳି ଆଶାତୀତ ଜନସମର୍ଥନ ମିଳିଛି, ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ସମଗ୍ର ଦେଶରେ ସେଭଳି ଜନମତ ମିଳିବ । ଏହାକୁ ନକାରିବାକୁ ଯାଇ ପ୍ରଶାନ୍ତ କିଶୋର ପ୍ରଶ୍ନ କରିଛନ୍ତି, ୨୦୨୨ ୟୁପି ବିଧାନସଭା ନିର୍ବାଚନ ଫଳାଫଳ ଯଦି ୨୦୨୪ ସାଧାରଣ ନିର୍ବାଚନରେ ଦେଶବ୍ୟାପୀ ଜନମତର ପୂର୍ବାଭାସ କୁହାଯିବ ତେବେ ୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଏବଂ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ୟୁପିରେ ଯେଉଁ ବିପୁଳ ଜନସମର୍ଥନ ମିଳି ଥିଲା ତାହା ୨୦୧୪ ସାଧାରଣ ନିର୍ବାଚନରେ ସେମାନଙ୍କ ସପକ୍ଷରେ ପ୍ରତିଫଳିତ ହେଲା ନାହିଁ କାହିଁକି ? ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ କେମିତି କ୍ଷମତାକୁ ଆସିଲା ??
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ପ୍ରଶାନ୍ତ କିଶୋର ବିଜେପିର ରଣନୀତିକାର ଥିଲେ ଏବଂ ଦେଶରେ ବିଜେପି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)କୁ ବିପୁଳ ଜନମତ ମିଳିବାରେ ପ୍ରମୁଖ ଭୂମିକା ନେଇଥିଲେ । ୨୦୧୪ ସାଧାରଣ ନିର୍ବାଚନ ପରେ ସେ ବିଜେପିଠାରୁ ଦୂରେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରଣନୀତିକାର ହୋଇଥିଲେ ଏବଂ ଜେଡ଼ିୟୁରେ ସାମିଲ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଇ ଥିଲେ । ପରବର୍ତ୍ତୀ ସମୟରେ ନୀତୀଶଙ୍କ ସହ ମତଭେଦ ହେବାରୁ ସେ ଜେଡ଼ିୟୁ ଛାଡିରୁ ଇସ୍ତଫା ଦେଇ ପୁନର୍ବାର ନିଜ ପୂର୍ବ ଭୂମିକାକୁ ଚାଲି ଯାଇ ଥିଲେ । ୨୦୨୧ରେ ଅନୁଷ୍ଠିତ ପଶ୍ଚିମ ବଂଗ ଓ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାଟି (ଟିଏମସି) ଓ ତାମିଲନାଡ଼ୁର ଡ଼ିଏମକେ ନେତା ତଥା ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ପାଇଁ ସେ ନିର୍ବାଚନ ରଣନୀତି ପ୍ରସ୍ତୁତି କରି ଦୁଇ ଦଳକୁ ବିପୁଳ ବିଜୟ ଦେଇଛନ୍ତି । ବିରୋଧୀ ଦଳଙ୍କ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର ଏବେ ମଧ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ପାଇଁ କାମ କରୁଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଏକ ବିକଳ୍ପ ବିରୋଧୀ ରାଜନୈତିକ ମେଂଟ ଗଠନ ଦିଗରେ ମମତା ପ୍ରଶାନ୍ତ କିଶୋରଙ୍କୁ କାମରେ ଲାଗଇଛନ୍ତି । ପ୍ରଶାନ୍ତ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ଟିଏମସିକୁ ଆଶାତୀତ ସଫଳତା ଦେବା ପରେ କଂଗ୍ରେସ ରାଜନୀତିରେ ସାମିଲ ହେବାକୁ ଉଦ୍ୟମ କରିଥିଲେ । କଂଗ୍ରେସକୁ ସାଂଗଠନିକ ଦୃଷ୍ଟିରୁ ସଜାଡି ଦଳର ନେତୃତ୍ୱରେ ଦେଶର ଏକ ଅଣ-ବିଜେପି ବିରୋଧୀ ମେଂଟ ଗଠନର ଯେଉଁ ପ୍ରୟାସ ଆରମ୍ଭ ହୋଇଥିଲା ସେଥିରେ କଂଗ୍ରେସ ନେତୃବର୍ଗ ସହଯୋଗ କରି ନଥିଲେ । ପ୍ରଶାନ୍ତ କିଶୋରଙ୍କ ସବୁ ପରାମର୍ଶକୁ କଂଗ୍ରେସ ନେତୃବର୍ଗ ଅଣଦେଖା କରିବାରୁ ସେ କଂଗ୍ରେସକୁ ସଜାଡିବା ଉଦ୍ୟମରୁ ଦୂରେଇ ଏବେ ଦେଶରେ ଏକ ଅଣ-ବିଜେପି ଓ ଅଣ-କଂଗ୍ରେସ ବିରୋଧୀ ମେଂଟ ଗଠନ ପାଇଁ କାର୍ଯ୍ୟ କରୁଛନ୍ତି । ବିଶେଷକରି, ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଅଣ-ବିଜେପି ଓ ଅଣ-କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଗୋଟିଏ ମଂଚରେ ଏକାଠି କରିବାର ପ୍ରୟାସ ଚାଲିଛି ।
୨୦୨୧ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତା ଦଖଲ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦଳ ଟିଏମସିକୁ ହରାଇବାକୁ ସବୁ ପ୍ରକାର କୂଟନୀତିର ପ୍ରୟୋଗ କରିଥିଲା । କିନ୍ତୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧୈର୍ଯ୍ୟର ସହ ବିଜେପିର ସମସ୍ତ କୂଟନୀତିକୁ ପଣ୍ଡ କରି ନିଜର ଗଡ଼ ସୁରକ୍ଷିତ ରଖିବା ସହ ଲଗାତର ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ନିର୍ବାଚନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଇଥିବା ଚ୍ୟାଲେଂଜକୁ ବାସ୍ତବ ରୂପ ଦେବା ପାଇଁ ୨୦୨୪ରେ ଜାତୀୟ ରାଜନୀତିରେ ପ୍ରବେଶ ଯୋଜନା କରି ଯେଉଁ ଜାଲ ବୁଣୁଛନ୍ତି ପ୍ରଶାନ୍ତ କିଶୋର ତାହାର ସୂତ୍ରଧର ରହିଛନ୍ତି ।
ଦେଶରେ ଅଣ-ବିଜେପି ଓ ଅଣ-କଂଗ୍ରେସ ବିରୋଧୀ ରାଜନୈତିକ ମେଂଟ ଗଠନ ପାଇଁ ଯେଉଁ ପ୍ରୟାସ ଚାଲିଛି ସେଥିରେ ବିଭିନ୍ନ ରାଜ୍ୟରେ କ୍ଷମତାରେ ଥିବା ଆଂଚଳିକ ଦଳର ମୁଖ୍ୟମନ୍ତ୍ରୀଙ୍କୁ ସାମିଲ କରିବା ଯୋଜନା ହୋଇଛି । ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ଟିଆରଏସ ମୁଖ୍ୟ ତଥା ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ବହୁ ନେତାଙ୍କ ସହ ଆଲୋଚନା ହୋଇ ସେମାନେ ଏଥିରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ବେଳେ ଅନ୍ୟ ଆଂଚଳିକ ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ଥିବା ଜଣାପଡିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ମଧ୍ୟ ରଣନୀତିକାରଙ୍କ ଆଖି ରହିଛି । ୨୦୨୪ରେ ବିଜେପିର ମୁକାବିଲା ପାଇଁ ଏଭଳି ଏକ ପ୍ରୟାସ ଚାଲିଥିବା ବେଳେ ୟୁପି ବିଧାନସଭା ନିର୍ବାଚନ ଫଳାଫଳ ଅଣ-ବିଜେପି ରାଜନୈତିକ ଦଳଙ୍କୁ ଝଟକା ଦେଲା ଭଳି ହୋଇଥିବା ବେଳେ ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ନିର୍ବାଚନ ଫଳାଫଳକୁ ନେଇ ବିଜେପି ଶିବିରରେ ଉତ୍ସାହ ବଢିଛି ।
ପ୍ରଧାନମନ୍ତ୍ରୀ ମୋଦୀ ଦଳରେ ଉତ୍ସାହ ବଢାଇବା ପାଇଁ ୟୁପି ନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଦେଶବ୍ୟାପୀ ମିଳିବାକୁ ଯାଉଥିବା ବିପୁଳ ଜନମତର ପୂର୍ବାଭାସ କହି ବରୁଡ଼ି ବସାରେ ହାତ ମାରିଛନ୍ତି । ଅପରପକ୍ଷରେ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପ୍ରଧାନମନ୍ତ୍ରୀମୋଦୀଙ୍କ ବକ୍ତବ୍ୟକୁ ବିଭ୍ରାନ୍ତି ସୃ୍େଟି କଲା ଭଳି କହି ବିରୋଧୀ ଦଳମାନେ ଏହା ବିଶ୍ୱାସ ନକରିବାକୁ ଆହ୍ୱାନ ଦେଇଛନ୍ତି । ୟୁପି ବିଧାନସଭା ନିର୍ବାଚନରେ ବିଜେପି ଆଶାତୀତ ଜନସମର୍ଥନ ପାଇ ଲଗାତର ଦ୍ୱତୀୟ ଥର ପାଇଁ ସରକାର କରୁଥିବା ଗୁରୁବାର ସନ୍ଧ୍ୟାରେ ସ୍ପଷ୍ଟ ହୋଇଯିବା ପରେ ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ବିଜୟ ସଭାର ଆୟୋଜନ ହୋଇଥିଲା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଦଳର ଦଳର ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ୨୦୧୭ ଓ ୨୦୧୯ କଥା ମନେ ପକାଇ ଦେଇଥିଲେ ।
୨୦୧୭ରେ ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଯେଉଁ ବିପୁଳ ଜନସମର୍ଥନ ମିଳି ଥିଲା ତାହା ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହୋଇଥିଲା । ତେଣୁ, ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ଦଳକୁ ଯେଭଳି ସମର୍ଥନ ମିଳିଛି ତାହା ୨୦୨୪ ସାଧାରଣ ନିର୍ବାଚନରେ ମିଳିବାକୁ ଥବା ଜନସମର୍ଥନର ପୂର୍ବାଭାସ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୟୁପିରେ ଯିଏ ବିଜେତା, ସେ ହିଁ ଦେଶର ଶାସକ ହେବ ବୋଲି ଗୁରୁବାର ସନ୍ଧ୍ୟା ବିଜୟ ସଭାରେ ଅଧିକାଂଶ ବିଜେପିର ନେତା ମତ ରଖି ଥିବା ବେଳେ ରଣନୀତିକାର ପ୍ରଶାନ୍ତ କିଶୋର ସେମାନଙ୍କୁ ୨୦୧୨ ଓ ୨୦୧୪ କଥା ମନେ ପକାଇ ଦେଇଛନ୍ତି ।
୨୦୨୨ ଫେବୃୟାରୀ-ମାର୍ଚ୍ଚରେ ହୋଇଥିବା ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ କେବଳ ପଂଜାବ ବାଟହୂଡି ଥିବା ବେଳେ ଅନ୍ୟ ୪ଟି ରାଜ୍ୟରେ ବିଜେପି କଂଗ୍ରେସ ଓ ଅନ୍ୟ ବିରୋଧୀଙ୍କୁ ପଛରେ ପକାଇ ଜାତୀୟ ରାଜନୀତିରେ ତାହାର ସ୍ଥିତିକୁ ନିରଙ୍କୁଶ କରିଛି । ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେପିର ସରକାର ହେଉଥିବା ବେଳେ ଦେଶରେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ତାହାର ଜାତୀୟ ଦଳର ମାନ୍ୟତା ହରାଇବା ଉପରେ । କଂଗ୍ରେସ ହାତରେ ଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଂଜାବରେ ୧୧୭ ବିଧାନସଭା ଆସନରୁ ୯୨ଟି ଦଖଲ କରି କେଜରୀୱାଲଙ୍କ ‘ଆମ୍ ଆଦମୀ ପାଟି’ର୍ (ଆପ୍) କଂଗ୍ରେସ ହାତରୁ ଏହି ରାଜ୍ୟ ଛଡାଇ ନେଇଛି । ଅନ୍ୟ ୪ଟି ରାଜ୍ୟରେ ମଧ୍ୟ କଂଗ୍ରେସର ସ୍ଥିତି ଅତ୍ୟନ୍ତ ଦୟନୀୟ । ଏଭଳି ଏକ ଅବିଶ୍ୱସନୀୟ ଜନମତ ବିଜେପିର ଆତ୍ମବିଶ୍ୱାସ ବଢାଇଛି ସତ, କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ଦଳ ଏକାଭଳି ଜନସମର୍ଥନ ପାଇବ ବୋଲି ଆଜିଠାରୁ ଆକଳନ କରିବା ଭୁଲ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS