ଅବିଶ୍ୱସନୀୟ… ପଂଜାବରେ ଝାଡୁ ମାରି ଦେଲା ‘ଆପ୍’; ୟୁପି, ଉତ୍ତରାଖଣ୍ଡ ଓ ଗୋଆରେ ବିଜେପି..

ପ୍ରସାଦ ରାଓ
ମାର୍ଚ୍ଚ ୧୦
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଦଳ ‘ଆମ୍ ଆଦମୀ ପାର୍ଟି’ (ଆପ୍) ପଂଜାବରେ ଆଶାତୀତ ବିଜୟ ହାସଲ କରି ନୂତନ ଇତିହାସ ସୃଷ୍ଟି କରିଛି । ୨୦୧୭ରୁ ରାଜ୍ୟରେ କ୍ଷମତାରେ ରହି ଥିବା କଂଗ୍ରେସ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ଶିରୋମଣୀ ଅକାଳୀ ଦଳ (ସାଦ୍) ଏବଂ ବିଜେପି ନେତୃତ୍ୱାଧୀନ ମେଂଟକୁ ‘ଆପ୍’ ଝାଡୁ ମାରି ସଫା କରି ଦେଇଛି । ସେହିଭଳି, ଦେଶର ବୃହତ୍ତମ ରାଜ୍ୟ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହୋଇଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପି ବିଜୟ ବାନା ଉଡାଇଛି । ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ତାରିଖ ପର୍ଯ୍ୟନ୍ତ ଏହି ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଏକାଧିକ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଆଜି ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇଛି ।
ପଂଜାବରେ ‘ଆପ୍’ ଭଲ ପ୍ରଦର୍ଶନ କରିବ ବୋଲି ପୂର୍ବାନୁମାନ ଥିଲା । ଘର ବାହୁଡା ମତଦାତାଙ୍କଠାରୁ ସଂଗ୍ରହ କରାଯାଇଥିବା ତଥ୍ୟ ଆଧାରରେ ବିଭିନ୍ନ ସର୍ଭେ ସଂସ୍ଥା ଏଭଳି ଆକଳନ କରିଥିଲେ । ତେବେ, ଦିଲ୍ଲୀରେ ରାଜତ୍ୱ କରୁଥିବା ଏକ ଆଂଚଳିକ ଦଳ ପଂଜାବ ଯାଇ ପ୍ରାର୍ଥୀ ଦେବ ଓ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଦିଗ୍ଗଜ ନେତାମାନଙ୍କୁ ଧୁଳି ଚଟାଇବ, ଏହା କେହି ଭାବି ନଥିଲେ । ‘ଆପ୍’ ମୁଖ୍ୟ କେଜରୀୱାଲ ମଧ୍ୟ ତାଙ୍କ ଦଳ ୮୦ ପର୍ଯ୍ୟନ୍ତ ଯିବ ବୋଲି ଆଶା କରିଥିବା ବେଳେ ସର୍ଭେ ରିପୋର୍ଟଗୁଡିକ ୬୦ରୁ ୭୦ ମଧ୍ୟରେ ସୀମିତ ଥିଲେ । ତେବେ, ସଂଧ୍ୟା ସୁଦ୍ଧା ମିଳି ଥିବା ଫଳାଫଳରୁ ରାଜ୍ୟର ୧୧୭ ବିଧାନସଭା ଅସନରୁ ‘ଆପ୍’ ୯୨ଟିରେ ବିଜୟୀ ହୋଇଥିବା ଜଣାପଡିଛି ।
ନିର୍ବାଚନରେ ପରାଜିତ ବରିଷ୍ଠ ରାଜନେତାଙ୍କ ମଧ୍ୟରେ ଅଛନ୍ତି – ପଂଜାବ ମୁଖ୍ୟମନ୍ତ୍ରୀ (କଂଗ୍ରେସ) ଚରନଜିତ୍ ସିଂହ ଚନ୍ନି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳୀ ଦଳ ମୁଖ୍ୟ ପ୍ରକାଶ ସିଂହ ବାଦଲ, ତାଙ୍କ ଦଳର ପ୍ରାୟ ସମସ୍ତ ତୁଙ୍ଗ ନେତା, ବିବାଦୀୟ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନଭଜୋତ ସିଂହ ସିଦ୍ଧୁ ଓ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ (କଂଗ୍ରେସ) ତଥା ପଂଜାବ ଲୋକ କଂଗ୍ରେସ (ପିଏଲସି) ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂହ । କ୍ୟାପଟେନ ସିଂହଙ୍କୁ କଂଗ୍ରେସ ନେତୃତ୍ୱ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ସେ ଦଳରୁ ଇସ୍ତଫା ଦେଇ ପିଏଲସି ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ ଏବଂ ରାଜ୍ୟରେ କଂଗ୍ରେକୁ ପରାଜିତ କରିବା ପାଇଁ ବିଜେପି ସହ ମେଂଟ କରି ନିର୍ବାଚନ ମଇଦାନରେ ଓହ୍ଲାଇ ଥିଲେ ।
ସନ୍ଧ୍ୟା ସୁଦ୍ଧା ମିଳି ଥିବା ଫଳାପଳ ଅନୁଯାୟୀ, ପଂଜାବରେ କଂଗ୍ରେସକୁ ୧୮ଟି, ଶିରୋମଣୀ ଅକାଳୀ ଦଳକୁ ୪ଟି ଓ ବିଜେପିକୁ ୨ଟି ଆସନ ମିଳିଛି । ୨୦୧୭ରେ କଂଗ୍ରେସ ପଂଜାବରେ ୭୭ ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ଅପରପକ୍ଷରେ, ୨୦୨୨ ନିର୍ବାଚନରେ ପଂଜାବବାସୀ ‘ଆପ୍’କୁ ଅବିଶ୍ୱନୀୟ ସମର୍ଥନ ଦେଇ କଂଗ୍ରେସକୁ ଝଟକା ଦେଇଛନ୍ତି । ‘ଆପ୍’ ରାଜ୍ୟର ସବୁ ପାରଂପରିକ ରାଜନୈତିକ ଦଳଙ୍କୁ ଝାଡୁ ମାରି ସଫା କରି ଦେଇଛି । ଅତୀତରେ, ଶୀଲା ଦିକ୍ଷୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ କେଜରୀୱାଲଙ୍କ ‘ଆପ୍’ ଦିଲ୍ଲୀ ବିଧାନସଭା ନିର୍ବାନରେ ଏପ୍ରକାର ଅବିଶ୍ୱନୀୟ ଫଳାଫଳ କରି ଇତିହାସ ରଚି ଥିଲା । ପଂଜାବ ନିର୍ବାଚନରେ ତାହା ଦୋହରାଇଛି ।
ପଂଜାବରେ ‘ଆପ୍’ର ଏହି ଅଭୂତପୂର୍ବ ବିଜୟ ପାଇଁ ରାଜନୈତିକ ପର୍ଯ୍ୟବେକ୍ଷକମାନେ ପଂଜାବ କଂଗ୍ରେସରେ ଗତ କିଛି ମାସ ଧରି ଚାଲି ଥିବା ଗୁରୁତର କ୍ଷମତା କନ୍ଦଳ ଏବଂ ତାହାର ସମାଧାନ କରିବାରେ ଏଆଇସିସିର ବିଫଳତାକୁ ଦାୟି କରିଛନ୍ତି । କ୍ଷମତା କନ୍ଦଳରେ ଲିପ୍ତ ସବୁ କଂଗ୍ରେସ ନେତା, ଅର୍ଥାତ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ସିଂହ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ନି ଓ ପଂଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ସିଦ୍ଧୁ ୨୦୨୨ ନିର୍ବାଚନରେ ପରାଜିତ ହୋଇଛନ୍ତି । ଅପରପକ୍ଷରେ, ‘ଆପ୍’ର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଥିବା ସାଂସଦ ଭଗବନ୍ତ ମାନ୍ ଷ୍ଟାଣ୍ଡିଂ କମେଡ଼ିଆନରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।
ଉତ୍ତର ପ୍ରଦେଶ ପରିସ୍ଥିତି ସାମାନ୍ୟ ଭିନ୍ନ ଥିଲା । ୨୦୧୯ ସାଧାରଣ ନିର୍ବାଚନର ପୂର୍ବରୁ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନ ଆଣି ଦେଶବ୍ୟାପୀ ବିରୋଧର ସମ୍ମୁଖୀନ ହୋଇଥିଲେ । ଏନଆରସିରୁ ଆରମ୍ଭ କରି ତିନି କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନ ଓ ଲକ୍ଷ୍ମୀପୁର ଖେରୀରେ ଚାଷୀ ହତ୍ୟା ଘଟଣା ପର୍ଯ୍ୟନ୍ତ ସବୁ ବିଜେପି ପାଇଁ ସମସ୍ୟା ଥିଲା । ଏହାଛଡା, ବର୍ଦ୍ଧିତ ମୂଲ୍ୟ ଓ ବେକାର ସମସ୍ୟା ବିଜେପି ପାଇଁ କଂଟା ହୋଇଥିଲା । ବିଜେପି ଲଗାତର ଦ୍ୱିତୀୟ ଥର ପାଇଁ ୟୁପିରେ କ୍ଷମତାକୁ ଫେରିଲେ ମଧ୍ୟ ଦଳକୁ ବଡ଼ ବିଜୟ ମିଳିବ ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଥିଲେ । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ନିର୍ବାଚନ ପ୍ରଚାର ମଧ୍ୟ ଦମଦାର୍ ଥିଲା । ତେବେ, ଏସବୁ କିଛି ବିଜେପିର ବିଜୟକୁ ରୋକି ପାରି ନାହିଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାର ମିଳିତ ରଣନୀତି ସମସ୍ତ ଅନୁମାନ ଓ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ବିଜେପିକୁ ବଡ଼ ବିଜୟ ଦେଇଛି । ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ୨୦୧୭ ତୁଳନାରେ ୨୦୨୨ରେ ଅଧିକ ବିଧାନସଭା ଆସନ ପାଇଛି । ତେବେ, ଯୋଗୀ ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜ୍ୟରେ ସମାଜବାଦୀ ପାର୍ଟି ସରକାର ପ୍ରତିଷ୍ଠା ଦିଗରେ ଅଖିଳେଶ ଯେଉଁ ପଣ ନେଇଥିଲା ତାହା ବାସ୍ତବ ରୂପ ନେଇ ନାହିଁ । ରାଜ୍ୟର ୪୦୩ ବିଧାନସଭା ଆସନରୁ ବିଜେପିକୁ ୨୦୧୭ରେ ୩୦୦ରୁ ଅଧିକ ଆସନ ମିଳି ଥିବା ବେଳେ ୨୦୨୨ ନିର୍ବାଚନରେ ତାହା ୨୬୯କୁ ଖସିଛି (ସନ୍ଧ୍ୟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ) । ସମାଜବାଦୀ ପାର୍ଟି ଆସନ ସଂଖ୍ୟା ୩୬ (୨୦୧୭)ରୁ ୧୨୯କୁ ବୃଦ୍ଧି ପାଇଛି । ବିଏସପିକୁ ମାତ୍ର ଗୋଟିଏ ଆସନ ମିଳିଥିବା ବେଳେ କଂଗ୍ରେସ ଦୁଇଟି ଆସନ ପାଉଥିବା ଜଣାପଡିଛି ।
ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ୨୦୧୭ରୁ ବିଜେପି ନେତୃତ୍ୱାଧୀନ ସରକାର ରହିଛି । ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ଏହି ତିନି ରାଜ୍ୟରେ କଂଗ୍ରେସ, ତଣମୂଳ କଂଗ୍ରେସ ପାର୍ଟି, ଆମ୍ ଆଦମୀ ପାର୍ଟି ଏବଂ ଅନ୍ୟାନ୍ୟ ଆଂଚଳିକ ଦଳଙ୍କ ଆଡୁ ମୁକାବିଲାର ସମ୍ମୁଖୀନ ହୋଇଥିଲା । କଂଗ୍ରେସ ଦଳ ଉତ୍ତରାଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ବିଜେପି ବିରୋଧରେ ଲଢି ଥିଲା । ତେବେ, ରାୱତଙ୍କ ଯାଦୁ କାମ କଲା ନାହିଁ । ଉତ୍ତରାଖଣ୍ଡ ଓ ଗୋଆରେ କେହି ସଂଖ୍ୟାଗରିଷ୍ଠତା ପାଇବେ ନାହିଁ, ଦୁଇ ରାଜ୍ୟରେ ଝୁଲା ସରକାର ହେବ ବୋଲି ବିଭିନ୍ନ ସଂସ୍ଥାର ଏକ୍ଜିଟ୍ ପୋଲ୍ ଆକଳନ କରିଥିଲେ । ଏହି ଆକଳନକୁ ଆଧାର କରି ନିର୍ବାଚନ ଫଳ ପ୍ରକାଶ ପାଇବା ପୂର୍ବରୁ ଦୁଇ ରାଜ୍ୟରେ ବିଜେପି ଓ କଂଗ୍ରେସ ପକ୍ଷରୁ ନିର୍ବାଚନ ପର ବୁଝାମଣା ଉଦ୍ୟମ ଆରମ୍ଭ ହୋଇଥିଲା । ଦୁଇ ଦଳ ଏଭଳି ଉଦ୍ୟମରେ ବ୍ୟସ୍ତ ଥିବା ବେଳେ ନିର୍ବାଚନ ଫଳ ଆସିଛି । ଏହି ଦୁଇ ରାଜ୍ୟ ସମେତ ମଣିପୁରରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ସକ୍ଷମ ଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ।
୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ୩୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବା ସମୟରେ ବିଜେପି ୪୮ଟିରେ ଅଗ୍ରଣୀ ରହିଛି । ରାଜ୍ୟରେ କଂଗ୍ରେସକୁ ୧୮ ଓ ବିଏସପିକୁ ଦୁଇଟି ଆସନ ମିଳୁଛି । ସେହିପରି, ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ସରକାର ଗଠନ ପାଇଁ ୨୧ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ଥିବା ବେଳେ ବିଜେପି ୨୦ଟି, କଂଗ୍ରେସ ୧୨ଟି, ‘ଆପ୍’ ୩ଟି, ଟିଏମସି ୨ଟି ଆସନ ପାଉଥିବା ସୂଚନା ମିଳିଛି । ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ସରକାର ଗଠନ ପାଇଁ ମେଜିକ ନମ୍ବର ୩୧ ରହିବା ଆବଶ୍ୟକ । ତେବେ, ବିଜେପି ୨୯, ଏନପିପି ୮, ଜେଡ଼ିୟୁ ୭ ଓ କଂଗ୍ରେସ ୬ ଆସନରେ ଅଗ୍ରଣୀ ଥିବାରୁ ବିଜେପି-ଏନପିପି ବୁଝାମଣା ହେବା ଅନୁମାନ କରାଯାଉଛି । ଯୁପିରେ ସରକାର ଗଠନ ପାଇଁ ୨୦୨ ଓ ପଂଜାବ ପାଇଁ ୫୯ ମେଜିକ ନମ୍ବର ଥିବା ବେଳେ ବିଜେପି (ୟୁପି) ଓ ‘ଆପ୍’ (ପଂଜାବ) ଯଥେଷ୍ଟ ଅଧିକ ଆସନ ପାଇ ଥିବାରୁ ସରକାର ଗଢିବାରେ କୌଣସି ସମସ୍ୟା ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS