ପଂଜାବରେ ମାନ୍ ସରକାର ?

ପ୍ରସାଦ ରାଓ
ମାର୍ଚ୍ଚ ୦୯
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ (ଆପ୍) ଏଥର ପଂଜାବରେ ସରକାର କରିବ । ରାଜ୍ୟର ୪୦ ପ୍ରତିଶତ ମତଦାତା ‘ଆପ୍’କୁ ଭୋଟ ଦେଇଥିବା ବେଳେ କ୍ଷମତାସୀନ କଂଗ୍ରେସ ଦଳ ୨୬ ପ୍ରତିଶତ ଭୋଟ ପାଇବାକୁ ଯାଉଛି । ଏଭଳି ଏକ ପୂର୍ବାନୁମାନ କରିଛି ଲୋକନୀତି-ସିଏସଡ଼ିଏସ୍ ସର୍ଭେ । ଫେବୃୟାରୀ ୨୦ତାରିଖ ପଂଜାବ ବିଧାନସଭା ପାଇଁ ମତଦାନ ହେବା ଅବସ୍ଥାରେ ଘର ବାହୁଡା ମତଦାତାଙ୍କ ନିକଟରୁ ସଂଗୃହୀତ ମତ ଆଧାରରେ ଲୋକନୀତି-ସିଏସଡ଼ିଏସ ସମେତ ବିଭିନ୍ନ ସର୍ଭେ ସଂସ୍ଥା ଏଭଳି ପୂର୍ବାନୁମାନ କରିଛନ୍ତି, ଯାହାକି ରାଜ୍ୟରେ ‘ଆପ୍’ ସରକାର ଗଢିବା ନିଶ୍ଚିତ କରୁଛି । କାଲି ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବାକୁ ଥିବାରୁ ବାସ୍ତବତା କଣ ତାହା କାଲି ହିଁ ଜଣାପଡିବ ।
ତେବେ, ପଂଜାବକୁ ନେଇ ଯାହା ସବୁ ପୂର୍ବାନୁମାନ ଆସିଛି ତାହା ବାସ୍ତବ ହେଲେ ଦିଲ୍ଲୀ ପରେ ପଂଜାବରେ କେଜରୀୱାଲଙ୍କ ଦଳ ‘ଆପ୍’ର ଶାସନ ଚାଲିବା ନିଶ୍ଚିତ । ପଂଜାବ ଜନତାକୁ ଦଳ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସାଂସଦ ଭଗବନ୍ତ ମାନ୍ ହେବେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ । ମାନ୍ ମଧ୍ୟ ଏଭଳି ଏକ ଗୁରୁଦାୟିତ୍ୱ ବହନ କରିବାକୁ ପ୍ରସ୍ତୁତ ହେଲେଣି । ମୁଖ୍ୟମନ୍ତ୍ରୀ ହେଲା ସେ ପଂଜାବକୁ ନୂଆ ରୂପରେ ଗଢି ତୋଳିବେ ବୋଲି କହିଳେଣି । ତାଙ୍କ ଦପ୍ତରରେ ଯେଭଳି ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହ ଏବଂ ଭାରତୀୟ ସମ୍ବିଧାନର ରଚୟିତା ବାବାସାହେବ ଆମ୍ବେଦକରଙ୍କ ଫଟୋ ଲାଗିଛି ରାଜ୍ୟର ସବୁ ସରକାରୀ ଦପ୍ତରରେ ସେହିଭଳି ଏହି ଦୁଇ ବ୍ୟକ୍ତିତ୍ୱଙ୍କ ଫଟୋ ରହିବ । କୌଣସି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବ ନାହିଁ ବୋଲି ମାନ୍ ଆଜି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ।
ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ତାରିଖ ମଧ୍ୟରେ ପାଂଚଟି ରାଜ୍ୟ ପଂଜାବ, ୟୁପି, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ସରିଛି । ଆସନ୍ତା କାଲି ଏକାଠି ସବୁ ରାଜ୍ୟର ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ୭ ତାରିଖ ଦିନ ୟୁପିରେ ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ବିଭିନ୍ନ ସଂସ୍ଥା ସେମାନଙ୍କ ‘ଏକଜିଟ୍ ପୋଲ୍’ ରିପୋର୍ଟ ପ୍ରକାଶ କରିଛନ୍ତି । ପଂଜାବକୁ ନେଇ ସବୁ ପୂର୍ବାନୁମାନ ‘ଆପ୍’ ସପକ୍ଷରେ ରହିଛି । ୧୧୭ ଆସନ ବିଶିଷ୍ଟ ପଂଜାବ ବିଧାନସଭା ପାଇଁ ଫେବୃୟାରୀ ୨୦ରେ ଭୋଟ ହୋଇଥିଲା । ‘ଆପ୍’ ସପକ୍ଷରେ ୪୦ ପ୍ରତିଶତ ଜନମତ ମିଳିଥିବା ଏବଂ ଦଳକୁ ଅନ୍ୟୁନ ୬୩ଟି ଆସନ ମିଳୁଥିବା ଲୋକନୀତି-ସିଏସଡ଼ିଏସ ପୂର୍ବାନୁମାନ କରିଛି ।
ରାଜ୍ୟରେ ୨୦୧୭ରୁ କଂଗ୍ରେସ ଦଳ କ୍ଷମତାରେ ରହିଛି । ତେବେ, ଦଳ ଭିତରେ ଲାଗି ରହିଥିବା ଆନ୍ତଦ୍ୱର୍ନ୍ଦ୍ୱ ଏତେଦୂର ତୀବ୍ର ଥିଲା ଯେ ପଂଜାବ ମତଦାତା ଦଳକୁ କ୍ଷମତାରୁ ହଟାଇ ଅନ୍ୟ କାହାକୁ କ୍ଷମତା ଦେବାକୁ ଏକପ୍ରକାର ମନ ସ୍ତିର କରିଥିଲେ । ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରୁ ବିଜେପି ଓ ଶିରୋମଣୀ ଅକାଳୀ ଦଳ ସରକାରକୁ ପୂର୍ବରୁ ପରଖି ଥିବା ରାଜ୍ୟବାସୀ ଏଥର ‘ଆପ୍’ ଆଡକୁ ଆକର୍ଷିତ ହୋଇଥିବା ଦେଖିବାକୁ ମିଳୁଥିଲା । ରାଜ୍ୟରେ ‘ଆପ୍’ ସରକାର କଲେ ଦିଲ୍ଲୀ ଭଳି ପଂଜାବବାସୀଙ୍କୁ ମଧ୍ୟ ସମସ୍ତ ସୁବିଧା ସୁଯୋଗ ମିଳିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେ ଟେଲି-ଭୋଟିଂ ମାଧ୍ୟମରେ ରାଜ୍ୟବାସୀଙ୍କ ମତାମତ ଭିତ୍ତିରେ ସାଂସଦ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ଥିବାରୁ ମାନ୍ ହିଁ କେଜରୀୱାଲଙ୍କ ପ୍ରତିଶ୍ରୁତି ରକ୍ଷା କରିବେ ବୋଲି ଆଲୋଚନା ହେଉଛି ।
ଫେବୃୟାରୀ ୨୦ ମତଦାନ ପୂର୍ବରୁ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଥିଲେ କଂଗ୍ରେସ ଓ ବିଜେପି । କେଜରୀୱାଲ ଶିଖ୍ ଆତଙ୍କବାଦୀ ସଂଗଠନଙ୍କ ସମର୍ଥକ ଥିବା ଏବଂ ପଂଜାବରେ ବିଭାଜନ ଘଟି ସ୍ୱତନ୍ତ୍ର ଖାଲିସ୍ଥାନ ରାଷ୍ଟ୍ର ଗଠନ ହେଲେ ସେ ତାହାର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖି ଥିବା ନେଇ ବ୍ୟଙ୍ଗ କବି କୁମାର ବିଶ୍ୱାସଙ୍କ ଦ୍ୱାରା ପ୍ରସାରିତ ଏକ ଭିଡ଼ିଓ ଭାଇରାଲ ହେବା ପରେ ଦୁଇ ଦଳ କେଜରୀୱାଲଙ୍କୁ ଆତଙ୍କବାଦୀ-ସମର୍ଥକ ଦର୍ଶାଇ ପ୍ରଚାର ଅଭିଯାନ ଜୋରଦାର କରିଥିଲେ । କୁମାର ବିଶ୍ୱାସ ହେଉଛନ୍ତି କେଜରୀୱାଲଙ୍କ ଜଣେ ପୂର୍ବତନ ସହଯୋଗୀ । ସେମାନଙ୍କ ମଧ୍ୟରେ ମତଭେଦ ହେବା ପରେ ବିଶ୍ୱାସ ‘ଆପ୍’ ଛାଡି ଥିଲେ । ଠିକ୍ ପଂଜାବ ନିର୍ବାଚନ ପୂର୍ବରୁ ବିଶ୍ୱାସ ଏଭଳି ଏକ ଭିଡ଼ିଓ ଜାରି କରିବା ଓ ତାହା ବହୁଳ ଭାବେ ପ୍ରସାରିତ କରାଯିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିଲା, ତାହା କହିବା ଭୁଲ ହେବ ନାହିଁ ।
ଏହି ଭିଡ଼ିଓ ପ୍ରସାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କଠୋର ସମାଲୋଚନା କରି ନିର୍ବାଚନ ପ୍ରଚାର କରିଥିଲେ । କେଜରୀୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରବଳ ଦାବି ହୋଇଥିଲା । ପଂଜାବ ମୁଖ୍ୟମନ୍ତ୍ରୀ ଚିରନଜିତ ସିଂହ ଚନ୍ନି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଓ ଇମେଲ୍ ପଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଦାବି କରିଥିଲେ । ଗୃହ ମନ୍ତ୍ରୀ ଶାହା ଅଭିଯୋଗକୁ ‘ଅତ୍ୟନ୍ତ ଗୁରୁତର’ ଦର୍ଶାଇ ତଦନ୍ତ ହେବ ବୋଲି ଘୋଷଣା କରିଥିଲେ । ତେବେ, ସେ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ସକାଶେ କାମ କରୁଥିବା ଜଣେ ‘ସ୍ୱିଟ୍ ଆତଙ୍କବାଦୀ’ ବୋଲି ମନ୍ତବ୍ୟ ରଖି କେଜରୀୱାଲ ଉଭୟ କଂଗ୍ରେସ ଓ ବିଜେପିର ଅଭିଯୋଗକୁ ବ୍ୟଙ୍ଗରେ ଉଡାଇ ଦେଇଥିଲେ ।
ବ୍ୟଙ୍ଗ କବି କୁମାର ବିଶ୍ୱାସ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ବିରୋଧରେ ଏଭଳି ଏକ ସଂଗୀନ ଅଭିଯୋଗ ହଟ୍ଟଚମଟ ସୃଷ୍ଟି କରିଥିଲେ ମଧ୍ୟ ପଂଜାବ ନିର୍ବାଚନକୁ ତାହା ପ୍ରଭାବିତ କରି ନଥିବା ବିଭିନ୍ନ ସଂସ୍ଥାଙ୍କ ଏକଜିଟ୍ ପୋଲ୍ ରିପୋର୍ଟରୁ ସୂଚନା ମିଳୁଛି । ବିଶ୍ୱାସ କେବଳ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ‘ୱାଇ’ କାଟାଗୋରୀ ସୁରକ୍ଷା ପାଇ ଆଶ୍ୱସ୍ତ ଅଛନ୍ତି । ପଂଜାବ ନିର୍ବାଚନରେ ‘ଆପ୍’ ୪୦ ପ୍ରତିଶତ ଭୋଟରଙ୍କ ସମର୍ଥନ ପାଇଥିବା ବେଳେ କଂଗ୍ରେସକୁ ୨୬ ପ୍ରତିଶତ, ଶିରୋମଣୀ ଅକାଳୀ ଦଳକୁ ୨୦ ପ୍ରତିଶତରୁ ଅଧିକ, ବିଜେପିକୁ ୭ ପ୍ରତିଶତରୁ ଅଧିକ ଏବଂ ଅନ୍ୟମାନଙ୍କୁ ୭ ପ୍ରତିଶତ ଭୋଟ ମିଳୁଥିବା ଲୋକନୀତି-ସିଏସଡ଼ିଏସର ପୂର୍ବାନୁମାନରୁ ଜଣାପଡିଛି ।
ପଂଜାବର ୧୧୭ ବିଧାନସଭା ଆସନରୁ ‘ଆପ୍’ ୬୩ଟି ଆସନ ଓ କଂଗ୍ରେସ ୨୮ ଆସନ ପାଉଥିବା ଏବଂ ପଂଜାବରେ ସରକାର ଗଠନ ପାଇଁ ୫୯ଟି ଆସନ ଆବଶ୍ୟକ ଥିବା ବେଳେ ‘ଆପ୍’କୁ ଏକକ ସଂଖ୍ୟାଗରିଷ୍ଠତା ମିଳୁଥିବା ସଂସ୍ଥା ପୂର୍ବାନୁମାନ କରିଛି । ପଂଜାବ ବ୍ୟତୀତ ୟୁପିରେ ବିଜେପି ବହୁମତ ପାଉଥିବା ଏବଂ ଉତ୍ତରାଖଣ୍ଡ ଓ ଗୋଆରେ ଝୁଲା ସରକାର ହେବାକୁ ଥିବା ସଂସ୍ଥା ପୂର୍ବାନୁମାନ କରିଥିବାରୁ କାଲି ପ୍ରକାଶ ପାଇବାକୁ ଥିବା ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS