ଭାରତ ବିରୋଧରେ ‘କାଟସା’ ଲଗାଇବା ବୋକାମୀ ହେବ..


ପ୍ରସାଦ ରାଓ
ମାର୍ଚ୍ଚ ୦୮
ଭାରତ ହେଉଛି ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଧୁ ରାଷ୍ଟ୍ର । ରୁଷରୁ ଏସ-୪୦୦ ମିଜାଇଲ୍ ଡ଼ିଫେନ୍ସ ସିଷ୍ଟମ କିଣିବା କାରଣରୁ ଭାରତ ବିରୋଧରେ ଆମେରିକା ‘କାଟସା’ ଆଇନ ଲାଗୁ କରିବା ସବୁଠାରୁ ବଡ଼ ବୋକାମୀ ହେବ ବୋଲି ଆମେରିକାର ଜଣେ ବରିଷ୍ଠ ରିପବ୍ଲିକାନ ସିନେଟର ବିଡେନ ପ୍ରଶାସନକୁ ଚେତାବନୀ ଦେଇଥିବା ଆଜି ୱାସିଂଟନରୁ ମିଳିଥିବା ଖବରରୁ ଜଣାପଡିଛି । ଚେତାବନୀ ଦେଇଥିବା ସିନେଟର ହେଉଛନ୍ତି ଟେକ୍ସାସ ରାଜ୍ୟର ଟେଡ୍ କ୍ରୁଜ୍ । ୨୦୧୪ରେ ରୁଷ ସୀମାନ୍ତ କ୍ରିମିଆରେ ହୋଇଥିବା ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ପରେ ୨୦୧୬ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ରୁଷର କଥିତ ସନ୍ଦିଗ୍ଧ ଭୂମିକାରେ ଉତ୍କ୍ଷୀପ୍ତ ଆମେରିକା ରୁଷରୁ ପ୍ରତିରକ୍ଷା ହାର୍ଡୱେର କିଣୁଥିବା ରାଷ୍ଟ୍ରଙ୍କ ବିରୋଧରେ ଅର୍ଥନୈତିକ ବାସନ୍ଦ ଲଗାଇବାକୁ କଠୋର ‘କାଟସା’ (କାଉଂଟରିଂ ଆମେରିକାସ୍ ଆଡଭର୍ସରିସ୍ ଥ୍ରୁ ସାଂକସନ୍ ଆକ୍ଟ) ଆଇନର ବ୍ୟବହାର କରୁଛି । କେବଳ ରୁଷ ନୁହେଁ, ଉତ୍ତର କୋରିଆ ଓ ଇରାନ ସହ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ସଂପର୍କରେ ଥିବା ରାଷ୍ଟ୍ରଙ୍କ ବିରୋଧରେ ମଧ୍ୟ ଏହି କଠୋର ଘରୋଇ ଆଇନ ଲାଗୁ ହେଉଛି । ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ବିରୋଧ କରି ନିନ୍ଦା ପ୍ରସ୍ତାବ ଆଣି ଥିବା ବେଳେ ଭାରତ ନିରନ୍ତର ଭାବେ ଭୋଟଦାନରୁ ବିରତ ରହିବା ଆମେରିକା ପ୍ରାାସନକୁ କ୍ଷୁବ୍ଧ କରିଛି । ଫଳରେ, ଗଲା ଏକ ସପ୍ତାହ ହେଲା ଭାରତ ଆମେରିକା ମଧ୍ୟରେ ଦ୍ୱିପାକ୍ଷୀକ ସଂପର୍କରେ ଅବନତି ଦେଖା ଦେଇଛି । ଆମେରିକା ଭାରତ ବିରୋଧରେ ‘କାଟସା’ ଆଇନ ବଳରେ ଅର୍ଥନୈତିକ କଟକଣା ଲଗାଇବାକୁ ବିଚାର କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଏଭଳି କିଛି ହେଲେ ତାହା ବିଡେନ ପ୍ରଶାସନର ବଡ଼ ବୋକାମୀ ହେବ ବୋଳି ଆମେରିକାର ବରିଷ୍ଠ ସିନେଟର କ୍ରୁଜ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ଓ ସଂବେଦନଶୀଳ ବନ୍ଧୁ ରାଷ୍ଟ୍ର ବିରୋଧରେ ‘କାଟସା’ ଲାଗାଇବାକୁ ବିଡେନ ପ୍ରଶାସନ ଚିନ୍ତା କରିବା ବୋକାମୀର ପରିଚୟ ହେବ । ଆମେରିକା ସିନେଟ୍ ର ଅତ୍ୟନ୍ତ ପ୍ରଭାବଶାଳୀ ଫରୋନ ରିଲେସନ୍ସ କମିଟି ବୈଠକରେ ବରିଷ୍ଠ ସିନେଟର କ୍ରୁଜ୍ ଏହା କହିଥିବା ଜଣାପଡିଛି । ଟେଡ୍ କ୍ରୁଜ୍ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ଦୀର୍ଘ ବର୍ଷ ଧରି ବିଭିନ୍ନ କ୍ଷେତ୍ରରେ ସୁଦୃଢ ଦ୍ୱିପାକ୍ଷୀକ ସଂପର୍କ ରହିଛି । ତେବେ, ଜୋ ବିଡେନ ରାଷ୍ଟ୍ରପତି ହେବା ପରେ ଏହି ସଂପର୍କ ତଳମୁହାଁ ହୋଇଛି । ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ଜାତିସଂଘ ସାଧାରଣ ପରିଷଦରେ ଆଗତ ଏକ ନିନ୍ଦା ପ୍ରସ୍ତାବ ଉପରେ ଭାରତ ଭୋଟଦାନରୁ ବିରତ ରହିବା ନେଇ ଆମେରିକାର ବିଡେନ ପ୍ରଶାସନ କ୍ଷୁବ୍ଧ । ତେବେ, କେବଳ ଭାରତ ନୁହେଁ, ଅନ୍ୟ କିଛି ରାଷ୍ଟ୍ର ମଧ୍ୟ ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେଇଛନ୍ତି ବା ଭୋଟଦାନରୁ ବିରତ ରହିଛନ୍ତି ବୋଲି ଟେଡ୍ କହିଛନ୍ତି । ବୁଧବାର ଜାତିସଂଘ ଜେନେରାଲ ଆସମ୍ବ୍ଲି ବା ସାଧାରଣ ପରିଷଦରେ ଆଗତ ରୁଷ ବିରୋଧୀ ନିନ୍ଦା ପ୍ରସ୍ତାବକୁ ସମର୍ଥନ କରି ୧୪୧ ରାଷ୍ଟ୍ର ଭୋଟ ଦେଇଥିବା ବେଳେ ୫ଟି ରାଷ୍ଟ୍ର ବିରୋଧରେ ଭୋଟ ଦେଇଥିଲେ । ଭାରତ ସମେତ ୩୫ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଲେ । ସେହିଭଳି, ୧୫ ସଦସ୍ୟ ବିଶିଷ୍ଟ ଜାତିସଂଘ ନିରାପତ୍ତା ପରିଷଦରେ ପୂର୍ବରୁ ରୁଷ ବିରୋଧୀ ଏକ ନିନ୍ଦା ପ୍ରସ୍ତାବ ଅଣା ଯାଇଥିଲା । ଭାରତ ସେଥିରେ ଭୋଟଦାନରୁ ବିରତ ରହି ଥିଲା । ୧୧ଟି ରାଷ୍ଟ୍ର ନିନ୍ଦା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିବା ବେଳେ ୩ଟି ରାଷ୍ଟ୍ର ଭୋଟଦାନରୁ ବିରତ ଥିଲେ । ତେବେ, ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ଥିବା ରୁଷ ନିଜର ଭିଟୋ ଶକ୍ତି ପ୍ରୟୋଗ ମାଧ୍ୟମରେ ଗୃହୀତ ପ୍ରସ୍ତାବକୁ ଅକାମୀ କରି ଦେଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS