ଆଣବିକ ଯୁଦ୍ଧର ଧମକ, ପୁଟିନଙ୍କୁ ଭୟ କରୁଛି ସମଗ୍ର ବିଶ୍ୱ ?


ପ୍ରସାଦ ରାଓ
ମାର୍ଚ୍ଚ ୦୭
ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ‘ନାଟୋ’ ଗୋଷ୍ଠୀରେ ସାମିଲ ହେବାକୁ ମନବଳାଇ ୟୁକ୍ରେନ ଆଜି ତାହାର ମୂଲ୍ୟ ଦେବାକୁ ବାଧ୍ୟ ହୋଇଛି । ୟୁକ୍ରେନର ଏଭଳି ଇଚ୍ଛା ରୁଷର ସାର୍ବଭୌମତା ପ୍ରତି ବିପଦ ଦର୍ଶାଇ ରୁଷ ଗଲା ଫେବୃୟାରୀ ୨୪ ତାରିଖରୁ ଏହି ପଡୋଶୀ କ୍ଷୁଦ୍ର ରାଷ୍ଟ୍ର ଉପରେ ପ୍ରଚଣ୍ଡ ଆକ୍ରମଣ ଚଳାଇଛି । ରୁଷ ଆକ୍ରମଣର ଦ୍ୱାଦଶ ଦିବସରେ ମଧ୍ୟ ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ନିରାଶ କରିଛନ୍ତି । ଆଣବିକ ଯୁଦ୍ଧର ଧମକ ସେମାନଙ୍କୁ ରୁଷ ବିରୋଧୀ ପ୍ରତିବନ୍ଧକ ଜାରି ମଧ୍ୟରେ ସୀମିତ ରଖିଛି ସିନା ସେମାନେ ପ୍ରତ୍ୟକ୍ଷ ଯୁଦ୍ଧକୁ ଅସୁ ନାହାନ୍ତି ।
ୟୁକ୍ରେନରେ ରୁଷର କାର୍ଯ୍ୟାନୁଷ୍ଠାନ ‘ଅନୈତିକ ଯୁଦ୍ଧ’ ବୋଲି ପାଶ୍ଚିତ୍ୟ ରାଷ୍ଟ୍ରମାନେ କହୁଥିଲେ ମଧ୍ୟ ରୁଷ ତାହା ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ନିଜ ମାତୃଭୂମିକୁ ସୁରକ୍ଷା ପାଇଁ ଏହା କେବଳ ଏକ ‘ସୀମିତ କାର୍ଯ୍ୟାନୁଷ୍ଠାନ’ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସଦର୍ପରେ ଘୋଷଣା କରୁଛନ୍ତି । ପାଶ୍ଚାତ୍ୟ ରାଷ୍ଟ୍ର ଏଥିରେ ନାକ ପୁରାଇଲେ ଏହା ଆଣବିକ ଯୁଦ୍ଧରେ ପରିଣତ ହେବ ଏବଂ ତୃତୀୟ ବିଶ୍ୱ ଯୁଦ୍ଧ ପାଇଁ ସେହିମାନେ ଦାୟି ରହିବେ ବୋଲି ରାଷ୍ଟ୍ରପତି ପୁଟିନଙ୍କ ଧମକ କେବଳ ପାଶ୍ଚିତ୍ୟ ରାଷ୍ଟ୍ରଙ୍କୁ ନୁହେଁ, ସମଗ୍ର ବିଶ୍ୱକୁ ଭୟଭୀତ କରିଛି । ଏହାକୁ ସୁଯୋଗ ଭାବି ୟୁକ୍ରେନରେ ଘନ ଘନ ଆକ୍ରମଣ କରିବା ସହ ଅଧିକାଂଶ ସହରକୁ ଧ୍ୱଂସ ସ୍ତୁପରେ ପରିଣତ କରିଛି ରୁଷ । ରାଜଧାନୀ କିଭ୍ ଏବେ ରୁଷର ପ୍ରମୁଖ ଟାର୍ଗେଟ୍ ରହିଛି । କିଭ୍ ଦଖଲ ପାଇଁ ରୁଷ ସାମରିକ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିଛି । ଇତିମଧ୍ୟରେ, ଯୁଦ୍ଧକୁ ରୋକିବା ପାଇଁ ୟୁକ୍ରେନ ଓ ରୁଷ ମଧ୍ୟରେ ଆଲୋଚନା ଦୁଇ ଥର ନିର୍ଣ୍ଣାୟକ ସ୍ଥିତିରେ ନ ପହଂଚିବାରୁ ଆଜି ତୃତୀୟ ଦଫା ଆଲୋଚନା ରହିଛି । ୟୁକ୍ରେନ ନିଃସର୍ତ୍ତରେ ଆତ୍ମସମର୍ପଣ କରୁ ଓ ରୁଷ ସୈନକଙ୍କୁ ପ୍ରତ୍ୟାକ୍ରମଣ ବନ୍ଦ କରୁ – ଏହା ରାଷ୍ଟ୍ରପତି ପୁଟିନ ଚାହୁଁଛନ୍ତି । ତାହା ନହେବା ଯାଏଁ ୟୁକ୍ରେନରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସେ ସ୍ପଷ୍ଟ କହିଛନ୍ତି ।
ରାଷ୍ଟ୍ରପତି ପୁଟିନ ଏହି ସର୍ତ୍ତ ରଖି ସତର୍କତାର ସହ ଗୋଟିଚାଳନା କରୁଥିବା ବେଳେ ରୁଷ ଦୁଇ ଥର ସାମୟିକ ଯୁଦ୍ଧ ବିରତି ଘୋଷଣା କରି ୟୁକ୍ରେନରେ ବିଭିନ୍ନ ସହରରେ ଫସି ରହି ଥିବା ବିଦେଶୀଙ୍କୁ ସ୍ୱଚ୍ଛନ୍ଦରେ ଦେଶ ଛାଡିବାର ସୁଯୋଗ ଦେଇଥିଲା । ତେବେ, ଯୁଦ୍ଧ ବିରତି ନାମକୁ ମାତ୍ର ଥିଲା । ଯୁଦ୍ଧ ବିରତି ସମୟରେ ମଧ୍ୟ ୟୁକ୍ରେନର ବିଭିନ୍ନ ସହର ଉପରେ ଧୂଆଁଧାର କ୍ଷେପଣାସ୍ତ୍ର, ଗୁଳିଗୋଳା ମାଡ଼ ଚଲିବା ଯୋଗୁଁ କେହି ଯୁଦ୍ଧ ବିରତି ବିଶେଷ ଲାଭ ନେଇ ପାରି ନଥିବା କୁହାଯାଉଛି । ରୁଷ ବିରୋଧରେ ୟୁକ୍ରେନ ଦମ୍ଭର ସହ ଲଢୁଛି । ତେବେ, ତାହାର ସାମରିକ ଶକ୍ତି ସୀମିତ ଥିବାରୁ ରୁଷ ଆଡୁ ଆକ୍ରମଣ ହେଲେ ଆମେରିକା ସମେତ ‘ନାଟୋ’ ରାଷ୍ଟ୍ରସମୂହ ପଛରେ ଠିଆ ହେବେ ବୋଲି ୟୁକ୍ରେନ ଆଶା କରୁଥିଲା । କିନ୍ତୁ, ନାଟୋ ରାଷ୍ଟ୍ର ପ୍ରତ୍ୟକ୍ଷ ଯୁଦ୍ଧରେ ସାମିଲ ନହୋଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନେସ୍କିଙ୍କୁ ନିରାଶ କରିଛନ୍ତି । ରୁଷ ୟୁକ୍ରେନରେ ଆକ୍ରମଣକୁ ଅଧିକ ଜୋରଦାର କରି ବ୍ୟାପକ ଧ୍ୱଂସଲୀଳା ଓ ନରସଂହାର ଚଳାଇ ଥିବା ବେଳେ ନାଟୋ ରାଷ୍ଟ୍ରସମୂହ ରୁଷ ବିରୋଧୀ ଅର୍ଥନୈତିକ ବାସନ୍ଦ ଜାରି ମଧ୍ୟରେ ନିଜକୁ ସୀମିତ ରଖିଛନ୍ତି । ଆଣବିକ ଯୁଦ୍ଧ ଭୟରେ ସେମାନେ ସାମ୍ନାକୁ ଆସିବାକୁ ପ୍ରସ୍ତୁତ ନଥିବା ଦେଖିବାକୁ ମିଳୁଛି ।
ତଥାପି, ୟୁକ୍ରେନ ନାଟୋକୁ ଭରସା କରୁଛି । ରୁଷ ସେନାର ମୁକାବିଲା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଯୁଦ୍ଧ ବିମାନ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଏବଂ ପାଶ୍ଚାତ୍ୟ ରାଷ୍ଟ୍ର ସେମାନଙ୍କ ଆକାଶ ସୀମାକୁ ରୁଷ ପାଇଁ ‘ନୋ ପ୍ଲାଇଂ ଜୋନ୍’ ଘୋଷଣା କରିବାକୁ ନେହୁରା ହୋଇ ଆମେରିକା ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନ କରିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏଭଳି ଅନୁରୋଧ କରିଥିଲେ ମଧ୍ୟ ନାଟୋ ରାଷ୍ଟ୍ର ସମୂହ ରୁଷ ବିରୋଧୀ ଅର୍ଥନୈତିକ ବାସନ୍ଦ ମଧ୍ୟରେ ନିଜକୁ ସୀମିତ ରଖି ପ୍ରତ୍ୟକ୍ଷ ଯୁଦ୍ଧରୁ ଦୂରେଇ ରହିବା ରାଷ୍ଟ୍ରପତି ଜେଲେନେସ୍କିଙ୍କୁ ନିରାଶ କରିଛି । ଆଜି ଏକ ଭିଡ଼ିଓ ବାର୍ତ୍ତାରେ ସେ ଏହି ନିରାଶା ଜାହିର କରିଛନ୍ତି । ୟୁକ୍ରେନରେ ଯେଉଁମାନେ ଅତ୍ୟାଚାରରେ ଲିପ୍ତ ଅଛନ୍ତି ଏବଂ ମହିଳା ଓ ଶିଶୁଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ହୋଇଛନ୍ତି ସେମାନଙ୍କୁ କେବେ କ୍ଷମା ଦିଆଯିବ ନାହିଁ କି ୟୁକ୍ରେନ ଭୁଲିବ ନାହିଁ ବୋଲି ଜଲେନେସ୍କି କହିଛନ୍ତି । ଯୁଦ୍ଧଭୂମିରେ ହିଁ ସେମାନଙ୍କୁ ଶାସ୍ତି ଦିଆଯିବ ବୋଲି ସେ ସଂକଳ୍ପ ବ୍ୟକ୍ତ କରିଛନ୍ତି । ‘ପୃଥିବୀରେ ସମାଧୀ ବ୍ୟତୀତ ଅନ୍ୟ କେଉଁଠି ଶାନ୍ତି ନାହିଁ’ ବୋଲି ଜେଲେନେସ୍କି କହିବା ତାଙ୍କ ନିରାଶ ଭାବକୁ ପ୍ରତିଫଳିତ କରୁଛି ।
ଜେଲେନେସ୍କିଙ୍କ ମତରେ, ୟୁକ୍ରେନରେ ଯାହା ଚାଲିଛି ତାହା ‘ହତ୍ୟା’ । ଜାଣତରେ ହତ୍ୟାର ତାଣ୍ଡବ ଚାଲିଛି । ନାଟୋ ରାଷ୍ଟ୍ରମାନେ ପୁଟିନଙ୍କ ଆଣବିକ ଯୁଦ୍ଧର ଧମକରେ ଭୟଭୀତ । ତେବେ, ସେମାନେ ପ୍ରତ୍ୟକ୍ଷ ଯୁଦ୍ଧରୁ ଦୂରେଇ ରହି ଥିଲେ ସୁଦ୍ଧା ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଓ ମାନବିକା ସହାୟତା ଯୋଗାଉଥିବା ୟୁକ୍ରେନ ପାଇଁ ଆଶ୍ୱସ୍ତି ହୋଇଛି । ରୁଷ ବିରୋଧୀ ଅର୍ଥନୈତିକ କଟକଣାକୁ ମଧ୍ୟ ସେମାନେ ଅଧିକ କଡାକଡି କଲେଣି । ନାଟୋ ରାଷ୍ଟ୍ରମାନେ ପ୍ରତ୍ୟକ୍ଷ ଯୁଦ୍ଧରୁ ଦୂରେଇ ରହିବା ରାଷ୍ଟ୍ରପତି ଜେଲେନେସ୍କିଙ୍କୁ ନିରାଶ କରିଥିଲେ ମଧ୍ୟ ଆଣବିକ ଯୁଦ୍ଧକୁ ଏଡାଇବା ପାଇଁ ଜରୁରୀ ବୋଲି ଆମେରିକା ଓ ଅନ୍ୟ ରାଷ୍ଟ୍ରମାନେ ଅନୁଭବ କରୁଛନ୍ତି । ଫଳରେ, ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ନିର୍ଣ୍ଣାୟକ ମୋଡ଼ରେ ପହଂଚିଲାଣି । ରାଜଧାନୀ କିଭ୍ ଉପରେ ଆଜି ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ପ୍ରଚଣ୍ଡ ଆକ୍ରମଣ ହେବା ରୁଷ ପ୍ରସ୍ତୁତି ଚଳାଇ ଥିବା ୟୁକ୍ରେନରୁ ସୂଚନା ମିଳିଛି ।
ରୁଷ ସେନା କିଭ୍ ସହରକୁ ଚତୁର୍ଦ୍ଦିଗରୁ ଘେରି ରହିଛନ୍ତି । ରୁଷର ଆକ୍ରମଣ ଜୋରଦାର ଥିବାରୁ ୟୁକ୍ରେନରେ ଫସି ରହି ଥିବା ବିଦେଶୀ ଛାତ୍ରଛାତ୍ରୀ ଓ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସମସ୍ୟା ହୋଇଛି । ରୁଷ ପକ୍ଷରୁ ଦୁଇ ଥର ସାମୟିକ ଯୁଦ୍ଧ ବିରତି ଘୋଷଣା ହୋଇଥିଲେ ମଧ୍ୟ ବନ୍ଦର ସହର ମାରିଉପୁଲରେ ଯୁଦ୍ଧ ବିରତି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଗୋଳା ବିନିମୟ ଚାଲିବା ଉଦ୍ଧାର କାର୍ଯ୍ୟକୁ ପ୍ରଭାବିତ କରିଛି । ଭୟଭୀତ ଜନତା ସୁରକ୍ଷିତ ଭାବେ ସହରରୁ ପଳାଇ ପାରୁ ନାହାନ୍ତି । ନୀରିହ ଲୋକଙ୍କ ଉପରେ ଜାଣିଶୁଣି ଆକ୍ରମଣ ହେଉଛି ବୋଲି ନିର୍ଭରଯୋଗ୍ୟ ରିପୋର୍ଟକୁ ଆଧାର କରି ଆମେରିକା ବୈଦେଶିକ ସଚିବ ଆଂଟୋନି ବ୍ଲିଂକେନ ଅଭିଯୋଗ କରିଥିବା ବେଳେ ରୁଷ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଲାଗୁ କରିଥିବା ଅର୍ଥନୈତିକ ବାସନ୍ଦ ଯୁଦ୍ଧ ରୋକିବାରେ ସଫଳ ହେଉନଥିବା ଦେଖି ରୁଷରୁ ତୈଳ ଆମଦାନୀ ଉପରେ ବାସନ୍ଦ ଲଗାଇବାକୁ ସେମାନେ ବିଚାର କରୁଥିବା ସୂଚନା ମିଳିଛି ।
ରୁଷ ଆଣବିକ ଅସ୍ତ୍ରରେ ସଜ୍ଜିତ ଥିବାରୁ ଓ ଆଣବିକ ଯୁଦ୍ଧର ଧମକ ଦେଉଥିବାରୁ ପାଶ୍ଚାତ୍ୟ ରାଷ୍ଟ୍ରମାନେ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣାରୁ ବିରତ ଅଛନ୍ତି । ଏଭଳି ଘୋଷଣା ହେଲେ ପ୍ରତ୍ୟକ୍ଷ ଯୁଦ୍ଧରେ ସେମାନେ ସାମିଲ ଥିବା ଧରି ନିଆଯିବ ଓ ଆଣବିକ ଅସ୍ତ୍ରର ପ୍ରୟୋଗ ହେବ ବୋଲି ପୁଟିନଙ୍କ ଚେତାବନୀ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଇସାରା କରୁଛି । ତାହାକୁ ଏଡାଇବା ପାଇଁ ସଂଯମତା ରକ୍ଷା କରାଯାଉଛି ବୋଲି ଆମେରିକାର ବରିଷ୍ଠ ସିନେଟର ମାର୍କୋ ରୁବିୟୋ କହିଛନ୍ତି । ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନରେ ଶତାଧିକ ୟୁକ୍ରେନୀୟ ଓ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଲାଣି । ଖାରକିଭରେ ଜଣେ ଭାରତୀୟ ଛାତ୍ର ଗୋଳାମାଡ଼ରେ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଭାରତୀୟ ଛାତ୍ର ୟୁକ୍ରେନ ଛାଡିବା ଉଦ୍ୟମ ବେଳେ ଗୁଳି ମାଡ଼ରେ ଗୁରୁତର ଆହତ ଚିକିତ୍ସାଧୀନ ଅଛନ୍ତି । ତାଭ୍କୁ ଭାରତ ଅଣା ଗଲାଣି । ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ‘ଅପରେସନ ଗଂଗା’ ସଫଳ ହୋଇଛି ଓ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ସ୍ୱଦେଶ ଫେରିଛନ୍ତି ।
ଭାରତ ପାଇଁ ଏହା ବଡ଼ ଉପଲବ୍ଧୀ ହୋଇଥିଲେ ମଧ୍ୟ ଆହୁରି ଅନେକ ୟୁକ୍ରେନରେ ଫସି ରହି ଭାରତ ସରକାରଙ୍କ ଦ୍ୱାରା ଉଦ୍ଧାର ହେବା ଅପେକ୍ଷାରେ ଅଛନ୍ତି । ୟୁକ୍ରେନର ସୁମି ସହରରେ ପ୍ରାୟ ୭୦୦ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିବା ବେଳେ ସେଠାରେ ଅବିରାମ ଗୁଳିଗୋଳା ଫୁଟୁ ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହେଉଥିବା ଜଣାପଡିଛି । ତେବେ, ମାନବ କରିଡୋର କରାଯିବା ମାଧ୍ୟମରେ ୟୁକ୍ରେନରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନେସ୍କିଙ୍କ ସହ କଥା ହୋଇଥିବା ଜଣାପଡିଛି । ପୁଟିନ ଉଦ୍ଧାର କାର୍ଯ୍ୟରେ ୟୁକ୍ରେନ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଭିଯୋଗ କରୁଥିବା ବେଳେ ଏହା ସତ୍ୟ ନୁହେଁ ବୋଲି ୟୁକ୍ରେନ କହିଛି ।
ରୁଷ ସହ ୟୁକ୍ରେନର ସାମରିକ ସଂଘର୍ଷ ଆରମ୍ଭ ଦିନରୁ ରୁଷ ପ୍ରତି ଭାରତର ମନୋଭାବ କଠୋର ନଥିବା ଦେଖିବାକୁ ମିଳିଛି । ରୁଷର ସାମରିକ କାର୍ଯ୍ୟାନୁଷ୍ଠାନକୁ ପାଶ୍ଚାତ୍ର ରାଷ୍ଟ୍ରଙ୍କ ସମେତ ବିଶ୍ୱର ଅଧିକାଂଶ ରାଷ୍ଟ୍ର ନିନ୍ଦା କରିଥିଲା ବେଳେ ଜାତିସଂଘରେ ଆସି ଥିବା ନିନ୍ଦା ପ୍ରସ୍ତାବକୁ ଭାରତ ବିରୋଧ କରି ନାହିଁ କିମ୍ବା ସମର୍ଥନ ଦେଇ ନାହିଁ । ୟୁକ୍ରେନ ପ୍ରସଙ୍ଗରେ ଭାରତ ନୀରପେକ୍ଷତା ଅବଲମ୍ବନ କରୁଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହୁଥିବା ବେଳେ ପୁଟିନଙ୍କ ପ୍ରତି ଭାରତର ନରମ ଭାବକୁ ପାଶ୍ଚିତ୍ୟ ରାଷ୍ଟ୍ରମାନେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଭାରତ ତାହାର ୟୁକ୍ରେନ ନୀତି ସ୍ପଷ୍ଟ କରୁ ବୋଲି ପାଶ୍ଚିତ୍ୟ ରାଷ୍ଟ୍ରଙ୍କ ଆଡୁ ଚାପ ବଢୁଛି । ତଥାପି, ଭାରତ ତାହାର ମଧ୍ୟମ ନୀତି ଜାରି ରଖିଛି । ଭାରତର ନୀତିକୁ ସେମାନେ କେତେଦିନ ବରଦାସ୍ତ କରିବେ (? ) କହି ହେବ ନାହିଁ । ସେମାନେ ରୁଷ ଭଳି ଭାରତ ବିରୋଧରେ ଅର୍ଥନୈତିକ କଟକଣା ଜାରି ନ କରନ୍ତୁ, ସେଦିଗରେ ଆମ ସରକାର ଅଧିକ ସଚେତନ ହେବା ଆବଶ୍ୟକ ବୋଲି ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS