ଓଲିଉଡ଼ ଅଭିନେତା ଶ୍ରୀତମ ଦାସ କଟକରୁ, ସବିତା ସୁଆର ବ୍ରହ୍ମପୁରରୁ ବିଜେପିର ମେୟର ପ୍ରାର୍ଥୀ


ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୦୬
ଓଲିଉଡ଼ ଅଭିନେତା ଶ୍ରୀମତ ଦାସ କଟକ ମହାନଗର ନିଗମରୁ ଓ ଡକ୍ଟର ସବିତା ସୁଆର ଗ୍ରହ୍ମପୁରରୁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି । ଆଜି ଦଳ ପକ୍ଷରୁ ସେମାନଙ୍କ ନାମ ଘୋଷଣା ହୋଇଛି । ଫଳରେ, ସମ୍ମାନଜନକ ଭୁବନେଶ୍ୱର, କଟକ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପିର ମେୟର ପ୍ରାର୍ଥୀଙ୍କ ନାମ ସ୍ପଷ୍ଟ ହୋଇଯାଇଛି । ଗତକାଲି ଦଳ ପକ୍ଷରୁ ସାହିତ୍ୟ ଜଗତରୁ ରାଜନୀତିକୁ ଆସି ଥିବା ସୁନୀତି ମୁଣ୍ଡ ଭୁବନେଶ୍ୱର ମହାନଗର ନିଗମରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଥିଲା । କେବଳ ବ୍ରହ୍ମପୁର ମହାନଗର ନିଗମରୁ ବିଜେପିର ମେୟର ପ୍ରାର୍ଥୀ କିଏ,ତାହା ଅପରାହ୍ନ ସୁଦ୍ଧା ଘୋଷଣା ହୋଇ ନଥିଲା । ବିଳମ୍ବିତ ସନ୍ଧ୍ୟାରେ ସବିତା ସୁଆରଙ୍କ ନାମ ଘୋଷଣା ହୋଇଛି ।
ଓଲିଉଡ଼ ଅଭିନେତା ଶ୍ରୀତମ କଟକରୁ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଆଜି ଘୋଷଣା କରିଥିବା ବେଳେ ଭୁବନେଶ୍ୱରରୁ ଦଳର ମେୟର ପ୍ରାର୍ଥର ସୁନୀତି ମୁଣ୍ଡଙ୍କ ନାମ ଗତକାଲି ଭୁବନେଶ୍ୱର ବିଜେପି ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଘୋଷଣା କରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡ଼ିର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ବିଜେପି ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।
ରାଜ୍ୟର ତିନି ମହାନଗର ନିଗମ ସମେତ ୧୦୬ ପୌର ପରିଷଦ/ ବିଜ୍ଞପିତ ଅଂଚଳ ପରିଷଦ ପାଇଁ ଆସନ୍ତା ୨୪ ତାରିଖ ଭୋଟ ହେବାକୁ ଥିବା ତିନି ମହାନଗର ନିଗମ ବିଜେଡ଼ି, ବିଜେପି ଓ କଂଗ୍ରେସର ମେୟର ପ୍ରାର୍ଥୀ କିଏ, ସ୍ପଷ୍ଟ ହୋଇଛି । ବ୍ରହ୍ମପୁର ମହାନଗର ନିଗମର ସବିତା ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ କିଏ, ତାହା ସନ୍ଧ୍ୟା ୬ଟା ସୁଦ୍ଧା ଘୋଷଣା ହୋଇ ନାହିଁ । ବିଜେଡ଼ି ଭୁବନେଶ୍ୱରରୁ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଅଧ୍ୟକ୍ଷା ଶ୍ରୀମତୀ ସୁଲୋଚନା ଦାସଙ୍କୁ ବିଏମସିର ମେୟର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ସାହିତି୍ୟକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ପୂର୍ବତନ ଧର୍ମଶାଳା ବିଧାୟକ ସ୍ୱର୍ଗତ କାଂଗାଳୀ ଚରଣ ପଣ୍ଡାଙ୍କ ବୋହୂ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ କରିଛି ।
ଭୁବନେଶ୍ୱରରୁ ବିଜେଡ଼ିର ମେୟର ପ୍ରାର୍ଥୀ ହୋଇଥିବା ସୁଲୋଚନା ସାମ୍ବାଦିକତାରୁ ରାଜନୀତିକୁ ଆସି ଭୁବନେଶ୍ୱର ମହାନଗର ନିଗମ ମେୟର ହେବାର ଆଶା ରଖିଛନ୍ତି । ସେ ୧୯୯୧ରେ ଦିଲ୍ଲୀ ‘ମିଡ୍-ଡ଼େ’ରୁ ତାଙ୍କ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ । ପପରେ, ଓଡ଼ିଶାରେ ଟିଭି ଚ୍ୟାନେଲରେ ଉପସ୍ଥାପିକା ଭାବେ କାର୍ଯ୍ୟ କରିଥିଲେ । ୨୦୧୪ରେ ସାମ୍ବାଦିକତା ଛାଡି ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ଦଳୀୟ ମୁଖପାତ୍ରର ଦାୟିତ୍ୱ ତୁଲାଇ ଥିଲେ । ୨୦୧୭ରେ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବା ପରେ ସୁଲୋଚନା ମହିଳା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଏବଂ ଦଳର ମୁଖପାତ୍ର ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୧୯ରେ ତାଙ୍କୁ ସରକାର ଭିନ୍ନକ୍ଷମ ଆୟୁକ୍ତ ଅଧ୍ୟକ୍ଷା ଭାବେ ନିଯୁକ୍ତ ଦେଇଛନ୍ତି ।
ଅପରପକ୍ଷରେ, ଭୁବନେଶ୍ୱରରୁ ବିଜେପିର ମେୟର ପ୍ରାର୍ଥୀ ସୁନୀତିଙ୍କ ସାହିତ୍ୟ ଜଗତରେ ପରିଚିତ ଥିଲେ ମଧ୍ୟ ରାଜନୀତିରେ ତାଙ୍କ ପ୍ରବେଶ କମ୍ । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସେ ଓଡ଼ିଆରେ ପିଜି କରିବା ସହ ସାମ୍ବାଦିକତା ମଧ୍ୟ ପଢିଛନ୍ତି । ବିିଭିନ୍ନ ସମ୍ବାଦପତ୍ରର ସାମ୍ବାଦିକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ସୁନୀତି ଅନ୍ୟୁନ ୨୮ଟି ପୁସ୍ତକ ରଚନା କରିଥିବା ଜଣାପଡିଛି । ଦକ୍ଷ ୱେଲଫେୟାର ଟ୍ରଷ୍ଟ ନାମକ ଏକ ଅନୁଷ୍ଠାନ ମାଧ୍ୟମରେ ସେ ଜନସେବାରେ ସଂପୃକ୍ତ ଥିବା ମଧ୍ୟ ସୂଚନା ମିଳିଛି । ତେବେ, ଭୋଟ ରାଜନୀତିରେ ଏହା ହେଉଛି ସୁନୀତିଙ୍କ ପ୍ରଥମ ପ୍ରବେଶ । ସୁଲୋଚନାଙ୍କ ତୁଳନାରେ ସୁନୀତିଙ୍କ ରାଜନୈତିକ ଅଭିଜ୍ଞତା ଓ ଭୁବନେଶ୍ୱର ମହାନଗର ନିଗମ ରାଜନୀତିରେ ପ୍ରବେଶ୍ କମ୍ ଥିଲେ ମଧ୍ୟ ଜଣେ ଉଚ୍ଚଶିକ୍ଷିତା ଓ ସାହିତି୍ୟକା ଭାବେ ରହି ଥିବା ତାଙ୍କ ପରିଚିତିକୁ ଦଳ ମେୟର ପଦ ପାଇଁ ଯୋଗ୍ୟତାର ମାପକାଠି ଭାବେ ବିଚାରକୁ ନେଇଛି ।
ସେହିପରି, ଭୁବନେଶ୍ୱରରେ କଂଗ୍ରେସ ମେୟର ପ୍ରାର୍ଥୀ ହୋଇଥିବା ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ରାଜନୈତିକ ପୃଷ୍ଠଭୂମୀ କଂଗ୍ରେସ ରାଜନୀତି ଉପରେ ପର୍ଯ୍ୟବଶିତ । ଜଣେ ଉଚ୍ଚଶିକ୍ଷିତା ଏବଂ ପୂର୍ବତନ ବିଧାୟକଙ୍କ ବୋହୂ ଭାବେ ରାଜନୈତିକ ପରିବାର ସହ ସଂପୃକ୍ତ । ଛାତ୍ର ରାଜନୀତିରେ ତାଙ୍କ ସକ୍ରିୟ ସଂପୃକ୍ତି ରହିଥିଲା । ରାଜଧାନୀର ବିଭିନ୍ନ ୱାର୍ଡର ସମସ୍ୟା ସଂପର୍କରେ ସେ ପୂର୍ଣ୍ଣ ଅବଗତ ଥିବାରୁ ଭୁବନେଶ୍ୱର ମେୟର ଭାବେ ନିର୍ବାଚିତ ହେଲେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିପାରିବେ ବୋଲି ନିଜେ ପ୍ରାର୍ଥୀ ଶ୍ରୀମତୀ ଆଚାର୍ଯ୍ୟ ଓ କଂଗ୍ରେସ ନେତୃବର୍ଗ ଆଶା ବ୍ୟକ୍ତ କରିଛନ୍ତି ।ବିଜେଡ଼ି, ବିଜେପି ଓ କଂଗ୍ରେସ ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ରାଜଧାନୀ ରାଜନୀତି ଅଧିକ ଚଳଚଂଚଳ ହୋଇଛି । ମେୟର ପଦ ପାଇଁ ତିନି ଦଳ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ ଆଶା କରୁଛନ୍ତି ।
ଅପରପକ୍ଷରେ, ସୁପରିଚିତ ବାମପନ୍ଥୀ (ପୂର୍ବତନ) ଟ୍ରେଡ ୟୁନିୟନ ନେତା ତଥା ବର୍ତ୍ତମାନର ବିଜେଡ଼ି ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କୁ ବିଜେଡ଼ି କଟକ ମହାନଗର ନିଗମରୁ ମେୟର ପ୍ରାର୍ଥୀ କରିଛି । କଂଗ୍ରେସ ପକ୍ଷରୁ ବହୁ ଆଗରୁ ଦଳର ବରିଷ୍ଠ ନେତ୍ରୀ ଶ୍ରୀମତୀ ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ବିଜେପି ଆଜି ଶ୍ରୀତମଙ୍କୁ କଟକରୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରି କଟକରେ ତାରକା ଯୁଦ୍ଧର ବାଟ ସଫା କରିଛି । ଓଡ଼ିଆ ଅଭିନେତା ଶ୍ରୀତମ ୨୦୦୧ରୁ ବିଜେପିରେ ଅଛନ୍ତି ଏବଂ ଜନସେବା କରୁଥିବା ଦାବି କରିଛନ୍ତି । ତେବେ, କ୍ଷେତ୍ର ରାଜନୀତିରେ ସୁବାସ ସିଂହ ଓ ଗିରିବାଳାଙ୍କ ବେଶ୍ ଅଭିଜ୍ଞତା ତୁଳନାରେ ତାଙ୍କ ଅଭିଜ୍ଞତା କମ୍ । ତଥାପି, ଓଡ଼ିଆ ସିନେ ତାରକା ବ୍ରାଂଡ୍ ଶ୍ରୀମତଙ୍କୁ ସାଂସଦ ସୁବାସ ଓ କଂଗ୍ରେସ ନେତ୍ରୀ ଗିରିବାଳାଙ୍କ ସହ ଟକ୍କରକୁ ଆଣି ପାରିବ ବୋଲି ବିଜେପି ଆଶାବାଦୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଦଳର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ବ୍ରହ୍ମପୁର ମହାନଗର ନିଗମରୁ ବିଜେଡ଼ିର ମେୟର ପ୍ରାର୍ଥୀ ଥିବା ମହିଳା ଆଇନଜୀବୀ ସଂଘମିତ୍ରା ଦଳାଇ ଗଂଜାମ ଜିଲ୍ଲା ମହିଳା ବିଜେଡ଼ି ସଭାପତି ଅଛନ୍ତି । ସେ ବ୍ରହ୍ମପୁର ପୌର ପରିଷଦରୁ ଓ ମହାନଗର ନିଗମରୁ ବହୁବାର କାଉନସିଲର ଓ କର୍ପୋରେଟର ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁରରୁ ବିଜେପିର ମେୟର ପ୍ରାର୍ଥୀ ହୋଇଥିବା ଡକ୍ଟର ସବିତା ସୁଆର ହେଉଛନ୍ତି ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ପତ୍ନୀ । ଗଂଜାମ ଜିଲ୍ଲାରେ ବିଜେପି ଓ କଂଗ୍ରେସର ସାଂଗଠନିକ ସ୍ଥିତି ଦୁର୍ବଳ ଥିବାରୁ ବିଜେଡ଼ି ମେୟର ପ୍ରାର୍ଥୀ ସଂଘମିତ୍ରାଙ୍କ ବିଜୟ ଆଶା ଉଜ୍ୱଳ ବୋଲି ଚର୍ଚ୍ଚା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS