କପିଳ ସିବଲ୍ କଂଗ୍ରେସ ଛାଡିଲେ, ଏସପି ସମର୍ଥନରେ ୟୁପିରୁ ରାଜ୍ୟସଭା ପ୍ରାର୍ଥୀ
ପ୍ରସାଦ ରାଓ
ମେ’ ୨୫
ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଆଜି ୟୁପିରୁ ରାଜ୍ୟସଭାକୁ ପ୍ରାର୍ଥୀ ହୋଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଂକନପତ୍ର ଦାଖଲ କରିଥିଲେ ମଧ୍ୟ ୟୁପିର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରୁଥିବା ସୂଚନା ମିଳିଛି । ସିବଲ୍ ନାମାଂକନପତ୍ର ଦାଖଲ କରିବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ମେ’ ୧୬ ତାରିଖରୁ ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ପଠାଇ ଦେଇଛନ୍ତି ବୋଲି ସିବଲ୍ ଗଣମାଧ୍ୟମକୁ କହିଛନ୍ତି । ଆଜି ସିବଲ୍ ନାମାଂକନପତ୍ର ଦାଖଲ କରିବା ସମୟରେ ୟୁପିର ସମାଜବାଦୀ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସେଠାରେ ଉପସ୍ଥିତ ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଦାବିରେ ଯେଉଁ ୨୩ ଜଣ କଂଗ୍ରେସ ନେତା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ମିଳିତପତ୍ର ପଠାଇ ଥିଲେ ସେଥିରେ ସିବଲ୍ ଥିଲେ ଅନ୍ୟତମ ସ୍ୱକ୍ଷରକାରୀ । ଗାନ୍ଧୀ ପରିବାର ବାହାରୁ ଜଣକୁ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି କରାଯିବା ଏବଂ ଦଳରେ ମିଳିତ ନେତୃତ୍ୱର ବାତାବରଣ ଫେରାଇ ଆଣିବା ପାଇଁ କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ (ଜି-୨୩ ଗୋଷ୍ଠୀ) ୨୦୨୦ରୁ ଦାବି କରି ଆସୁଛନ୍ତି । କଂଗ୍ରେସର ଏହି ବିଦ୍ରୋହୀ ନେତାଙ୍କ ମଧ୍ୟରେ ସବୁଠାରୁ ଅଧିକ ମୁହଁଖୋର ନେତା ଥିଲେ କପିଲ ସିବଲ୍ । ମେ’ ୧୩ରୁ ୧୫ ତାରିଖ ଯାଏଁ ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ କଂଗ୍ରେସ ନବସଂକଳ୍ପ ଚିନ୍ତନ ଶିବିରରେ ଗୁଲାମ ନବୀ ଆଜାଦଙ୍କ ଭଳି ବରିଷ୍ଠ ଅସନ୍ତୁଷ୍ଟ ନେତା ଯୋଗ ଦେଇଥିଲେ ମଧ୍ୟ କପିଲ ସିବଲ୍ ଅନୁପସ୍ଥିତ ରହିଥିଲେ । କପିଲ ହେଉଛନ୍ତି ସପ୍ରିମ କୋର୍ଟର ଜଣେ ବରିଷ୍ଠ ଆଇନଜୀବୀ ଓ ପୁରୁଖା ରାଜନେତା । ୟୁପିରୁ ସମାଜବାଦୀ ପାର୍ଟି ତିନି ଜଣଙ୍କୁ ରାଜ୍ୟସଭାକୁ ପଠାଇ ପାରିବ । ସେଥିରୁ ସିବଲ୍ ଜଣେ ପ୍ରାର୍ଥୀ ହୋଇଥିବା ବେଳେ ଦଳ ଆଉ ଦୁଇ ଜଣଙ୍କୁ ମନୋନୀତ କରିବାକୁ ବାକି ରହିଛି । ସିବଲ୍ ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭାକୁ ଯାଉଥିବାରୁ ପାର୍ଲିଆମେଂଟରେ ଦଳକୁ ଓ ନିଜକୁ ଉଚିତ ଭାବେ ଉପସ୍ଥାପନ କରିବେ ବୋଲି ଏସପି ମୁଖ୍ୟ ଅଖିଳେଶ ଆଶାବ୍ୟକ୍ତ କରିଛନ୍ତି । ଦୀର୍ଘ ଦିନ ହେଲା ବିଭିନ୍ନ ଅପରାଧ ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲରେ ଅଟକ ଥିବା ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପାଇଁ ସୁପ୍ରିମ କୋର୍ଟରେ ଲଢେଇ କରି ଗତ ସପ୍ତାହରେ ଜାମିନରେ ତାଙ୍କୁ ମୁକୁଳାଇବାରେ ସିବଲ୍ ସଫଳ ହେବା ପରେ ଆଜାମଙ୍କ ଅନୁରୋଧକ୍ରମେ ତାଙ୍କୁ ଏସପି ସମର୍ଥନରେ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ଆଲୋଚନା ହେଉଛି । ଜୁନ ୧୦ ତାରିଖରେ ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନ ପାଇଁ ଯେଉଁ ନିର୍ବାଚନ ହେବାକୁ ଯାଉଛି ସେଥିରେ ୟୁପିର ୧୧ଟି ଆସନ ରହିଛି । ସୁନିଲ ଝାକର ଓ ହାର୍ଦ୍ଦିକ ପଟେଲଙ୍କ ଇସ୍ତଫା ପରେ କଂଗ୍ରେରୁ କପିଳ ସିବଲଙ୍କ ଇସ୍ତଫା ଦଳ ପାଇଁ ଏକ ଶକ୍ତ ଧକ୍କା ହୋଇଥିବା ବିରୋଧୀ ଚର୍ଚ୍ଚା କରୁଥିବା ବେଳେ ଗାନ୍ଧୀ ପରିବାର ସମର୍ଥକ ଏହାକୁ ବିଶେଷ ଗୁରୁତ୍ୱ ଦେଉ ନାହାନ୍ତି । ପଂଜାବର ବରିଷ୍ଠ ନେତା ସୁନିଲ ଝାକର ମେ’ ୧୪ ତାରିଖରେ ‘ଫେସବୁକ୍’ ଲାଇଭ୍ ମାଧ୍ୟମରେ କଂଗ୍ରେସରୁ ଇସ୍ତଫା ଘୋଷଣା କରିଥିଲେ ଏବଂ ପରେ ବିଜେପିରେ ସାମିଲ ହୋଇଛନ୍ତି । ଗୁଜରାଟର ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ ଏହାର କିଛି ଦିନ ବ୍ୟବଧାନରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଣଗାନ କରୁଥିବା ବେଳେ ଆଜି ସିବଲ୍ କଂଗ୍ରେସ ଛାଡି ସମାଜବାଦୀ ପାର୍ଟିର ହାତ ଧରିଛନ୍ତି । ଅତୀତରେ ସିବଲ୍ କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS