ମୁମ୍ବାଇ ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’ ମାମଲା, ଶାହରୁଖ-ପୁତ୍ର ଆର୍ଯ୍ୟନଙ୍କୁ କ୍ଲିନ୍ ଚିଟ୍
ପ୍ରସାଦ ରାଓ
ମେ’ ୨୭
ମୁମ୍ବାଇରେ ୨୦୨୧ ଅକ୍ଟୋବରରେ ଚାଂଚଲ୍ୟ ସୃଷ୍ଟି କରିଥିବା ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’ ମାମଲାରେ ଏନସିବି (ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ) ଆଜି ଅଦାଲତରେ ଛଅ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରି ୨୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ ଜଣଙ୍କ ବିରୋଧରେ ଏନଡ଼ିପିଏସ୍ ଆଇନର ବିଭିନ୍ନ ଦଫାରେ ମାମଲା ଚାଲୁ ରଖିଥିବା ବେଳେ ଏକ ନମ୍ବର ଅଭିଯୁକ୍ତ କୁହାଯାଉଥିବା ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ଖାନଙ୍କ ସମେତ ଛଅ ଜଣଙ୍କ ବିରୋଧ ଯଥେଷ୍ଟ ପ୍ରମାଣ ମିଳି ନଥିବା ଦର୍ଶାଇ ସେମାନଙ୍କ ନାମ ଚାର୍ଜସିଟ୍ ରୁ ବାଦ୍ ଦେଇଥିବା ଜଣାପଡିଛି । ଏନସିବିର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ୨୦୨୧ ନଭେମ୍ବରରୁ ଏହି ମାମଲାର ତଦନ୍ତ କରୁଥିଲା । ଘଟଣାଟି ଘଟିଥିଲା ଏହି ଭଳି । ୨୦୨୧ ଅକ୍ଟୋବର ୨ ତାରିଖରେ ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ବିଳାଶପୂର୍ଣ୍ଣ ଜାହାଜ (କ୍ରୁଜ୍) ‘କେର୍ଡେଲା’ରେ ବହୁ ବିଶିଷ୍ଟ ବ୍ୟକ୍ତି ‘ରେଭ୍ ପାର୍ଟି’ରେ ମାତି ଥିବା ଖବର ପାଇ ଏନସିବିର ମୁମ୍ବାଇ ଜେନ ଦାୟିତ୍ୱରେ ଥିବା ଜୋନାଲ ମୁଖ୍ୟ ସମୀର ୱାଂଖଡେ ଅନ୍ୟ ଅଧିକାରଙ୍କ ସହ ଗୋପନରେ ଜାହାଜରେ ପ୍ରବେଶ କରି ଚଢାଉ କରିଥିଲେ । ଚଢାଉ ସମୟରେ ଜାହାଜରେ ‘ରେଭ୍ ପାର୍ଟି’ ଚାଲି ଥିଲା ଏବଂ ଏନସିବି ଅଧିକାରୀମାନେ କିଛି ଯାତ୍ରୀଙ୍କ ଠାରୁ କୋକେନ, ଚରସ, ଏମଡ଼ିଏମଏ ପିଲ୍ ଭଳି ନିଷିଦ୍ଧ ମାଦକଦ୍ରବ୍ୟ ଜବତ କରିଥିବା ଦର୍ଶାଇ ଶାହାରୁଖ-ପୁତ୍ର ଆର୍ଯ୍ୟନଙ୍କ ସମେତ ୧୪ ଜଣଙ୍କୁ ଅଟକ ରଖି ଥିଲେ ।
୨୦୨୧ ଅକ୍ଟୋବର ୨ ତାରିଖ ରାତିରେ ଏହି ଏନସିବି ଚଢାଉ ହୋଇଥିବା ବେଳେ ୩ ତାରିଖ ସନ୍ଧ୍ୟାରେ ଆର୍ଯ୍ୟନ, ତାଙ୍କ ବନ୍ଧୁ ଅର୍ବାଜ ମର୍ଚ୍ଚେଂଟ ଓ ମୁନମୁନ ଧମାଚେଙ୍କୁ ପ୍ରଥମେ ଗିରଫ କରାଯାଇ ଏନସିବିର ସ୍ୱତନ୍ତ୍ର କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଥିଲା । ଏନସିବିର ଆବେଦନ ମୁତାବକ ମାଜିଷ୍ଟ୍ରେଟ ଅଭିଯୁକ୍ତମାନଙ୍କୁ ଦିନିକିଆ ରିମାଣ୍ଡରେ ଦେଇଥିଲେ । ଏନସିବି ଏହି ମାମଲାର ତଦନ୍ତ ସମୟରେ ମୋଟ ୨୦ ଜଣଙ୍କୁ ଗିରଫ କରିଥିଲେ ଏବଂ ଆର୍ଯ୍ୟନ ଖାନଙ୍କୁ ଏକ ନମ୍ବର ଅଭିଯୁକ୍ତ ଭାବେ ଅଦାଲତରେ ଦାଖଲ କାଗଜପତ୍ରରେ ଦର୍ଶାଇ ଥିଲେ । ତାହା ପରଠାରୁ ଆର୍ଯ୍ୟନଙ୍କ ଦୁଃଖଦ ଦିନ ଆରମ୍ଭ ହୋଇଥିଲା । ଆର୍ଯ୍ୟନଙ୍କ ମୋବାଇଲ୍ ଫୋନ୍ ଚାଟିଂରୁ ଆନ୍ତର୍ଜାତିକ ଡ୍ରଗ୍ସ ମାଫିଆଙ୍କ ସହ ତାଙ୍କ ସଂପର୍କ ଥିବା ଜଣାପଡୁଛି ବୋଲି ଏନସିବି ଦର୍ଶାଇ ଥିଲା ଏବଂ ଅକ୍ଟୋବର ୪ ତାରିଖରେ କୋର୍ଟରେ ହାଜର କରାଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଥିଲା । ୨୦୨୧ ଅକ୍ଟୋବର ୭ ତାରିଖ ଦିନ ଆର୍ଯ୍ୟନଙ୍କୁ ପୁନର୍ବାର କୋର୍ଟରେ ହାଜର କରାଇ ଏନସିବି ଅଧିକ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବାରୁ କୋର୍ଟ ତାହାକୁ ଅଗ୍ରାହ୍ୟ କରି ଆର୍ଯ୍ୟନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଆର୍ଯ୍ୟନ ଓ ତାଙ୍କ ବନ୍ଧୁମାନେ ଏନସିବି ସେମାନଙ୍କ ନିକଟରୁ କୌଣସି ନିଷିଦ୍ଧ ମାଦକ ଦ୍ରବ୍ୟ ଜବତ କରିନଥିବାରୁ ସେମାନଙ୍କୁ ଜାମିନରେ ଛଡା ଯିବାକୁ ଅକ୍ଟୋବର ୭ ତାରିଖ ଦିନ ଆବେଦନ କରିଥିଲେ । କୋଟ ତାହାର ଶୁଣାଣୀ କରି ୮ ତାରିଖ ସେମାନଙ୍କ ଆବେଦନକୁ ନାମଂଜୁର କରିଥିଲେ । ଅକ୍ଟୋବର ୯ରୁ ୨୦ ତାରିଖ ମଧ୍ୟରେ ଆର୍ଯ୍ୟନ ବାରମ୍ବାର କୋର୍ଟର ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଜାମିନ ମିଳି ନଥିଲା ।
ଅକ୍ଟୋବର ୨୦ ତାରିଖ ଦିନ ସ୍ୱତନ୍ତ୍ର ଏନଡ଼ିପିଏସ୍ କୋର୍ଟ ୧୮ ପୃଷ୍ଠାର ରାୟ ଦେଇ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ଆର୍ଯ୍ୟନ, ଅର୍ବାଜ ଓ ମୁନମୁନ ଧମେଚା ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଅକ୍ଟୋବର ୨୬ ତାରିଖ ଦିନ ହାଇକୋର୍ଟ ସେମାନଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ହୋଇଥିଲା ଏବଂ ୨୮ ତାରିଖ ଦିନ ବମ୍ବେ ହାଇକୋର୍ଟରୁ ଆର୍ଯ୍ୟନଙ୍କୁ ସର୍ତ୍ତମୂଳକ ଜାମିନ ମିଳି ଥିଲା । ଇତିମଧ୍ୟରେ ଆର୍ଯ୍ୟନ ୨୦ରୁ ଅଧିକ ଦିନ ଜେଲରେ ବିତାଇ ସାରି ଥିଲେ । ଏନସିବି ମୁମ୍ବାଇ ଜୋନ୍ ଜୋନଲ ମୁଖ୍ୟ ସମୀର ୱାଖଡେ ୨୦୨୧ ନଭେମ୍ବର ପର୍ଯ୍ୟନ୍ତ ଏହି ମାମଲାର ତଦନ୍ତ ଦାୟିତ୍ୱରେ ଥିବା ବେଳେ ଅତ୍ୟନ୍ତ ବିବାଦୀୟ ହୋଇ ପଡିବାରୁ ଏବଂ ମାମଲା ରଫାଦାଫା ପାଇଁ ମୋଟା ଅଂକର ଅର୍ଥ ଦାବି ଭଳି ଗୁରୁତର ଅଭିଯୋଗମାନ ଚର୍ଚ୍ଚାରେ ରହିବାରୁ ନଭେମ୍ବର ମାସରେ ମାମଲାର ତଦନ୍ତ ଦାୟିତ୍ୱ ଏନସିବିର ନୂଆଦିଲ୍ଲୀସ୍ଥିତି ମୁଖ୍ୟାଳୟରେ କାର୍ଯ୍ୟରତ ଡେପୁଟୀ ଡ଼ିଜି ସଂଜୟ କୁମାର ସିଂହଙ୍କ ହାତକୁ ଯାଇଥିଲା । ସିଂହଙ୍କ ନେତୃତ୍ୱରେ ଗଠିତ ଏନସିବିର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ମାମଲାର ତଦମ୍କରୁଥିବା ସମୟରେ ସମୀର ୱାଂଖଡେଙ୍କୁ ଅନ୍ୟତ୍ର ହଟାଇ ଦିଆଯାଇଥିଲା । ଏସଆଇଟି ତଦନ୍ତ ଚାଲି ଥିବା ଅବସ୍ଥାରେ ମୁମ୍ବାଇ ‘ଡ୍ରଗ୍ସ୍-ଅନ୍-କ୍ରୁଜ୍’ ମାମଲାର ଜଣେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ପ୍ରଭାବକର ଶୈଳଙ୍କ ୨୦୨୨ଏପ୍ରିଲରେ ହୃଦଘାତରେ ମୃତ୍ୟୁ ଘଟିଛି । ସଂଜୟ ସିଂହଙ୍କ ନେତୃତ୍ୱରେ ଗଠିତ ଏନସିବିର ସ୍ୱତନ୍ତ୍ର ଟିମ୍ ମାମଲାର ତଦନ୍ତ ଶେଷ କରି ଆଜି ଅଦାଲତରେ ଯେଉଁ ଚାର୍ଜସିଟ୍ ଦାଖଲ କରିଛନ୍ତି ସେଥିରେ ଆର୍ଯ୍ୟନଙ୍କୁ କ୍ଲିନ୍ ଚିଟ୍ ମିଳିଛି ।
କୋର୍ଟରେ ଦାଖଲ ହୋଇଥିବା ୬ ହଜାର ପୃଷ୍ଠାର ଚାର୍ଜସିଟ୍ ରେ ଆର୍ଯ୍ୟନଙ୍କ ସହ ୬ ଜଣଙ୍କୁ ଯଥେଷ୍ଟ ପ୍ରମାଣ ନଥିବା ଦର୍ଶାଇ ଅଭିଯୁକ୍ତ ତାଲିକରୁ ବାଦ୍ ଦିଆଯାଇଛି । ଅନ୍ୟ ୧୪ ଜଣଙ୍କୁ ଏନଡ଼ିପିଏସ୍ ଆଇନର ବିଭିନ୍ନ ଦଫାରେ ଅଭିଯୁକ୍ତ ଦର୍ଶଯାଇଛି । କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ଏନସିବି ଏସଆଇଟି ମୁଖ୍ୟ ସଂଜୟ କୁମାର ସିଂହ ଦେଇଥିବା ପ୍ରେସ୍ ବିବୃତିରେ କୁହାଯାଇଛି, କୌଣସି ଗୋପନ ସୂତ୍ରରୁ ସୂଚନା ପାଇ ମୁମ୍ବାଇର ଏନସିବି ଅଧିକାରୀମାନେ ୨୦୨୧ ଅକ୍ଟୋବର ୨ ତାରିଖ ‘କେର୍ଡେଲା’ କ୍ରୁଜ୍ ରେ ଚଢାଉ କରିଥିଲେ । ବିକ୍ରାନ୍ତ, ଇସମିତ, ଅର୍ବାଜ, ଆର୍ଯ୍ୟନ ଓ ଗୋମିତଙ୍କ ନିକଟରୁ ଆନ୍ତର୍ଜାତିକ ପୋର୍ଟ ଟର୍ମିନାଲରେ ଏବଂ ନୁପୁର, ମୋହକ ଓ ମୁନମୁନଙ୍କୁ ଅଟକ ରଖା ଯାଇଥିଲା । ତେବେ, ଅଭିଯୁକ୍ତମାନଙ୍କୁ ଯାଂଚ କଲା ବେଳେ ଆର୍ଯ୍ୟନ ଓ ମୋହକଙ୍କ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କ ନିକଟରୁ ନିଷିଦ୍ଧ ମାଦକ ଦ୍ରବ୍ୟ ଜବତ ହୋଇଥିଲା । ୨୦୨୧ ନଭେମ୍ବର ୬ ତାରିଖରେ ଏସଆଇଟି ମାମଲାର ତଦନ୍ତ ଭାର ହାତକୁ ନେଇଥିଲେ । ମାମଲାର ବିଧିବଦ୍ଧ ତଦନ୍ତ ହେବା ପରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି । ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବାରୁ ଏନଡ଼ିପିଏସ ଆଇନର ବିଭିନ୍ନ ଦଫାରେ ସେମାନଙ୍କ ବିରୋଧରେ ଚାର୍ଜସିଟ୍ ହୋଇଥିବା ବେଳେ ଆର୍ଯ୍ୟନ ଖାନଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଯଥେଷ୍ଟ ପ୍ରମାଣ ଅଭାବରୁ ଚାର୍ଜସିଟ୍ ରୁ ବାଦ୍ ଦିଆଯାଇଛି । ଆର୍ଯ୍ୟାନଙ୍କୁ ଏନସିବି କ୍ଲିନ ଚିଟ୍ ଦେବା ଶହାରୁଖ ଖାନ, ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କୁ ଆଶ୍ୱସ୍ତ କରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS