ନବୀନଙ୍କ ରାଜ୍ୟସଭା ଖେଳ, ଦେଲେ ନୂଆ ମୁହଁ, ପୁରୁଣାଙ୍କୁ ଝଟକା
ପ୍ରସାଦ ରାଓ
ମେ’ ୨୯
ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଥରେ ଦଳର ପୁରୁଣା ଖେଳାଳୀଙ୍କୁ ଝଟକା ଦେଇ ନୂଆ ଖେଳାଳୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି । ଜୁନରୁ ଅଗଷ୍ଟ ମଧ୍ୟରେ ଖାଲି ହେବାକୁ ଥିବା ୩ ରାଜ୍ୟସଭା ଆସନ ସହ କଟକ ମହାନଗର ନିଗମ ମେୟର ହେବା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା ସୁବାସ ସିଂହଙ୍କ ଆସନ ପାଇଁ ଜୁନ ୧୦ ଓ ୧୩ ତାରିଖରେ ନିର୍ବାଚନ ହେବାକୁ ଯାଉଥିବାରୁ ଆଜି ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ରାଜ୍ୟସଭା ସାଂସଦ ଥିବା ସସ୍ମିତ ପାତ୍ର ପୁନର୍ବାର ପ୍ରାର୍ଥୀ ମନୋନିତ ହୋଇଥିବା ବେଳେ ଅନ୍ୟ ତିନି ଜଣ ହେଉଛନ୍ତି – ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ପରାମର୍ଶଦାତା ମାନସ ମଙ୍ଗରାଜ, ବିଜେଡ଼ିର ରାଜ୍ୟ ମୁଖ୍ୟପାତ୍ର ଶ୍ରୀମତୀ ସୁଲତା ଦେଓ ଓ ଆଦିବାସୀ ନେତା ନିରଂଜନ ବିଶି । ସାଂସଦ ସସ୍ମିତ ପାତ୍ର ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇ ସଂସଦରେ ଓଡ଼ିଶାର ସ୍ୱରକୁ ସଫଳତା ସହ ଉପସ୍ଥାପନ କରିବା ସହ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । ତେଣୁ, ଅବସର ପରେ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ପ୍ରାର୍ଥୀ କରାଯିବା ଏକପ୍ରକାର ନିଶ୍ଚିତ ଥିଲା । ତେବେ, ଅନ୍ୟ ତିନି ଜଣଙ୍କ ପ୍ରାର୍ଥୀତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି ।
ଉଭୟ ମାନସ ମଂଗରାଜ ଓ ସୁଲତା ଦେଓ ଗଣମାଧ୍ୟମରୁ ସେମାନଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ରାଜନୀତିରେ ପ୍ରବେଶ କରି ସଫଳତା ଅର୍ଜନ କରିଛନ୍ତି । ମଂଗରାଜ ଓଡ଼ିଶାର ସର୍ବାଧିକ ପ୍ରସାରିତ ସମ୍ବାଦପତ୍ର ‘ସମ୍ବାଦ’ର ସାମ୍ବାଦିକ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିବା ପରେ ପ୍ରଥମେ ସକ୍ରିୟ ଭାବେ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ବିଜେଡ଼ିରେ ଯୋଗ ଦେଇ ଗଣମାଧ୍ୟମ ଦାୟିତ୍ୱରେ ରହିଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ସଫଳତାର ସହ ପଂଚମ ଥର ପାଇଁ କ୍ଷମତାକୁ ଆସିବା ପରେ ଯେଉଁ କେତେ ଜଣଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇ ଦଳର ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଥିଲା ଏବଂ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମର୍ଯ୍ୟାଦା ମିଳିଥିଲା ସେମାନଙ୍କ ମଧ୍ୟରେ ମଙ୍ଗରାଜ ହେଉଛନ୍ତି ଅନ୍ୟତମ । ସେହିଭଳି, ସୁଲତା ଦେଓ ବିଜେଡ଼ିର ରାଜ୍ୟ ମୁଖପାତ୍ର ରହି ଦଳକୁ ସବୁ ସଂକଟ ବେଳେ ସୁରକ୍ଷା ଦେଇ ଆସିଛନ୍ତି । ନିକଟରେ, ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ସୁଲୋଚନା ଦାସ ମେୟର ନିର୍ବାଚିତ ହେବା ପରେ ଦଳର ବରିଷ୍ଠ ନେତ୍ରୀ ତାଲିକାରେ ଥିବା ସୁଲତା ଦେଓ ଓ ଶ୍ରୀମୟୀ ମିଶ୍ରଙ୍କ ନାମ ରାଜ୍ୟସଭା ପାଇଁ ଚର୍ଚ୍ଚାରେ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ପୌର ଓ ପଂଚାୟତ ନିର୍ବାଚନରେ ମହିଳାଙ୍କ ପ୍ରାର୍ଥୀତ୍ୱ ଉପରେ ସର୍ବଧିକ ଗୁରୁତ୍ୱ ଦେଇ ଥିବାରୁ ଖାଲି ହେଉଥିବା ଚାରି ରାଜ୍ୟସଭା ଆସନରେ ମଧ୍ୟ ବିଜେଡ଼ି ଅଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ ହେବାକୁ ସୁଯୋଗ ଦେବ ବୋଲି ଆଶା କରାଯାଉଥିଲା ।
ଦଳର ପୁରୁଖା ନେତ୍ରୀ ତଥା ବିଧାୟିକା ଶ୍ରୀମତୀ ଉଷା ଦେବୀ (ପୂର୍ବତନ ମନ୍ତ୍ରୀ) ନିକଟରେ ଏକ ବିବୃତି ଦେଇ ଜୁନରେ ନିର୍ବାଚନ ହେବାକୁ ଥିବା ଚାରିଟି ଯାକ ରାଜ୍ୟସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯିବା ଉଚିତ ବୋଲି ମତ ଦେଇ ମହିଳା ଆଶାୟୀ ପ୍ରାର୍ଥୀଙ୍କ ମନରେ ଟିକଟ ମିଳିବା ଆଶା ସଂଚାର କରିଥିଲେ । ଉଷାଙ୍କ ବିବୃତିକୁ ନେଇ ରାଜନୈତିକ ମହଲରେ ଆଲୋଚନା ଜୋରଦାର ଥିଲା । ତେବେ, ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସୁଲତାଙ୍କ ନାମ ଘୋଷଣା କରି କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି । ସସ୍ମିତ, ମାନସ ଓ ସୁଲତା ସହ ଆଦିବାସୀ ନେତା ନିରଂଜନ ବିଶିଙ୍କ ନାମ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ୪ ରାଜ୍ୟସଭା ଆସନ ପାଇଁ ବିଜେଡ଼ି ନେତାଙ୍କ ମଧ୍ୟରେ ଚାଲି ଥିବା ଛକାପଂଝାର ଅବସାନ ଘଟିଛି । ଏଥିରୁ ଜୁନ ୧୦ ତାରିଖ ଦିନ ତିନି ଜଣ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଥିବା ବେଳେ ଜଣେ ଜୁନ ୧୩ ତାରିଖ ଦିନ ନିର୍ବାଚିତ ହେବେ । ଓଡ଼ିଶା ବିଧାନସଭାରେ ଶାସକ ବିଜେଡ଼ିର ସଂଖ୍ୟା ଗଣିତ ଯାହା ଚାରିଟି ଯାକ ଆସନ ବିଜେଡ଼ିକୁ ହିଁ ଯିବ । ଜୁନରୁ ଅଗଷ୍ଟ ମଧ୍ୟରେ ରାଜ୍ୟସଭା ସାଂସଦ ପଦରୁ ଅବସର ଗ୍ରହଣ କରୁଥିବା ଓଡ଼ିଶାର ତିନି ସାଂସଦଙ୍କ ମଧ୍ୟରେ ସସ୍ମିତ ପାତ୍ର ଅନ୍ୟତମ ଥିଲେ । ଅନ୍ୟ ଦୁଇ ଜଣ ବରିଷ୍ଠ ବିଜେଡ଼ି ନେତା ହେଉଛନ୍ତି – ଦକ୍ଷିଣ ଓଡ଼ିଶାର ଏନ.ଭାସ୍କର ରାଓ ଓ ପଶ୍ଚିମ ଓଡ଼ିଶାର ପ୍ରସନ୍ନ ଆଚାର୍ଯ୍ୟ ।
ରାଜ୍ୟସଭାକୁ ଯିବାକୁ ଥିବା ନିରଂଜନ ବିଶି ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ବେଳେ ମାନସ ମଙ୍ଗରାଜ ଓ ସୁଲତା ଦେଓ ଉପକୂଳ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି । ତେବେ, ମୁଖ୍ୟମନ୍ତ୍ରୀ ସୁଲତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ମାଧ୍ୟମରେ ମହିଳା କାର୍ଡ ଓ ନିରଂଜନ ବିଶିଙ୍କୁ ପ୍ରାର୍ଥୀ କରିବା ମାଧ୍ୟମରେ ଆଦିବାସୀ କାର୍ଡ ଖେଳି ଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ପୂର୍ବତନ ବ୍ରହ୍ମପୁର ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ଦଳର ବହୁ ପୁରୁଖା ନେତା ୨୦୧୯ ସାଧାରଣ ନିର୍ବାଚନରେ ଟିକଟ ପାଇ ନଥିଲେ । ସେମାନଙ୍କୁ ‘ରାଜ୍ୟସଭା ଲଲିପପ୍’ ଦେଇ ଚୁପ୍ କରାଯାଇଥିଲା । ୨୦୧୯ ସାଧାରଣ ନିର୍ବାଚନ ପରେ ଏହି ନେତାଙ୍କ ପାଇଁ ରାଜ୍ୟସଭା ଯିବାକୁ ଗୋଟିଏ ସୁଯୋଗ ଆସିଥିଲା ସିନା ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନକୁ ବିଜେପିକୁ ଦାନ ସୂତ୍ରରେ ଦେଇ (ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇ) ବିଜେଡ଼ି ନେତାଙ୍କୁ ନିରାଶ କରିଥିଲେ । ୨୦୨୨ରେ ମଧ୍ୟ ସେଭଳି କିଛି ହୋଇପାରେ ବୋଲି କିଛି ନେତା ଆଶଙ୍କା କରୁଥିଲେ । ତେବେ, ସେମିତି କିଛି ହୋଇ ନାହିଁ । ନିର୍ବାଚନ ହେଉଥିବା ୪ ଆସନ ବିଜେଡ଼ି ହାତରେ ହିଁ ରହୁଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରୁ ସ୍ପଷ୍ଟ ହୋଇଛି । ବିଜେଡ଼ିର ବୟୋଜ୍ୟେଷ୍ଠ ନେତାମାନେ ପୁନର୍ବାର ନିରାଶ ହୋଇଛନ୍ତି ।
ସବୁଠାରୁ ବଡ କଥା ହେଲା, ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଭାବେ ପରିଚିତ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ବିଜେଡ଼ିି ରାଜ୍ୟସଭା ପ୍ରାର୍ଥୀ କରି ନାହିଁ । ଭୁଲବଶତଃ ଏଭଳି କିଛି ଘୋଷଣା ହୋଇଥିଲେ ରାଜନୈତିକ ମହଲରେ ତୁମ୍ବିତୋଫାନ ଚାଲିଥା’ନ୍ତା । କାରଣ, ପୁରୀ ଶ୍ରୀମନ୍ଦିର ଚତୁଃର୍ପାଶ୍ୱରେ ମେଘନାଦ ପାଚେରୀକୁ ଲାଗି ୧୦୦ ମିଟର ପରିଧିରେ ଚାଲି ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ଜୋରଦାର ରାଜନୈତିକ ବିବାଦ ଚାଲିଛି । ନିର୍ମାଣ କାର୍ଯ୍ୟ ପାଇଁ ଏଏସଆଇର ଅନୁମୋଦନ ନାହିଁ ଏବଂ ଯେଭଳି ଭାବେ ଖନନ ଓ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଶାସକ ଦଳ ବ୍ୟତୀତ ଅନ୍ୟମାନେ ସମସ୍ତେ ଅଭିଯୋଗ କରୁଥିବା ବେଳେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ସରକାରଙ୍କ ଦ୍ୱାରା ଚାଲି ଥିବା ନିର୍ମାଣ କାର୍ଯ୍ୟକୁ ସମର୍ଥନ କରିଛନ୍ତି ଏବଂ ଚାଲି ଥିବା ନିର୍ମାଣ କାର୍ଯ୍ୟ ପୁରୀ ଶ୍ରୀମନ୍ଦିର ପ୍ରତି କୌଣସି ପ୍ରକାର ବିପଦ ସୃଷ୍ଟି କରୁନାହିଁ ବୋଲି ସ୍ପଷ୍ଟ ମତ ରଖିଛନ୍ତି । ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହୋଦୟ ବିଳମ୍ବରେ ହେଲେ ମଧ୍ୟ ନିର୍ମାଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରୁଥିବା ବେଳେ ପୁରୀ ଗଜପତି ମହାରାଜା ସରକାରଙ୍କ ପକ୍ଷରେ ରହିବା ବିରୋଧୀଙ୍କ ପାଇଁ ଗ୍ରହଣୀୟ ହୋଇ ନାହିଁ । ଗଜପତି ମହାରାଜା ନିଜ ସ୍ୱାର୍ଥର ସୁରକ୍ଷା ପାଇଁ ସରକାରଙ୍କ ସହ ରହିଛନ୍ତି ଏବଂ ରାଜ୍ୟସଭାକୁ ଯିବା ପ୍ରଲୋଭନ ମଧ୍ୟ ରହିଛି ବୋଲି ଦିନକ ଆଗରୁ ଯେଉଁମାନେ ଉଗ୍ର ଭାବେ ସମାଲୋଚନା କରୁଥିଲେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ସେମାନଙ୍କ ମୁହଁରେ ତାଲା ପଡିବା ନିଶ୍ଚିତ ହୋଇ ଯାଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS