ଦୁଃଖୀ ମନ, କିନ୍ତୁ ମୁହଁ ଟାଣ…
ପ୍ରସାଦ ରାଓ
ଜୁନ ୦୧
ଖାଲି ହେଉଥିବା ଓଡ଼ିଶାର ଚାରି ରାଜ୍ୟସଭା ଆସନ ପାଇଁ ମେ’ ୨୯ ତାରିଖ ଦିନ ବିଜେଡ଼ି ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ୩୧ ତାରିଖ ନାମାଂକନପତ୍ର ଦାଖଲ କାର୍ଯ୍ୟ ସରିଛି । ରାଜ୍ୟ ବିଧାନସଭାରେ ବିରୋଧୀଙ୍କ ଆବଶ୍ୟକ ସଂଖ୍ୟା ନଥିବାରୁ କୌଣସି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେଉ ନାହିଁ । ସମସ୍ତ ପ୍ରାର୍ଥୀ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ସୁନିଶ୍ଚିତ । ତେବେ, ଜୁନ ୧୦ ତାରିଖରେ ତିନି ଜଣ ଓ ୧୩ ତାରିଖରେ ଜଣେ ନିର୍ବାଚିତ ହୋଇଥିବା ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା ହେବ । କୌଣସି ପ୍ରତିଦ୍ୱନ୍ଦ୍ୱିତାର ସାମ୍ନା ନକରି ରାଜ୍ୟସଭାକୁ ନିର୍ବାଚିତ ହେଉଥିବାଏହି ଚାରି ପ୍ରାର୍ଥୀ ଭାଗ୍ୟବାନ, ଏକଥା ସ୍ୱୀକାର୍ଯ୍ୟ । ତେବେ, ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ପୁରୁଖା ନେତାଙ୍କୁ ଉପେକ୍ଷା କରି ତୃତୀୟ ପୀଢିର ନେତାଙ୍କୁ ରାଜ୍ୟସଭାକୁ ପଠାଇ ଥିବାରୁ ରାଜନୈତିକ ମହଲରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । କିଏ କହୁଛି, ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଆଉ କିଏ କହୁଛି, ବୟୋଜ୍ୟେଷ୍ଠଙ୍କ ପାଇଁ ଉଦ୍ଦିଷ୍ଟ ସଂସଦର ସର୍ବୋଚ୍ଚ ଗୃହକୁ ମୁଖ୍ୟମନ୍ତ୍ରୀ ଅଭିଜ୍ଞତାସଂପନ୍ନ ନେତାଙ୍କୁ ନ ପଠାଇ କିଛି କନିଷ୍ଠଙ୍କୁ ପଠାଇ ଥିବାରୁ ଆଗାମୀ ଦିନରେ ନେତୃତ୍ୱକୁ ନେଇ ସଂକଟ ଦେଖା ଦେବ ।
ତେବେ ରାଜନୈତିକ ବିଶ୍ଲେଷକଙ୍କ ମତରେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତିଙ୍କ ଏହି ନିଷ୍ପତ୍ତି ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଦଳ ପାଇଁ ସହାୟକ ହେବ । ଏମିତି, ବରିଷ୍ଠ ନେତାମାନେ ରାଜ୍ୟସଭାକୁ ଯାଇ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ କରି ନାହାନ୍ତି । ଏନ.ଭାସ୍କର ରାଓ ଦୀର୍ଘ ଛଅ ବର୍ଷ ରାଜ୍ୟସଭା ସାଂସଦ ଥାଇ ଓଡ଼ିଶାର କୌଣସି ପ୍ରସଙ୍ଗ ସର୍ବୋଚ୍ଚ ଗୃହରେ ଉଠାଇ ନାହାନ୍ତି । ଅପରପକ୍ଷରେ, ଯୁବ ନେତା ଡକ୍ଟର ସସ୍ମିତ ପାତ୍ର ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯାଇ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇ ରିତିମତ ଆଲୋଚନାରେ ଭାଗ ନେବା ସହ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ତେଣୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଉଛନ୍ତି । ଏବେ ଯେଉଁ ଯୁବ ପ୍ରାର୍ଥୀମାନେ ରାଜ୍ୟସଭାକୁ ଯାଉଛନ୍ତି ସେମାନେ ମଧ୍ୟ ସସ୍ମିତଙ୍କ ଭଳି ସଂସଦର ସର୍ବୋଚ୍ଚ ଗୃହରେ ନିଜର ପରାକାଷ୍ଠା ଦେଖାଇବେ ବୋଲି ଅନେକ ଆଶା କରୁଛନ୍ତି । ତେବେ, ଯେଭଳି ଭାବେ ରାଜ୍ୟସଭା ପ୍ରାର୍ଥୀ ଚୟନ ହୋଇଛି ସେଥିରେ ଦଳର ବରିଷ୍ଠ ନେତାମାନେ କ୍ଷୁବ୍ଧ ହେବାର କାରଣ ମଧ୍ୟ ରହିଛି ।
ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ସଂସଦର ସର୍ବୋଚ୍ଚ ଗୃହକୁ ଯିବାକୁ କିଏ ବା ନ ଚାହିଁବ ? ତେଣୁ, ଜୁନରୁ ଅଗଷ୍ଟ ମଧ୍ୟରେ ଖାଲି ହେଉଥିବା ୩ ରାଜ୍ୟସଭା ଆସନ ସହ ଜଣେ ରାଜ୍ୟସଭା ସାଂସଦଙ୍କ ଇସ୍ତଫା ଦ୍ୱାରା ଖାଲି ହୋଇଥିବା ଗୋଟିଏ ଆସନ, ଏପରି ଚାରିଟି ଆସନ ନିମନ୍ତେ ବିଜେଡ଼ି ସଭାପତି ପ୍ରାର୍ଥୀ ଚୟନ କରିବାକୁ ଥିବାରୁ ଦଳରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲା । ଯେଉଁମାନେ ଅବସର ନେବାକୁ ଯାଉଛନ୍ତି ସେମାନେ ପୁନଃ ମନୋନୀତ ହେବା ଆଶା ରଖି ଥିଲେ । ସେହିଭଳି, ୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ବା ବିଦାନସଭା ନିର୍ବାଚନ ଲଢିବା ପାଇଁ ଦଳୀୟ ଟିକଟ ପାଇ ନଥିବା ନେତାମାନେ ମଧ୍ୟ ରାଜ୍ୟସଭା ଟିକଟ ପାଇବେ ବୋଲି ଆଶା ରଖି ଦଳ ଭିତରେ ଦୀର୍ଘବର୍ଷ ହେଲା ମୁହଁମାଡି ପଡି ରହିଥିଲେ । ଏବେ ଏହି ନେତାଙ୍କ ମୁହଁ ପୋଡି କଳା କାଠ ହୋଇଯାଇଛି । ଯେଉଁମାନଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି ସେମାନେ ଖୁସିରେ ଗଦଗଦ୍ ହେବା ସ୍ୱାଭାବିକ । କାରଣ, ଏଭଳି ସୁଯୋଗ ଭାଗ୍ୟରେ ଥିଲେ ହିଁ ମିଳେ ।
ଭାରତୀୟ ନିର୍ବାଚନ ଆୟୋଗ ଓଡ଼ିଶାର ଚାରି ରାଜ୍ୟସଭା ଆସନ ପାଇଁ ଦୁଇ ପର୍ଯ୍ୟାୟରେ (ଜୁନ ୧୦ ଓ ୧୩ରେ) ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିବା ପରେ ପ୍ରାର୍ଥୀ ହେବା ପାଇଁ ଉଭୟ ବରିଷ୍ଠ ଓ କନିଷ୍ଠଙ୍କ ମଧ୍ୟରେ ଛକାପଂଝା ଚାଲି ଥିଲା । ମୁଖ୍ୟମନ୍ତ୍ରୀଙ୍କ ମନରେ କଣ ଅଛି ଜାଣିବା ମୁସ୍କିଲ । ତେଣୁ, ନେତାମାନେ ଟିକଟ ପାଇଁ ଯିଏ ଯାହା ଲବିରେ ଉଦ୍ୟମ ଚଳାଇ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ମନକୁ ନିୟନ୍ତ୍ରଣ କରୁଥିବା ଆଇଏଏସ୍, ଆଇପିଏସ୍ ଅଧିକାରୀଙ୍କ ସମେତ ଦଳର ରାଜ୍ୟ ସାଂଗଠନିକ ସଂପାଦକଙ୍କ ଆଶୀର୍ବାଦ ଲାଭ କରିବା ସମସ୍ତଙ୍କ ଲକ୍ଷ୍ୟ ଥିଲା । ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ତାରିଖ (ମେ’ ୩୧) ପାଖେଇ ଆସିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କୋଟେରୀ ନିରବ ଥିବା ଦେଖି ଦେଖି ନେତାଙ୍କ ହୃଦକଂପ ବଢିବାରେ ଲାଗି ଥିଲା । ମେ’ ୨୯ ତାରିଖ ଦିନ ବିଜେଡ଼ି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରାର୍ଥୀ ତାଲିକା ଜାରି ହେବା ପରେ ସବୁ ଲବିର ପୂର୍ଣ୍ଣଛେଦ ପଡି ଥିଲା ।
ପ୍ରଣବ ପ୍ରକାଶଙ୍କ ଦ୍ୱାରା ପ୍ରକାଶିତ ପ୍ରାର୍ଥୀ ତାଲିକାରେ ଏକ ନମ୍ବରରେ ବିଜେଡ଼ି ରାଜ୍ୟ ମୁଖପାତ୍ର ସୁଲତା ଦେଓ ଏବଂ ଦୁଇ ନମ୍ବରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଂଗରାଜଙ୍କ ନାମ ଥିବା ବେଳେ ତିନି ନମ୍ବରରେ ରାଜ୍ୟସଭା ସାଂସଦ ଥିବା ଡକ୍ଟର ସସ୍ମିତ ପାତ୍ର ଓ ଚାରି ନମ୍ବରରେ ଆଦିବାସୀ ନେତା ନିରଂଜନ ବିଶିଙ୍କ ନାମ ଥିଲା । ବିଜେଡ଼ି ସଭାପତଙ୍କ ନିର୍ଦେଶକ୍ରମେ ଏହି ତାଲିକା ଜାରି ହୋଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ ଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଦଳର ତୃତୀୟ ପୀଢି ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିବା ବେଳେ ପୁରୁଖା ନେତାମାନେ ଅସଫଳ ହୋଇଛନ୍ତି ।
ଜୁନ ୧୦ ଓ ୧୩ ତାରିଖରେ ନିର୍ବାଚିତ ହେବାକୁ ଥିବା ସୁଲତା ଦେଓ, ମାନସ ମଂଗରାଜ ଓ ଡ଼କ୍ଟର ସସ୍ମିତ ପାତ୍ର ଛଅ ବର୍ଷ ପାଇଁ ରାଜ୍ୟସଭାକୁ ଯାଉଥିବା ବେଳେ ତାଲିକାରେ ଚତୁର୍ଥରେ ଥିବା ନିରଂଜନ ବିଶି ଚାରି ବର୍ଷ ପାଇଁ ଯାଉଛନ୍ତି । କାରଣ, ବିଶି ନିକଟରେ କଟକ ମହାନଗର ନିଗମ ମେୟର ନିର୍ବାଚିତ ହୋଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା ସୁବାସ ସିଂହଙ୍କ ସ୍ଥାନ ନେଉଛନ୍ତି । ସିଂହଙ୍କ ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ୨୦୨୬ରେ ସରିବାକୁ ଥିଲା । ସସ୍ମିତ ପାତ୍ର ରାଜ୍ୟସଭା ସାଂସଦ ଅଛନ୍ତି । ସେ ଅବସର ନେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ପଟ୍ଟନାୟକ ତାଙ୍କ ଦକ୍ଷତାକୁ ବିଚାରକୁ ପୁନର୍ବାର ରାଜ୍ୟସଭାକୁ ପଠାଉଛନ୍ତି । ସୁଲତା ଦେଓ ଓ ମାନସ ମଂଗରାଜ ନିକଟରେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବାକୁ ଯାଉଥିବା ପ୍ରସନ୍ନ ଆଚାର୍ଯ୍ୟ ଓ ଏନ.ଭାସ୍କର ରାଓଙ୍କ ସ୍ଥାନରେ ପୂର୍ଣ୍ଣ ସମୟ ପାଇଁ ରାଜ୍ୟସଭାକୁ ଯାଉଛନ୍ତି । ନୂଆ ମୁହଁ ଭାବେ ରାଜ୍ୟସଭାରେ ପଦାର୍ପଣ କରିବାକୁ ଯାଉଥିବା ମାନସ ମଂଗରାଜ, ସୁଲତା ଦେଓ ଓ ନିରଂଜନ ବିଶି କିଭଳି ପ୍ରଦର୍ଶନ କରିବେ ତାହା ଉପରେ ସେମାନଙ୍କ ପରବର୍ତ୍ତୀ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି ।
ବିଜେଡ଼ି ପକ୍ଷରୁ ହୋଇଥିବା ରାଜ୍ୟସଭା ପ୍ରାର୍ଥୀ ଚୟନରେ ଦକ୍ଷିଣ ଓଡ଼ିଶା ସଂପୂର୍ଣ୍ଣ ଉପେକ୍ଷୀତ ରହିଛି । ପଶ୍ଚିମ ଓଡ଼ିଶାରୁ ଆଶାୟୀଙ୍କ ସଂଖ୍ୟା କମ୍ ନଥିବା ବେଳେ ବର୍ଷ ବର୍ଷ ଧରି ସରକାରଙ୍କ ବିରୋଧରେ ଆଦିବାସୀଙକୁ ସଂଗଠିତ କରି ଆଦିବାସୀ ଆନ୍ଦୋଳନର ସୂତ୍ରଧର ହୋଇଥିବା ପଶ୍ଚିମ ଓଡ଼ିଶାର ଆଦିବାସୀ ନେତା ନିରଂଜନ ବିଶିଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିବା ସମସ୍ତଙ୍କୁ ବିସ୍ମିତ କରିଛି । ଅପରପକ୍ଷରେ, ୧୯୯୮ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ଭୁବନେଶ୍ୱର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇ ଆସୁଥିବା ରାଜନେତା ତଥା କବି ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀଙ୍କୁ ବିଜେଡ଼ି ୨୦୧୯ ସାଧାରଣ ନିର୍ବାଚନରେ ଟିକଟ ନଦେଇ ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ଲୋକସଭା ପ୍ରାର୍ଥୀ କଲା । ସେତେବେଳେ, ଅସନ୍ତୁଷ୍ଟ ଥିବା ପାଟ୍ଟଶାଣୀଙ୍କୁ ଶାନ୍ତ୍ୱନା ଦେଇ ତାଙ୍କୁ ରାଜ୍ୟସଭାକୁ ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନରେ ଅରୂପ ହାରିଲେ, ଭୁବନେଶ୍ୱର ଆସନରୁ ବିଜେପିର ଅପରାଜିତା ଷଡଙ୍ଗୀ ଲୋକସଭାକୁ ନିର୍ବାଚିତ ହେଲେ । ସେଇଠି ପାଟ୍ଟଶାଣୀ ରାଜ୍ୟସଭା ଯିବା ସ୍ୱପ୍ନ ସିଲ୍ ହୋଇଗଲା ।
ସେହିଭଳି, ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ବ୍ରହ୍ମପୁର ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇ ଆସୁଥିବା ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମଧ୍ୟ ୨୦୧୯ ନିର୍ବାଚନରେ ଟିକଟ ଦିଆନଯାଇ ରାଜ୍ୟସଭା ଟିକଟ ପ୍ରତିଶ୍ରୁତି ମିଳିଥିଲା । ପଦ୍ମ ଘୁଂଚି ଘୁଂଚି ଯିବା ଭଳି ଚ୍ୟାଉ ବାବୁଙ୍କ ରାଜ୍ୟସଭା ଯବା ଆଶା ଘୁଂଚି ଘୁଂଚି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଚ୍ୟାଉ ବାବୁ ଏବେ କହୁଛନ୍ତି, ସେ ରାଜ୍ୟସଭା ଟିକଟ ଲବିରେ ନଥିଲେ । ତେଣୁ, ଟିକଟ ମିଳି ନଥିବାରୁ ଅସନ୍ତୁଷ୍ଟ ନାହାନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କୁ ବିଭିନ୍ନ ପଦପଦବୀରେ ଥଇଥାନ କରିଥିବାରୁ ସେ ସନ୍ତୁଷ୍ଟ । ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଅସନ୍ତୁଷ୍ଟ ନଥିବା ଦେଖାଇବାକୁ ଯାଇ କହିଛନ୍ତି, ସେ ରାଜ୍ୟସଭା ଯିବାକୁ ଆଶାୟୀ ନଥିଲେ । ମୁଖ୍ୟମନ୍ତ୍ରୀ ନିଜେ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେ ବୁଢା ହୋଇ ଗଲେଣି ସିନା ଲଢୁଆ ଶକ୍ତି ହରାଇ ନାହାନ୍ତି । ପାଟ୍ଟଶାଣୀ ମଂଗଳବାର ଦିନ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଂକନପତ୍ର ଦାଖଲ ସମୟରେ ସେଠାରେ ଉପସ୍ଥିତ ରହି ତାଙ୍କ ମନରେ କୌଣସି ଆବିଳତା ନଥିବା ପ୍ରମାଣ କରିବାକୁ ପଛାଇ ନାହାନ୍ତି ।
କେବଳ ପାଟ୍ଟଶାଣୀ ବା ଚ୍ୟାଉ ପଟ୍ଟନାୟକ ନୁହନ୍ତି, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଭିନ୍ନ ନିର୍ବାଚନ ସମୟରେ ବିଭିନ୍ନ ନେତାଙ୍କୁ ‘ରାଜ୍ୟସଭା ମୁଆଁ’ ଦେଖାଇ ଶାନ୍ତ୍ୱନା ଦେଇଛନ୍ତି । କିନ୍ତୁ, ପରବର୍ତ୍ତୀ ସମୟରେ ତାହା ‘ପାଣିରେ ଗାର’ ସଦୃଶ ପ୍ରତିଶ୍ରୁତିରେ ରହି ଯାଇଛି । ନିକଟରେ କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇ ବିଜେଡ଼ିରେ ସାମିଲ ହୋଇଥିବା ଆଦିବାସୀ ଯୁବ ନେତା ପ୍ରଦୀପ ମାଝୀ ମଧ୍ୟ ରାଜ୍ୟସଭା ଟିକଟ ପାଇବା ଆଶାରେ ଥିଲେ । ତାଙ୍କ ଆଶା ମଧ୍ୟ ମଉଳି ଯାଇଛି । ମାଝୀ ନିଜକୁ ସତେଜ ଦେଖାଇବା ଯାଇ କହୁଛନ୍ତି, ସେ ରାଜ୍ୟସଭା ଟିକଟ ପାଇଁ ଆଶାୟୀ ନଥିଲେ ।
ଓଡ଼ିଶାରେ ଇତିମଧ୍ୟରେ ଆଉ ଏକ ରାଜନୈତିକ ପରଂପରା ସୃଷ୍ଟି ହୋଇ ସାରିଛି । ରାଜ୍ୟସଭା ଯାଉଥିବା ନେତାମାନେ କାର୍ଯ୍ୟକାଳ ସରିବା ଆଗରୁ ଇସ୍ତଫା ଦେଇ ରାଜ୍ୟ ରାଜନୀତିକୁ ଫେରୁ ଥିବାର ବହୁ ନଜିର ରହିଛି । ବିଶେଷକରି, ସାଧାରଣ ନିର୍ବାଚନ ଆସିଲେ ଏଭଳି ବିଲକ୍ଷଣ ଦେଖାଦିଏ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଏଭଳି ଦେଖିବାକୁ ମିଳିଥିଲା । ନିର୍ବାଚନର କିଛି ମାସ ପୂର୍ବରୁ ରାଜ୍ୟସଭାକୁ ଯାଇଥିବା ନେତାଙ୍କୁ ବିଧାନସଭା ନିର୍ବାଚନ ଲଢିବାକୁ ଡକା ଗଲା ଏବଂ ବିଧାୟକ ନିର୍ବାଚିତ ହେବା ପରେ ସେ ଅନ୍ୟ ଜଣକୁ ରାଜ୍ୟସଭା ଯିବାକୁ ବାଟ ଖୋଲିଲେ । କଟକ ମେୟର ସୁବାସ ସିଂହଙ୍କ କ୍ଷେତ୍ରରେ ମଧ୍ୟ ସେହିଭଳି ହୋଇଛି । ଛଅ ବର୍ଷ ପାଇଁ ସେ ରାଜ୍ୟସଭାକୁ ଯାଇଥିଲେ ମଧ୍ୟ ଦୁଇ ବର୍ଷରେ ରାଜ୍ୟ ରାଜନୀତିକୁ ଫେରିଲେ ଏବଂ ଆଦିବାସୀ ନେତା ନିରଂଜନ ବିଶିଙ୍କ ରାଜ୍ୟସଭା ଯିବା ବାଟ ସଫା କଲେ । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେହତେବେଳେ ମଧ୍ୟ ଏଭଳି ବିଲକ୍ଷଣ ଘଟିବାର ଆଶା କରାଯାଇପାରେ । ଦୁଃଖୀ ନେତାମାନେ ମୁହଁ ଟାଣ ଦେଖାଇ ସେଭଳି କିଛି ପରିବର୍ତ୍ତନକୁ ଅପେକ୍ଷା କରିବା ହିଁ ବୁଦ୍ଧିମତ୍ତା ହେବ ବୋଲି କୁହାଯାଇପାରେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS