ସୋନିଆ କୋଭିଡ଼ ପଜେଟିଭ୍, ତଥାପି ‘ଇଡ଼ି’ ସାମ୍ନାରେ ହାଜର ହେବେ !


ପ୍ରସାଦ ରାଓ
ଜୁନ ୦୨
କଂଗ୍ରେସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ଆସନ୍ତା ୮ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ସମ୍ମୁଖରେ ହାଜର ହେବାକୁ ଥିବା ବେଳେ ଗତକାଲି ସନ୍ଧ୍ୟାରୁ ସେ କୋଭିଡ଼ରେ ସଂକ୍ରମିତ ଥିବା ସୂଚନା ମିଳିଛି । ଦଳର ବରିଷ୍ଠ ନେତା ରଣଦୀପ ସିଂହ ସୁରଜେୱାଲ ଆଜି ଟ୍ୱିଟ୍ କରି ସୋନିଆଙ୍କ ସଂକ୍ରମଣ ସଂପର୍କରେ ସୂଚନା ଦେଇଛନ୍ତି । ସୁରଜେୱାଲ କହିଛନ୍ତି, ସୋନିଆଙ୍କୁ ଗତକାଲି ସନ୍ଧ୍ୟାରୁ ସାମାନ୍ୟ ଜ୍ୱର ହୋଇଛି ଏବଂ ସେଥିରେ କୋଭିଡ଼ ଲକ୍ଷଣ ପରିଲକ୍ଷିତ ହୋଇଛି । ଗତ ଏକ ସପ୍ତାହ ଧରି ସେ ଦଳର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଭେଟି ଆଲୋଚନା କରୁଥିଲେ । ଏହି ନେତାଙ୍କ ମଧ୍ୟରୁ କେତେକ କୋଭିଡ଼ରେ ସଂକ୍ରମିତ ଥିବା ପରବର୍ତ୍ତୀ ସମୟରେ ଜଣାପଡିଛି । ସୋନିଆଙ୍କୁ ଗତକାଲି ସନ୍ଧ୍ୟାରୁ ସାମାନ୍ୟ ଜ୍ୱର ହେବା ସହ କୋଭିଡ଼ ଲକ୍ଷଣ ଦୃଶ୍ୟମାନ ହୋଇଥିଲା । କୋଭିଡ଼ ପରୀକ୍ଷାରୁ ସେ ପଜେଟିଭ ଥିବା ଜଣାପଡିଛି ।
କଂଗ୍ରେସର ସାଗଠନିକ ଦାୟିତ୍ୱରେ ଥିବା ଏଆଇସିସି ସାଧାରଣ ସଂପାଦକ କେ.ସି.ବେଣୁଗୋପାଳଙ୍କ ସମେତ ଦଳର ଅନ୍ୟ କିଛି ବରିଷ୍ଠ ନେତା ମଧ୍ୟ କୋଭିଡ଼ ପଜେଟିଭ୍ ଥିବା ସୁରଜେୱାଲ କହିଛନ୍ତି । ଏହା ସତ୍ତ୍ୱେ ସୋନିଆ ଆସନ୍ତା ୮ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ଯାଇ ଜେରାର ସାମ୍ନା କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ‘ନ୍ୟାସନାଲ ହେରାଲ୍ଡ’ କିଣାବିକାରେ ବ୍ୟାପକ ଆର୍ଥିର୍କ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବା ପରେ ଇଡ଼ି ତାହାର ତଦନ୍ତ କରୁଛି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ କିଛି କଂଗ୍ରେସ ନେତା ଇଡ଼ି ସ୍କାନରରେ ରହିଛନ୍ତି । ସେନିଆ ଓ ରାହୁଲଙ୍କୁ ଜେରା କରିବାକୁ ଇଡ଼ି ପକ୍ଷରୁ ଗତକାଲି ସମନ ଜାରି ହୋଇଛି । ରାହୁଲ ଆଜି ଇଡ଼ି କାର୍ଯ୍ୟାଳୟରେ ହାଜର ହେବାର ଥିଲା । ତେବେ, ବିଦେଶ ଗସ୍ତରେ ଥିବାରୁ ସେ ୫ ତାରିଖ ପରେ ଇଡ଼ି ସାମ୍ନାରେ ହାଜର ହେବେ ବୋଲି ସମୟ ନେଇଥିବା ବେଳେ ସୋନିଆଙ୍କୁ ୮ ତାରିଖ ହାଜର ହେବାକୁ ନିର୍ଦେଶ ରହିଛି । ସେ କୋଭିଡ଼ରେ ସଂକ୍ରମିତ ଥିବା ସତ୍ତ୍ୱେ ସେଦିନ ଇଡ଼ି ନିକଟରେ ହାଜର ହେବେ ବୋଲି ସୁରଜେୱାଲ କହିଛନ୍ତି ।
୧୯୩୭ ମସିହାରେ ଦେଶ ବ୍ରିଟିଶ ଶାସନାଧୀନ ଥିବା ସମୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ଅନ୍ୟ କିଛି କଂଗ୍ରେସ ନେତାଙ୍କ ଉଦ୍ୟମରେ ‘ନ୍ୟାସନାଲ୍ ହେରାଲ୍ଡ’ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ‘ଆସୋସିଏଟେଡ଼ ଜର୍ଣ୍ଣାଲ୍ସ ଲିମିଟେଡ଼’ ତାହାର ପରିଚାଳନା ଦାୟିତ୍ୱରେ ଥିଲା । ତେବେ, ପରବର୍ତ୍ତୀ ସମୟରେ ଗାନ୍ଧୀ ପରିବାର ‘ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼’ ଏକ ସଂସ୍ଥା ମାଧ୍ୟମରେ ‘ଆସୋସିଏଟେଡ଼ ଜର୍ଣ୍ଣାଲ୍ସ ଲିମିଟେଡ଼’ ବା ଏଜେଏଲକୁ ଅଧିଗ୍ରହଣ କରିଥିବା ଏବଂ ଏଥିରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଇଡ଼ି ତଦନ୍ତ ଚାଲିଛି । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏବଂ ଅନ୍ୟ କିଛି ବରିଷ୍ଠ କଂଗ୍ରେସ ନେତାଙ୍କୁ ଏହି ମାମଲାରେ ସଂପୃକ୍ତ କରାଯାଇ ଠକେଇ, ଷଡଯନ୍ତ୍ର ଏବଂ ଆପରାଧିକ ବିଶ୍ୱାସ ଭଂଗ ଭଳି ଦଫାରେ ମାମଲା ରୁଜୁ ହୋଇଛି । ନିକଟରେ, ଇଡ଼ି ପକ୍ଷରୁ ବରିଷ୍ଠ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ପବନ ବଂସଲଙ୍କୁ ସମନ କରାଯାଇ ଜେରା କରାଯାଇଥିଲା । ଏବେ, ସୋନିଆ ଓ ରାହୁଲଙ୍କୁ ସମନ ହୋଇଛି । ଦୁହେଁ କୋର୍ଟରୁ ଆଗୁଆ ଜାମିନରେ ଅଛନ୍ତି ।
ଏଜେଏଲ୍ ଓ ୟଙ୍ଗ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ କୌଣସି ପ୍ରକାର ବେଆଇନ ଅର୍ଥ କାରବାର ବା ମନି ଲଣ୍ଡରିଂର ପ୍ରମାଣ ନାହିଁ । ତେଣୁ, ୨୦୧୫ରେ ଇଡ଼ି ଏହି ମାମଲାର ତଦନ୍ତକୁ ବନ୍ଦ କରିଦେଇଥିଲେ । ତେବେ, କେନ୍ଦ୍ର ସରକାର ସଂପୃକ୍ତ ତଦନ୍ତକାରୀ ଅଧିକାରୀଙ୍କୁ ବଦଳାଇ ତାଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେବା ସହ ପୁଣି ଥରେ ମାମଲା ଖୋଲିଛନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଅଭିଷେକ ମନୁ ସିଂଘଭି ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧୀ ଦଳଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇ ସିବିଆଇ, ଇଡ଼ି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅପବ୍ୟବହାର କରୁଛି । କଂଗ୍ରେସ ଏଥିରେ ଭୟଭିତ ନୁହେଁ ବୋଲି ସିଂଘଭି କହିଥିବା ବେଳେ ପିଏମଏଲଏ (ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) ଆଇନର ବିଭିନ୍ନ ଆପରାଧିକ ଦଫାରେ ଅଭିଯୁକ୍ତଙ୍କ ବୟାନ ଲିପିବଦ୍ଧ କରିବା ପାଇଁ ସେମାନଙ୍କୁ ସମନ କରାଯାଇଛି ବୋଲି ତଦନ୍ତକାରୀ ସଂସ୍ଥା କହିଛି ।
ସୋନିଆ ଓ ରାହୁଲଙ୍କୁ ଇଡ଼ି ସମନ କରିବା ପରେ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାିଥିବା ବେଳେ ବେଳେ ଯଦି ସବୁ ଠିକ୍ ଠାକ୍ ଅଛି ଗାନ୍ଧୀ ପରିବାର ଅଦାଲତକୁ ଯାଇ ମାମଲା ଖାରଜ କରାଉ ନାହାନ୍ତି କାହିଁକି (?) ବୋଲି ବରିଷ୍ଠ ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପ୍ରଶ୍ନ କରିଥିବା ବେଳେ ବିଜେପି ସଭାପତି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ କଡା ଟିପ୍ପଣୀ ଦେଇଛନ୍ତି । ଜଣେ ଅପରାଧୀ କେବେ କଣ ନିଜକୁ ଅପରାଧୀ ବୋଲି ମାନି ଥାଏ (?) ବୋଲି ନଡ୍ଡା ପ୍ରଶ୍ନ କରିବା ସହ ଗାନ୍ଧୀ ପରିବାର ସେମାନଙ୍କ ବିରୋଧରେ ଥିବା ଅଭିଯୋଗକୁ ଅସ୍ୱୀକାର କଲେ ସୁଦ୍ଧା କାଗଜପତ୍ରରେ ପ୍ରମାଣ ରହିଛି ବୋଲି ସେ କହିଛନ୍ତି । ତଦନ୍ତକାରୀ ସଂସ୍ଥା ସେମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପରେ ସେମାନେ ତାହାକୁ ରଦ୍ଦ କରିବା ପାଇଁ କୋର୍ଟରେ ଆବେଦନ କରିବା ବଦଳରେ ଅଦାଲତରୁ ଆଗୁଆ ଜାମିନ ଆଣିବା ସେମାନଙ୍କ ଦୁର୍ବଳତାକୁ ପ୍ରତିଫଳିତ କରୁଛି ବୋଲି ନଡ୍ଡା କହିଛନ୍ତି ।
ତେବେ, କେବଳ ଗାନ୍ଧୀ ପରିବାର ନୁହେଁ, ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ବିରୋଧୀଙ୍କୁ ଦମନ ପାଇଁ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ନିକଟରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଦିଲ୍ଲୀ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଗିରଫ କରି ନିଜ ହେପାଜତରେ ରଖିଛନ୍ତି । ଏହା ପରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିବା ଷଡଯନ୍ତ୍ର ଚାଲିଛି ବୋଲି ବୋଲି କେଜରୀୱାଲ ଅଭିଯୋଗ କରିବା ସହ ନିର୍ଭରଯୋଗ୍ୟ ସୂତ୍ରରୁ ସେ ଏହି ଖବର ପାଇଥିବା ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି । ଦିଲ୍ଲୀରେ ସ୍କୁଲ ଗୃହ ନିର୍ମାଣରେ ହଜାର ହଜାର କୋଟି ଟଙ୍କା ବ୍ୟୟ ହୋଇଛି । ସେଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ସିସୋଦିଆଙ୍କୁ ଫସାଇବା ଉଦ୍ୟମ ହେଉଛି ବୋଲି କେଜରୀୱାଲ କହିଛନ୍ତି । ଆମ ସମସ୍ତଙ୍କୁ ଏକାଠି ଗିରଫ କରି ଜେଲରେ ପୁରାଇ ଦିଆଯାଉ, ଜେଲରୁ ଫେରିଲେ ଅନ୍ତତଃ ଭଲ ଭାବେ କାମ କରି ପାରିବୁ’ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ତାଙ୍କ ଭିିଡ଼ିଓ ବାର୍ତ୍ତାରେ କହୁଥିବା ଶୁଣିବାକୁ ମିଳିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS